Unknown

 

 

 

 

 

 

 

 

 

୯୬ତମ ସଂଖ୍ୟା କୋଣାର୍କ ୧୯୯୫

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ଓଡ଼ିଶା ସାହିତ୍ୟ ଏକାଡେମୀର ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ଶ୍ରୀ କିଶୋରୀଚରଣ ଦାସ

ସଭାପତି

 

ଶ୍ରୀ ଚିତ୍ତରଞ୍ଜନ ଦାସ

ସୌଜନ୍ୟ ସମ୍ପାଦକ

 

ସମ୍ପାଦନା

ଶ୍ରୀ ଶ୍ରୀନିବାସ ଉଦ୍‍ଗାତା

 

ଉପସଭାପତି

ପରିଚାଳନା ସମ୍ପାଦକ

ଶ୍ରୀ ରାଜକିଶୋର ମିଶ୍ର

ସମ୍ପାଦକ, ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର

 

ସହଯୋଗୀ

ମହେନ୍ଦ୍ର କୁମାର ଛୁଆଳସିଂହ

ଶ୍ରୀମତୀ ଅନସୂୟା ଦେବୀ

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

ଜୟଦେବ ରାଜ୍ୟ ସଂଗ୍ରହାଳୟ ପରିସର

ଭୁବନେଶ୍ୱର-୧୪

ଫୋନ୍‍- ୫୨୬୪୧

 

ପ୍ରଚ୍ଛଦ : ୰ ଶିଳ୍ପୀ ଛନ୍ଦାଚରଣ ଆଚାର୍ଯ୍ୟ

ସର୍ବାଧିକାର ଏକାଡେମୀ କର୍ତ୍ତୃକ ସଂରକ୍ଷିତ

ପ୍ରକାଶିତ ସାମଗ୍ରୀର ପୁନର୍ମୁଦ୍ରଣ ଲେଖକ, ଅନୁବାଦକ

ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ଅନୁମତି ସାପେକ୍ଷ ।

ପ୍ରକାଶିତ ରଚନାର ମତାମତ ଲେଖକଙ୍କର ନିଜସ୍ୱ ମତ ।

 

“କୋଣାର୍କ” ପ୍ରକାଶନର ନିୟମାବଳୀ

୧.

ପ୍ରତିବର୍ଷ ‘କୋଣାର୍କ’ର ୪ ଗୋଟି ସଂଖ୍ୟା ନିୟମିତ ଭାବେ ପ୍ରକାଶିତ ହେବ । ପ୍ରତି ସଂଖ୍ୟାର ମୂଲ୍ୟ ଟ.୧୫/-ରହିବ । ବାର୍ଷିକ ଗ୍ରାହକ ଦେୟ ଟ.୬୦/- ରହିବ ।

 

୨.

‘କୋଣାର୍କ’ରେ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ସୃଜନଶୀଳ ଏବଂ ଆଲୋଚନାତ୍ମକ ରଚନାମାନ ସ୍ଥାନ ପାଇବ । ଓଡ଼ିଆ ସାହିତ୍ୟ ଛଡ଼ା ଅନ୍ୟ ଭାରତୀୟ ବା ବିଶ୍ୱର ତୁଳନାତ୍ମକ ସାହିତ୍ୟ ସମ୍ପର୍କିତ ନିବନ୍ଧମାନ ମଧ୍ୟ ଏଥିରେ ସ୍ଥାନ ପାଇବ । ଏହାଛଡ଼ା ଗ୍ରନ୍ଥସମୀକ୍ଷା ସାହିତ୍ୟିକଙ୍କ ସହ ସାକ୍ଷାତକାର ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବ । ଗ୍ରନ୍ଥସମୀକ୍ଷାଟି ସଂକ୍ଷିପ୍ତ ହେବା ସଙ୍ଗେସଙ୍ଗେ ଆଲୋଚ୍ୟ ଗ୍ରନ୍ଥଟି ମଧ୍ୟ ସାହିତ୍ୟିକ ଦୃଷ୍ଟି କୋଣରୁ ମର୍ଯ୍ୟାଦାବନ୍ତ ହୋଇଥିବା ବାଞ୍ଛନୀୟ । ସମାଲୋଚନା ପାଇଁ ଦୁଇଖଣ୍ଡ ପୁସ୍ତକ ସମ୍ପାଦକଙ୍କ ନିକଟକୁ ପ୍ରେରିତ ହେବା ଉଚିତ ।

 

୩.

ନିବନ୍ଧଗୁଡ଼ିକ ନାତିଦୀର୍ଘ ହେବା ଆବଶ୍ୟକ, ଯେପରି କି ଏହା ରୟାଲ ୧/୮ ଆକାର ବିଶିଷ୍ଟ ‘କୋଣାର୍କ’ର ୧୦ ପୃଷ୍ଠା ମଧ୍ୟରେ ସୀମିତ ରଖାଯାଇ ପାରିବ ।

 

୪.

‘କୋଣାର୍କ’ରେ ପ୍ରକାଶନ ପାଇଁ ପ୍ରେରିତ ଲେଖାଗୁଡ଼ିକର ନକଲ ଲେଖକ/ଲେଖିକମାନେ ନିଜ ପାଖରେ ରଖିବା ପାଇଁ ଅନୁରୋଧ । କାରଣ, ଅମନୋନୀତ ଲେଖାଗୁଡ଼ିକ ଫେରସ୍ତ ହେବାର ବ୍ୟବସ୍ଥା ନାହିଁ । ଲେଖାଗୁଡ଼ିକ କାଗଜର ଗୋଟିଏ ପାଶ୍ୱର୍ରେ ପରିଷ୍କାର ହସ୍ତାକ୍ଷରରେ ଲିଖିତ ହେବା ଆବଶ୍ୟକ ।

 

୫.

‘କୋଣାର୍କ’ରେ ପ୍ରକାଶିତ ଲେଖକ ଓ ସମାଲୋଚକମାନଙ୍କ ମତାମତ ଓଡ଼ିଶା ସାହିତ୍ୟ ଏକାଡେମୀର ଆନୁଷ୍ଠାନିକ ମତାମତ ରୂପେ ଗୃହୀତ ନହୋଇ ତାହା କେବଳ ସେମାନଙ୍କର ବ୍ୟକ୍ତିଗତ ମତାମତ ରୂପେ ବିବେଚିତ ହେବ ।

 

୬.

‘କୋଣାର୍କ’ରେ ପ୍ରକାଶିତ ପ୍ରତ୍ୟେକ ଲେଖା ପାଇଁ ଲେଖକଙ୍କୁ ଟ.୨୦୦/-(ଦୁଇଶତ ଟଙ୍କା) ପାରିତୋଷିକ ପ୍ରଦାନ କରାଯିବ ।

 

୭.

‘କୋଣାର୍କ’ ସମ୍ପର୍କୀୟ ସମସ୍ତ ଯୋଗାଯୋଗ ପରିଚାଳନା ସମ୍ପାଦକଙ୍କ ସହିତ କରାଯିବ ।

 

 

ସଂପାଦକୀୟ

 

‘ଅଭିଜ୍ଞାନଶାକୁନ୍ତଳମ୍‌’ ପ୍ରାରମ୍ଭରେ ନଟୀକୁ ସୂତ୍ରଧାର କହୁଛି-

 

ଅପରିତୋଗାଦ୍‌ ବିଦୁଷାଂ ନ ସାଧୁ ମନ୍ୟେ ପ୍ରୟୋଗବିଜ୍ଞାନମ୍‌

ବଳବଦପି ଶିକ୍ଷିତାନାମାତ୍ମନ୍ୟପ୍ରତ୍ୟୟଂ ଚେତଃ

 

ଯେ ପର୍ଯ୍ୟନ୍ତ ବିଦ୍ୱଜ୍ଜନ ପରିତୁଷ୍ଟ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ପ୍ରୟୋଗ କୌଶଳକୁ ଯଥାଯଥ ବୋଲି ମାନି ହେବ ନାହିଁ । ମଣିଷ ଯେତେ ଶିକ୍ଷିତ ହୋଇଥାଉ ପଛକେ ଆପଣା ଉପରେ କିଛି ଅବିଶ୍ୱାସ ତ ଅବଶ୍ୟ ରହିବ ।

 

ଏହି କଥାଟି ଦର୍ପଣ ଭଳି ସ୍ୱଚ୍ଛ । ସତ । ଯେଉଁମାନେ, ଯେଉଁକାଳରେ ବି ହେଉନା କାହିଁକି, ଆପଣାର ମାନବୀୟ କ୍ଷମତାର ସୀମା ଭିତରେ କୌଣସି ପ୍ରୟୋଗ-କୌଶଳର ଅନୁରାଗୀ ହେଲେ, ଆପଣାଠାରୁ ସମର୍ଥ ବ୍ୟକ୍ତିର ସମର୍ଥନ ପାଇବା ଆଶାରେ ଅନେଇ ରହନ୍ତି । ପ୍ରଶଂସାର ବାକ୍ୟଟି ଭାରି ମିଠା । ଆଗେଇ ଯିବାକୁ ଦମ୍ଭ ଦିଏ, ବଳ ଦିଏ । ତେବେ ଗଠନ-ମୂଳକ ନିନ୍ଦା, ପିତା ହେଲେ ବି ଭାରି ଉପକାରୀ ।

 

ତେବେ ‘କୋଣାର୍କ’ ପ୍ରସଙ୍ଗରେ ନିନ୍ଦା-ପ୍ରଶଂସାର ବାଣୀ ଆମପାଇଁ ଦୁର୍ଲଭ ହୋଇଗଲା । ଜାଣି ହେଲା ନାହିଁ ବିଦ୍ୱାନ୍‌ ମଣ୍ଡଳୀ ରୁଷ୍ଟ ହେଲେ ନା ପରିତୁଷ୍ଟ । କ୍ଷମା କରିବେ, ବୟୋଜ୍ୟେଷ୍ଠ ସାହିତ୍ୟିକ ଏବଂ ଏକାଡେମୀ ସଦସ୍ୟ ଶ୍ରୀ ମଦନମୋହନ ମିଶ୍ର ଚିଠିଟିଏ ଦେଇଛନ୍ତି । ଏହି ସଂଖ୍ୟାରେ ଆମେ ସେ ଚିଠି ପାଠକୀୟ ପୃଷ୍ଠାରେ ପତ୍ରସ୍ଥ କରିଛୁଁ ।

 

‘କୋଣାର୍କ’ର ଏହି ସଂଖ୍ୟାକୁ କାହିଁକି, ପ୍ରତ୍ୟେକ ସଂଖ୍ୟାକୁ ଗୋଟିଏ ବିଶେଷାଙ୍କ ଭାବରେ, ଅର୍ଥାତ୍‌ କୌଣସି ଏକ ନିର୍ଦ୍ଦିଷ୍ଟ ବିଷୟ-ସନ୍ଦର୍ଭ ପ୍ରତି ସମର୍ପିତ କରି ପ୍ରକାଶିତ କରିବାର ଇଚ୍ଛା ଥିଲା । ମାତ୍ର ଏ ସଂଖ୍ୟାଟି ମଧ୍ୟ ବିବିଧ ପ୍ରସଙ୍ଗର ସଂକଳନ ହେଲା । ବିବିଧ-ପ୍ରସଙ୍ଗର ସଂକଳନ ଅନୁପାଦେୟ ବୋଲି କହୁନାହିଁ । ତେବେ କୌଣସି ନିର୍ଦ୍ଦିଷ୍ଟ ସାରସ୍ୱତ ବିଭାଗର ଆଲୋଚନା-ଅନୁଶୀଳନର ଏକତ୍ରୀକରଣ ଗବେଷକ ତଥା ଚିନ୍ତାଶୀଳ ପାଠକଙ୍କର ଭବିଷ୍ୟତରେ ସମୀକ୍ଷା ବିଶ୍ଲେଷଣ ନିମନ୍ତେ ସଂରକ୍ଷିତ କରି ରଖିବାପାଇଁ ଅଧିକ ଉପଯୋଗୀ । କେବଳମାତ୍ର ଉପଯୁକ୍ତ ନିବନ୍ଧ ଅଭାବରେ ଏହା ହୋଇ ପାରିଲା ନାହିଁ । ଆବଶ୍ୟକ ସମୟରେ ଯୋଗାଯୋଗ କରିବା ସହଜ ହେବ ବୋଲି ତଥା କୋଣାର୍କର ପ୍ରସାର ଦିଗରେ ସହାୟକ ହେବ ବୋଲି ଆମକୁ ଲେଖକମାନଙ୍କର ସପରିଚୟ ଠିକଣା ଏବଂ କର୍ମରତ ସାରସ୍ୱତ ସାଂସ୍କୃତିକ ଅନୁଷ୍ଠାନମାନଙ୍କର ବିବରଣୀ ଦେବାପାଇଁ ନିବେଦନ କରିଥିଲୁଁ । ଏକାଡେମୀର ମାନ୍ୟବର ସଦସ୍ୟମାନେ ଆପଣା ଆପଣାର କ୍ଷେତ୍ରସ୍ଥ ଲେଖକ ଏବଂ ଅନୁଷ୍ଠାନମାନଙ୍କର ବିବରଣୀ ଏ ପର୍ଯ୍ୟନ୍ତ ଦେଲେ ନାହିଁ । ଅଳ୍ପ କେତେଜଣଙ୍କର ସହଯୋଗ ପାଇ ଆମେ କୃତଜ୍ଞତା ଜ୍ଞାପନ କରିଛୁଁ ।

 

ଆମର ମହାନୁଭବ ସଦସ୍ୟମାନେ ଆପଣା ଆପଣା କ୍ଷେତ୍ରରେ ସମ୍ମାନାସ୍ପଦ କୃତବିଦ୍ୟ ସାରସ୍ୱତ ପୁରୁଷ । ସେମାନେ ମଧ୍ୟ କୋଣାର୍କ ପାଇଁ ସମୀଚୀନ ନିବନ୍ଧ ରଚନା କରିପାରନ୍ତେ । ବିଷୟାନୁସାରେ ତାହା ସଂକଳିତ ହୋଇପାରନ୍ତା । ପ୍ରତି ବର୍ଷ କୋଣାର୍କର ମାତ୍ର ଚାରିଗୋଟି ସଂଖ୍ୟା ପ୍ରକାଶିତ ହୋଇଥାଏ । ଏଣୁ କଳେବର ନିଶ୍ଚିତ ଭାବରେ ସୀମାବଦ୍ଧ । ସେ ଦୃଷ୍ଟିରୁ କୋଣାର୍କ ପୃଷ୍ଟାରେ ବର୍ଷକ ଭିତରେ ନିବନ୍ଧର ଦୈର୍ଘ୍ୟ ଦୃଷ୍ଟିରୁ ଅତିବେଶୀରେ ପଚାଶ-ଷାଠିଏଠି ପ୍ରବନ୍ଧ ପ୍ରକାଶିତ କରିହେବ । ଅବଶିଷ୍ଟ ପ୍ରବନ୍ଧ ପ୍ରାବନ୍ଧିକମାନଙ୍କୁ ଆବଶ୍ୟକ ସ୍ଥଳେ ସେମାନଙ୍କର ସଦୁପଯୋଗ ନିମନ୍ତେ ଫେରାଇ ଦିଆଯାଇ ପାରନ୍ତା । ଏହା ଫଳରେ ପ୍ରକାଶନରେ ବିଳମ୍ବ ଜନିତ ଆଶଙ୍କା ଏଡ଼ାଇ ଦିଆଯାଇ ପାରନ୍ତା।

 

ଆପଣମାନଙ୍କର ନିଷ୍ଠାପର ସହଯୋଗ ଏବଂ ଦିଗ୍‌ଦର୍ଶନ କାମନା କରୁଛି ।

 

 

ନମସ୍କାରାନ୍ତେ

ଆପଣଙ୍କର

ଶ୍ରୀନିବାସ ଉଦ୍‌ଗାତା

 

 

ପାଠକୀୟ

x x x ଆପଣଙ୍କ ପ୍ରେରିତ ‘କୋଣାର୍କ’ରେ ସ୍ୱର୍ଗତ ପଣ୍ଡିତ ବାନାମ୍ୱର ଆଚାର୍ଯ୍ୟଙ୍କ ସମ୍ପର୍କିତ ପ୍ରବନ୍ଧଟି ପାଠ କଲି । ସେଇ ଗତାନୁଗତିକ ତଥ୍ୟ ଆଉ ଲେଖା । ୧୯୩୨ରୁ ମୋର ଶୈଶବକାଳରୁ ଆମ ଘର ପାଖେ କେନ୍ଦୁଝରରେ ରହୁଥିବା ଚିରବରେଣ୍ୟ ପଣ୍ଡିତ ମଉସାଙ୍କ ସଂପର୍କରେ ନୂଆ କଥା କିଛି ପାଇଲିନି । ଯାହା ସବୁ ସେଇ ପୁରୁଣା କଥା । ଅଥଚ ଆମ ଏଠି କେତେ ଯେ ସ୍ମୃତି ସମୁଜ୍ଜଳ ନୂଆ ନୂଆ କଥା ରହିଛି, ତାହା କେବେ କିପରି ପ୍ରକଟିତ, ପ୍ରକାଶିତ ହୋଇପାରିବ ଭଗବାନ ଜାଣନ୍ତି । ତେବେ ବଲାଙ୍ଗିରରୁ ପ୍ରକାଶିତ ବିଦ୍ୟାଭୂଷଣ ସ୍ମରଣେ ମୋତେ ସ୍ୱର୍ଗତ ଛୋଟରାୟ ସାହେବ ଦେଇଥିଲେ । ବେଶ୍‍ ଭଲ ହୋଇଛି । ତାପରେ ଆଉ ସେପରି କୌଣସି ସ୍ମରଣିକା ବାହାରିଛି କି ?

 

ଅବଶ୍ୟ କୋଣାର୍କ ଲେଖା ପଢ଼ି ଅନେକେ ଜାଣିପାରିବେ । ସେ ଦୃଷ୍ଟିରୁ ଲେଖାଟି ସ୍ୱାଗତଯୋଗ୍ୟ ।

 

 

ମଦନମୋହନ ମିଶ୍ର

ସଦସ୍ୟ, ଓଡ଼ିଶା ସାହିତ୍ୟ ଏକାଡେମୀ

କେନ୍ଦୁଝର

 

***

 

ଛମାଣ ଆଠଗୁଣ୍ଠ : ଉପନ୍ୟାସ ଶୈଳୀର ଏକ ବିଶିଷ୍ଟ ବିଭାବ

ଡକ୍‌ଟର ବାଳକୃଷ୍ଣ ଶତପଥୀ

 

‘‘ଭଗିଆ ବିଚାରା ବଡ଼ ସାଧାସିଧା ଲୋକ । ଛନ୍ଦ କପଟ ତା ମନକୁ ଛୁଇଁନାହିଁ । ତାକୁ ଶାଗ କହ–ହଁ, ମୁଗ କହ–ହଁ । ଗାଁ ଲୋକମାନେ ଭଗିଆକୁ ହୁଣ୍ଡା ତନ୍ତୀ ବୋଲି ଡାକନ୍ତି । ଆପଣଙ୍କୁ କହିବାକୁ ଏତେବେଳେ ସଳଖ ଦାଣ୍ଡ ପଡ଼ିଗଲା । ଆମ୍ଭେମାନେ ଇସାରାରେ ସବୁ ବୁଝିପାରୁଁ । ଆପଣଙ୍କ ମୁହଁ ଆକାରରୁ ସବୁକଥା ଜଣା ପଡ଼ିଗଲାଣି । ଆପଣ କହୁଛନ୍ତି ବା କହିବେ କିମ୍ବା କହିବାକୁ ମନେ କରିଛନ୍ତି ବା କରିବେ–ଏଗୁଡ଼ାକ ନିପଟ ତନ୍ତୀ ନୁହନ୍ତି ତ ଆଉ କ’ଣ ? ବାପ ପରମାଣିକ ଥିଲା ବୋଲି ହୁଣ୍ଡାଟାକୁ ସରଦାର କରି ସବୁ ତନ୍ତୀଗୁଡ଼ାକ ତାକୁ ଜୁହାରୁଛନ୍ତି । ଆରେ ବାବୁ, ଯେବେ ଜଣେ ସରଦାର କରିବାର ଦରକାର ହେଲା, ପାର୍ଲିଆମେଣ୍ଟର ମେମ୍ବର ବା ଇଉନାଇଟେଡ୍ ଷ୍ଟେଟସ୍‌ର ପ୍ରେସିଡେଣ୍ଟ ବାଛିଲା ପରି ପାଞ୍ଚଜଣ ଭୋଟ (ମତ) ନେଇ ଜଣେ ସିଆଣା ଭଳିଆ ଲୋକକୁ ପରମାଣିକ କର । ତାହା ନକରି ବାପ ପରମାଣିକ ଥିଲା ବୋଲି ଅଯୋଗ୍ୟ ଲୋକଟାକୁ ପରମାଣିକ କରି ବସିଅଛ । କଥାଟା ଏକା ସତ । ମନ ଲାଗିଗଲା ପରା । ହକ୍ କଥାରେ ଉଁଚୁଁ କରିବାକୁ କି ବାଟଥାଏ ? ଆମ୍ଭେମାନେ ବରାବର ତନ୍ତୀମାନଙ୍କ ପଟ ଧରି ଚାଲିଥିଲୁଁ, ଏଣିକି ଆଉ ବାଟ କାହିଁ ? ଆମ୍ଭେମାନେ ପ୍ରତିଜ୍ଞା କରିଅଛୁଁ ବା କରିବୁଁ ତନ୍ତୀ କଥାରେ ଆଉ ପାଖ ପଶିବୁଁ ନାହିଁ, ହେଲେ ତନ୍ତୀମାନଙ୍କୁ ଚିହ୍ନି ରଖିବାର ଉଚିତ । ହେ ପାଠକ ଅବଧାନେ, ଆମ୍ଭମାନଙ୍କର ଜ୍ଞାନ ଅତି ଅଳ୍ପ, ସୁତରୀ ତନ୍ତୀ ଚିହ୍ନିବାକୁ ନିତାନ୍ତ ଅକ୍ଷମ । ଅନୁଗ୍ରହ କରି ଆମ୍ଭମାନଙ୍କୁ ତନ୍ତୀ ଚିହ୍ନାଇ ଦେଉନ୍ତୁ ।’’–ପୃଷ୍ଠା-୫୧(*)

 

(*) ଉକ୍ତ ପ୍ରବନ୍ଧରେ ‘ଛମାଣ ଆଠଗୁଣ୍ଠ’ ଉପନ୍ୟାସରେ ଯେଉଁ ପୃଷ୍ଠାଙ୍କ ପ୍ରଦତ୍ତ ହୋଇଅଛି ତାହା ‘ଛମାଣ ଆଠଗୁଣ୍ଠ’–ପ୍ରକାଶକ–କଟକ ଷ୍ଟୁଡ଼େଣ୍ଟସ୍ ଷ୍ଟୋର–ପଞ୍ଚଦଶ ମୁଦ୍ରଣଗ୍ରନ୍ଥର ପୃଷ୍ଠାଙ୍କ ।

 

‘‘ନିର୍ବୁଦ୍ଧିତ୍ୱର ସହିତ ତନ୍ତୀ ଜାତିର ଗୋଟାଏ ସମ୍ବନ୍ଧ ଥିବାର ସମସ୍ତେ ବୋଲନ୍ତି । କାହାରି ବୁଦ୍ଧିର ତ୍ରୁଟି ଦେଖିଲେ ଲୋକେ ବୋଲନ୍ତି ‘ଆରେ ତୁଟା ତନ୍ତୀ ନା କଣରେ ?’ ଅର୍ଥାତ୍ ତୁ ତନ୍ତୀ ପରି ହୁଣ୍ଡା ।’’–ପୃଷ୍ଠା-୪୮ ।

 

ଉପର୍ଯ୍ୟୁକ୍ତ ଦୁଇଟି ଉଦ୍ଧୃତି ଦେଇ ଉକ୍ତ ପ୍ରବନ୍ଧ ପ୍ରସ୍ତୁତ କରିବାର ଉଦ୍ଦେଶ୍ୟ ହେଲା–ଓଡ଼ିଆ ଉପନ୍ୟାସର ପାଠକ ଏପରି ଏକ ଗଦ୍ୟରୀତିର ଉପନ୍ୟାସ ପ୍ରଥମ କରି ଫକୀରମୋହନ ସେନାପତିଙ୍କଠାରୁ ୧୮୯୭-୯୯ ମସିହା ମଧ୍ୟରେ ପଢ଼ିବାର ସୁଯୋଗ ଲାଭ କରିଅଛି । ‘ଛମାଣ ଆଠଗୁଣ୍ଠ’ ଓଡ଼ିଆ ସାହିତ୍ୟର ପ୍ରଥମ ଉପନ୍ୟାସ ନୁହେଁ । ପୁଣି, ଓଡ଼ିଆ ଗଦ୍ୟସାହିତ୍ୟର ବିକାଶ କ୍ଷେତ୍ରରେ ଫକୀରମୋହନ ବହୁ ପରବର୍ତ୍ତୀ ଗଦ୍ୟକାର । ଓଡ଼ିଆ ସାହିତ୍ୟର ପ୍ରାଚୀନ ଏବଂ ମଧ୍ୟଯୁଗରେ ଅଭିଲେଖ, ପାଞ୍ଜି ଓ ପୋଥି ବ୍ୟତୀତ ଅନ୍ୟ କେତେକ ବିଶିଷ୍ଟ ଗଦ୍ୟରଚନା ଯଥା:- ‘ରୁଦ୍ର ସୁଧାନିଧି’, ସୋମନାଥ ବ୍ରତକଥା’, ଅନୁଦିତ ‘ବତ୍ରିଶ ସିଂହାସନ କଥା’ ଏବଂ ‘ଚତୁର ବିନୋଦ କଥା’ ଭଳି କେତେକ ଗଦ୍ୟରଚନା; ପୁଣି, ‘ପଦ୍ମମାଳୀ’ ଏବଂ ‘ବିବାସିନୀ’ ଭଳି ଆଧୁନିକ ଯୁଗର ଉପନ୍ୟାସ ସହିତ ଓଡ଼ିଆ ପାଠକ ପରିଚିତ । ଏହା ସତ୍ତ୍ୱେ, ଫକୀରମୋହନଙ୍କ ପ୍ରଥମ ଉପନ୍ୟାସ ‘ଛମାଣ ଆଠଗୁଣ୍ଠ’ ଏକ ସ୍ୱତନ୍ତ୍ର ଗଦ୍ୟରୀତିର ଉପନ୍ୟାସ । ଏହାର ରଚନାଶୈଳୀରେ ଏକ ଅପୂର୍ବ ବୈଶିଷ୍ଟ୍ୟ ଲକ୍ଷ୍ୟଣୀୟ । ଓଡ଼ିଆ ସାହିତ୍ୟରେ ବିଶେଷତଃ କଥାସାହିତ୍ୟ କ୍ଷେତ୍ରରେ ଫକୀରମୋହନଙ୍କ ଯେଉଁ କେତେଗୋଟି ପ୍ରମୁଖ ବୈଶିଷ୍ଟ୍ୟ ସହିତ ନିଷ୍ଠାପର ପାଠକ ଅତ୍ୟନ୍ତ ପରିଚିତ ସେଗୁଡ଼ିକ ହେଲା-ତାହାଙ୍କର ଅନନ୍ୟ ଗଦ୍ୟରୀତି ଓ କଥାଶୈଳୀ; ଚମତ୍କାର ଚରିତ୍ର ଚିତ୍ରଣ ଏବଂ ଆମୋଦପୂର୍ଣ୍ଣ ହାସ୍ୟ ଓ ବ୍ୟଙ୍ଗର ପରିବେଷଣ । ସମାଲୋଚକ ଦୃଷ୍ଟିରେ ତାହାଙ୍କର ପ୍ରଥମ ଅଥଚ ଶ୍ରେଷ୍ଠ ଉପନ୍ୟାସ ‘ଛମାଣ ଆଠଗୁଣ୍ଠ’ ମଧ୍ୟରେ ଉପର୍ଯ୍ୟୁକ୍ତ ସମସ୍ତ ବୈଶିଷ୍ଟ୍ୟର ସମନ୍ୱୟ ଲକ୍ଷ୍ୟ କରାଯାଏ ।

 

ଫକୀରମୋହନଙ୍କ କଥାସାହିତ୍ୟର ଗଦ୍ୟରୀତି ଓ କଥାଶୈଳୀ ସଂପର୍କରେ ଆଲୋଚନା କରିବା ପୂର୍ବରୁ ଓଡ଼ିଶାର ତତ୍‌କାଳୀନ ସାମାଜିକ ପୃଷ୍ଠଭୂମି ସହିତ କଞ୍ଚିତ ପରିଚିତ ହେବା ଏକାନ୍ତ ଅପରିହାର୍ଯ୍ୟ ମନେହୁଏ ।

 

‘‘ଆଧୁନିକ ପାଠ୍ୟ ପୁସ୍ତକର ଅଭାବ ଦୂର କରିବାପାଇଁ ଗଣିତ, ଭୂଗୋଳ, ଭାରତବର୍ଷର ଇତିହାସ ଏଇ ପରିବର୍ତ୍ତିତ ଚିତ୍ତ ସଂପନ୍ନ ଫକୀରମୋହନ ରଚନା କରିପାରିଥିଲେ । ବାଲେଶ୍ୱରର ଭୌଗୋଳିକ ପରିସ୍ଥିତି ହେତୁ ବଙ୍ଗଳାର ତତ୍‌କାଳୀନ ପ୍ରାଚ୍ୟ-ପାଶ୍ଚାତ୍ୟ-ଚିନ୍ତା-ସଂଘର୍ଷ ମନୋବୃତ୍ତି ଏଇ ସହରରେ ଅତି ତୀବ୍ରତର ଭାବରେ ଦେଖା ଦେଇଥିଲା । ପୁନଶ୍ଚ, ବଙ୍ଗାଳୀମାନଙ୍କର ଓଡ଼ିଆ ଭାଷା ବିଦ୍ୱେଷ ମନୋଭାବ ଓଡ଼ିଆଙ୍କ ମନରେ ଯେଉଁ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା, ଫକୀରମୋହନ ଥିଲେ ସେଇ ପ୍ରତିକ୍ରିୟାର ଏକ ଜୀବନ୍ତ ପ୍ରତିମୂର୍ତ୍ତି । ଓଡ଼ିଆ ଭାଷା-ବିଲୋପ ଆନ୍ଦୋଳନ ବେଳେ ଫକୀରମୋହନ ବାଲେଶ୍ୱରରେ କି ନେତୃତ୍ୱ ନେଇଥିଲେ ତାହା ସଠିକ ଭାବେ ଜାଣିବାପାଇଁ ଆମର କୌଣସି ସୁବିଧା ନଥିଲେ ହେଁ ଏ ଘଟଣାର ଦୀର୍ଘ ୪୫ ବର୍ଷପରେ ଲିଖିତ ତାଙ୍କ ଆତ୍ମଜୀବନୀରୁ ତାଙ୍କର ସଂଗଠନ କୌଶଳ, ଦୂରଦର୍ଶିତା, ଉପସ୍ଥିତ ବୁଦ୍ଧିର ଚମତ୍କାରିତା ତଥା ବିଚକ୍ଷଣତା ଉପରେ ଆମର ସ୍ପଷ୍ଟ ଧାରଣା ହୋଇଯାଏ । ଏ ସମସ୍ତ ସାଧନାର ପୁରସ୍କାର ସ୍ୱରୂପ ସେ ପାଇଥିଲେ ଏକ ମଧୁର ଉପାଧି ‘ବେଟା ରିଂଲିଡ଼ର’’ (୧)

 

୧.

ଓଡ଼ିଆ ସାହିତ୍ୟର ଇତିହାସ (୧୮୦୩-୧୯୨୦)- ଡକ୍ଟର ନଟବର ସାମନ୍ତରାୟ ୧୯୬୪-ପୃଷ୍ଠା ୩୬୯-୭୦ ।

 

ପୁନଶ୍ଚ,

‘‘ସେନାପତିଙ୍କ ଗଦ୍ୟଶୈଳୀର ଜନ୍ମ ଓ ତା’ର ପ୍ରକୃତ ସାର୍ଥକତା ଅନୁଶୀଳନପାଇଁ ୧୮୦୧-୧୮୯୦ ସାଲ ଗଦ୍ୟର ବିକାଶଧାରା, ଓଡ଼ିଆ ସାହିତ୍ୟର ଗତି-ପ୍ରକୃତି, ଲେଖକମାନଙ୍କର ଜୀବନ ଓ ସୃଷ୍ଟି ଆଦର୍ଶ ପର୍ଯ୍ୟାଲୋଚନା କରିବା ଉଚିତ । ଏପରି ପର୍ଯ୍ୟାଲୋଚନା କଲେ ଆମେ ଜାଣିପାରିବୁ ଯେ ଖାଣ୍ଟି ଓଡ଼ିଆ ଗଦ୍ୟର ଅଭିବୃଦ୍ଧିପାଇଁ ଗତ ଶତାବ୍ଦୀର ଶେଷ ଭାଗରେ ଜଣେ ଖାଣ୍ଟି ଓଡ଼ିଆର ଆବଶ୍ୟକତା ପ୍ରଭୂତ ଅନୁଭୂତ ହୋଇଥିଲା । ଫକୀରମୋହନଙ୍କ ପରି ଜଣେ ଖାଣ୍ଟି ଓଡ଼ିଆ ହିଁ ଥିଲେ ଏହି ଆବଶ୍ୟକତାର ଜୀବନ୍ତ ପ୍ରତୀକ । ଖାଣ୍ଟି ଓଡ଼ିଆ କହିଲେ ଏଇଆ ଯେ ଓଡ଼ିଆ ଘରର କରଣୀ ଓ ଚଳଣୀ, ଓଡ଼ିଆ ଘରର ବାରଓଷା ତେରପର୍ବ, ଓଡ଼ିଆ ଜାତିର ଆଚାର ବିଚାର, ଚାଲିଚଳଣୀ, ଗତିପ୍ରକୃତି, ଚାଷୀର ଚାଷଠାରୁ ଆରମ୍ଭ କରି ଚଉପାଢ଼ୀର ଭାଗବତ ଜୀବନ ପର୍ଯ୍ୟନ୍ତ ପ୍ରତ୍ୟେକ ଜୀବନର ସୁଖ ଦୁଃଖ, ହସ କାନ୍ଦ ମୋଟ ଉପରେ ଓଡ଼ିଆ ଗଣଜୀବନର ପ୍ରତ୍ୟେକ ବିଭାଗ ସହିତ ଯେ ଘନିଷ୍ଟ ଭାବେ ନିଜକୁ ମିଶାଇ ଦେଇଥାଏ, ସେ କେବଳ ଖାଣ୍ଟି ଓଡ଼ିଆ । ଗତ ଶତାବ୍ଦୀରେ ଓଡ଼ିଆ ଭାଷା ଉପରେ ଯେଉଁ ଅଣଓଡ଼ିଆ ଭାଷାର ଅଶୋଭନୀୟ ଅଭିଯାନ ଚାଲିଥିଲା, ତାହାର ଅପ୍ରତିହତ ଗତିପଥ ରୋଧ କରିବାକୁ ଏକମାତ୍ର ଜଣେ ଖାଣ୍ଟି ଓଡ଼ିଆ ଆବଶ୍ୟକ ହୋଇଥିଲେ । ଫକୀରମୋହନ ଥିଲେ ଏଇ ଐତିହାସିକ ଆବଶ୍ୟକତାର ମୂର୍ତ୍ତ ପ୍ରତୀକ ମାତ୍ର ।’’ (୨)

 

୧.

ଓଡ଼ିଆ ସାହିତ୍ୟର ଇତିହାସ (୧୮୦୩-୧୯୨୦)- ଡକ୍ଟର ନଟବର ସାମନ୍ତରାୟ-୧୯୬୪ ପୃଷ୍ଠା-୪୦୨-୪୦୩ ।

 

ଉପର୍ଯ୍ୟୁକ୍ତ ଉଦ୍ଧୃତି ଦୁଇଟିରୁ ସ୍ପଷ୍ଟ ହୁଏ ଯେ, ଓଡ଼ିଶାର ତତ୍‌କାଳୀନ ସାମାଜିକ ପୃଷ୍ଠଭୂମି, ଓଡ଼ିଆ ଭାଷା ସାହିତ୍ୟର ଗତି-ପ୍ରକୃତି ଏବଂ ତଦାନୀନ୍ତନ ପରିବେଶରେ ଓଡ଼ିଆ ଭାଷା ଓ ସାହିତ୍ୟର ଯଥାର୍ଥ ସ୍ୱୀକୃତି ଓ ମର୍ଯ୍ୟାଦା ରକ୍ଷା ଦୃଷ୍ଟିରୁ ଜଣେ ‘ଖାଣ୍ଟି ଓଡ଼ିଆ’ର ଆବଶ୍ୟକତା ଯଥେଷ୍ଟ ଅନୁଭୂତି ହେଉଥିଲା ଏବଂ ସେହି ଆବଶ୍ୟକତାକୁ ପୁରଣ କରି ପାରିଥିଲେ ‘ବେଟା ରିଂଲିଡ଼ର’ ଫକୀରମୋହନ ସେନାପତି । ତାହାଙ୍କ ପୂର୍ବରୁ ଯେଉଁ ଦୁଇଜଣ ପ୍ରମୁଖ ଔପନ୍ୟାସିକ ଆଧୁନିକ ଓଡ଼ିଆ ସାହିତ୍ୟରେ ଉପନ୍ୟାସ ରଚନା କରିଥିଲେ (ଉମେଶ ଚନ୍ଦ୍ର ସରକାର ଓ ରାମଶଙ୍କର ରାୟ) ସେମାନେ ଓଡ଼ିଶା ପ୍ରଦେଶର ଅଧିବାସୀ ଥିଲେ ମଧ୍ୟ ତାହାଙ୍କର ମାତୃଭାଷା ଥିଲା ବଙ୍ଗଳା ଏବଂ ଓଡ଼ିଆ ଭାଷା ଓ ସାହିତ୍ୟର ପୁଷ୍ଟିସାଧନ ପାଇଁ ସେମାନେ ସଚେଷ୍ଟ ଥିଲେ ମଧ୍ୟ ଫକୀରମୋହନଙ୍କ ପରି ଆନ୍ତରିକ ଭାବରେ ସେମାନେ ‘ଖାଣ୍ଟି ଓଡ଼ିଆ’ ନଥିଲେ । ତାହା ମଧ୍ୟ ସେମାନଙ୍କର ଉପନ୍ୟାସର ଛତ୍ରେ ଛତ୍ରେ ଲକ୍ଷ୍ୟ କରାଯାଏ ।

 

ତଦାନୀନ୍ତନ ପରିବେଶରେ ସେନାପତି ଫକୀରମୋହନ ଚାହିଁଥିଲେ ଓଡ଼ିଆମାନେ ଅଧିକ ସଂଖ୍ୟାରେ ସାକ୍ଷର ହୁଅନ୍ତୁ, ଶିକ୍ଷିତ ହୁଅନ୍ତୁ ଏବଂ ନିଜର ସମାଜିକ ସ୍ଥିତି ସହିତ ପରିଚିତ ହୁଅନ୍ତୁ । ତାହାଦ୍ୱାରା ହିଁ ଓଡ଼ିଆଭାଷା ଏବଂ ଓଡ଼ିଶୀ ସଂସ୍କୃତିର ସୁରକ୍ଷା ସମ୍ଭବ ହେବ ଏବଂ ଓଡ଼ିଶାର ତତ୍‌କାଳୀନ ସାମାଜିକ ସ୍ଥିତିର ଉନ୍ନତି ଘଟିବ । ତତ୍‌କାଳୀନ ସମାଜରେ ଅଧିକାଂଶ ଓଡ଼ିଆ ଥିଲେ ଅଶିକ୍ଷିତ । ଯେଉଁ କେତେକ ଶିକ୍ଷା ଅର୍ଜନ କରୁଥିଲେ ତନ୍ମଧ୍ୟରୁ ଅଧିକାଂଶ ଥିଲେ ନାମକୁ ମାତ୍ର ଶିକ୍ଷିତ ଏବଂ ସେମାନଙ୍କଦ୍ୱାରା ପାଶ୍ଚାତ୍ୟ ସଭ୍ୟତାର ଅନ୍ଧ ଅନୁକରଣ ହିଁ ସମ୍ଭବ ହେଉଥିଲା । ଶିକ୍ଷା ନାମରେ ସେମାନେ ସମାଜରେ ଅଧିକତର ବିଶୃଙ୍ଖଳା ସୃଷ୍ଟି କରୁଥିଲେ ଏବଂ ଓଡ଼ିଶୀ ସଂସ୍କୃତିର ମୌଳିକ ଆଦର୍ଶକୁ ଉଲ୍ଲଂଘନ କରି ସେମାନେ ପାଶ୍ଚାତ୍ୟ ସଭ୍ୟତାର ଅନ୍ଧ ଅନୁକରଣ ପୂର୍ବକ ସମାଜରେ ନାନା ଅବ୍ୟାପାରହିଁ ସୃଷ୍ଟି କରୁଥାନ୍ତି । ଏତାଦୃଶ ସାମାଜିକ ଦୁଃସ୍ଥିତିରେ ଯଥାର୍ଥ ସେନାପତିତ୍ୱ ଗ୍ରହଣ କରିଥିଲେ ଫକୀରମୋହନ । ବିଶେଷତଃ ତାହାଙ୍କର କଥାସାହିତ୍ୟ ମାଧ୍ୟମରେ ସେ ଓଡ଼ିଶାର ସାମାଜିକ ଜୀବନର ବିଭିନ୍ନ ଦିଗକୁ ଉପସ୍ଥାପିତ କରିବା ସଙ୍ଗେ ସଙ୍ଗେ ବିବିଧ ପ୍ରକାର ଓଡ଼ିଆ ଚରିତ୍ର ସୃଷ୍ଟି କରିଛନ୍ତି । ଓଡ଼ିଆପ୍ରାଣକୁ ସ୍ପର୍ଷ କରିବାଭଳି କେତୋଟି କାହାଣୀ, କେତେକ ଚରିତ୍ରକୁ ଗ୍ରହଣ କରି ସେ ଖାଣ୍ଟି ଓଡ଼ିଆ ଭାଷାରେ ଏକ ଅପୂର୍ବ ଗଦ୍ୟଶୈଳୀ ସୃଷ୍ଟି କରିଥିଲେ; ଯାହାକି ତଦାନୀନ୍ତନ ଓଡ଼ିଆ ପାଠକକୁ ଯଥାର୍ଥରେ ଗଭୀର ଭାବରେ ସ୍ପର୍ଶ କରିଥିଲା । ଏହା କହିବାର ତାତ୍ପର୍ଯ୍ୟ ହେଲା-ତଦାନୀନ୍ତନ ପରିସ୍ଥିତିରେ ଫକୀରମୋହନ ଓଡ଼ିଆ ପାଠକ ସମ୍ପର୍କରେ ସଂପୂର୍ଣ୍ଣ ସଚେତନ ଥିଲେ ଏବଂ ଏତାଦୃଶ ସଚେତନତା ତାହାଙ୍କ ପ୍ରଥମ ଉପନ୍ୟାସ ‘‘ଛମାଣ ଆଠଗୁଣ୍ଠ’’ ମଧ୍ୟରେ ଛତ୍ରେ ଛତ୍ରେ ଲକ୍ଷ୍ୟ କରାଯାଏ । ଫକୀରମୋହନଙ୍କ ଆବିର୍ଭାବ ପୂର୍ବରୁ ଓଡ଼ିଆ ସାହିତ୍ୟ ମୁଖ୍ୟତଃ ଥିଲା କାବ୍ୟଧର୍ମୀ । ଓଡ଼ିଆ ସାହିତ୍ୟ କହିଲେ କେତେକ ପୁରାଣ, କେତେକ ମଧ୍ୟଯୁଗୀୟ ତଥା ଆଧୁନିକ ଯୁଗର କାବ୍ୟ କବିତାର ହିଁ ବୁଝାଉଥିଲା-। ପାଠକ ପଦ୍ୟାତ୍ମକ ସାହିତ୍ୟର ସାଙ୍ଗୀତିକତାରେ ମୃଗ୍‌ଧ ହେବା ସ୍ୱାଭାବିକ । ତାଦୃଶ ପାଠକ ସମାଜରେ ଗଦ୍ୟରେ କଥା ସାହିତ୍ୟ ସୃଷ୍ଟିକରି ତାହାକୁ ପୁଣି ସେମାନଙ୍କର ଗ୍ରହଣୀୟ କରାଇବା ଥିଲା ଏକ ଆୟାସସାଧ୍ୟ ବ୍ୟାପାର । କିନ୍ତୁ, ଗଦ୍ୟରଚନା ବ୍ୟତୀତ ତଦାନୀନ୍ତନ ସମାଜର ସ୍ଥିତି ସଂପର୍କରେ ପାଠକକୁ ସଚେତନ କରାଇବା ଆଦୌ ସମ୍ଭବ ନଥିଲା । ଏ ଦୃଷ୍ଟିରୁ, ପ୍ରାଥମିକ ଅବସ୍ଥାରେ କବିତା ରଚନାରେ ମନୋନିବେଶ କରିଥିବା ସମାଜ ସଚେତନ ଶିଳ୍ପୀ ଫକୀରମୋହନ ଗଦ୍ୟସୃଷ୍ଟି ପ୍ରତି ଅଧିକ ଆଗ୍ରହ ପ୍ରକାଶ କରିଛନ୍ତି । ପୁଣି, ଗଦ୍ୟ ସାହିତ୍ୟ ମଧ୍ୟରେ ଯେଉଁ ବିଭାବଟି ଅଧିକ ଆକର୍ଷଣୀୟ ଯଥା- ଗଳ୍ପ ତଥା ଉପନ୍ୟାସ ତାହାରି ରଚନାରେ ସେନାପତି ମନୋନିବେଶ କରିଛନ୍ତି ପାଠକକୁ ଗଦ୍ୟସାହିତ୍ୟ ପ୍ରତି ଆକର୍ଷିତ କରିବା ଲକ୍ଷ୍ୟରେ । ତାହାଙ୍କର ସେହି ଲକ୍ଷ୍ୟ ପୂରଣ ହୋଇଅଛି । ଓଡ଼ିଆ କାବ୍ୟ-ସାହିତ୍ୟର ପରିଚିତ ପାଠକ ନୂତନ ଏକ ଗଦ୍ୟ ସାହିତ୍ୟ ପ୍ରତି ଆକର୍ଷିତ ହୋଇଛନ୍ତି । ତାହା ସମ୍ଭବ ହୋଇପାରିଛି ଫକୀରମୋହନଙ୍କ ଚମତ୍କାର କଥାସାହିତ୍ୟ ନିମିତ୍ତ । ଯେଉଁଥିରେ ରହିଅଛି ହୃଦୟସ୍ପର୍ଶୀ କେତେଗୋଟି କାହାଣୀ, ଓଡ଼ିଆ ପାଠକର ପରିଚିତ ଅଥଚ କଳାତ୍ମକ କେତେକ ଚରିତ୍ର ଏବଂ ସର୍ବୋପରି ତାହାଙ୍କର ଆକର୍ଷଣୀୟ ଗଦ୍ୟଶୈଳୀ ।

 

ଉପର୍ଯ୍ୟୁକ୍ତ ପରିପ୍ରେକ୍ଷୀରେ ଫକୀରମୋହନଙ୍କ ପ୍ରଥମ ଉପନ୍ୟାସ ‘ଛମାଣ ଆଠଗୁଣ୍ଠ’ରେ ଲକ୍ଷ୍ୟକରାଯାଇଥିବା ଉପନ୍ୟାସ ଶୈଳୀର ଏକ ବିଶିଷ୍ଟ ବିଭାବ ସଂପର୍କରେ ଆଲୋଚନା କରାଯାଉଅଛି । ସେନାପତିଙ୍କ ଉପନ୍ୟାସ ଶୈଳୀର ସେହି ଅନନ୍ୟ ବିଭାବଟି ହେଲା–ପାଠକ ସହିତ ପ୍ରତ୍ୟକ୍ଷ ସଂପର୍କ ସ୍ଥାପନ ।

 

କଥାକାର ଫକୀରମୋହନ ତାହାଙ୍କ କଥାସାହିତ୍ୟର ମୁଖ୍ୟତଃ ଥିଲେ କଥକ । ଲେଖକ ଭାବରେ ସେ ପରୋକ୍ଷ ରୀତିକୁ ଅବଲମ୍ବନ ନକରି ମୁଖ୍ୟତଃ ଏକ ପ୍ରତ୍ୟକ୍ଷ ରୀତି ଗ୍ରହଣ କରିଛନ୍ତି । ତାହାଙ୍କ କଥା-ଶୈଳୀକୁ ଲକ୍ଷ୍ୟକରି କୁହାଯାଇପାରେ-ସତେ ଯେପରି ସେ କେତେକ ଶ୍ରୋତାଙ୍କୁ ପାଖରେ ବସାଇ କଥା ଶୁଣାଉଛନ୍ତି । ଓଡ଼ିଆ ପାଠକ ତା’ର ପ୍ରବୃତ୍ତିରେ ଆଧୁନିକ ଯୁଗ ପର୍ଯ୍ୟନ୍ତ ମୁଖ୍ୟତଃ ଥିଲେ ଶ୍ରୋତା, ସେମାନେ ପୁରାଣ ଶୁଣୁଥିଲେ, କାବ୍ୟର ଛାନ୍ଦ ଶୁଣୁଥିଲେ ପୁଣି ଗାଁ ଗାଁରେ ଆଈମାଠାରୁ ଆରମ୍ଭ କରି ଗଳ୍ପସାଗରମାନଙ୍କଠାରୁ ବିବିଧ ଗଳ୍ପ ଶୁଣି ଖୁସି ହେଉଥିଲେ । ଓଡ଼ିଆ ପାଠକ ନିକଟରେ ଗଦ୍ୟକୁ ଆପଣାର କରାଇବା ଉଦ୍ଦେଶ୍ୟରେ ଫକୀରମୋହନ ନିଜକୁ କଥକ ଭୂମିକାରେ ରଖି ତାହାଙ୍କ ଗଳ୍ପ, ଉପନ୍ୟାସ ରଚନା କରିଛନ୍ତି । ଏତାଦୃଶ ଶୈଳୀ ସାହାଯ୍ୟରେ ସେ ପାଠକ ଗୋଷ୍ଠୀର ଅତ୍ୟନ୍ତ ନିକଟବର୍ତ୍ତୀ ତଥା ଆତ୍ମୀୟ ହୋଇ ପାରିଛନ୍ତି । ଏ ଦୃଷ୍ଟିରୁ କୁହାଯାଇପାରେ, ଫକୀରମୋହନଙ୍କ ଗଳ୍ପ ଉପନ୍ୟାସ ମଧ୍ୟରେ ନିଜେ ଲେଖକ ଏବଂ ପାଠକ ଗୋଷ୍ଠୀ ଉଭୟେ ଚରିତ୍ରୀଭୂତ । ପ୍ରତ୍ୟକ୍ଷ ରୀତିରେ ବା କଥକ ଭୂମିକାରେ ନିଜକୁ ରଖି ସେ କେବଳ କଥା କହିଯାଇ ନାହାନ୍ତି ବରଂ ତନ୍ମଧ୍ୟରୁ ଲେଖକ ଚରିତ୍ରର କେତେକ ବିଷୟ ମଧ୍ୟ ପ୍ରତିଫଳିତ ହୋଇପାରିଛି । ପୁନଶ୍ଚ, ପାଠକମାନଙ୍କୁ ସେ କେବଳ ସମ୍ବୋଧନ କରି ନାହାନ୍ତି ବରଂ ତଦାନୀନ୍ତନ ପାଠକ ସମାଜର ସାଧାରଣ ଚରିତ୍ର ସଂପର୍କରେ ମଧ୍ୟ ସେ ବକ୍ତବ୍ୟ ପ୍ରଦାନ କରି ଯାଇଛନ୍ତି । ଏ ସଂପର୍କରେ ନିମ୍ନୋକ୍ତ କେତୋଟି ଉଦ୍ଧୃତିରୁ ଏହା ଅଧିକ ସ୍ପଷ୍ଟ ହୋଇପାରିବ ।

 

‘‘ଏଣେ ସତ ଲେଖିଲେ ଅସଭ୍ୟ ତଳେ ଯିବୁଁ, ମିଛ କଥାତ କଲମରୁ ବାହାରିବ ନାହିଁ । ଉପାୟ କ’ଣ ?’’- ପୃଷ୍ଠା-୨୨ ।

 

‘‘ଧାନକୁଟୁଣୀ ଭାଗବତ ପଢ଼ିଲାପରି ଆମ୍ଭେମାନେ ଗାଁ କଥା ଲେଖୁ ଲେଖୁ ଆପଣଙ୍କ ଭଳିଆ ଲୋକଙ୍କ କଥା କହିବସିଅଛୁଁ । ତେବେ କ’ଣ ଜାଣନ୍ତି, ବିଷୟଟା ପଡ଼ିଲେ ଖାଲରେ ପଡ଼ୁ, ଢିପରେ ଗଡ଼ୁ, ସମସ୍ତେ ଦି’କଥା ମାରିଦିଅନ୍ତି । ସଂକୀର୍ତ୍ତନରେ ହାଉଡ଼ା ମଧ୍ୟ ଆଁ କରିଦିଏ ।’’–ପୃଷ୍ଠା-୫୨ ।

 

‘‘ଆପଣଙ୍କର ସେ ସମସ୍ତ କଥା ଶୁଣିବାକୁ ଇଚ୍ଛା ଥାଇପାରେ, ମାତ୍ର ଭଲଲୋକ ଘର ବୋହୂ ଭୂଆସୁଣୀ କଥା ପ୍ରକାଶ କରିବାକୁ ଆମ୍ଭେମାନେ ନିତାନ୍ତ ନାରାଜ । ତେବେ ଆପଣ ଯଦି ଶୁଣିବାକୁ ନିତାନ୍ତ ଇଚ୍ଛା କରନ୍ତି, ଆଉ ଯାହା କହିଲେ କୌଣସି ଦୋଷ ନାହିଁ ତେତିକି କଥା କହିପାରୁଁ ।’’– ପୃଷ୍ଠା-୯୮ ।

 

ଅଧିକ ଉଦ୍ଧୃତି ଦେବା ନିଷ୍ପ୍ରୟୋଜନ । ‘ଛ’ମାଣ ଆଠଗୁଣ୍ଠ’ ଉପନ୍ୟାସରୁ ଏ ସଂପର୍କରେ ବହୁ ଉଦ୍ଧୃତି ପ୍ରଦାନ କରାଯାଇପାରେ ।

 

ଫକୀରମୋହନଙ୍କ ଉପନ୍ୟାସର ପ୍ରଧାନ ଆକର୍ଷଣ ତାହାଙ୍କର କେତୋଟି ଅବିସ୍ମରଣୀୟ ଚରିତ୍ର ଏବଂ ତାହାଙ୍କର ଅପୂର୍ବ ହାସ୍ୟ ଓ ବ୍ୟଙ୍ଗରସର ପରିବେଷଣ । ତାହାଙ୍କର ଗଦ୍ୟଶୈଳୀ ମଧ୍ୟରେ ଏ ଉଭୟର କେଉଁଭଳି ଚମତ୍କାର ସମନ୍ୱୟ ସାଧିତ ହୋଇଛି ତାହା ପ୍ରସ୍ତୁତ ପ୍ରବନ୍ଧର ଆରମ୍ଭରେ ପ୍ରଦତ୍ତ ଉଦ୍ଧୃତି ମଧ୍ୟରୁ ବେଶ୍ ସ୍ପଷ୍ଟ । ପାଠକଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ପ୍ରତିଷ୍ଠାକରି ଏକ ଆତ୍ମୀୟ ରୀତିରେ ତାହାଙ୍କ ଉପନ୍ୟାସର ସର୍ବାଧିକ ଅତ୍ୟାଚାରିତ ଓ ଲୁଣ୍ଠିତ ଚରିତ୍ର ଭଗିଆ ସମ୍ପର୍କରେ ଯେଉଁ ବକ୍ତବ୍ୟ ସେନାପତି ଦେଇଯାଇଛନ୍ତି ତାହା ପାଠକର ଗ୍ରହଣୀୟ ଏବଂ ହୃଦ୍ୟ ହୋଇପାରିଛି । ଯେକୌଣସି ଚରିତ୍ର ସୃଷ୍ଟିର ପଶ୍ଚାତରେ ସେନାପତିଙ୍କ ସ୍ରଷ୍ଟାପ୍ରାଣର ପ୍ରବଣତା କେବଳ ସକ୍ରିୟ ନହେଁ ବରଂ ତାହାର ଆପାତ ଯୁକ୍ତିଧର୍ମତା ପ୍ରତି ମଧ୍ୟ ସେ ସତର୍କ । ଅତ୍ୟାଚାରିତ ଭଗିଆ ପ୍ରକୃତି ଦୃଷ୍ଟିରୁ ଖୁବ୍ ଭଲ ହେଲେ ମଧ୍ୟ ତାକୁ ସେନାପତି ତନ୍ତୀକୁଳରେ ଜନ୍ମ କରାଇ ସ୍ୱଭାବତଃ ହୁଣ୍ଡାଶ୍ରେଣୀରେ ଅନ୍ତର୍ଭୁକ୍ତ କରାଇଛନ୍ତି । କାରଣ, ଫକୀରମୋହନଙ୍କ ଉଦ୍ଦେଶ୍ୟ-ଭଗିଆ ହୁଣ୍ଡା ହୋଇଥିବାରୁ ହିଁ ମଙ୍ଗରାଜଙ୍କଦ୍ୱାରା ଲୁଣ୍ଠିତ ଓ ଅତ୍ୟାଚାରିତ ହୋଇଅଛି ଏବଂ ଏତାଦୃଶ ଯୁକ୍ତିଧର୍ମିତାକୁ ପୁଣି ଅତ୍ୟନ୍ତ ହୃଦୟସ୍ପର୍ଶୀ ଭାବରେ ହାସ୍ୟ ଓ ବ୍ୟଙ୍ଗଶୈଳୀରେ ପରିବେଷଣ କରିଛନ୍ତି । ପୁନଶ୍ଚ, ପାଠକକୁ ପ୍ରତ୍ୟକ୍ଷଭାବରେ ସମ୍ପର୍କିତ କରାଇ ଏଭଳି ଏକ ଆତ୍ମୀୟ ରୀତିରେ ଏତାଦୃଶ ଯୁକ୍ତି ଧର୍ମିତା ଏବଂ ହାସ୍ୟରସର ପରିବେଷଣ କରାଯାଇଛି ଯେ ତାହାଙ୍କୁ ପାଠକ ଅତ୍ୟନ୍ତ ଆଗ୍ରହର ସହିତ ସହଜ ଭାବରେ ଗ୍ରହଣ କରିନେଇ ପାରିଛି ।

 

ପୂର୍ବରୁ କୁହାଯାଇଅଛି ଯେ, ‘ଛମାଣ ଆଠଗୁଣ୍ଠ’ ଉପନ୍ୟାସରେ ସେନାପତି କଥକ ଶୈଳୀର ପ୍ରୟୋଗ କରିଛନ୍ତି ଏବଂ ନିଜକୁ କଥକ ଭୂମିକାରେ ଅବତୀର୍ଣ୍ଣ କରାଇ ପାଠକକୁ ଶ୍ରୋତା ଭାବରେ ଗ୍ରହଣ କରିଛନ୍ତି । ଏତାଦୃଶ ଲେଖକ-ପାଠକ ପ୍ରତ୍ୟକ୍ଷ ରୀତିର ଉପନ୍ୟାସ ମଧ୍ୟରେ ପାଠକକୁ ସେ ବହୁସ୍ଥଳରେ ସମ୍ଭୋଧନ ମଧ୍ୟ କରିଛନ୍ତି । ପୁନଶ୍ଚ, ପାଠକମାନଙ୍କ ନିମିତ୍ତ କେତେକ ବିଶେଷଣ ମଧ୍ୟ ପ୍ରୟୋଗ କରିଛନ୍ତି । ସେସବୁ ସମ୍ବୋଧନ ଏବଂ ବିଶେଷଣ ପ୍ରୟୋଗ ମଧ୍ୟରେ ଯେଉଁ ବୈଚିତ୍ର୍ୟ ଲକ୍ଷ କରାଯାଉଅଛି, ତାହା ନିମ୍ନୋକ୍ତ କେତେଗୋଟି ଉଦ୍ଧୃତି ମଧ୍ୟରୁ ସ୍ପଷ୍ଟ ହୋଇପାରିବ ।

 

‘‘ଆପଣ ସଭ୍ୟପାଠକ, ଏକଥା ଶୁଣି ହସିବେ.......।’’ ପୃଷ୍ଠା-୨୬

 

‘‘ହେ ପାଠକ ଅବଧାନ, କ୍ଷମା କରନ୍ତୁ, ଏତିକି ହେଉ, ଦେବଦୁନ୍ଦୁଭି ଅହିଅନାଗରା ବାଜିଲାଣି.......।’’ ପୃ-୧୧୪।

 

‘‘ତୁମେତ ଦେଖୁଛ, କାହା ଦୁଆରେ ଦୂବ ମରୁନାହିଁ, କାହାର ଦୁଆରେ ମଣିଷ ପେଲାପେଲି । ଅବସ୍ଥା ସବୁ କରାଏ.......।’’ ପୃ-୧୩୫ ।

 

‘‘ଓକିଲ ପାଠକ ଅବଧାନେ–ଆପଣ ଭୁଲିବେ ନାହିଁ, ଏ ମାମଲାଟା ଷାଠିଏ ବର୍ଷ ତଳର-।’’ ପୃ-୧୪୨ ।

 

‘‘ବୁଝିବା ହେଲେ ପାଠକ ଅବଧାନେ । ଆମ୍ଭେମାନେ ହେଲୁଁ ଗ୍ରନ୍ଥକାର, ସୁତଂରା ସର୍ବଜ୍ଞ-।’’ ପୃ-୧୬୨-୧୬୩ ।

 

ସେନାପତିଙ୍କ ଶିଳ୍ପୀ-ମାନସ ଯେତେବେଳେ ସଚେତନ ସେତେବେଳେ ପାଠକଲୁ ‘ସଭ୍ୟ’ ଏବଂ ‘ଅବଧାନ’ ବିଶେଷଣ ପ୍ରୟୋଗ କରାଯାଇଅଛି । କିନ୍ତୁ, ଯେତେବେଳେ ସେହି ଶିଳ୍ପୀ-ପ୍ରାଣ ଭାବପ୍ରବଣ ପାଠକଙ୍କୁ ସେତେବେଳେ ‘ତୁମେତ ଦେଖୁଛ’ କହି ବକ୍ତବ୍ୟ ପ୍ରକାଶ କରିଛନ୍ତି । ଓକିଲ ରାମରାମଲାଲାଙ୍କ ଉକ୍ତି ‘‘ହଜୁର୍ ଖୋଦାବନ୍ଦ୍– ମା ବାପ– ଦୁନିଆକା ବାଦସା’’ରେ କୌଣସି ତତ୍‌କାଳୀନ ଓକିଲ ପାଠକ କ୍ଷୁଣ୍ଣ ହୋଇପାରନ୍ତି–ଏହି ଆଶଙ୍କାରେ ସେନାପତି ଉପନ୍ୟାସର ସେହି ପୃଷ୍ଠାରେ ହିଁ ଟିପପ୍‌ଣୀ ଦେଇଛନ୍ତି ‘‘ଓକିଲ ପାଠକ ଅବଧାନେ ! ଆପଣ ଭୁଲିବେ ନାହିଁ, ଏ ମାମଲାଟା ଷାଠିଏ ବର୍ଷତଳର ।’’ ସେନାପତି-ସୃଷ୍ଟିରେ ଓକିଲ ଏବଂ ପୁଲିସ୍ ଭଳି ‘ଟାଇପ୍’ ଚରିତ୍ରଗୁଡ଼ିକ ଆଦୌ ପ୍ରଶଂସନୀୟ ଭାବରେ ପରିଚିତ ନୁହନ୍ତି । ଏହି ଗୋଷ୍ଠୀର ଚରିତ୍ର ବାରମ୍ବାର ସେନାପତିଙ୍କ ଚଟୁଳ ବ୍ୟଙ୍ଗବାଣରେ ଜର୍ଜରିତ ହୋଇଛନ୍ତି । ସେଥିପ୍ରତି ମଧ୍ୟ ସେନାପତିଙ୍କ ଶିଳ୍ପୀ-ମାନସ ସତର୍କ ଥିବା ଉପର୍ଯ୍ୟୁକ୍ତ ଉଦ୍ଧୃତିରୁ ମନେ ହୋଇଛି ।

 

କବି ଦୀନକୃଷ୍ଣଦାସ ‘ରସକଲ୍ଲୋଳ’ କାବ୍ୟରେ କହିଛନ୍ତି–‘କବି ସେ ସତମିଛ କରି କହନ୍ତି, କବିତା ଚାତୁରୀରେ ମନମୋହନ୍ତି ।।’ ଏହା କେବଳ କବିତା ନିମନ୍ତେ ପ୍ରଯୋଜ୍ୟ ନୁହେଁ, ଯେ କୌଣସି ସାହିତ୍ୟକ ବିଭାବପାଇଁ ମଧ୍ୟ ଏହା ସତ୍ୟ । ସତକୁ ମିଛ କରି କହିବା କବିଚାତୁରୀର ଅନ୍ତର୍ଭୁକ୍ତ । ମିଛ ଏ କ୍ଷେତ୍ରରେ କଳ୍ପନା । ସାହିତ୍ୟ ମାତ୍ରେହିଁ କଳ୍ପନାର ଆଧାର । ବାସ୍ତବ ସାହିତ୍ୟ ହେଲେ ମଧ୍ୟ ତାହା ସତ୍ୟ ନୁହେଁ, ଯତ୍ୟର କଳ୍ପିତ ରୂପହିଁ ବାସ୍ତବ । କବିଚାତୁରୀରେ କିମ୍ବା ଔପନ୍ୟାସିକଙ୍କ କୌଶଳରେ କିନ୍ତୁ କଳ୍ପିତ ସାହିତ୍ୟ ପାଠକ ପ୍ରାଣରେ ସତ୍ୟର ଧାରଣା ସୃଷ୍ଟି ନକଲେ, ସେ ସାହିତ୍ୟ ପ୍ରତି ଆଦର ନ୍ୟୁନ ହୋଇଯାଏ । ବିଶେଷକରି କଥା ସାହିତ୍ୟ, ଯାହାକି ଅଧିକତର ବାସ୍ତବ, ସାହିତ୍ୟିକର କୌଶଳରେ ତାହା ପାଠକପ୍ରାଣରେ ସତ୍ୟ ଧାରଣା ସୃଷ୍ଟି କରି ପାରିଲେହିଁ ସେ ସାହିତ୍ୟର ମହତ୍ତ୍ୱ ସ୍ୱୀକୃତ ହୋଇଥାଏ । ‘ଛମାଣ ଆଠଗୁଣ୍ଠ’ରେ ସେନାପତି ଫକୀରମୋହନ ପାଠକପ୍ରାଣରେ ତାଦୃଶ ଧାରଣା ସୃଷ୍ଟି କରିବାପାଇଁ ଯେପରି ପରୋକ୍ଷ କୌଶଳ ଅବଲମ୍ବନ କରିଛନ୍ତି, ସେପରି ମଧ୍ୟ ପାଠକକୁ ସେ ଯେ ସତ୍ୟ କଥାହିଁ ଶୁଣାଉଛନ୍ତି ତାହାର ଉଲ୍ଲେଖ ବାରମ୍ବାର କରିଯାଉଛନ୍ତି । ନିମ୍ନୋକ୍ତ କେତେଗୋଟି ଉଦ୍ଧୃତି ମଧ୍ୟରୁ ତାହା ପ୍ରମାଣିତ । ପାଠକ ପ୍ରାଣରେ ନିଜ ଉପନ୍ୟାସର ଘଟଣା ଓ ଚରିତ୍ର ସବୁ ମିଥ୍ୟା ନୁହେଁ, ସତ୍ୟ ବୋଲି ଏକ ଅବବୋଧ ସୃଷ୍ଟି କରିବା ଥିଲା ଶିଳ୍ପୀ ସେନାପତିଙ୍କ ଆନ୍ତରିକ ଉଦ୍ଦେଶ୍ୟ । ସେ ଉଦ୍ଦେଶ୍ୟ ମଧ୍ୟ ତାହାଙ୍କର କିପରି ସଫଳ ହୋଇଛି, ତାହା ପ୍ରବନ୍ଧର ଉପସଂହାରରେ ପ୍ରଦତ୍ତ ହେବ ।

 

‘‘ମିଥ୍ୟା କହିବା ଆମ୍ଭମାନଙ୍କର ଧର୍ମ ନୁହେଁ.....’’ ପୃ-୬ ।

 

‘‘ଏ କଥା ନିହାଏତ୍ ବେବରଦାସ୍ତ’’–ପୃ-୩୧ ।

 

‘‘ଆମ୍ଭମାନଙ୍କର କଥାରେ ପଦେ ମିଛ ନାହିଁ, ନିର୍ମଳ ସତ ।’’–ପୃ-୩୦ ।

 

‘‘ଆମ୍ଭେମାନେ ଦାରୋଗାଙ୍କ ରିପୋର୍ଟର ଏକପ୍ରସ୍ତ ସଇମୋହର ନକଲ ହାସଲ କରିଅଛୁ, ଆପଣଙ୍କ ଇଚ୍ଛା ହେଲେ ଶୁଣନ୍ତୁ ।’’ ପୃ-୧୩୩ ।

 

ପୁଣି, ଅନ୍ୟ କେତେକ ସ୍ଥଳରେ ଲକ୍ଷ୍ୟ କରାଯାଇଅଛି ଯେ ଶିଳ୍ପୀ ସେନାପତିଙ୍କ ପ୍ରଦତ୍ତ କେତେକ ବିଷୟ ଯେପରି ତାଙ୍କର ନିଜସ୍ୱ ବକ୍ତବ୍ୟ ନୁହେଁ, ପାଠକଙ୍କ ଅବଗତ ନିମନ୍ତେ ସେ କେବଳ ତାହା କହିଯାଇଛନ୍ତି । ଯେଉଁ କ୍ଷେତ୍ରରେ ସେନାପତିଙ୍କ ଶିଳ୍ପୀ ପ୍ରାଣ କାହାରିକୁ ଆକ୍ଷେପ କରିବାପାଇଁ ଚାହିଁଛି, ସେ କ୍ଷେତ୍ରରେ ସେ ପ୍ରାୟତଃ ଏ ପ୍ରକାର କୌଶଳ ଅବଲମ୍ବନ କରିଛନ୍ତି । ତାହାଙ୍କର ନିଜସ୍ୱ ବକ୍ତବ୍ୟକୁ ଅନ୍ୟ କାହାରି କଥା ଭାବରେ ସେ ଉପସ୍ଥାପନା କରନ୍ତି । ଏହା ମଧ୍ୟ ତାହାଙ୍କ ଉପନ୍ୟାସ-ଶୈଳୀର ଏକ ବୈଶିଷ୍ଟ୍ୟ ।

 

‘‘ଯଥା ଶ୍ରୁତଂ ତଥା ଲିଖିତଂ.......’’ ପୃ-୧୨ ।

 

‘‘ଲୋକେ କହନ୍ତି......’’ ପୃ-୫ ।

 

‘‘ପଣ୍ଡିତମାନଙ୍କ ଶ୍ଲୋକ ପଢ଼ିବା ଅଭ୍ୟାସ, ସେଥିରୁ ଆମ୍ଭେମାନେ କ’ଣ ପାଇବୁଁ ।’’ -ପୃ-୧୪ ।

 

‘‘ସେ କଳି ଶୁଣି ଲୋକମାନେ କହନ୍ତି.......’’ ପୃ-୪୧ ।

 

‘‘ଲୋକେ ଅନୁମାନ କରନ୍ତି....... ।’’ ପୃ-୪୧ ।

 

‘‘........ପଣ୍ଡିତମାନଙ୍କଠାରୁ ଶୁଣାଯାଏ ।’’ ପୃ-୪୩ ।

 

‘‘ମାତ୍ର ନିନ୍ଦୁକ ଲୋକର ନିନ୍ଦାକଥା କାହିଁ ଛାଡ଼ନାହିଁ, ଲୋକମାନେ ଗୋବର୍ଦ୍ଧନର ଏହି ସଦ୍‌ଗୁଣର ଅନ୍ୟପ୍ରକାର ଅର୍ଥ କରନ୍ତି ।’’ ପୃ-୬୧ ।

 

‘‘ଏ ପୋଖରୀଟି କେତେ କାଳର....ଆମ୍ଭେମାନେ କହିବାକୁ ଅକ୍ଷମ......ଶୁଣିବାରେ ଅସୁରମାନେ ଖୋଳିଛନ୍ତି, ଅସମ୍ଭବ ନୁହେଁ ।’’ ପୃ-୬୨ ।

 

‘‘ଆମ୍ଭେମାନେ ସମ୍ବାଦ ପାଇଅଛୁଁ.........।’’ ପୃ-୮୭ ।

 

‘‘ପିଲାଗୁଡ଼ିକ ସବୁଦିନେ ଜଞ୍ଜାଳିଆ । ସେମାନଙ୍କ କଥା କ’ଣ ଧରିବେ ? ଯାଉ, ସେ ବାଜେ କଥାରୁ କ’ଣ ହେବ ।’’ ପୃ-୧୯ ।

 

‘‘ପୁରୁଣା ପୋଲିସ ଭାରି ଲାଞ୍ଚଖିଆ ଥିଲେ, ଏପରି ଗୋଟାଏ ପ୍ରବାଦ ଅଛି ।’’ ପୃ-୫୯ ।

 

‘ଛମାଣ ଆଠଗୁଣ୍ଠ’ ଉପନ୍ୟାସରେ ଫକୀରମୋହନଙ୍କ କଥାଶୈଳୀର ଅନ୍ୟ ଏକ ବୈଶିଷ୍ଟ୍ୟ ହେଲା-ତର୍କ ପ୍ରବଣତା । ପାଠକ ପ୍ରାଣରେ ଉପସ୍ଥାପିତ ବିଷୟର ଗୁରୁତ୍ୱକୁ ଉପଲବ୍‌ଧ କରାଇବା ଉଦ୍ଦେଶ୍ୟରେ ଏବଂ ପାଠକ ପକ୍ଷରେ ସେହି ବିଷୟର ସତ୍ୟତା ପ୍ରତି ବିଶ୍ୱାସ ସୃଷ୍ଟି କରିବା ଲକ୍ଷ୍ୟରେ କେତେକ ସ୍ଥଳରେ ସେନାପତି ତର୍କର ଆଶ୍ରୟ ନେଇଛନ୍ତି । ଏତାଦୃଶ ତର୍କ ପ୍ରବଣତା ଏକ ଛଦ୍ମଗାମ୍ଭୀର୍ଯ୍ୟ’’ । ଯେଉଁ ବିଷୟକୁ ସହଜରେ ଗ୍ରହଣ କରାଯାଇ ପାରନ୍ତା, ଯେଉଁ ବିଷୟ ତାଦୃଶ ଗୁରୁତ୍ୱପୂର୍ଣ୍ଣ ନୁହେଁ, ସେନାପତି ତାହାକୁ ନିତାନ୍ତ ଗୁରୁତ୍ୱପୂର୍ଣ୍ଣ ଶୈଳୀରେ ଉପସ୍ଥାପନ କରିଛନ୍ତି-। ଏହା ତାହାଙ୍କର ପରିହାସ ପ୍ରବଣତାର ଅନ୍ୟ ଏକ ଉପାଦାନ ବୋଲି ମଧ୍ୟ କୁହାଯାଇପାରେ । ପୁନଶ୍ଚ, ଅଦାଲତରେ ଓକିଲମାନଙ୍କର ଜବାବାସୁଆଲର ରୀତି ଏବଂ ଯୁକ୍ତି ମାଧ୍ୟମରେ କଳାକୁ ଧଳା ଭାବରେ ପ୍ରତିପାଦନ କରିବାର କୌଶଳ ପ୍ରତି ସେନାପତିଙ୍କ ଶିଳ୍ପୀ-ପ୍ରାଣରେ ଯଥେଷ୍ଟ ଆକ୍ଷେପ ଭରି ରହିଥିଲା । ଏତାଦୃଶ ଛଦ୍ମ ଗାମ୍ଭୀର୍ଯ୍ୟ ପୂର୍ଣ୍ଣ ତର୍କ ପ୍ରବଣ ଶୈଳୀ ମଧ୍ୟରେ ତାଦୃଶ ଆକ୍ଷେପ ପରୋକ୍ଷ ରୀତିରେ ପ୍ରକାଶିତ ହୋଇଅଛି ମାତ୍ର ।

 

‘‘ଶୁଣିବା କଥା, ଅନୁମାନ କଥା ପ୍ରମାଣ ରୂପେ ଗ୍ରହଣ କରିବାକୁ ଆମ୍ଭେମାନେ ନିହାତି ନାରାଜ । ଅଦାଲତରେ ହାକିମମାନଙ୍କର ତ ଏହି ରାୟ ।’’-ପୃଷ୍ଠା-୨ ।

 

‘‘ଆପଣଙ୍କୁ ସାବଧାନ କରିଦେଉଛୁଁ, ଆମ୍ଭମାନଙ୍କଠାରୁ ନଶୁଣି କୌଣସି କଥା ସିଦ୍ଧାନ୍ତ କରି ପକାଇବେ ନାହିଁ । ଅନେକ ଅନୁସନ୍ଧାନ, ଅନେକ ପ୍ରମାଣ ସଂଗ୍ରହ କରି ଆମ୍ଭମାନଙ୍କୁ ଲେଖିବାକୁ ହୁଏ । ଆପଣମାନଙ୍କର ଏପରି ଭ୍ରମ ଅପନୋଦନ ନିମନ୍ତେ ଆମ୍ଭମାନଙ୍କର ଏତେ ପରିଶ୍ରମ, ନୋହିଲେ ପ୍ରୟୋଜନ କଣ ? ପୁଣି ଏଣୁ ତେଣୁ ଗୁଡ଼ାଏ ଲେଖି ପକାଇବା ଆମ୍ଭମାନଙ୍କର ଅଭ୍ୟାସର ବିପରୀତ । ଅକାଟ୍ୟ ପ୍ରମାଣ ନପାଇଲେ କିମ୍ବା ଯାହା ନ୍ୟାୟଶାସ୍ତ୍ର ସଙ୍ଗତ ନୁହେଁ, ଏମନ୍ତ କଥାଗୁଡ଼ିକ ଆମ୍ଭେମାନେ ଶୁଣୁନାହୁଁ । ଯାହା ଲେଖିବୁଁ, ସେ କଥାଗୁଡ଼ିକ ନ୍ୟାୟଶାସ୍ତ୍ର ଅନୁସାରେ ପ୍ରମାଣ କରାଇଦେବୁଁ, ଆପଣଙ୍କର ପାଟି ଫିଟାଇବାର ବାଟ ନଥିବ-।.........’’ ପୃଷ୍ଠା-୪୪ ।

 

‘‘ଗାଁ ହାଲଚାଲ’’ ପରିଚ୍ଛେଦରେ ଗୋବିନ୍ଦପୁର ଗାଁର ତନ୍ତୀସାହିରେ ଗୋବର ଗଦାର ଅଭାବର କାରଣ ଗୋରୁର ଅଭାବ । ଏଭଳି ଏକ ନିତାନ୍ତ ସାଧାରଣ କଥାକୁ ପ୍ରମାଣ କରିବାକୁ ଯାଇ ସେନାପତି ଏକ ଦୀର୍ଘ ଅନୁଚ୍ଛେଦକୁ ତର୍କପ୍ରବଣ ଶୈଳୀରେ ଉପସ୍ଥାପନ କରିଛନ୍ତି । ଏହା ତାହାଙ୍କର ପରିହାସ ପ୍ରବଣତା, ଏବଂ ହାସ୍ୟରସ ସୃଷ୍ଟିର ଅନ୍ୟ ଏକ ଉପାଦାନ ‘ଛଦ୍ମଗାମ୍ଭୀର୍ଯ୍ୟ’ର ସଫଳ ଦୃଷ୍ଟାନ୍ତ ଭାବରେ ଗ୍ରହଣ କରାଯାଇ ପାରେ । ବିଷୟବସ୍ତୁର ତାଦୃଶ ଗୁରୁତ୍ୱ ନଥିଲେ ମଧ୍ୟ କିମ୍ବା ଏକ ଗୁରୁତ୍ୱହୀନ ବିଷୟକୁ ଅନ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବରେ ଉପସ୍ଥାପନ କରିବାର ଏକ ପରିଚିତ ରୀତି ସେନାପତିଙ୍କ କଥାଶୈଳୀର ଅନନ୍ୟ ବୈଶିଷ୍ଟ୍ୟ ।

 

ଠିକ୍‌ ସେହିପରି, ସେନାପତିଙ୍କ ଅନ୍ୟ ଦୁଇଟି ତର୍କପ୍ରବଣ ଶୈଳୀର ଦୃଷ୍ଟାନ୍ତ ନିଆଯାଇପାରେ ।

 

‘‘କଥା କ’ଣ କି, ଗାଈର ମୁହଁରେ ଦୁଧ, ତେବେ ଆପଣ କି ଠେକି ଧରି ଗାଈ ଥୋବଣିଟା ଦୁହିଁ ବସିବେ ? କଥା ସେପରି ନୁହେଁ, ଗାଈ ଗୋଟିଏ କାଗଜ କଳପରି । କଳ ମୁହଁରେ ଛିଣ୍ଡା କନା, ଛିଣ୍ଡା ଦଉଡ଼ି, ପଚା ପନସି, ପଚା ତୁଳାଗୁଡ଼ାଏ ପୂରାଇ ଦେଲେ ପଛବାଟେ ସଫା, ଧଳା, ସୁନ୍ଦର, ଚିକ୍‌କଣ କାଗଜ ବାହାରି ପଡ଼େ । ସେହିପରି ଗାଈ ମୁହଁରେ କୁଣ୍ଡା, ପେଜ, ଘାସ ଗୁଡ଼ାଏ ପୂରାଇ ଦିଅ, ପହ୍ନାବାଟେ ଦୁଧ ବୋହି ପଡ଼ିବ ।’’ -ପୃଷ୍ଠା-୫୫ ।

 

‘‘ଗାଁ ମଝାଲରେ ଥିବାରୁ ସେଠାରେ ସକାଳେ ମାଇକିନିଆମାନଙ୍କ ହାଟ ବସେ । ହାଟ ନାମ ଶୁଣି ଆପଣ ମନେ କରିବେ ନାହିଁ ଯେ ଏଠାରେ ମାଇକିନିଆ ବିକାକିଣା ହୁଅନ୍ତି । ପାଟି ଆଉ ଜନତା ସଙ୍ଗରେ ସମାନ ଥିବାରୁ ହାଟ କହିଲୁଁ ।’’-ପୃଷ୍ଠା-୬୬ ।

 

ଉପର୍ଯ୍ୟୁକ୍ତ ଦୁଇଟି ଉଦ୍ଧୃତି ମଧ୍ୟରେ ସେନାପତି-କଥାଶୈଳୀର ପରିହାସ ପ୍ରବଣତା ଯେପରି ହୃଦ୍ୟ, ତାହାଙ୍କର ତର୍କ-ପ୍ରବଣତା ମଧ୍ୟ ସେହିପରି ସ୍ପଷ୍ଟ । ନିଜ ଯୁକ୍ତିକୁ ବଳିଷ୍ଠ କରିବା ଅଭିପ୍ରାୟରେ ସେ ପୁଣି ପ୍ରମାଣ ସଂଗ୍ରହ କରିଛନ୍ତି ଏବଂ ସଦୃଷ୍ଟାନ୍ତ ନିଜ ଯୁକ୍ତିର ବଳିଷ୍ଠତାକୁ ଉପସ୍ଥାପନ କରୁଛନ୍ତି । ଉଭୟ ଉଦ୍ଧୃତି ମଧ୍ୟରେ ବିଷୟବସ୍ତୁର ତାଦୃଶ ଗୁରୁତ୍ୱ ନାହିଁ । କିନ୍ତୁ, ସେନାପତିଙ୍କ ହାସ୍ୟରସ ଶୈଳୀର ସେହି ‘ଛଦ୍ମଗାମ୍ଭୀର୍ଯ୍ୟ’ ଗୁଣଟି ଏଥିରେ ମଧ୍ୟ ଲକ୍ଷ୍ୟଣୀୟ ।

 

ଉପନ୍ୟାସ ବର୍ଣ୍ଣନାଧର୍ମୀ । ‘ଛମାଣ ଆଠଗୁଣ୍ଠ’ ମଧ୍ୟରେ ସେନାପତି ମଧ୍ୟ ବହୁ ବିଷୟର ମନୋଜ୍ଞ ବର୍ଣ୍ଣନା ପରିବେଷଣ କରିଛନ୍ତି । କିନ୍ତୁ କେତେକ ସ୍ଥଳରେ ସେସବୁ ବର୍ଣ୍ଣନା ଜୀବନ୍ତ ଓ ହୃଦ୍ୟ ହେଲେହେଁ କଥାବସ୍ତୁର ଅଗ୍ରଗତି ଦୃଷ୍ଟିରୁ ପାଠକପାଇଁ ତାହା ବାହୁଲ୍ୟ ତଥା ବିରକ୍ତିକର ମନେ ହୋଇପାରେ । ପାଠକ ସଚେତନ କଥାଶିଳ୍ପୀ ସେନାପତି ନିଜ ସ୍ୱଭାବ ସୁଲଭ ଶୈଳୀରେ ଏ ସମ୍ପର୍କରେ ଯେଉଁ ସବୁ କଥା କହିଛନ୍ତି ତାହା ମଧ୍ୟ ତାଙ୍କର ପରିହାସ ପ୍ରବଣତାକୁ ସୂଚିତ କରୁଅଛି । ବହୁ ଦୀର୍ଘ ବର୍ଣ୍ଣନା ଦେଇସାରିଲା ପରେ ସେନାପତି କହିଥାନ୍ତି- ‘‘ମାତ୍ର କଥା ବଢ଼େଇ ଲେଖିବା ଆମ୍ଭମାନଙ୍କ ଦେହରେ ଚଳେ ନାହିଁ, ସେଥିପାଇଁ ଠିକେ ଠିକେ ସବୁକଥା ଲେଖିପକାଉଁ ।‘’-ପୃଷ୍ଠା-୪୭ ।

 

ଠିକ୍ ସେହିପରି ‘‘ସବୁ କଥାଗୁଡ଼ାକ ଲେଖିଲେ ପାଠକମାନେ ବିରକ୍ତ ହୋଇପାରନ୍ତି । ସେଥି ସକାଶେ ସାରାଂଶ ମାତ୍ର ଲେଖୁଅଛୁଁ ।’’-ପୃଷ୍ଠା-୧୪ ।

 

‘‘ଆପଣ କେତେଗୁଡ଼ାଏ କଥା ଶୁଣିବାକୁ ଅସୁଖ ପାଇବେ, ଲମ୍ବା କଥା ଲେଖିବାରେ ଆମ୍ଭେମାନେ ମଧ୍ୟ ଅନଭ୍ୟସ୍ତ । ତାହାର ସାରମର୍ମ ଲେଖିଅଛୁ ।’’ -ପୃଷ୍ଠା-୭୫ ।

 

‘‘ସାରାଂଶ ମାତ୍ର ଲେଖୁଅଛୁ’’ ଏବଂ ‘‘ଲମ୍ବାକଥା ଲେଖିବାରେ ଆମ୍ଭେମାନେ ମଧ୍ୟ ଅନଭ୍ୟସ୍ତ’’ ବୋଲି କହି ସେ କଥା ବଢ଼ାଇ ଏବଂ ଲମ୍ବା କଥାହିଁ କହିଥାନ୍ତି ।

ସେନାପତି-କଥାଶୈଳୀରେ ପରିହାସ ପ୍ରବଣତାର ଅନ୍ୟ ଏକ ଦୃଷ୍ଟାନ୍ତ ଦିଆଯାଇପାରେ । ‘‘...............ମାତ୍ର ତନ୍ତୀଆଣୀ ମାଇକିନିଆମାନଙ୍କଠାରୁ ଆମ୍ଭମାନଙ୍କର ସାହସ ଖୁବ୍ ବେଶି । ବୀରପରି ସବୁ କଥା କହିଯିବୁ ।’’-ପୃଷ୍ଠା-୭୪ ।

 

‘ଛମାଣ ଆଠଗୁଣ୍ଠ’ ଉପନ୍ୟାସ ମଧ୍ୟରୁ ଯେଉଁ କେତେକ ଉଦ୍ଧୃତି ଉପସ୍ଥାପନ କରାଯାଇ ଅଛି ସେଥିରୁ ଫକୀରମୋହନ ସେନାପତିଙ୍କ ଉପନ୍ୟାସ ଶୈଳୀରେ ସେ କିପରି ପାଠକ (ଶ୍ରୋତା) ମାନଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ରକ୍ଷା କରିବାପାଇଁ ଚାହିଁଛନ୍ତି ତାହା ସ୍ପଷ୍ଟ ହୋଇ ପାରିଛି । କେବଳ ତାହା ନୁହେଁ; ଉପନ୍ୟାସ ଶୈଳୀରେ ପାଠକ ସହିତ ତାହାଙ୍କର ତାଦୃଶ ସମ୍ପର୍କ ପୁଣି ଥିଲା ଅତ୍ୟନ୍ତ ଗଭୀର ତଥା ଆତ୍ମୀୟତାରେ ପରିପୂର୍ଣ୍ଣ । ତାହାଙ୍କ ପ୍ରଥମ ଉପନ୍ୟାସ ‘ଛମାସ ଆଠଗୁଣ୍ଠ’ ମଧ୍ୟରେ ପାଠକ ସହିତ ଏତାଦୃଶ ଆତ୍ମୀୟ କଥାଶୈଳୀର ପରିବେଷଣ ଦୃଷ୍ଟିରୁ ଏହା ଥିଲା ସର୍ବାଧିକ ଲୋକପ୍ରିୟ । ଶିଳ୍ପୀ ସେନାପତିଙ୍କ ଏତାଦୃଶ ଶୈଳୀ ଅନ୍ୟ ଉପନ୍ୟାସ ଏବଂ କ୍ଷୁଦ୍ରଗଳ୍ପର କେତେକ ସ୍ଥଳରେ ଲକ୍ଷ୍ୟ କରାଗଲେ ମଧ୍ୟ ‘ଛମାଣ ଆଠଗୁଣ୍ଠ ଉପନ୍ୟାସ ମଧ୍ୟରେ ଏହା ଯେତେ ତୀବ୍ର ଏବଂ ବୈଶିଷ୍ଟ୍ୟପୂର୍ଣ୍ଣ ଭାବରେ ପରିବେଷିତ; ଅନ୍ୟତ୍ର ତାହା ଲକ୍ଷ୍ୟ କରାଯାଏ ନାହିଁ । ସେନାପତିଙ୍କ କଥାଶୈଳୀର ମୌଳିକ ସ୍ୱରୂପକୁ ତାହାଙ୍କ କଥା ସାହିତ୍ୟର ଆଦ୍ୟ ନିଦର୍ଶନ ‘ଛମାଣ ଆଠଗୁଣ୍ଠ’ ମଧ୍ୟରେ ଯେଭଳି ଲକ୍ଷ୍ୟ କରାଯାଇ ଅଛି; ପରବର୍ତ୍ତୀ କଥାଗ୍ରନ୍ଥଗୁଡ଼ିକରେ ତାହାର ମୌଳିକ ସ୍ୱରୂପରେ ପରିବର୍ତ୍ତନ ନଥିଲେ ମଧ୍ୟ ସେ ସମୟକୁ ଓଡ଼ିଆ ପାଠକ ଓଡ଼ିଆ ଗଦ୍ୟ ସାହିତ୍ୟ ପ୍ରତି ଯଥେଷ୍ଟ ଆଗ୍ରହ ପ୍ରଦର୍ଶନ କରିଥିବା ସମାଜ-ସଚେତନ ଶିଳ୍ପୀ ସେନାପତି ଅନୁଭବ କରି ପାରିଛନ୍ତି ଏବଂ ଓଡ଼ିଆ କଥା ସାହିତ୍ୟ ସୃଷ୍ଟି ମୂଳରେ ତାହାଙ୍କର ଯେଉଁ ଉଦ୍ଦେଶ୍ୟ ନିହିତ ଥିଲା ତାହା ସଫଳ ହୋଇ ପାରିଥିବା ମଧ୍ୟ ସେ ଲକ୍ଷ୍ୟ କରିଛନ୍ତି । ତାହାଙ୍କର ପ୍ରଥମ ଉପନ୍ୟାସଟି ମଧ୍ୟରେ ପାଠକ ସହିତ ଆତ୍ମୀୟ ସମ୍ପର୍କ ରକ୍ଷା କରିଥିବା ଯେଉଁ କଥାଶୈଳୀଟିର ସେ ପ୍ରୟୋଗ କରିଛନ୍ତି ତାହା ଅତ୍ୟନ୍ତ ସଫଳ ହୋଇ ପାରିଛି ଏବଂ ପୁରାଣ କାବ୍ୟଭଳି ପଦ୍ୟସାହିତ୍ୟର ପରମ୍ପରାଗତ ଓଡ଼ିଆ ଶ୍ରୋତା ଆଧୁନିକ ଏକ ଗଦ୍ୟ ରଚନା ପ୍ରତି ସବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି ।

 

ଓଡ଼ିଆ ଭାଷାର ପ୍ରତିଷ୍ଠା ଏବଂ ବିକାଶ ପ୍ରତି ‘ଖାଣ୍ଟି ଓଡ଼ିଆ’ ସମାଜ ସଚେତନ ଶିଳ୍ପୀ ସେନାପତି କିପରି ଆଗ୍ରହୀ ଏବଂ ଓଡ଼ିଆ ଭାଷାର ମହତ୍ତ୍ୱ ରକ୍ଷା ଦୃଷ୍ଟିରୁ ସେ ପାଠକମାନଙ୍କ ସହିତ କିପରି ଏକାତ୍ମ ତାହା ମଧ୍ୟ ତାହାଙ୍କ ପରିଚିତ କଥାଶୈଳୀର ଏକ ଦୃଷ୍ଟାନ୍ତରୁ ହୃଦ୍‌ବୋଧ ହୋଇପାରିବ ।

 

‘‘ଆଜିକାର କାରଖାନା ସବୁ ଇଂରେଜୀମୟ, ମାତ୍ର ଆମ୍ଭେମାନେ ଓଡ଼ିଆ, ପାଠକମାନେ ମଧ୍ୟ ସେହିପରି, ଛାପାଖାନାର ଅକ୍ଷରଗୁଡ଼ିକ ମଧ୍ୟ ଏହି ଦେଶୀ, ସୁତରାଂ ଆମ୍ଭମାନଙ୍କୁ ତରଜମା କରି ସମସ୍ତ କଥା ଲେଖିବାକୁ ହେଉଛି ।’’-ପୃଷ୍ଟା-୧୩୯ ।

 

ସମଗ୍ର ଓଡ଼ିଆ ସାହିତ୍ୟରେ ଫକୀରମୋହନ ସେନାପତିଙ୍କ ଏତାଦୃଶ କଥାଶୈଳୀ ଏକାନ୍ତ ମୌଳିକ ତଥା ଅଭିନବ । ତାହାଙ୍କ କଥାସାହିତ୍ୟ ଓଡ଼ିଆ ପାଠକ ଗୋଷ୍ଠୀର ସର୍ବାଧିକ ପ୍ରିୟବସ୍ତୁ । ଆକର୍ଷଣୀୟ କାହାଣୀ, ପ୍ରଭାବଶାଳୀ ଚରିତ୍ର, ମନୋମୁଗ୍‌ଧକର ହାସ୍ୟ ଓ ବ୍ୟଙ୍ଗ ରସର ପରିବେଷଣ ଯୋଗୁଁ ତାହାଙ୍କ କଥାସାହିତ୍ୟ ଅତ୍ୟନ୍ତ ଲୋକପ୍ରିୟ ବୋଲି ସମାଲୋଚକଗଣ ଯେଉଁ ମତ ପରିବେଷଣ କରିଛନ୍ତି, ତାହା ଅଯଥାର୍ଥ ନୁହେଁ । କିନ୍ତୁ ତାହାଙ୍କ କଥା-ସାହିତ୍ୟର ଲୋକପ୍ରିୟତାର ପ୍ରମୁଖ କାରଣଟି ଯଥାର୍ଥରେ ତାହାଙ୍କର ଏତାଦୃଶ କଥାଶୈଳୀ ଯେଉଁଥିରେ ପାଠକ ସହିତ ସେ ଗଭୀର ଭାବରେ ଏକାତ୍ମ ଏବଂ ତାଦୃଶ କଥାଶୈଳୀ ଓଡ଼ିଆ ସାହିତ୍ୟରେ ଅନ୍ୟତ୍ର ଦୁର୍ଲଭ ।

 

‘ଛମାଣୁ ଆଠଗୁଣ୍ଠ’ ଉପନ୍ୟାସରେ ବର୍ଣ୍ଣିତ ହୋଇଥିବା ଘଟଣା ଓ ଚରିତ୍ର ଫକୀର ମୋହନଙ୍କ ଆତ୍ମୀୟ କଥାଶୈଳୀରେ ପାଠକମାନଙ୍କ ଉପରେ ଯେଉଁ ପ୍ରଭାବ ସୃଷ୍ଟି କରିଥିଲା ତାହାର ଏକ ନିଦର୍ଶନ ପ୍ରଦାନ କରି ପ୍ରବନ୍ଧର ଉପସଂହାର କରାଯାଉଅଛି । ‘ଛମାଣ ଆଠଗୁଣ୍ଠ’ ଉପନ୍ୟାସଟି ୧୮୯୭ ମସିହାଠାରୁ ୧୮୯୯ ମସିହା ପର୍ଯ୍ୟନ୍ତ ‘ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହେଉଥିଲା । ଗ୍ରନ୍ଥାକାରରେ ପାଠକ ଏହାକୁ ଏକାଦିକ୍ରମେ ପଢ଼ିବା ପୂର୍ବରୁ ଏହାର ଏକ ଏକ ପରିଚ୍ଛେଦ ସେ ‘ଉତ୍କଳ ସାହିତ୍ୟ’ ପତ୍ରିକାରୁ ପାଠ କରିବା ସୁଯୋଗ ପାଇଛି । ଅତ୍ୟନ୍ତ ଆଗ୍ରହର ସହିତ ସେ ଅପେକ୍ଷା କରିଛି ‘ଉତ୍କଳ ସାହିତ୍ୟ’ର ମାସିକ ପ୍ରକାଶନକୁ । ପୁଣି, ‘ଛମାଣ ଆଠଗୁଣ୍ଠ’ ଉପନ୍ୟାସ ଯେ ଏକ କଳ୍ପିତ କାହାଣୀ, ଏହା ଯେତେ ବାସ୍ତବ ମନେ ହେଲେ ମଧ୍ୟ ଏହାର ଚରିତ୍ରଗୁଡ଼ିକ ଆଦୌ ସତ୍ୟ ନୁହନ୍ତି; ଏ ଧାରଣା ତତ୍କାଳୀନ ପାଠକର ହୋଇପାରି ନାହିଁ । ତାହାର କାରଣ ମୁଖ୍ୟତଃ ଦୁଇଟି । ପ୍ରଥମତଃ ଆଧୁନିକ କଥାସାହିତ୍ୟ ସୃଷ୍ଟିର ପ୍ରାକ୍-କାଳରେ ପାଠକ କଥାସାହିତ୍ୟର କଳ୍ପନା ବିଭାବ ପ୍ରତି ସଚେତନ ନହୋଇ ପାରିବା ଅଧିକ ସମ୍ଭବ । ଦ୍ୱିତୀୟତଃ, ସେନାପତିଙ୍କ କଥାଶୈଳୀର ଅସାଧାରଣ ପ୍ରଭାବରେ ପାଠକ ଉକ୍ତ ଉପନ୍ୟାସରେ ବର୍ଣ୍ଣିତ ଘଟଣା ଓ ଚରିତ୍ରକୁ କଳ୍ପିତ ବୋଲି ମନେ କରିପାରି ନାହିଁ । ସତେଯେପରି, ସେସବୁ ଚରିତ୍ର ନୁହନ୍ତି; ଆମ ସମାଜର କେତେକ ବ୍ୟକ୍ତିଙ୍କ କଥାକୁହିଁ ସେନାପତି ଉକ୍ତ ପତ୍ରିକାରେ ପ୍ରକାଶ କରିଯାଉଛନ୍ତି ବୋଲି ଏକ ବଦ୍ଧମୂଳ ଧାରଣା ସାଧାରଣ ପାଠକ ମନରେ ସୃଷ୍ଟି ହୋଇଛି । ତାହାର ପ୍ରମାଣ ଫକୀର ମୋହନଙ୍କ ନିମ୍ନୋକ୍ତ ବକ୍ତବ୍ୟରୁ ହିଁ ଗ୍ରହଣ କରାଯାଉ ।

 

‘‘କଟକ ବାସ ସମୟରେ ମୋର ଉପନ୍ୟାସ ଲେଖା ଆରମ୍ଭ ହୁଏ । X       X X X ତତ୍ପରେ ‘ଛମାଣ ଆଠଗୁଣ୍ଠ’ ନାମରେ ଗୋଟିଏ ଗଳ୍ପ ଆରମ୍ଭ କଲି । ତାହା କ୍ରମଶଃ ବଢ଼ି ବଢ଼ି ଗୋଟିଏ ବଡ଼ ଉପନ୍ୟାସରେ ପରିଣତ ହେଲା । X X X X ମୋର ଏହି ଗଳ୍ପ ଓ ଉପନ୍ୟାସ ମାନ ପଢ଼ି ପାଠକମାନେ ବିଶେଷ ପ୍ରୀତ ହୋଇଥିଲେ । ‘ଛମାଣ ଆଠଗୁଣ୍ଠ’କୁ ସେମାନେ ବିଶେଷ ଆଗ୍ରହର ସହିତ ପଢ଼ୁଥିଲେ । ଏହି ଉପନ୍ୟାସ ଲିଖିତ ରାମଚନ୍ଦ୍ର ମଙ୍ଗରାଜର ମକଦ୍ଦମାର ବିବରଣ ଯେତେବେଳେ ‘ଉତ୍କଳ ସାହିତ୍ୟ’ରେ ପ୍ରକାଶିତ ହେଉଥିଲା, ସେତେବେଳେ ମଫସଲରୁ କେତେକ ଅଜ୍ଞଲୋକ ମକଦ୍ଦମା ବିଚାର ଦେଖିବା ପାଇଁ କଟକ ଆସିଥିଲେ ।’’ (୩)

 

୩.

ଫକୀରମୋହନ ଗ୍ରନ୍ଥାବଳୀ (ଆତ୍ମଜୀବନ ଚରିତ)-ପ୍ରଥମଖଣ୍ଡ-ଦ୍ୱିତୀୟ ସଂସ୍କରଣ- ୧୯୬୩-କଟକ ଷ୍ଟୁଡ଼େଣ୍ଟସ୍‌ ଷ୍ଟୋର-ପୃଷ୍ଠା-୧୯୫-୧୯୬ ।

 

‘ଛମାଣ ଆଠଗୁଣ୍ଠ’ ଉପନ୍ୟାସରେ କଥାଶିଳ୍ପୀ ସେନାପତି ଯେଉଁ କଥାଶୈଳୀର ପ୍ରୟୋଗ କରିଥିଲେ ତାହାର ସଫଳ ପ୍ରଭାବ ହିଁ ଉକ୍ତ ଉପନ୍ୟାସର ପାଠକମାନଙ୍କୁ ଫକୀର ମୋହନଙ୍କ ନିଜସ୍ୱ ଭାଷାରେ ‘ଅଜ୍ଞା’ ରୂପେ ପରିଚିତ କରାଇଥିଲା । ସାଧାରଣ ପାଠକ ସେହି ଉପନ୍ୟାସର ବର୍ଣ୍ଣିତ ଘଟଣା ଓ ଚରିତ୍ରଦ୍ୱାରା ଏତେବେଶି ପ୍ରଭାବିତ ହୋଇଥିଲେ ଯେ ସେମାନେ ସେସବୁକୁ ସତ୍ୟ ଘଟଣା ବୋଲି ଅନୁଭବ କରିପାରିଥିଲେ । ଏତାଦୃଶ ‘ଅଜ୍ଞ’ ପାଠକ ହିଁ ସେନାପତିଙ୍କ ଅଭିନବ ମୌଳିକ ଗଦ୍ୟଶୈଳୀର ଯଥାର୍ଥ ମହତ୍ତ୍ୱକୁ ପ୍ରମାଣ କରିଯାଇଛନ୍ତି ।

 

 

ଏସ୍‌. ଡ଼ି ୮-୨

ବୁର୍ଲା

 

***

 

 

ହାସ୍ୟାର୍ଣ୍ଣବ, ହାସବିନୋଦ, ହାସ୍ୟକଲ୍ଲୋଳ

ଡକ୍‌ଟର ଦୁର୍ଗାପ୍ରସନ୍ନ ପଣ୍ଡା

 

ମଧ୍ୟଯୁଗୀୟ କବିମାନେ ସଂସ୍କୃତ ସାହିତ୍ୟାଦର୍ଶଦ୍ୱାରା ବିଶେଷ ଭାବେ ଅନୁପ୍ରେରିତ ହୋଇ ସେମାନଙ୍କ କାବ୍ୟରେ ଶବ୍ଦାଶ୍ରୟୀ ବୈଦଗ୍‌ଧ୍ୟର ଚରମ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । ଶବ୍ଦର ବିଚିତ୍ର ପ୍ରୟୋଗ କୌଶଳ କ୍ଷେତ୍ରରେ ଓଡ଼ିଆ କବିମାନେ ନୈଷଧୀୟ ଚାତୁର୍ଯ୍ୟକୁ ବଳିଯିବାକୁ ଚେଷ୍ଟା କରିଛନ୍ତି । କବି ବ୍ରଜନାଥ ବଡ଼ଜେନା ଶବ୍ଦ କସରତ୍ ପ୍ରଦର୍ଶନ କାଳରେ ଗୋଟିଏ ସ୍ଥାନରେ ଯେଉଁଟା ପ୍ରଶ୍ନ-ତାହାହିଁ ଉତ୍ତର ରୀତିକୁ ଆଶ୍ରୟ କରିଛନ୍ତି । ଦୃଷ୍ଟାନ୍ତ ସ୍ୱରୂପ-

 

ଅନନ୍ତ କେ ଖରେ ନଜାଣ ହନୁ ଜାତିରେ କିସ

ଅଟଇ କି ରମଣି ରାମା ତିଳ ନାସା ସଦୃଶ

ଅଛିଟି କାହିଁ ପୂର୍ଣ୍ଣଚନ୍ଦ୍ର କାନ୍ତି ଶ୍ରୀବଦନରେ

ଅହର୍ନିଶ କେ କରିଗତି ପତି ମହୀକୁ ଧରେ ।

 

ବ୍ୟାଖ୍ୟା-

ଅନନ୍ତ କେ ଖରେ ନଜାଣ ? ଖ- ଆକାଶ, ଖର-ମୂର୍ଖ (ଗଧ) କେଉଁ ମୁର୍ଖ ଅନନ୍ତ କଣ ବୋଲି ନ ଜାଣ ? ଉତ୍ତର-‘ଅନନ୍ତ’ର ଅର୍ଥ ‘ଖ’ ବୋଲି କିଏ ବା ନଜାଣେ ?

ହନୁ ଜାତିରେ କିସ ? ଉତ୍ତର-ହନୁ ଜାତିରେ କି (ଶାଖାମୃଗ) ଈଶ (ଶ୍ରେଷ୍ଠ) । (କି+ଈଶ=କୀଶ)

ରମଣୀ ଶ୍ରେଷ୍ଠାର ତିଳଫୁଲ ତୁଲ୍ୟ ନାସା କି ସଦୃଶ ଅଟଇ ? ଉତ୍ତର-କୀରମଣି ବା ଶ୍ରେଷ୍ଠ ଶୁଆର ଚଞ୍ଚୁ ତୁଲ୍ୟ ।

ଶ୍ରୀ ବଦନରେ କାହିଁ ପୂର୍ଣ୍ଣଚନ୍ଦ୍ର କାନ୍ତି ଅଛି ? ଉତ୍ତର-ଶ୍ରୀ ବଦନରେ (ଲକ୍ଷ୍ମୀଙ୍କ ମୁଖରେ) ପୂର୍ଣ୍ଣ ଚନ୍ଦ୍ରକାନ୍ତି ଅଛି ।

ଅହର୍ନିଶ କେ ଗତି କରି ମହୀପତିକୁ ଧରେ ? ଉତ୍ତର-କୁଧରେ-ପାହାଡ଼ମାନେ । (ପୃଥିବୀକୁ କୁଧର କହନ୍ତି ।)

 

ଶବ୍ଦର ପ୍ରୟୋଗ ରୀତିରେ କବିସୂର୍ଯ୍ୟଙ୍କ ଦକ୍ଷତା ଅନନ୍ୟ ସାଧାରଣ । ଏଇ ଦୁଇଜଣ ପ୍ରଖ୍ୟାତ କବି ସେମାନଙ୍କ କାବ୍ୟ ସରଣୀ ପରିହାର କି ଗଦ୍ୟ ଆଡ଼କୁ ମନୋନିବେଶ କରିବାରେ ଅଭୀପ୍‌ସା ରୀତିଯୁଗୀୟ ଚିନ୍ତାଧାରାର ବ୍ୟତିକ୍ରମ ନିଶ୍ଚୟ । କିନ୍ତୁ ରୀତି ଯୁଗ ଥିଲା ସଂସ୍କୃତ ସାହିତ୍ୟାଦର୍ଶ ଅନୁସରଣର କାଳ । କବି ବ୍ରଜନାଥଙ୍କ ଚତୁର ବିନୋଦରେ ଥିବା ‘ହାସ ବିନୋଦ’ ଏବଂ କବିସୂର୍ଯ୍ୟଙ୍କ ‘ହାସ୍ୟକଲ୍ଲୋଳ’ ସଂସ୍କୃତ ପ୍ରହସନର ଆଦର୍ଶରେ ପ୍ରସ୍ତାବିତ ହୋଇଥିବାରୁ ଏଇ ଦୁଇଟି ଗଦ୍ୟ ରଚନାରେ କବିଦ୍ୱୟଙ୍କର ମୌଳିକତା ସମ୍ପର୍କରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ଆଲୋଚ୍ୟ ପ୍ରବନ୍ଧରେ ଜଗଦୀଶ୍ୱର କବିରାଜଙ୍କ ‘ହାସ୍ୟାର୍ଣ୍ଣବ ପ୍ରହସନମ୍’ ଉପର୍ଯ୍ୟୁକ୍ତ ରଚନାଦ୍ୱୟକୁ କେତେ ମାତ୍ରାରେ ପ୍ରଭାବିତ କରିଛି ତାର ଏକ ସଂକ୍ଷିପ୍ତ ସୂଚନା ପ୍ରଦାନ କରାଯାଉଛି ।

 

ଦଶ ରୂପକ ମଧ୍ୟରୁ ‘ଭାଣ’ ଏବଂ ‘ପ୍ରହସନ’ରେ ଅମାର୍ଜିତ ହାସ୍ୟରସ ପରିବେଷିତ ହୋଇଥାଏ । ଭାଣରେ ଜଣେମାତ୍ର ବୀଟ ଅଭିନେତା ବୀଭତ୍ସ ରତିରସାଶ୍ରୟୀ ଦୀର୍ଘ ସଂଳାପରେ ଅଦୃଶ୍ୟ ଚରିତ୍ର ତାଙ୍କର କୌଣସି ବଂଧୁଙ୍କୁ ନିଜ ବୀରତ୍ୱପୂର୍ଣ୍ଣ ପରିକ୍ରମାର ସୂଚନା ଦିଅନ୍ତି ।(୧)

 

୧.

There is no action but only a prolonged monologue carried by suppositious dialogue between the Veeta and his unseen friends involving a perfect day of adventure in his imaginary promenade through the city.

S.K. Dey-Aspects of Sanskrit Literature, Page 262

 

୨.

The characters in the Prahasana are Law, not in social position but as unredeemingly base and carnal and there being credit for no other quality, they are hardly human.

ତତ୍ରୈବ-ପୃ-୨୭୭

 

ପ୍ରହସନରେ ଗୋଟିଏ ବା ଦୁଇଟି ଅଙ୍କ ଥାଏ । ଏଥିରେ ଥିବା ଚରିତ୍ରମାନେ ହେଲେ ରାଜା, ରାଣୀ, ମନ୍ତ୍ରୀ, ପୁରୋହିତ, ସେନାଧ୍ୟକ୍ଷ, ଚିକିତ୍ସକ, ତପସ୍ୱୀ ଗୁରୁ, ଶିଷ୍ୟ, କଟୁଆଳ, ଅନ୍ତଃପୁର ରକ୍ଷକ ଓ ବେଶ୍ୟା ଏବଂ ତାର କନ୍ୟା ବା ପରିଚାରିକା । ଏମାନେ ସମସ୍ତେ କାମ ପ୍ରପୀଡ଼ିତ, ସମାଜର ଆଦର୍ଶରୁ ବିଚ୍ୟୁତ ଏବଂ ମନୁଷ୍ୟତାର ସାମାନ୍ୟତମ ସ୍ପର୍ଶରୁ ବଞ୍ଚିତ । (୨) ପ୍ରଫେସର ସୁଶୀଲ କୁମାର ଦେ ତାଙ୍କ History of Sanskrit Literature ଗନ୍ଥର Didectic and Satiric poetry ଅଧ୍ୟାୟରେ ପ୍ରହସନୀୟ ଚରିତ୍ରମାନଙ୍କ ସମ୍ପର୍କରେ କହିଛନ୍ତି ଯେ ସେମାନେ ମନୁଷ୍ୟ ସମାଜର ପ୍ରତିନିଧିତ୍ୱ କରନ୍ତି ନାହିଁ । (ପୃ-୪୯୩ରୁ ୫୦୦ ପର୍ଯ୍ୟନ୍ତ ଦ୍ରଷ୍ଟବ୍ୟ) ତେଣୁ ପ୍ରଫେସର ଦେଙ୍କ ମତରେ ପ୍ରହସନ ଗୁଡ଼ିକ ସାହିତ୍ୟିକ ମର୍ଯ୍ୟାଦାରୁ ଏକାବେଳକେ ବଂଚିତ । ହୁଏତ ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣୀ ମାନଙ୍କର ବୀଭତ୍ସ ଯୌନଲୀଳାର ସଂକେତ ଦେବା ଲକ୍ଷ୍ୟରେ ଭାଣ ଓ ପ୍ରହସନ ତାତ୍‌କାଳିକ ଦର୍ଶକମାନଙ୍କୁ ସଚେତନ କରାଇବାରେ ଯତ୍‌କିଞ୍ଚିତ୍ ଭୂମିକା ଗ୍ରହଣ କରିଥାଇ ପାରନ୍ତି । ପୁନଶ୍ଚ ରାଜତନ୍ତ୍ରର ନିରନ୍ଧ୍ର ଅନ୍ଧକାର ମଧ୍ୟରେ ଯୌନଚର୍ଯ୍ୟାର ବୀଭତ୍ସତା କିପରି ସାକାର ହୋଇ ଉଠିଛି ତାହା ପ୍ରହସନୀୟ ହାସ୍ୟାଦର୍ଶର ଲକ୍ଷ୍ୟ ହୋଇ ଉଠିଛି । ପ୍ରହସନ ଗୁଡ଼ିକରେ ଜୁଗୁପସିତ ହାସ୍ୟ ବିଳାସ ବୌଦ୍ଧିକତା ସ୍ପର୍ଶଶୂନ୍ୟତା ହେତୁ ପ୍ରଭାବଶାଳୀ ହୋଇ ପାରିନଥିବାରୁ ପ୍ରହସନୀୟ ହାସ୍ୟ ବା ଫାର୍ଶ ପାଠକ ଓ ଦର୍ଶକମାନଙ୍କ ମନରେ ବଣ୍ୟ ଆନନ୍ଦ ମାତ୍ର ଉଦ୍ରେକ କରିଛି ସତ୍ୟ, ମାତ୍ର ତାହା ସାହିତ୍ୟିକ-ହାସ୍ୟର ମର୍ଯ୍ୟାଦା ପ୍ରାପ୍ତ ହୋଇନାହିଁ ।

 

ଏହି ଦୃଷ୍ଟିରୁ ବିଚାର କଲେ ହାସ୍ୟାର୍ଣ୍ଣବ, ହାସବିନୋଦ ଓ ହାସ୍ୟକଲ୍ଲୋଳ ବୌଦ୍ଧିକ ହାସ୍ୟ ପରିବର୍ତ୍ତେ ପ୍ରହସନୀୟ ହାସ୍ୟର ପ୍ରସ୍ତାବନା କରି ପାରିଛନ୍ତି ।

 

ତିନିଗୋଟି ରଚନାର ଚରିତ୍ର ପରିଚିତ ;

ରାଜା- ହାସ୍ୟାର୍ଣ୍ଣବର ରାଜା ଅନୟସିନ୍ଧୁଙ୍କୁ ‘ଧୂର୍ତ୍ତାନାଂ ଚକ୍ରବର୍ତ୍ତୀ, ନିୟତାନ୍ତ ପୁରବାସୀ । ତାଙ୍କ ରାଜ୍ୟରେ ନୀତିର୍ଭୀତିମତୀ ଦିଗନ୍ତମ ଭଜତ୍ କ୍ଷିପ୍ରଂ ସମଂ ସାଧୁଭିଃ’’ । (୩) ଅର୍ଥାତ୍ ସାଧୁମାନଙ୍କ ସହିତ ଭୟାର୍ତ୍ତ ନୀତି-ଦେବୀ ଅନ୍ୟ ସ୍ଥାନକୁ ପଳାୟନ କରିଛନ୍ତି । ସେ କହନ୍ତି, ‘‘ଦେବ୍ୟାଃ ଗଳିତ କୁଚ ସ୍ପର୍ଶ ବିମୁଖସ୍ୟ ବାରାଙ୍ଗନା ଲିଙ୍ଗନାୟ ମମାପି ଅଭିଳାଷଃ ଯତଃ ଉଦର ପତିତ ସ୍ତନୀଷୁ କୁତଃ ସ୍ମରାବସ୍ଥିତି ।’’ ଅର୍ଥାତ୍ ରାଜା ଅନୟସିନ୍ଧୁନାଭି ପର୍ଯ୍ୟନ୍ତ ବିଲମ୍ବିତ ସ୍ତନରେ କନ୍ଦର୍ପଙ୍କ ଅଧିବାସ ନଥିବାରୁ ରାଣୀଙ୍କ ଗଳିତ କୁଚସ୍ପର୍ଶ ବିମୁଖ ହୋଇ ବାରାଙ୍ଗନାଲିଙ୍ଗନ ପାଇଁ ବ୍ୟଗ୍ର । ତାଙ୍କ ପ୍ରଜାଙ୍କ ଅବସ୍ଥା ଦୟନୀୟ । ଧୂର୍ତ୍ତମାନଙ୍କ କପଟତା ପୂର୍ଣ୍ଣ ଚାଟୁ ବଚନ ଶୁଣି ରାଜା ପରଧନ ହରଣ କ୍ଷେତ୍ରରେ ସର୍ବଦା ନିପୁଣ ।(୪)

 

୩.

ହାସ୍ୟାର୍ଣ୍ଣବ ପ୍ରହସନମ୍-ଜଗଦୀଶ୍ୱର କବିରାଜ-ଚୌଖମ୍ୱା ପ୍ରକାଶୁନ-୧୯୬୩ ପ୍ରଥମ ଅଙ୍କ-୧୦ମ ଶ୍ଲୋକ ପୃ- ୧୪ ।

 

ତତ୍ରୈବ-ପୃ-୧୨ ।

 

ହାସ ବିନୋଦର ‘‘ରାଜାଙ୍କ ପୁଣ୍ୟ ପ୍ରତାପ ବଳ ସକାଶରୁ ସେ ପୃଥ୍ୱୀ ଲୋକମାନେ କରରେ ଭିକ୍ଷା ପାତ୍ର ଘେନି ଅନ୍ୟ ଦେଶମାନଙ୍କରୁ ତଣ୍ଡୁଳ ମାଗିଆଣି ଉଦର ପୋଷନ୍ତି ।’’ ରାଜାରାଣୀ ସେହି ଭିକ୍ଷା ଅନ୍ନରେ ପାଳିତ । ତାଙ୍କ ରାଣୀ ନୀଳାଧରୀଙ୍କ ‘‘ଲମ୍ବଲମ୍ବ କୁଚ ଭାଲପଟ ଉଚ୍ଚ ।’’ (୫) ହାସବିନୋଦର ରାଜା ରମଣପ୍ରିୟ ନୁହନ୍ତି କିନ୍ତୁ ତାଙ୍କ ଜାମାତା ମାର୍ଜାର ମୁଖା ଓ କନ୍ୟା ବିଲପମୁଖୀଙ୍କର ଜୁଗୁପ୍‌ସିତ ଶୃଙ୍ଗାର ବ୍ୟାପକ ଭାବେ ବର୍ଣ୍ଣିତ । କବିସୂର୍ଯ୍ୟଙ୍କ ହାସ୍ୟକଲ୍ଲୋଳର ରାଜ୍ୟରେ, ‘‘ଗୁଣଜ୍ଞ ଦେଖିଲେ ହୁଅନ୍ତି ରୋଷ, ଅତ୍ର ଗୁଣବନ୍ତ ସମସ୍ତ ଦୋଷ....ସାଧୁଙ୍କୁ ନିନ୍ଦିଲେ ମନରେ ତୋଷ ।’’ ରାଜା ‘‘ସୂର୍ଯୋଦୟ ଘେନି ବେଳ ଦୁଇ ଘଡ଼ି ପର୍ଯ୍ୟନ୍ତ ଅନ୍ତଃପୁରେ ବିଜେ ହୁଅନ୍ତି ।’’ ତାଙ୍କର ମଣୋହି ନିତାନ୍ତ ଲଘୁ, ଚୁଚୁନ୍ଦ୍ରା ମାଂସ ପଲାଉକୁ ପେଚା ପକ୍ଷୀ ଝୋଳ ।’’ (୬) କବିସୂର୍ଯ୍ୟ ଓ ଜଗଦୀଶ୍ୱର କବିରାଜଙ୍କ ବ୍ୟକ୍ତିତ୍ୱ ପ୍ରାୟ ଏକ ପ୍ରକାରର । ଜଗଦୀଶ୍ୱରଙ୍କ ରାଜା ରାଜକାର୍ଯ୍ୟ ପରିଚାଳନା କରନ୍ତି ବେଶ୍ୟାଘରେ । କବିସୂର୍ଯ୍ୟଙ୍କ ରାଜାଙ୍କ ‘ଶ୍ରବଣ (କାନ) ଅଳପକାଲା ।’’ ତେଣୁ ପ୍ରଜାଙ୍କ କଥା ନଶୁଣି ସେ ବେଶ୍ୟା ତୀର୍ଥରେ ପୁଣ୍ୟ କରନ୍ତି । ରାଜତନ୍ତ୍ରରେ ରାଜମହଲରେ କିଏ ବା କାଲା ନଥିଲେ ? ରାଜା ସାକ୍ଷାତ୍ ‘‘ଅଧର୍ମ ଅବତାର’’ ‘‘ଗଧପତି’’ ।

 

୫.

ସୁଧାକର ପଟ୍ଟନାୟକ ସମ୍ପାଦିତ ବ୍ରଜନାଥ ଗ୍ରନ୍ଥାବଳୀ ପୃଷ୍ଠା-୫୯୨ ।

୬.

କବିସୂର୍ଯ୍ୟ ବଳଦେବ ରଥ-ହାସ୍ୟ କଲ୍ଲୋଳ-ସରସ ସାହିତ୍ୟ ସମିତି ପ୍ରକାଶିତ ଏବଂ ସଚ୍ଚିଦାନନ୍ଦ ମିଶ୍ର ସମ୍ପାଦିତ-ପୃ ୨୬-୨୭ ।

 

ମନ୍ତ୍ରୀ-

ହାସ୍ୟାର୍ଣ୍ଣବର ମନ୍ତ୍ରୀ କୁମତିବର୍ମା । ରାଜକାର୍ଯ୍ୟ ପରିଚାଳନାପାଇଁ ସେ ରାଜାଙ୍କୁ ବନ୍ଧୁରା ନାମକ ବେଶ୍ୟା ପ୍ରାଙ୍ଗଣକୁ ନେଇଛନ୍ତି । ଜଣେ ଲୋକର ମୃତ୍ୟୁ ପରେ ପ୍ରାୟଶ୍ଚିତ ଓ ଶୁଦ୍ଧିର ବ୍ୟବସ୍ଥା ଦେବାପାଇଁ ମନ୍ତ୍ରୀ କହନ୍ତି, ‘‘ମୃତ ବ୍ୟକ୍ତିର ପୁତ୍ର ବା ସ୍ତ୍ରୀ ମୁଖରେ ଫୁଟନ୍ତା ଗୋବର ପାଣି ଢାଳିଲେ ମୃତ ବ୍ୟକ୍ତି ସହିତ ତା ସ୍ତ୍ରୀ ପୁତ୍ରାଦି ସ୍ୱର୍ଗକୁ ଗମନ କରିବେ । ହାସବିନୋଦର ମନ୍ତ୍ରୀ ଧର୍ମ ବାରଣ । ସକଳ ପ୍ରକାର ଧର୍ମବିରୋଧୀ ଚିନ୍ତାରେ ସେ ପରିପୂର୍ଣ୍ଣ । ହାସ୍ୟକଲ୍ଲୋଳର ଦେବାନ୍ ହେଲେ ଦୁର୍ବୋଧ ଧୁରନ୍ଧର ବେହିଆ ମହାପାତ୍ର । ସେ ଚାରିଜଣ ବିବାହିତା କନ୍ୟାଙ୍କୁ ସରକାରରେ ରଖାଇବାକୁ ପରାମର୍ଶ ଦିଅନ୍ତି କାରଣ ସ୍ୱାମୀମାନେ ସୁନ୍ଦରୀ ଝିଅଙ୍କୁ ଭୋଗ କଲେ ରାଜ୍ୟ ଅରାଜକ ହେବ । ତାଙ୍କ ପୁରୋହିତ ଲୁଣ ମାଛ, ସାରୁ ଅମଳ କରୁଥିବାରୁ ତାଙ୍କୁ ଶୁଖୁଆ ଜରିମାନା କରି ସେହି ଶୁଖୁଆରେ ଠାକୁରଙ୍କ ଭୋଗ ହେବାକୁ ପରାମର୍ଶ ଦେଇଛନ୍ତି । ତିନିଗୋଟି ଗ୍ରନ୍ଥର ମନ୍ତ୍ରୀଙ୍କ ନାମ ଅନୁରୂପ କାମ ବର୍ଣ୍ଣିତ ।

 

ସେନାପତି-

ହାସ୍ୟାର୍ଣ୍ଣବର ସେନାପତି ରଣ ଜମ୍ବୁକ । ଯେ କବଚ ପରିଧାନ କରି ଚାରିଜଣ କ୍ଷତ୍ରିୟଙ୍କ ସହିତ ଗୋଟିଏ ମଧୁପାନରତ ଭ୍ରମରୀକୁ ହତ୍ୟା କରିଥିବାରୁ ରାଜାଙ୍କ ପ୍ରଶଂସାର୍ହ ହୋଇ ଅଛନ୍ତି । ସେ ତାଙ୍କ ପତ୍ନୀଙ୍କ ପାଦରେ ଲାକ୍ଷାରସ ଦେଖି ରକ୍ତର ଭ୍ରାନ୍ତି ହେତୁ ମୂର୍ଚ୍ଛା ଯାଆନ୍ତି । ‘‘ରକ୍ତଭ୍ରାନ୍ତି ବିଶାତ୍ ଭୟେନ ନିତରାଂ ଗ୍ଲାନେନ୍ଦ୍ରିୟୋ ମେଦିନୀମ୍ ।’’ (୭) ହାସ ବିନୋଦର ସେନାପତି ଜାତିରେ କ୍ଷତ୍ରିୟ ନୁହନ୍ତି । ସେ ହେଉଛନ୍ତି କୁମ୍ଭକାର-ନାମ ଚଣ୍ଡଚକ୍ର ! ସେ, ‘‘ବୀରେ ଗିଦଡ଼ ଧୀରେ ବାଇ’’ ଅର୍ଥାତ୍ ବୀରମାନଙ୍କୁ ଦେଖିଲେ ଗୃଧ୍ରତୁଲ୍ୟ ବସନ୍ତି କିରେ ପଣ୍ଡିତକୁ ଆକ୍ରମଣ କଲାବେଳେ ଉନ୍ମତ୍ତ । କବିସୂର୍ଯ୍ୟଙ୍କ ସେନାପତିମାନେ ପିତୃପୁରୁଷମାନଙ୍କ ପାରମ୍ପରିକ ସଂଜ୍ଞା ବହନ କରି ଛଦ୍ମ ବୀରତ୍ୱ ପ୍ରଦର୍ଶନ କରନ୍ତି ମାତ୍ର କାର୍ଯ୍ୟତଃ ହୀନବୀର୍ଯ୍ୟ । ସେମାନେ ହେଲେ ‘କାଞ୍ଜିବୈରିଗଞ୍ଜନ’, ‘କୁଣ୍ଡା ଶତ୍ରୁଶଲ,’ ‘କଳମ୍ବ ବଳିଆର ସିଂ,’ ‘ମଦରଙ୍ଗା ମେଦିନୀରାୟ’ । ଏମାନେ ‘ଯୁଦ୍ଧ ଦେଖିଲେ ପଛଘୁଞ୍ଚା ଦିଅନ୍ତି’, ‘ଛୁରି ଦେଖିଲେ ହୁରି କରନ୍ତି’, ‘କାତି ଦେଖିଲେ ଛାତି କମ୍ପାନ୍ତି’, ‘ଖଣ୍ଡା ଦେଖିଲେ ଦଣ୍ଡା ହୋଇ ଶୁଅନ୍ତି’, ‘ନଳି ଦେଖିଲେ ଗଳି ଯାଆନ୍ତି’, ‘ସାପ ଦେଖିଲେ ବାପ ବାପ ବୋଲନ୍ତି’, ‘ଲୁହା ଧରାକୁ ଦେଖିଲେ ଜୁହାର ବୋଲି ପଳାନ୍ତି’ । (୮) ବ୍ରଜନାଥଙ୍କ ବୀରମାନେ ପ୍ରୌଢ଼ା ପ୍ରଦର୍ଶନ କାଳରେ କହନ୍ତି, ‘‘ଷଣ୍ଢାସୁର ଆମ୍ଭ ମଉଳାଝିଅ ଭଉଣୀ, ମହିଷାସୁରର ଆମ୍ଭେ ସୋଦର ବାପର ଭାଇ ।’’ (୯)

 

୭.

ହାସ୍ୟାର୍ଣ୍ଣବ ପ୍ରହସନମ୍ ପ୍ରଥମ ଅଙ୍ଗ (୧-୪୪ ଶ୍ଲୋକ)

୮.

ହାସ୍ୟକଲ୍ଲୋଳ (କବିସୂର୍ଯ୍ୟ) ପୃ ୨୪-୨୫

୯.

ହାସବିନୋଦ (ବ୍ରଜନାଥ) ବ୍ରଜନାଥ ଗ୍ରନ୍ଥାବଳୀ, ପୃ ୫୯୩

 

ଜ୍ୟୋତିଷରତ୍ନ-

ଜଗଦୀଶ୍ୱରଙ୍କ ଜ୍ୟୋତିର୍ବିତ୍ ହେଲେ ମହାଯାନ୍ତ୍ରିକ । ସେ ପାଞ୍ଜି ଦେଖି କଲ୍ୟାଣ କରନ୍ତି- ହେ ରାଜା ଆପଣଙ୍କ ଶନିଗ୍ରହ ଗ୍ରହଚକ୍ରର ଅଷ୍ଟମରେ ରହନ୍ତୁ, ମଙ୍ଗଳ ରହନ୍ତୁ ଅଷ୍ଟମରେ । ରାହୁ ରହନ୍ତୁ ରବିଙ୍କ ସହିତ । ପୂର୍ଣ୍ଣିମା ତିଥି ସହିତ ଶନିବାର ଦିନ ଶ୍ରବଣା ନକ୍ଷତ୍ରରେ ବିଛା ଲଗ୍ନରେ ସକାଳେ ଆପଣଙ୍କ ମହାଯାତ୍ରା ହେଉ । ଏହାର ଅର୍ଥ ହେଲା-ଅଷ୍ଟମରେ ଶନି ଶରୀର ପୀଡ଼ା ବଢ଼ାନ୍ତୁ । ମଙ୍ଗଳ ଅଷ୍ଟମରେ ରହି ମୃତ୍ୟୁଯୋଗ ଆଣନ୍ତୁ । ରାହୁ ରବି ଯୋଗରେ ଧନହାନୀ ଘଟୁ । ସବୁଠାରୁ ଅଶୁଭ ଯୋଗରେ ରାଜା ଯଦି ମରନ୍ତି ତାଙ୍କ ଆତ୍ମାର ମୋକ୍ଷ କସ୍ମିନ୍ କାଳେ ସମ୍ଭବ ହେବ ନାହିଁ । ଏଇ ଚମତ୍କାର ବ୍ୟଞ୍ଜନା ବଡ଼ଜେନାଙ୍କ ଜ୍ୟୋତିଷରତ୍ନ ‘ଜ୍ୟୋତିଷମର୍ଦ୍ଦ ‘ନ’ଙ୍କ ଗଣନାରେ ଲକ୍ଷ୍ୟ କରାଯାଏ । ଗଣିତ-ଜ୍ୟୋତିଷ ଜ୍ଞାନ ହେତୁ ସେ କହନ୍ତି ଦିବସ ଚାରି ପହର ରାତି ପାଞ୍ଚ ପହର ଗାଏ ଛଅ ପ୍ରହର । (୧୦) ବ୍ରଜନାଥଙ୍କ ଜ୍ୟୋତିଷମର୍ଦ୍ଦନ ଆଜନ୍ମ ବ୍ରହ୍ମଚାରୀ ଶନିଙ୍କପାଇଁ ନୈବେଦ୍ୟ ଅର୍ପଣ କରନ୍ତି ବିପରୀତ ଦ୍ୟୋତନା ପଦ୍ଧତିରେ । ‘‘ଶନିଙ୍କୁ ଶୃଙ୍ଗାର’’ । ଗୁରୁ ହେଲେ ବୃହସ୍ପତି-‘ଗୁରୁଙ୍କୁ ଅଙ୍ଗାର’ । ମଙ୍ଗଳକୁ ଟେଳା (ଅଫିମ), ‘‘ରବିଙ୍କୁ ମୂଳା’’, ‘‘ଚନ୍ଦ୍ରଙ୍କୁ ଜୋକ’’ ‘‘ଶୁକ୍ରଙ୍କୁ ଭେକ’’ । ଗୁରୁ ଆଲୋକ ଦିଅନ୍ତି ତାଙ୍କୁ ତେଣୁ ଅଙ୍ଗାର ଦେବା ଉଚିତ । ମଙ୍ଗଳ ଅନ୍ୟମାନଙ୍କ ମଙ୍ଗଳ କରିବେ ଅହିଫେନ ସେବନ କଲେ । (୧୧) କବିସୂର୍ଯ୍ୟଙ୍କ ଜ୍ୟୋତିଷ ହେଉଛନ୍ତି, ‘‘ପ୍ରତିକୂଳ ଜ୍ୟୋତିଷରତ୍ନ’’ । ତାଙ୍କର ଆଶୀର୍ବାଦ ପାଣିପରି ବହିଯାଏ ରାଜାଙ୍କୁ ଦେଖିଲେ- ‘‘ଗୋଧାଗୃଧ୍ର ପକ୍ଷୀ ଚ ପେଚକ ପକ୍ଷୀ କୁର୍ବନ୍ତୁ ଚାମଙ୍ଗଳମ୍’’, ହେ ମହାରାଜ ମଙ୍ଗଳବାର ପନ୍ଦର ଦଣ୍ଡ ଥାଉଁ ଶୁକ୍ରବାର ପ୍ରବେଶ ହେବ । ତିଥି ପୂର୍ବାଷାଢ଼ା (ଏହା ତିଥି ନୁହେଁ ନକ୍ଷତ୍ର) ଅଣଚାଶ ଦଣ୍ଡ । ଆୟୁଷ୍ମାନ ନକ୍ଷତ୍ର ବୟାଳିଶ ଦଣ୍ଡ । ଦୁଇପାଦ ଚନ୍ଦ୍ର ପନ୍ଦର ଦଣ୍ଡ । ବାମପାଖ ଶ୍ରୀଅଙ୍ଗ ସ୍ଫୁରୁଥିବା ଦକ୍ଷିଣ ଦିଗକୁ ଯାତ୍ରା-।’’ (୧୨)

 

୧୦

ବ୍ରଜନାଥ ଗ୍ରନ୍ଥାବଳୀ, ପୃ ୬୦୩ ।

୧୧

ବ୍ରଜନାଥ ଗ୍ରନ୍ଥାବଳୀ, ପୃ ୬୨୩ ।

୧୨

ହାସ୍ୟ କଲ୍ଲୋଳ, ପୃ ୨୮ ।

 

ବୈଦ୍ୟଚନ୍ଦ୍ର-

ଜଗଦୀଶ୍ୱରଙ୍କ ବୈଦ୍ୟ ହେଲେ ବ୍ୟାଧିସିନ୍ଧୁ ମହାବୈଦ୍ୟୋପାଧ୍ୟାୟ । (ଯମର ପ୍ରତିଶବ୍ଦ ମହାବୈଦ୍ୟ) ଅଦ୍ଭୁତ ତାଙ୍କର ଚିକିତ୍ସା ପଦ୍ଧତି । କଣ୍ଡୁରୋଗ ହୋଇଛି- ତେବେ ବିଛୁଆତି ପତ୍ର ସହିତ ବାନରୀ ରେଣୁ (ବାଇଡ଼ଙ୍କ) ମିଶାଇ ମାଲିସ କର । କଫ ହୋଇଛି-ଲଗାଅ ଆଖିରେ ଯୋକ ।

 

‘‘କାଶେ ଧୁମ ସ୍ତୁଷାଣାଂ ବଳବତି ମରୁତି ସ୍ୱେଦ ଭେଦୋପବାସା

ବହ୍ନେର୍ମାନ୍ଦେ ଚ ପିଷ୍ଟଂ ସପିଶିତ ମନିଶଂ ଦାରିପାନଂ କଫାର୍ତ୍ତୌ’’

 

କାଶରେ ତଷୁଧୂଆଁ ରଖିବ ପ୍ରବଳ ପବନରେ-ପ୍ରସ୍ୱେଦନରେ ଉପବାସ । ଅଗ୍ନିମାନ୍ଦ୍ୟ ରୋଗକୁ ପିଠା-କଫରେ ଦିନରାତି ଦାରୀପାନ (ବେଶ୍ୟା ଓ ମଦ୍ୟ ଅର୍ଥରେ) କରାଇବ । ପିତ୍ତପାଇଁ କାଞ୍ଜୀ, ସନ୍ମିପାତରେ ଜଳସ୍ନାନ । ‘‘ମମ ଦର୍ଶନତୋ ରୋଗୀ କିଳ ପ୍ରାଣୈର୍ବିମୁଚ୍ୟତେ ।’’ (୧୩) ଦୃଷ୍ଟିହୀନତା ପାଇଁ ତାଙ୍କର ବ୍ୟବସ୍ଥା ହେଲା ତପ୍ତ ଲୌହ ଶଳାକାର ସ୍ପର୍ଶ ।

୧୩- ହା. ପ୍ର. ପୃ ୩୧ ।

 

ବ୍ରଜନାଥଙ୍କ ବୈଦ୍ୟ ହେଲେ ବ୍ୟାଧିବର୍ଦ୍ଧନ ଚୂଡ଼ାମଣି । ‘‘ନେତ୍ର ଭିତର, ମୁତ୍ର ଦୁଆର, ମଳର ମଳି- ଏ ସ୍ଥାନ ମୁଁ ଆଗ ଦେଖଇ ନହୁରୁଣୀରେ ଖୋଳି ।’’ (୧୪)

୧୪- ହା. ବି. (ଗ୍ରନ୍ଥାବଳୀ-ପୃ ୬୦୩) ।

 

‘‘ମୋ ହସ୍ତ ଲାଗିଲେ ମଳୁ ବାଳୁକା ଶଯ୍ୟାକୁ ବିଜେ କରେ ।’’ କାରଣ ତାଙ୍କର ବ୍ୟବସ୍ଥା ଏହିପରି-

 

ଦୁର୍ବଳ ଦେହ ବଢ଼ଇ ଏ ଔଷଧ ବଳେ

ଦିବସରେ ଖାଇବ ମୃତ୍ତିକା ପଳେ ପଳେ

ଦୁଇଦିନ ଘୋଳଦହି ନିଶିରେ ପିଇବ

ଦେଖୁ ଦେଖୁ ଗଣେଶ ଥନ୍ତଲ ପେଟ ହେବ ।

 

‘‘ପେଟ, ପିଠି, ଲାଭି, ଛ କାଠି- ଏତେ ସ୍ଥାନରେ ମୁଦ୍‌ଗର ତାଡ଼ନ କଲେ ତେବେ ସେ ବ୍ୟାଧି ବ୍ରହ୍ମ ତାଳୁକାଳୁ ଉଠି ।’’ (୧୫) କବିସୂର୍ଯ୍ୟଙ୍କ ବୈଦ୍ୟ ପ୍ରାଣାନ୍ତକ ବୈଦ୍ୟଚନ୍ଦ୍ର । ବାତ କଫ ବିକାରପାଇଁ ସେ କହନ୍ତି, ‘‘ଲେମ୍ବୁରସ କର୍ପୁର ପଇଡ଼ ପାଣି ମଣୋହି ହେବ । ସାୟଂକାଳ ସରିକି ମହାଦେଇଙ୍କ ଛାମୁରେ ଭେଟ ଆଜ୍ଞା ହେବ ।’’ (୧୬)

 

୧୫.

ତତ୍ରୈବ ।

୧୬.

ହା. କ. ପୃ ୩୫ ।

 

ନାପିତ-

ହାସ୍ୟାର୍ଣ୍ଣବର ନାପିତ ରକ୍ତକଲ୍ଲୋଳ କହେ ‘‘ମୟିକ୍ଷୁରଂ ଗୃହ୍ମାତି ମନୁଷ୍ୟାଣାଂ ଭବେକ୍ଷଣାଶା ତନୁତାମୁପୈତି ।’’ (୧୭) ହାସବିନୋଦର ନାପିତ କାକକୁଣ୍ଡଳୀ ପୁତ୍ର ମଙ୍ଗଳହୀନ ବଂଶରେ ଜାତ ରକ୍ତ ହିଣ୍ଡୋଳ କହେ, ‘‘ମୋ ହାଥ ଯା ମୁଣ୍ଡେ ଲାଗଇ ତାକୁ ବିଧି ହୁଅଇ ବାମ । X X ଭଦର କଲା ଲୋକ ମଲି ମଲି ଡାକଇ ।’’ (୧୮) ହାସ୍ୟ କଲ୍ଲୋଳରେ ନାପିତ ଚରିତ୍ର ନାହିଁ ।

 

୧୭.

ହା: ପ୍ର. ପ୍ରଥମଅଙ୍କ ୨୮ ଶ୍ଲୋକ ।

୧୮.

ହା: ବି. (ବ୍ରଜନାଥ ଗ୍ରନ୍ଥାବଳୀ-ପୃ-୬୦୪)

 

ପୁରାଣପଣ୍ଡା-

ହାସ୍ୟାର୍ଣ୍ଣବରେ ଗୁରୁ ଓ ପୁରାଣଜ୍ଞ ହେଲେ ମହାନିନ୍ଦକାଚାର୍ଯ୍ୟ, ବିଶ୍ୱଭାଣ୍ଡ, ମଦନାନ୍ଧ ମିଶ୍ର ଏବଂ ମିଥ୍ୟାର୍ଣ୍ଣବ । ଏମାନେ ସମସ୍ତେ କାମୁକ, ଗଣିକା, ଉପାସକ, ଭାଙ୍ଗପ୍ରିୟ । ଗୁରୁମାନେ କପଟ ହରିପ୍ରେମଦ୍ୱାରା ପରସ୍ପରକୁ ଠକିବାକୁ ଚେଷ୍ଟା କରନ୍ତି । ମଦନାନ୍ଧ ମିଶ୍ର କାମଯଜ୍ଞ ନିପୁଣ । ତାଙ୍କର ଉପଦେଶ-ଶହେବର୍ଷର ତପସ୍ୟା ପରିବର୍ତ୍ତେ ପୁଣ୍ୟ ପାଇଁ ବେଶ୍ୟା ଉପାସନା କର । ‘‘ବେଶ୍ୟାରତଂ ଜନଶତାର୍ଜିତ ପୁଣ୍ୟ ଲଭ୍ୟଂ ।’’ (୧୯) ଗୁରୁଦେବ ‘‘ଦିନୋପବାସୀ ତୁ ନିଶାମୀଷାଶୀ’’ ଅର୍ଥାତ୍ ଦିନବେଳେ ଉପବାସ କରନ୍ତି, ରାତିରେ ଆମୀଷ ଭକ୍ଷଣ କରନ୍ତି । ‘ଜଟାଧରଃସନ୍ କୁଳଟାଭିଳାଷୀ’-ଜଟା ଧରିଥିଲେ ମଧ୍ୟ କୁଳଟାଙ୍କଠାରେ ମନ । ହାସବିନୋଦରେ ପୁରୋହିତ ବ୍ରାହ୍ମଣ ବେଧ ବିଦ୍ୟା ନିପୁଣ । ‘‘ପାହାନ୍ତି ଖାଇ ସେ ବାହାନ୍ତି ଗାଈ, ଚାହାଁନ୍ତି କେବଳ ମାଉସୀ ମାଇଁ’’ ପୁରୋହିତ ‘ଭାଣ୍ଡମଣ୍ଡନ’ ରାଜାଙ୍କ ଆଗରେ ‘ବେଧ ବିଦ୍ୟା’ ଗାନ କରିଛନ୍ତି । ସେ ‘ପଣ୍ଡିତ ଲିଙ୍ଗ’ ଉପାଧିରେ ଭୂଷିତ । କବିସୂର୍ଯ୍ୟଙ୍କ ପୁରୋହିତ ଓ ପୁରାଣ ପଣ୍ଡା ଅକଲ୍ୟାଣ ମହାପାତ୍ର ଏବଂ ନିରକ୍ଷର ବାହିନୀପତି । ସେ ପଢ଼ନ୍ତି ‘‘କୌତୁକାର୍ଣ୍ଣବ ପୁରାଣ’’, (ହାସ୍ୟାର୍ଣ୍ଣବ ନାମ ସହିତ ଏହାର ସାଦୃଶ୍ୟ ବିଚାର୍ଯ୍ୟ) ନିରର୍ଥକ ଶ୍ଲୋକଟିଏ ପ୍ରଥମେ ଆବୃତ୍ତି କରି ସେ ପୁରାଣ ପାଠ ଆରମ୍ଭ କରନ୍ତି । ଶ୍ଳୋକଟି ହେଲା-

 

ଗୁଡ଼ସେଠୀ ପୁରୁଷାୟ ଛୋକରାଣୀଚ ଶେଖରୀ

ଖରଂଚ ମନସି ଧ୍ୟାତ୍ୱା ତତୋଜୟମୁଦରୟେତ୍

କୁଳଟାନାଂ ନିସର୍ଗୀୟ ନମସ୍ତସ୍ମୈ ଦୟାଳକେ

ଯେନ ତାଃ ସ୍ୱପତିଂ ହତ୍ୱା ପାଳୟନ୍ତି ପରାପରମ । (୨୦)

 

୧୯.

ହା. ପ୍ର. (୨-୨୭)

୨୦.

ହା. କ. ପୃ ୨୯ ।

 

କୌତୁକାର୍ଣ୍ଣବର ମୁଖ୍ୟ ପ୍ରସଙ୍ଗ ‘କଳି-ଦୁର୍ନୀତି ସମ୍ବାଦ’ ଯାହାର ବାଣୀ ହେଉଛି- ‘‘ସେବ୍ୟତାଂ ପାପକର୍ମାଣି ତ୍ୟଜ୍ୟତାଂ କୃତିନୋ ଜନାଃ’’ ।

 

ବେଶ୍ୟା-

ହାସ ବିନୋଦରେ ବେଶ୍ୟା ଚରିତ୍ର ନାହିଁ । କିନ୍ତୁ ହାସ୍ୟ କଲ୍ଲୋଳରେ ଥିବା ବେଶ୍ୟା ଚରିତ୍ରଟି ହାସ୍ୟାର୍ଣ୍ଣବ ପ୍ରହସନମ୍‍ର ଅନୁରୂପ । ହାସ୍ୟାର୍ଣ୍ଣବର ବେଶ୍ୟା ‘ବନ୍ଧୁରା-(ରୂପାଜୀବ୍ୟ ପୁଣି ବନ୍ଧୁରିତ ଗାତ୍ରା ।) ବନ୍ଧୁରା ବର୍ଷାଋତୁର ପ୍ରତୀକ ବସନ୍ତ ଋତୁର ନୁହେଁ । ତେଣୁ ତାର ରୂପ ବର୍ଣ୍ଣନାରେ ବର୍ଷାଋତୁର ଶ୍ଲେଷାର୍ଥ ନିହିତ ।

 

ଯଥା- ପ୍ରଲମ୍ବିତ ପୟୋଧରା କ୍ଷତରଜା ବିକାରାସ୍ପଦଂ

ସଦା ବିଗତ ହଂସକା ତିମିର ଲୁପ୍ତତାରା ରୁଚିଃ

ତିରସ୍କୃତ ନିଶାକରା ଗତବୟା ଇୟଂ ବନ୍ଧୁରା

ସଦା ସପଦି ଦୃଶ୍ୟତାଂ ଜଳଧରାଗମ ଶ୍ରୀରିବ ।(୨୧)

 

୨୧.

ହା. ପ୍ର ୧-୨୩ ।

 

ରୂପବର୍ଣ୍ଣନା ଅର୍ଥରେ-

ସ୍ତନଦ୍ୱୟ ପ୍ରଲମ୍ବିତ, କ୍ଷତରଜା ହେତୁରୁ (ବୃଦ୍ଧାମାନଙ୍କର ରଜସ୍ରାବ ହୁଏ ନାହିଁ) । ଦେଖିଲେ ବିକାର ଆସେ, ପାଦରେ ହଂସକ (ପଦାରଂକାର) ନଥାଏ, ଦେହରେ ଜ୍ୟୋତି ନାହିଁ ଅନ୍ଧକାର ନଥିଲେ ତାରା ଯେପରି ଅନୁଜ୍ଜ୍ୱଳ ଦିଶେ, ରୂପ କାଳିମାରେ ରାତିକୁ ନିନ୍ଦାକରେ-ଏପରି ବୃଦ୍ଧା ତୁଲ୍ୟ ରୂପ ବହିଛି ବନ୍ଧୁରା ।

 

ବର୍ଷାଋତୁ ଅର୍ଥରେ-

ବର୍ଷା କାଳରେ ମେଘ ନଇଁ ଆସେ, ବିକାର ଜନ୍ନାଉଥିବା ଧୂଳି ମରିଯାଏ, ହଂସମାନେ ନଥାନ୍ତି, ତାରା ଅନ୍ଧକାର ମଧ୍ୟରେ ଲୁପ୍ତ ହୁଅନ୍ତି, ଚନ୍ଦ୍ର ତିରସ୍କୃତ ହୁଅନ୍ତି, ପ୍ରକୃତି ବୁଢ଼ୀଟିଏ ପରି ବନ୍ଧୁରା ହୋଇଯାଏ । ଜଗଦୀଶ୍ୱରଙ୍କ ବେଶ୍ୟାର ‘ଭଗଂ ଶୁଷ୍କଂ’ ‘ଅଧୋମୁଖେ ଶ୍ମୁଶ୍ରୁ ଶ୍ରେଣୀ’ । (୨୨) ହାସ ବିନୋଦର ‘ଜେମା ଦେଇଙ୍କ ମୁଖରେ ଗଜୁରି ଆସୁଛି ନିଶ’ ଜଗଦୀଶ୍ୱରଙ୍କ ବେଶ୍ୟା ବୃଦ୍ଧା, ‘‘ତଥାପି ବଚନେ ଜାଗର୍ତ୍ତି ପୁଷ୍ପାୟୁଧଃ ।’’ କବିସୂର୍ଯ୍ୟଙ୍କ ବେଶ୍ୟା-‘‘ଲେଭିଡ଼ି, ଥୋବଡ଼ି, ଲେସିଡ଼ି, ଭେଷିଡ଼ି, ଦାନ୍ତୁଡ଼ି’’ ସେମାନଙ୍କ ନେତ୍ରରେ ନରକଧାମ, କେନ୍ଦୁକାଠ ପରି ଶ୍ୟାମ, ଭ୍ରୂଲତା ମଧ୍ୟରେ ଖାଲି ଆଖିରେ ପରଳ ଜାଲ, ଭାତୁଡ଼ି ଭରତି ଗାଲ ।’’ କବିସୂର୍ଯ୍ୟଙ୍କର ଶିଳ୍ପ ଲୋକରେ ଥିବା ରାଜଦରବାର ମଧ୍ୟକୁ ସୁନ୍ଦରୀ କନ୍ୟାମାନଙ୍କୁ ପତିଙ୍କଠାରୁ ଅପହରଣ କରି ଅଣାଯାଏ । ‘‘ପାରମ୍ପର୍ଯ୍ୟ କ୍ରମରେ ମହାରାଜାଙ୍କ ଦରବାରରେ ଚଳିଆସୁଥିବା ନ୍ୟାୟକୁ ବିଚାରିଲେ ସେ ଚାରି କନ୍ୟାଙ୍କୁ ସରକାରକୁ ଆଣିବାକୁ ହେବ । X X ନୋହିଲେ ରାଜଧର୍ମକୁ ବହୁତ ଅସୁନ୍ଦର ଦିଶିବ ।’’ (୨୩) (ରାଜଧର୍ମ ଓ ବ୍ୟଭିଚାର ସମ୍ପର୍କରେ ପ୍ରଚ୍ଛନ୍ନ ଇଙ୍ଗିତ ଏଥିରେ ନିହିତ ।)

 

୨୧.

ତତ୍ରୈବ ।

୨୨.

ହା: କ. ପୃ-୩୨ ।

 

ଉପର୍ଯ୍ୟୁକ୍ତ ଚରିତ୍ରମାନଙ୍କୁ ବିଚାର କଲେ ଦେଖାଯିବ ଯେ ଚରିତ୍ରମାନେ ନିଜ ନିଜ ନାମ ଅନୁରୂପ କାର୍ଯ୍ୟ ସମ୍ପାଦନ କରିଛନ୍ତି । କବିସୂର୍ଯ୍ୟ ଓ ବ୍ରଜନାଥଙ୍କ କଥାରେ ଚରିତ୍ରମାନଙ୍କୁ ନିର୍ବାଚନ କଲାବେଳେ ଜଗଦୀଶ୍ୱର କବିରାଜଙ୍କୁ ସେମାନେ ସ୍ମରଣ କରିଛନ୍ତି ।

 

ଜୁଗୁପ୍‌ସିତ ଶୃଙ୍ଗାର ପ୍ରସଙ୍ଗ-

ହାସ୍ୟାର୍ଣ୍ଣବ । ହାସ ବିନୋଦ ଓ ହାସ୍ୟ କଲ୍ଲୋଳରେ ଯେଉଁ ଶୃଙ୍ଗାରର ପ୍ରସ୍ତାବନା କରାଯାଇଛି ତାହା ମନରେ ଜୁଗୁପ୍‌ସା ସୃଷ୍ଟି କରୁଥିବାରୁ କେହି କେହି ଏ ତିନିଗୋଟି ଗ୍ରନ୍ଥରେ ଶୃଙ୍ଗାରରସ ରସାଭାସରେ ପରିଣତ ହୋଇଛି ବୋଲି ମତପ୍ରଦାନ କରିଛନ୍ତି । ଶୃଙ୍ଗାର ପରିବର୍ତ୍ତେ ବୀଭତ୍ସରସର ପ୍ରାଧାନ୍ୟ ପ୍ରାୟଶଃ ତିନିଗୋଟି ଗ୍ରନ୍ଥରେ ରକ୍ଷିତ । ଦୃଷ୍ଟାନ୍ତ ସ୍ୱରୂପ ହାସ୍ୟାର୍ଣ୍ଣବରେ ମଦନାନ୍ଧ ମିଶ୍ରର କାମଯଜ୍ଞ ପ୍ରସଙ୍ଗରେ କୁହାଯାଇଛି-

 

ବେଦୀ ସଜ୍ଜଘନଞ୍ଚ ତତ୍ର ପରିସରେ କୁଣ୍ଡଂ ବରାଙ୍ଗମ୍ ପଳଂ

ନୈବେଦ୍ୟାୟ କୁଚ ଦ୍ୱୟଂ ମୃଗଦୃଶଃ କାମାନଳଃ ପ୍ରୋଜ୍ଜ୍ୱଳଃ

ହୋତାହଂ ଖଳୁ ହବ୍ୟ ଶୁତ୍ର ନିବହଃ ଶେଫଃ ସ୍ରୁବୋର୍ବର୍ତ୍ତତେ

ନିତ୍ୟଂ ପଞ୍ଚଶରାଧ୍ୱରଂ ତ୍ୟଜତି କଃ ସଦ୍ୟଃ ସୁଖଂ ଯତ୍‌ଫଳଂ । (୨୪)

 

୨୪.

ହା: ପ୍ର ୨-୧୬ ।

 

ବେଶ୍ୟାକନ୍ୟା ମୁଗାଙ୍କ ଲେଖାର ଜଘନ ସ୍ଥାନ ହେଉଛି ବେଦୀ, ତତ୍‌ ପରିସରରେ ଥିବା ବରାଙ୍ଗ (ଶ୍ରେଷ୍ଠ ଅଙ୍ଗ ଯୋନୀ) ହେଉଛି କୁଣ୍ଡ, ନୈବେଦ୍ୟ ନିମନ୍ତେ ଆବଶ୍ୟକ ଫଳ ହେଳେ କୁଚଦ୍ୱୟ, ହୋତାର କାମନା ହେଉଛି ହୋମାଗ୍ନି, ମୁଁ ମଦନାନ୍ଧ ମିଶ୍ର ହୋମକର୍ତ୍ତା, ମୋର ଶୁକ୍ର ହେଉଛି ଘୃତ, ଶେଫ (ଲିଙ୍ଗ) ହେଉଛି ସ୍ରୁବ । ପ୍ରତ୍ୟହ ସଦ୍ୟ ସୁଖ ଲାଭଫଳ ନିମନ୍ତେ ଯଜ୍ଞମାର୍ଗକୁ କିଏ ବା ତ୍ୟାଗ କରିପାରିବ ?

 

ଅନ୍ୟ ସ୍ଥାନରେ ଶ୍ଲୀଳତାର ସୀମା ଲଂଘନ କରି ଜଗଦୀଶ୍ୱର ଲେଖିଛନ୍ତି-

 

ନିଷ୍କ୍ରାମତି ଶିଶୋକାୟା ଯେନ ରନ୍ଧ୍ରେଣ ଯୋଷିତଃ

କିଂ କରିଷ୍ୟତି ତକ୍ରାୟଂ ବଟୁ ଶିଶ୍ନ ଶଳାକୟା ।

 

ନାରୀର ଯେଉଁ ରନ୍ଧ୍ର ଦେଇ ଶିଶୁର ଶରୀର ବହିର୍ଗତ ହୋଇଥାଏ, ସେଠାରେ ଏଇ ବଟୁ (ବାଳକ ଅର୍ଥରେ) ଶଳାକାତୁଲ୍ୟ ଶିଶ୍ନ (ଉପସ୍ଥ)ଦ୍ୱାରା କ’ଣ କରିବ ?

 

ବୀଭତ୍ସ ଶୃଙ୍ଗାରର ଅରୁଚିକର ଦୃଷ୍ଟାନ୍ତ ହାସ୍ୟାର୍ଣ୍ଣବରେ ସୁପ୍ରଚୁର । ହାସବିନୋଦରେ, ‘‘ବିଳାପମୁଖୀକି ଘେନି ମାର୍ଜାରମୁଖା ବହୁତ ସୁଖ ଭୋଗ କଲେ । କିରୂପେ ଭୋଗ କଲେକିମଶାଣିଚିଆଁ ଚାଟୁ, କଣ୍ଟକ ଆଲିଙ୍ଗନ, ମଡ଼ାସଡ଼ା ଚୁମ୍ବନ, ଲାଭିରସପାନ, ନାସିକାଚଳା ରସନା, ଘଣ୍ଟିକା ଲଗା ଦନ୍ତଘାତ, ହାଡ଼ବୁଡ଼ା ନଖକ୍ଷତ, ଘୋଟକ ସୁରତ, ମହିଷିଆ ବିପରୀତ X X ଇତ୍ୟାଦିରେ ସୁଖଭୋଗ କରି ଚଉରାଶି ରସ ଭୋଗ କଲେ । (୨୫) ହାସ୍ୟ କଲ୍ଲୋଳରେ ଅଛି- ସ୍ତ୍ରୀ ପୁରୁଷ ଯୋଡ଼ିଏ ଜାତି, ବାଟେଘାଟେ ଯେବେ ଭେଟାଭେଟି ହୋନ୍ତି । ପୂର୍ବ ପରିଚୟେ ନୋହେ କାହାର କେହି । ମୁଲାକତ ହେବାକ୍ଷଣେ ସମ୍ଭାଷଣ ଏହି । ତୁମ୍ଭେ କିଏ ସେ ? ନା ତୁମ୍ଭେ କିଏ ସେ-? ଆମ୍ଭେ ପୁରୁଷ, ନା ଆମ୍ଭେ ସ୍ତ୍ରୀ । ତୁମ୍ଭେତ ପୁରୁଷ, ଆମ୍ଭେତ ସ୍ତ୍ରୀ । ତୁମ୍ଭେ ଆମ୍ଭେ ସାଙ୍ଗ ହେବାକି ? ଭଁଇଚ ଲଟାକୁ ଯିବା କି-? ହାସ୍ୟ କଲ୍ଲୋଳରେ ଉତ୍କଟ ଏବଂ ବୀଭତ୍ସ ରତି ରସର ଦୃଷ୍ଟାନ୍ତ ନାହିଁ ।

 

୨୫.

ହା. ବି- ବ୍ରଜନାଥ ଗ୍ରନ୍ଥାବଳୀ- ୫୯୬ ପୃଷ୍ଠା ।

 

ବିପରୀତ ବାଣୀ ବିଳାସ-

ଜଗଦୀଶ୍ୱର କବିରାଜ ହାସ୍ୟ ସୃଷ୍ଟିପାଇଁ ବିରୋଧାତ୍ମକ ଏବଂ ବିପରୀତାତ୍ମକ ନାନାକଥା କହିଛନ୍ତି ଯାହା କବିସୂର୍ଯ୍ୟ ଏବଂ ବ୍ରଜନାଥଙ୍କୁ ବିଶେଷଭାବେ ପ୍ରଭାବିତ କରିଛି । ନିମ୍ନଲିଖିତ ଦୃଷ୍ଟାନ୍ତ ଲକ୍ଷ୍ୟଣୀୟ ।

 

ଆଶୀର୍ବଚନ- ହାସ୍ୟାର୍ଣ୍ଣବରେ ଅଛି-

 

ସ୍ୱଳ୍ପାୟର୍ଭବ ସାମ୍ପ୍ରତଂ ଚିରରିପୁର୍ମାଜୀବ ଦଣ୍ଡ ଦ୍ୱୟଂ

ବକ୍ଷସ୍ତେ ଖର କଣ୍ଟକୋ ନିବିଶତାଂ ଭୋଗୀଗଳେ ଚୁମ୍ବତୁ

ଅନ୍ୟୋଷାମପରାଧତସ୍ତବ ଶିରୋ ରାଜ୍ଞାଚ ସଂଯମ୍ୟତାଂ

ହା ଭକ୍ତୋ ଭବ ସର୍ବଦା ତବଗୃହେ ବହ୍ନିଃ ସଦା ନୃତ୍ୟତୁ । (୨୬)

 

୨୬.

ହା. ପ୍ର. ୧-୩୩ ।

 

ତୁମେ ଆଜୀବନ ଶତ୍ରୁ ସହିତ ବାସ କର । ତୁମର ଆୟୁ କ୍ଷୟ ହେଉ । ଦି ଦଣ୍ଡବି ବଞ୍ଚିନାହିଁ । ପ୍ରଖର କଣ୍ଟକଦ୍ୱାରା ତୁମ ବକ୍ଷ ବିଦ୍ଧ ହେଉ । ଗଳାରେ ଥାଇ ଭୋଗୀ (ସର୍ପ) ତୁମକୁ ଚୁମ୍ବନ କରୁ । ଅନ୍ୟର ଅପରାଧ ପାଇଁ ରାଜା ତୁମ ମୁଣ୍ଡ କାଟନ୍ତୁ । ତୁମେ ‘ହା ଅନ୍ନ’ ଚିତ୍କାର କରୁଥାଅ । ଅଗ୍ନିତୁମ ଘରେ ନାଚନ୍ତୁ । ଜ୍ୟୋତିଷର କଲ୍ୟାଣ-ଶ୍ଲୋକଟି ପୂର୍ବରୁ ଆଲୋଚିତ ହୋଇଛି-। କଳହାଙ୍କୁର ନାମକ ଜନୈକ ଶିଷ୍ୟ ରାଜାଙ୍କୁ ଦେଖି କହିଛି- ହେ ରାଜା ତୁମର ଶତ୍ରୁ ବଢନ୍ତୁ, ଭୟ ବଢୁ, ରୋଗ ବଢୁ, ଋଣ ବଢୁ, ପାପ ବଢୁ । ପୁଣି ବୃଦ୍ଧି ହେଉ ତୁମର ତୁର୍ମତି ଓ ଦୁର୍ଗତି । ଏଇ ଷଡ଼ ବୃଦ୍ଧିରେ ସମୃଦ୍ଧ ହୁଅ । (୨୭) ବ୍ରଜନାଥଙ୍କ ଆଶୀର୍ବାଦ ଶ୍ଲୋକ ଏହିପରି-

 

ଅଷ୍ଟଚଣ୍ଡୀ କରାଳୀଚ ଚାମୁଣ୍ଡା ଭଦ୍ର କାଳିକା

ଖାଇ ବଂଶ ତୁଚ୍ଛା ତୋର କରନ୍ତୁ ନିଜ ମନ୍ଦିର ।

ସନ୍ନିପାତଂ ତ୍ରିଦୋଷଂଚ ଉଦରୀ ଗ୍ରହଣୀ ହଗା

ତାଲୁକା କାମଳ ବ୍ୟାଧି ପାଇ ସର୍ବେ ସୁଖୀ ହୁଅ । (୨୮)

 

୨୭.

ହା. ପ୍ର. ପୃ- ୧୭ ।

୨୮.

ବ୍ରଜନାଥ ଗ୍ରନ୍ଥାବଳୀ ପ-୬୦୦ ।

 

ଅନ୍ୟତ୍ର ଅଛି- ଚଣ୍ଡଚକ୍ର ଛାମୁରେ ମାର୍ଜାର ମୁଖା ଭେଟି ଦୁଇପାଦ ତୋଳି ନମସ୍କାର କରନ୍ତେ ଚଣ୍ଡଚକ୍ର କଲ୍ୟାଣ କଲେ, ‘‘ଶତାୟୁର୍ଭବ ।’’ (୨୯)

 

କବିସୂର୍ଯ୍ୟଙ୍କ ଆଶୀର୍ବାଦ ଶ୍ଲୋକ ହେଲ-

 

ରାସଭ ସ୍କନ୍ଧମାରୁଢ଼ୌ ଗୃଧ୍ର ଗୋମାୟୁ ଭକ୍ଷତାଂ

କୁଟୁମ୍ବଃ କ୍ଷୀଣତାଂ ଯାତୁ ଯୋଷିତ୍ ଭ୍ରଷ୍ଟା ତବସ୍ତୁହ

ଆଶୀର୍ବାଦଃ ଶିରଃଚ୍ଛେଦଃ ପତ୍ନୀ ଭ୍ରଷ୍ଟଂ ତଥୈବଚ

ପୁତ୍ରପୌତ୍ରାଃ କ୍ଷୟଂଯାନ୍ତୁ ନିଷ୍କୁଟୁମ୍ବା ସୁଖୀ ଭବ । (୩୦)

 

୨୯.

ତତ୍ରୈବ ପୃ- ୫୯୪ ।

୩୦.

ହା. କ. ପୃ-୨୭ ।

 

ଶ୍ଲୋକଟିରେ ଅଶୁଦ୍ଧତା ସ୍ଥାନେ ସ୍ଥାନେ ଅନୁପ୍ରବେଶ କରିଛି କାରଣ ପୁରାଣ ପଣ୍ଡା ଶୁଦ୍ଧ ଭାଷା ଜାଣେ ନାହିଁ । ଏହାର ଅର୍ଥ ହେଲା, ହେ ରାଜା, ତୁମ କାନ୍ଧରେ ଗଧ ଚଢ଼ୁ (କାରଣ ତୁମେ ଗଧ ପତି) । ତୁମକୁ ଗିଧ ଓ ଶିଆଳ ଖାଆନ୍ତୁ । ତୁମ ବଂଶ କ୍ଷୀଣ ହେଉ, ତୁମ ଯୋଷା (ପତ୍ନୀ ଅର୍ଥରେ) ମରୁ । ତୁମ ମୁଣ୍ଡ କଟୁ । ପତ୍ନୀ ତୁମକୁ ଛାଡ଼ୁ, ପୁଅ ନାତି ମରନ୍ତୁ, କୁଟୁମ୍ବନାଶ ହୋଇ ସୁଖରେ ରୁହ । ଚିରାଚରିତ ଆଶୀର୍ବାଦର ବୈପରୀତ୍ୟ ପ୍ରସ୍ତାବନା ପଦ୍ଧତିର ଅଗ୍ରଦୂତ ହେଲେ ଜଗଦୀଶ୍ୱର ଯାହାକୁ ଅତି ବିଶ୍ୱସ୍ତ ଭାବେ ବ୍ରଜନାଥ ଓ କବିସୂର୍ଯ୍ୟ ଗ୍ରହଣ କରିନେଇଛନ୍ତି । ରୂପ ବର୍ଣ୍ଣନା କ୍ଷେତ୍ରରେ, ସାମାଜିକ ଚଳଣୀ କ୍ଷେତ୍ରରେ, ଗୁରୁ ଶିଷ୍ୟ, ଗୁରୁଜନ ଲଘୁଜନ କ୍ଷେତ୍ରରେ ପରମ୍ପରାର ବୈପରୀତ୍ୟ ପ୍ରଦର୍ଶନ କରାଇବାର ଆଦର୍ଶ ହାସ୍ୟାର୍ଣ୍ଣବ, ହାସବିନୋଦ ଏବଂ ହାସ୍ୟକଲ୍ଲୋଳରେ ସମ ପ୍ରକାରରେ ବିଳସିତ ହୋଇଛି ।

 

ଅସଙ୍ଗତିର ଅବତାରଣା-

ଜଗଦୀଶ୍ୱର କବିରାଜ ଦୃଶ୍ୟ ଅସଙ୍ଗତି, ଶ୍ରବ୍ୟ ଅସଙ୍ଗତି ଔପମାନିକ ଅସଂଗତି ଆଦିଦ୍ୱାରା ହାସ୍ୟ ସୃଷ୍ଟିର ଯେଉଁ ଆଦର୍ଶ ଥୋଇଛନ୍ତି ବ୍ରଜନାଥ ଓ କବିସୂର୍ଯ୍ୟ ତାହାକୁ ନିର୍ବିଚାରରେ ଗ୍ରହଣ କରିନେଇଛନ୍ତି । ହାସ୍ୟାର୍ଣ୍ଣବରେ ବନ୍ଧୁରାର ‘ଅଧୋମୁଖେ ଶ୍ମଶ୍ରୂଶ୍ରେଣୀ’’ ହାସ-ବିନୋଦରେ-ଜେମାଦେଇଙ୍କ ମୁଖରେ ଗଜୁରି ଉଠିଥିବା ନିଶ, ହାସ୍ୟ କଲ୍ଲୋଳରେ ବେଶ୍ୟାର ଭାତୁଡ଼ି ଭରତି ଗାଲ ଆଦି ଦୃଶ୍ୟ ଅସଙ୍ଗତିର ଉଦାହରଣ । ହାସ୍ୟାର୍ଣ୍ଣବରେ ଗୁରୁଶିଷ୍ୟଙ୍କ କଳହ- ‘ତୋ ହାତ ଓଠ କାଟିଦେବି, ତୋ ଲିଙ୍ଗ କାଟିଦେବି’ ଶ୍ରବ୍ୟ ଅସଙ୍ଗତିର ଦୃଷ୍ଟାନ୍ତ । କବିସୂର୍ଯ୍ୟଙ୍କ ଦରବାରରେ ମନ୍ତ୍ରୀ କହନ୍ତି- ‘କନ୍ୟାର ଭାଇ ନଥିଲେ ତାକୁ ମାମୁଁ ଭୋଗ କରିବା କଥା,’ ଦେବାଳୟ ନୀତି ପାଇଁ ଶୁଖୁଆ ବ୍ୟବସ୍ଥା-ସବୁଥିରେ ଶ୍ରବ୍ୟ ଅସଙ୍ଗତି । ବ୍ରଜନାଥଙ୍କ ନାୟକ ନାୟିକାପାଇଁ ଅଦ୍ଭୁତ ଅଳଂକାର ଆଣିଦେବାର ପ୍ରତିଶ୍ରୁତି ଦେଇଛି-ଦଉଡ଼ିରେ ଗୁନ୍ଥି ଦେବି କଉଡ଼ିର ମାଳୀ, ଗେଣ୍ଡାର ସୁନ୍ଦର ନୋଥ ନାକେ ଦେବି ବାଳା’ । ତିନିଗୋଟି ଗ୍ରନ୍ଥରେ ପାଠକ ସମ୍ମୁଖରେ ଅଛି ଗୁଡ଼ାଏ ଅସଂଗତ ଦୃଶ୍ୟ । ଉପମାରେ ଅସଂଗତି-ହାସ୍ୟାର୍ଣ୍ଣବରେ ଅଛି ‘‘ମାର୍ଜାର ଚାରୁ ନୟନା ଘଟ ପୀନ ମଧ୍ୟ/ପ୍ରୋତ୍ତୁଙ୍ଗ ପୀନ କୁଚ ଚୁମ୍ବିତ ନାଭି ଦେଶା’’- ଏହାକୁ ହାସବିନୋଦର ମୃଦଙ୍ଗ ମୋଟ କଟି, ରାତ୍ରିଚରମୁଖୀ, ମଣ୍ଡୁକ ଅଧରୀ କରାଳ ନେତ୍ରୀ ଏବଂ ହାସ୍ୟ କଲ୍ଲୋଳର ଚିତ୍ରଗୁପ୍ତ ପରି ସମର୍ଥ, କୀର୍ତ୍ତି- ଧାନସିଝା-ହାଣ୍ଡିମଣ୍ଡଳି, ମହାରାଜା ସାକ୍ଷାତ ଗଧପତି, ଭୂମିଶବର ସହିତ ତୁଳନା କରାଯାଇ ପାରେ । ଯାତ୍ରାକାଳରେ ଶୁଭ ମୁହୂର୍ତ୍ତରେ ‘ଅନୁକୂଳ’ ବିଧି କେବଳ ଶାସ୍ତ୍ରୋକ୍ତ ନୁହେଁ, ଏହା ଆମ ବିଶ୍ୱାସର ଏକ ବିଚିତ୍ର ବଳୟ । ଜଗଦୀଶ୍ୱର, ବ୍ରଜନାଥ ଓ କବିସୂର୍ଯ୍ୟଙ୍କ ଅନୁକୂଳ ବିଧି ଦେଖନ୍ତୁ-ହାସ୍ୟାର୍ଣ୍ଣବ- ରାଜା ବିଜେ କରିବେ । ତେଣୁ ଆଦେଶ ଦିଆଗଲା-

 

ଘଟୟତ ଘଟଜାଳଂ ତୋୟଶୂନ୍ୟଂ ପୁରସ୍ତାତ୍

ପଥି ତୁଷ ନଖଲେଖା କ୍ଷିପ୍ୟତାଂ ଭୋନିଯୁକ୍ତାଃ ।

ନିଜ ପୁର ପରିଚର୍ଚ୍ଚାଂ କର୍ତ୍ତୁମେବାୟମୁକ୍ତଃ

ନୃପତିରନୟସିନ୍ଧୁଃ ତୂର୍ଣ୍ଣ ମାଗଚ୍ଛତୀହ । (୩୧)

 

୩୧.

ହା. ପ୍ର ୧-୯ ।

 

ମହାରାଜା ଅନୟସିନ୍ଧୁ ଶୀଘ୍ର ଆଗମନ କରୁଛନ୍ତି, ତେଣୁ ହେ କର୍ମଚାରୀଗଣ, ଜଳଶୂନ୍ୟ ଘଟମାନ ରାଜମାର୍ଗରେ ରାଜାଙ୍କ ସମ୍ମୁଖରେ ରଖ, ପଥରେ ତୁଷ ଫିଙ୍ଗ, ନଖରେ ଗାର କାଟ, ନିଜ ପୁରର ପରିଚର୍ଚ୍ଚା ଲକ୍ଷ୍ୟରେ ରାଜ ଅବରୋଧ ମୁକ୍ତ ହୋଇ ସେ ଆସୁଛନ୍ତି ।

 

ହାସବିନୋଦ- ପୂର୍ଣ୍ଣକୁମ୍ଭ କରି ତୈଳ ଘଟ ସ୍ଥାପଇ, ଶୁଷ୍କ ମାଂସ ଉପରେ ଥୋଇ ଚିତାଭସ୍ମେ ଲେଖଇ, କାଫଡ଼ ଚୂର୍ଣ୍ଣ ନାସାରେ ଭରି ବିଧବା ନାରୀ ଝୁଣ୍ଟି ଦିଅଇ । (୩୨)

 

୩୨.

ହା. ବ. (ଗ୍ରନ୍ଥାବଳୀ ପୃ-୬୦୪) ।

 

ହାସ୍ୟ କଲ୍ଲୋଳ- ପ୍ରଭାତରୁ ଦେଶନ୍ୟାୟ ନିମିତ୍ତରେ ଯିବାକୁ ତୁଚ୍ଛା ମାଠିଆ, ଭାଲିଆ ପଲମ, ତଷୁ ଛେଲୁଆ, ତୈଳ କଳସୀ, ବାଳବିଧବା ସ୍ତ୍ରୀ ନାଗସାପ, କପାମଞ୍ଜି, କଳା ବିରାଡ଼ି-ଏପରି ସମସ୍ତ ଅନୁକୂଳ ସମ୍ଭାର ରଖି X X ଶ୍ରୀଛାମୁରେ ବାହାରି ଆସିଲି । (୩୩)

 

୩୩.

ହା. କ. ପୃ-୩୪ ।

 

ଉପସଂହାର-

ରୀତି ଯୁଗର ଦୁଇଜଣ କୃତବିଦ୍ୟ କବି ପଦ୍ୟ ଛାଡ଼ି ଗଦ୍ୟ ଆଡ଼କୁ ମନୋନିବେଶ କଲେ ସିନା, କିନ୍ତୁ ସଂସ୍କୃତ ସାହିତ୍ୟାଦର୍ଶକୁ ଛାଡ଼ି ପାରିଲେ ନାହିଁ । ଏମାନେ ନିଜ ନିଜ ସୃଷ୍ଟିରେ କେତେଦୂର ମୌଳିକ ତାହା ବିଚାର କରିବାପାଇଁ ଏହି ଆଲୋଚନା କରାଯାଇଛି ।

 

ଟୋଲଙ୍କ, ବାଲେଶ୍ୱର

***

 

ରାମାୟଣର ଅହଲ୍ୟା-ଉଦ୍ଧାର ପ୍ରସଙ୍ଗ-ଏହାର ଉଦୟ ଓ ବିକାଶ :

Unknown

ଏକ ଅଧ୍ୟୟନ

ଡକ୍‌ଟର ମଧୁସୂଦନ ମିଶ୍ର

 

ଅବତରଣିକା :

ମହର୍ଷି ଗୌତମଙ୍କର ଅନିନ୍ଦ୍ୟସୁନ୍ଦରୀ ପତ୍ନୀ ଅହଲ୍ୟାଙ୍କର ରୂପଲାବଣ୍ୟରେ ପ୍ରଲୁବ୍‌ଧ ଦେବରାଜ ଇନ୍ଦ୍ର ଗୌତମଙ୍କର ଆଶ୍ରମରେ ଅନୁପସ୍ଥିତିର ସୁଯୋଗ ନେଇ ଅହଲ୍ୟାଙ୍କୁ ଉପଭୋଗ କରିବା ପରେ ଗୌତମଙ୍କର ପ୍ରତ୍ୟାଗମନ କାଳରେ ସେ ଆଶ୍ରମରୁ ଗମନୋଦ୍ୟତ ହେଉଥିବା ବେଳେ ତାଙ୍କଦ୍ୱାରା ଅଭିଶପ୍ତ ହେବା ଓ ଶେଷରେ ପରପୁରୁଷ ସହିତ ରତିକ୍ରୀଡ଼ା କରିବା ଦୋଷରେ ଗୌତମଙ୍କଦ୍ୱାରା ଅହଲ୍ୟା ଅଭିଶପ୍ତା ହେବା ବିଷୟ ରାମାୟଣରେ ସାଧାରଣ ଭାବରେ ଅହଲ୍ୟା ଉପାଖ୍ୟାନ ଭାବରେ ପ୍ରସିଦ୍ଧି ଅର୍ଜନ କରିଛି । ତେବେ ଗୌତମଦ୍ୱାରା ପ୍ରଦତ୍ତ ଅଭିଶାପଗୁଡ଼ିକ କ‘ଣ ଥିଲା ଓ ସେହି ଅଭିଶାପରୁ ଉଦ୍ଧାର ପାଇବାର ଉପାୟ କ’ଣ ଥିଲା ଏବଂ ସର୍ବଶେଷରେ ଅଭିଶାପର ପରିଣତି କ’ଣ ହୋଇଥିଲା-ସେ ବିଷୟରେ ଭିନ୍ନ ଭିନ୍ନ ଗ୍ରନ୍ଥରେ ଭିନ୍ନ ଭିନ୍ନ ପ୍ରକାରର ତଥ୍ୟ ପରିବେଷିତ ହୋଇଛି । ତେବେ ଗୌତମ କର୍ତ୍ତୃକ ଅଭିଶାପ ମଧ୍ୟରେ ଯେଉଁ ଅଭିଶାପଟି ସର୍ବାଧିକ ପ୍ରସିଦ୍ଧି ଅର୍ଜନ କରିଛି, ତାହା ହେଉଛି ଅହଲ୍ୟା ପାଷାଣ ଖଣ୍ଡରେ ରୂପାନ୍ତରିତ ହେବା ଓ ପରବର୍ତ୍ତୀ କାଳରେ ରଘୁବଂଶ ପ୍ରଦୀପ ରାମଚନ୍ଦ୍ରଙ୍କର ପଦସ୍ପର୍ଶରେ ପୁନଶ୍ଚ ନିଜର ମାନବୀ ଶରୀରକୁ ଫେରି ପାଇବା । ଏହା ସାଧାରଣତଃ ‘‘ଅହଲ୍ୟା-ଉଦ୍ଧାର କଥା’’ ନାମରେ ନାମିତ । ଅବଶ୍ୟ ଏହି କଥାଟି ବାଲ୍ମୀକି ରାମାୟଣରେ ସ୍ଥାନ ପାଇ ନାହିଁ । ଅନ୍ୟ ପ୍ରାଦେଶିକ ରାମାୟଣରେ ଏହା ଦେଖିବାକୁ ମିଳିଥାଏ । ମୂଳ ରାମାୟଣର ବାଳକାଣ୍ଡ ଓ ଉତ୍ତରାକାଣ୍ଡରେ ଅବଶ୍ୟ ଶତ୍ରୁ-ଅହଲ୍ୟା ବିଷୟକ କଥା ଅଛି । କିନ୍ତୁ ତାହା ଭିନ୍ନ ପ୍ରକାରର । ତେବେ କେଉଁ ପରିସ୍ଥିତିରେ ବୀଲ୍ମୀକି ରାମାୟଣର କଥାବସ୍ତୁର ମର୍ମ ଲୋକଲୋଚନର ଅନ୍ତରାଳକୁ ଚାଲିଗଲା ଓ ଅନ୍ୟ ଏକ ନୂତନ ପ୍ରସଙ୍ଗ ଅତ୍ୟନ୍ତ ପ୍ରସିଦ୍ଧି ଅର୍ଜନ କଲା । ତାହା କହିବା ଅସମ୍ଭବ । ତେବେ ଗବେଷଣାରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ଏହାର ଯୁକ୍ତିନିଷ୍ଠ ଉତ୍ତର ଦେବା ନିମନ୍ତେ ଏଥିରେ ପ୍ରୟାସ କରାଯାଇଛି ।

 

ବାଲ୍ମୀକି ରାମାୟଣ (ଅଧ୍ୟାୟ ୪୮ ଓ ୪୯, ବାଳକାଣ୍ଡ)ରେ ଶକ୍ର-ଅହଲ୍ୟାଶାପ ଓ ଅହଲ୍ୟା ଶାପମୋକ୍ଷ-ଏହିପରି ଦୁଇଟି କଥା ରହିଛି । ସେହି କଥାର ସାରାଂଶ ଏହିପରି-ଏକଦା ଆଶ୍ରମରେ ଗୌତମ ଅନୁପସ୍ଥିତ । ତାଙ୍କର ପତ୍ନୀ ଅହଲ୍ୟା ଅନୁପମା ସୁନ୍ଦରୀ । କାମାର୍ଥୀ ଦେବରାଜ୍‍ ଇନ୍ଦ୍ର ଅହଲ୍ୟାଙ୍କ ରୂପରେ ପ୍ରଲୁବ୍‌ଧ ହୋଇ ଆଶ୍ରମରେ ପ୍ରବେଶ କରି ସ୍ୱକୀୟ ରତିବାସନା ପ୍ରକଟ କଲେ । ଅହଲ୍ୟା ଛଦ୍ମବେଶୀ ଇନ୍ଦ୍ରଙ୍କୁ ଜାଣି ସୁଦ୍ଧା ତାଙ୍କ ସହିତ ହେଲେ ରତିମଗ୍ନା । ରତିକ୍ରୀଡ଼ା ପରେ ଅତ୍ୟନ୍ତ ତୃପ୍ତ ହୃଦୟରେ ସେ ଇନ୍ଦ୍ରଙ୍କୁ କହିଲେ- ‘‘ହେ ସୁରବର ! ଆପଣ ମୋର ଓ ନିଜର ମାନରକ୍ଷା କରି ଏଠାରୁ ଶୀଘ୍ର ଗମନ କରନ୍ତୁ । କିନ୍ତୁ ପ୍ରତ୍ୟାବର୍ତ୍ତନ କାଳରେ ଅତ୍ୟନ୍ତ ସଂତୃପ୍ତ ନୟନରେ ଇନ୍ଦ୍ର ମହାତପା ଗୌତମଙ୍କୁ ନିଜ ଆଶ୍ରମ ମଧ୍ୟକୁ ପ୍ରବେଶ କରୁଥିବାର ଦେଖି ଇନ୍ଦ୍ରଙ୍କ ମୁଖମଣ୍ଡଳ ମଳିନ ହୋଇଗଲା । ତତ୍ପରେ ମୁନିବେଶୀ ଦୁରାଚାରୀ ଇନ୍ଦ୍ରଙ୍କୁ ଗୌତମ ଅଭିଶାପ ଦେଲେ- ‘‘ହେ ଦୁର୍ମତି ! ମୋର ରୂପ ଧାରଣ କରି ତୁମେ ଘୋର ଅପକର୍ମ କରିଛ । ତାହା ଫଳରେ ତୁମେ ଅଣ୍ଡକୋଷହୀନ ହେବ ।’’ ଏହା ତତ୍‌କ୍ଷଣ ପ୍ରତିଫଳିତ ହେଲା ଓ ଇନ୍ଦ୍ର ଅଣ୍ଡକୋଷହୀନ ହେଲେ । ତତ୍ପରେ ସେ ଅହଲ୍ୟାଙ୍କୁ ଅଭିଶାପ ଦେଲେ-‘‘ତୁମେ ଏଠାରେ ବହୁ ସହସ୍ର ବର୍ଷ ନିରାହାରରେ ରହିବ । ବାୟୁଭକ୍ଷଣ କରି ଅନୁତାପରେ ରଜୋରାଶିରେ ଶୟନ କରିବ । ତୁମେ ଏଠାରେ କୌଣସି ଜୀବ ମଧ୍ୟ ଦର୍ଶନ କରିବ ନାହିଁ । ତୁମେ ସମସ୍ତଙ୍କ ନିମନ୍ତେ ଅଦୃଶ୍ୟା ହୋଇଯିବ । ଯେବେ ଦଶରଥ ନନ୍ଦନ ଦୁର୍ଜୟ ରାମଚନ୍ଦ୍ର ଏ ଘୋର ଅଟବୀ ମଧ୍ୟକୁ ପ୍ରବେଶ କରିବେ, ସେତେବେଳେ ତୁମେ ପବିତ୍ରତା ହୋଇ ତାଙ୍କୁ ଆତିଥ୍ୟ ପ୍ରଦାନ କରିବ । ତତ୍ପରେ ଆତିଥ୍ୟର ଫଳସ୍ୱରୂପ ତୁମେ ତୁମର ପୂର୍ବଶରୀର (ମାନବୀ ରୂପ) ଫେରି ପାଇବ ।’’ ତତ୍ପରେ ଗୌତମ ସିଦ୍ଧଚାରଣ ସେବିତ ହିମବନ୍ତ ଶିଖରକୁ ଗମନ କରନ୍ତେ ଅହଲ୍ୟା ହେଲେ ତପୋନିମଗ୍ନା । ତ୍ରେତୟା ଯୁଗରେ ବିଶ୍ୱାମିତ୍ରଙ୍କ ସହ ମିଥିଳାଗମନ ସମୟରେ ରାମ ଅହଲ୍ୟାଙ୍କ ସତ୍କାର ସ୍ୱୀକାର କରିବା ପୂର୍ବକ ତାଙ୍କୁ ଉଦ୍ଧାର କରିଥିଲେ । ଏହା ହିଁ ହେଉଛି ବାଲ୍ମୀକି ରାମାୟଣର ଅହଲ୍ୟା-ଉଦ୍ଧାର ଉପାଖ୍ୟାନ । ଏଠାରେ ଲକ୍ଷ୍ୟ କରିବାର କଥା ଯେ ବାଲ୍ମୀକି ରାମାୟଣରେ ଗୌତମଙ୍କର ଅଭିଶାପ ଯୋଗୁଁ ଅହଲ୍ୟା ପ୍ରସ୍ତର ଖଣ୍ଡରେ ରୂପାନ୍ତରିତ ହେବା ବିଷୟ ଆଦୌ ନାହିଁ-। ଏଣୁ ଏ କଥାପ୍ରସଙ୍ଗ ପ୍ରଥମେ କେଉଁ ପରିସ୍ଥିତିରେ କେଉଁ ଗ୍ରନ୍ଥରେ ପ୍ରଥମେ ସଂଯୋଜିତ ହୋଇ ଏପରି ଅନନ୍ୟ ପ୍ରସିଦ୍ଧି ପାଇଲା ଏହା ଗବେଷଣା ସାପେକ୍ଷ, ଯାହାକି ଏ ପ୍ରବନ୍ଧର ମୁଖ୍ୟ ଉଦ୍ଦେଶ୍ୟ-। ଏହା ବ୍ୟତୀତ ଶକ୍ର ଅହଲ୍ୟାଙ୍କର ରତିବିଷୟକ ଆଖ୍ୟାନ ପ୍ରଥମେ ରାମାୟଣରେ ବର୍ଣ୍ଣିତ, ନା ଏହା ପୂର୍ବର ବୈଦିକ ସାହିତ୍ୟରୁ ଆନୀତ-ଏହି ପ୍ରଶ୍ନର ମଧ୍ୟ ସମାଧାନ କରିବା ମୋର ଉଦ୍ଦେଶ୍ୟ । ଏଣୁ ଇନ୍ଦ୍ରଅହଲ୍ୟା କଥାନକର ଉତ୍ପତ୍ତି, ସ୍ଥିତି, ବିକାଶ ଓ ବିବର୍ତ୍ତନ ତଥା ପରିବର୍ତ୍ତନ ବିଷୟକ ପ୍ରଶ୍ନମାନଙ୍କର ଏକ ତଥ୍ୟନିଷ୍ଠ ଉତ୍ତର ପ୍ରଦାନ କରିବା, ଅହଲ୍ୟା ପ୍ରସ୍ତର ଖଣ୍ଡରେ ପରିଣତ ହେବା କଥାର ମୂଳ ପ୍ରକୃତି ଓ ତାର କାରଣ ଅନୁଧ୍ୟାନ ଏବଂ ସର୍ବୋପରି ଏହି କଥାର ଆଧୁନିକ ବ୍ୟାଖ୍ୟା ସମୂହର ଅବତାରଣା ଏହି ପ୍ରବନ୍ଧର ମୁଖ୍ୟ ଉଦ୍ଦେଶ୍ୟ ।

 

ଅହଲ୍ୟାଙ୍କର ଜୀବନ ବୃତ୍ତାନ୍ତ- ଶତପଥବ୍ରାହ୍ମଣ (୩-୩-୪-୧୮), ଜୈମିନୀୟ ବ୍ରାହ୍ମଣ (୨-୭୯) ଓ ଷଡ଼୍‌ବିଂଶ ବ୍ରାହ୍ମଣ ( ୧-୧-୨୦) ଅନୁସାରେ ଅହଲ୍ୟାଙ୍କର ମୂଳ ନାମ ଥିଲା ମୈତ୍ରେୟୀ । ଭାଗବତ (୯-୨୧) ଅନୁସାରେ ତାଙ୍କ ପିତାଙ୍କ ନାମ ମୁଦ୍‌ଗଳ ବଧ୍ରଶ୍ୱ ଓ ମାତା ହେଲେ ମେନକା (ହରିବଂଶ ୧-୩୨) । ଅହଲ୍ୟା ହେଉଛନ୍ତି ପ୍ରଜାପତି ବ୍ରହ୍ମାଙ୍କର ମାନସ-ପୁତ୍ରୀ । ‘ହଳ’ ଶବ୍ଦର ଅର୍ଥ ବିରୂପତା । ଏଣୁ ‘ହଲ୍ୟ’ ଶବ୍ଦର ଅର୍ଥ ହେବ ବିରୂପତା ଯୋଗୁଁ ପ୍ରାପ୍ତ ନିନ୍ଦା । ସେ ହଲ୍ୟ ନଥିବାରୁ ଇନ୍ଦ୍ର ତାଙ୍କର ନାମକରଣ କଲେ ଅହଲ୍ୟା (ବାଲ୍ମୀକି ରାମାୟଣ, ଉତ୍ତରକାଣ୍ଡ, ୩୦-୨୫) । ପରେ ବ୍ରହ୍ମା ଏହାଙ୍କୁ ଶାରଦ୍‌ବତ ଗୌତମଙ୍କ ନିକଟରେ ନ୍ୟାସରୂପରେ ରଖିଥିଲେ । ବିବାହ ଯୋଗ୍ୟା ହୁଅନ୍ତେ ଗୌତମ ଅହଲ୍ୟାଙ୍କୁ ବ୍ରହ୍ମାଙ୍କ ନିକଟକୁ ପଠାଇଲେ । ଗୌତମଙ୍କର ଜୀତେନ୍ଦ୍ରିୟତ୍ୱ ଓ ତପଃସିଦ୍ଧିକୁ ଦେଖି ବ୍ରହ୍ମା ଅହଲ୍ୟାଙ୍କୁ ଗୌତମଙ୍କ ସହିତ ବିବାହ କରିଦେଲେ (ବାଲ୍ମୀକି ରାମାୟଣ, ଉତ୍ତରକାଣ୍ଡ, ୩୦-୨୯, ବିଷ୍ଣୁ ପୁରାଣ ୪-୧୯, ମତ୍ସ୍ୟପୁରାଣ-୫୦ ତମ ଅଧ୍ୟାୟ) । ତେବେ ଅହଲ୍ୟାଙ୍କର ଲୋକତ୍ରୟ ସାରଭୂତ ସୌନ୍ଦର୍ଯ୍ୟସଂପନ୍ନ ଶରୀରରେ ଆକର୍ଷିତ ହୋଇ ଇନ୍ଦ୍ର, ବରୁଣ, ଅଗ୍ନି, ଅନ୍ୟାନ୍ୟ ଦେବତା ଓ ଦାନବକୁଳ ତାଙ୍କୁ ବିବାହ କରିବାକୁ ଇଚ୍ଛୁକ ଥିଲେ-। ବ୍ରହ୍ମା ଏ ବିବାହ ନିମନ୍ତେ ଗୋଟିଏ ସର୍ତ୍ତ ରଖିଲେ । ସର୍ତ୍ତଟି ହେଲା-ଯିଏ ପ୍ରଥମେ ପୃଥିବୀକୁ ପ୍ରଦକ୍ଷିଣ କରି ପ୍ରତ୍ୟାବର୍ତ୍ତନ କରିବ, ସେ ଅହଲ୍ୟାଙ୍କୁ ବିବାହ କରିବ । ସେଥିରେ ସମ୍ମତ ହୋଇ ସମସ୍ତେ ପୃଥିବୀ ପ୍ରଦକ୍ଷିଣରେ ବାହାରିଲେ । ଗୌତମ ପୃଥ୍ୱୀ ସହିତ ତୁଳନୀୟ । ଅର୍ଦ୍ଧପ୍ରସୂତା ଧେନୁ ଓ ଗୋଟିଏ ଲିଙ୍ଗକୁ ପ୍ରଦକ୍ଷିଣ କରି ପ୍ରଥମେ ବ୍ରହ୍ମାଙ୍କ ନିକଟରେ ପହଞ୍ଚିଲେ । ବ୍ରହ୍ମା ଗୌତମଙ୍କର ବିଚକ୍ଷଣ ବିଚାର ଓ ବୁଦ୍ଧିମତାରେ ସନ୍ତୁଷ୍ଟ ହୋଇ ତାଙ୍କୁ ଅହଲ୍ୟା ଦାନ କଲେ । ଏହାପରେ ଦେବତାମାନେ ପୃଥ୍ୱୀ ପ୍ରଦକ୍ଷିଣ କରି ଦେଖିଲେ ଯେ ବିବାହ ସରିଯାଇଛି । ଏଥିରେ ଦେବରାଜ୍ ଇନ୍ଦ୍ର ଅତ୍ୟନ୍ତ ଦୁଃଖିତ ହେଲେ । କାରଣ ସେ ଅହଲ୍ୟାଙ୍କୁ ପାଇବା ନିମନ୍ତେ ଅତ୍ୟନ୍ତ ଆଶାୟୀ ଥିଲେ-। ବିବାହ ପରେ ଗୌତମ ଅହଲ୍ୟାଙ୍କୁ ସାଙ୍ଗରେ ନେଇ ବ୍ରହ୍ମଗିରି ପର୍ବତକୁ ତପସ୍ୟା ଉଦ୍ଦେଶ୍ୟରେ ଗମନ କଲେ ।

 

ଅହଲ୍ୟାଙ୍କର ଭ୍ରଷ୍ଟତା–ଗଣେଶ ପୁରାଣ ଅନୁଯାୟୀ ନାରଦଙ୍କଦ୍ୱାରା ଅହଲ୍ୟାଙ୍କର ରୁପସ୍ତୂତି କରାଯାଆନ୍ତେ ଇନ୍ଦ୍ର ଅତ୍ୟନ୍ତ କାମାସକ୍ତ ହୋଇପଡ଼ିଲେ ଓ ଗୌତମଙ୍କର ଆଶ୍ରମ ଦିଗକୁ ଅଗ୍ରସର ହେଲେ । ପରେ ଗୌତମଙ୍କ ପତ୍ନୀ ଅହଲ୍ୟା ଓ ଇନ୍ଦ୍ରଙ୍କ ମଧ୍ୟରେ ଶାରୀରିକ ମିଳନ ଅନୁଷ୍ଠିତ ହେଲା (ଦ୍ରଷ୍ଟବ୍ୟ ବ୍ରହ୍ମପୁରାଣ ୮୭,୧୨୨, ବାଲ୍ମୀକିରାମାୟଣ, ଉତ୍ତରକାଣ୍ଡ, ୩୦-୩୨, ସ୍କନ୍ଦପୁରାଣ ୧-୨-୫୨) । ସ୍ୱୀୟ ଆଶ୍ରମକୁ ଗୌତମ ପ୍ରତ୍ୟାବର୍ତ୍ତନ କରନ୍ତେ ଅହଲ୍ୟା ପତିଙ୍କର ପଦସ୍ପର୍ଶକରି ସମସ୍ତ ବୃତ୍ତାନ୍ତ ତାଙ୍କ ନିକଟରେ କହିଲେ, କାରଣ ସେ ନିଜର ଅପକର୍ମ ଯୋଗୁ ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲେ । (ଗଣେଶ ପୁରାଣ, ୧-୩୦)

 

ଏହା ସତ୍ତ୍ୱେ ଛଦ୍ମବେଶୀ ଇନ୍ଦ୍ର ପ୍ରତିଦିନ ଗୌତମଙ୍କ ବେଶଧାରଣ କରି ଅହଲ୍ୟାଙ୍କ ସହିତ ନିତ୍ୟ ରତିକ୍ରୀଡ଼ାରେ ମଗ୍ନ ହେଉଥିଲେ । ବିଦ୍ୟାର୍ଥୀଗଣ ଏହା ଦେଖି ଦିନେ ଗୌତମଙ୍କୁ ଏହା କହିଲେ । ଥରେ ଅହଲ୍ୟାଙ୍କୁ ଉପଭୋଗ କରି ମାର୍ଜାର ରୂପରେ ପଳାୟନ କରୁଥିବା ସମୟରେ ଇନ୍ଦ୍ରଙ୍କୁ ଗୌତମ ଚିହ୍ନିପାରି ଅଭିଶାପ ଦେଲେ (୧) ତୁ ତ୍ରିଶଙ୍କୁଦ୍ୱାରା ପରାଜିତ ହେବୁ, (୨) ମନୁଷ୍ୟଲୋକରେ ଜାରକର୍ମର ପ୍ରଥମ କର୍ତ୍ତା ହୋଇ ଏହାର ପ୍ରାରମ୍ଭ କରିଥିବାରୁ ପ୍ରତ୍ୟେକ ଜାରକର୍ମର ଅର୍ଦ୍ଧେକ ପାପର ତୁ ଭାଗୀ ହେବୁ ଓ (୩) ଦେବତାରାଜ୍ୟର ଅଧ୍ୟକ୍ଷସ୍ଥାନ ତୋତେ ମିଳିବ ନାହିଁ (ଦ୍ର-ଉତ୍ତରକାଣ୍ଡ, ୩୦ତମ ଅଧ୍ୟାୟ) । ତୁ ମଧ୍ୟ ଅଣ୍ଡକୋଷବିହୀନ ହେବୁ (ବାଳକାଣ୍ଡ, ଅଧ୍ୟାୟ ୪୮) ।

 

ତେବେ ଗୌତମକର୍ତ୍ତୃକ ଅହଲ୍ୟା ଶାପ ବିଷୟରେ ବିଭିନ୍ନ ପ୍ରକାରର ତଥ୍ୟ ପ୍ରାପ୍ତ ହୋଇଥାଏ । ବାଲ୍ମୀକି ରାମାୟଣ (ବାଳକାଣ୍ଡ, ଅଧ୍ୟାୟ ୪୮) ଅନୁସାରେ ଗୌତମ କହିଲେ ‘‘ହେ ଅହଲ୍ୟା ! ତୁମେ ଏହିଠାରେ ନିରାହାରରେ ବାୟୁ ଭକ୍ଷଣକରି ଅନୁତପ୍ତ ହୋଇ ଧୁଳିରେ ଶୋଇବା ପୂର୍ବକ ସହସ୍ରବର୍ଷ ଅତିବାହିତ କରିବ । ତୁମକୁ କେହି ଜୀବ ଦେଖିବେ ନାହିଁ ଅର୍ଥାତ୍ ସମସ୍ତ ଜଗତ ନିମନ୍ତେ ତୁମେ ଅଦୃଶ୍ୟା ହେବ ।’’

 

‘‘ଇହ ବର୍ଷ ସହସ୍ରାଣି ବହୁନି ତ୍ୱଂ ନିବତ୍ସ୍ୟସି ।

ବାୟୁଭକ୍ଷ୍ୟ ନିରାହାରା ତପନ୍ତୀ ଭସ୍ମଶାୟିନୀ ।।୪୮। ୩୦।।

ଅଦୃଶ୍ୟା ସର୍ବଭୁତାନାମାଶ୍ରମେଽସ୍ମିନ୍ ନିବତ୍ସ୍ୟସି ।’’

 

ଏଥିରୁ ଜଣାପଡ଼େ ଯେ ମୂଳ ବାଲ୍ମୀକି ରାମାୟଣ ଅନୁଯାୟୀ ଗୌତମ ଅହଲ୍ୟାଙ୍କୁ ଶିଳାଖଣ୍ଡରେ ରୂପାନ୍ତରିତ ହେବାପାଇଁ ଅଭିଶାପ ଦେଇନଥିଲେ ।

 

ପୁନଶ୍ଚ ବ୍ରହ୍ମପୁରାଣ (୮୭-୫୯) ଅନୁସାରେ ବ୍ରହ୍ମାତନୟା ଅହଲ୍ୟା ଗୌତମଙ୍କୁ ବିବାହ କରିଥିଲେ । ତେବେ ଗୌତମଙ୍କର ଅହଲ୍ୟାପ୍ରାପ୍ତିରୂପକ ସୌଭାଗ୍ୟକୁ ଇନ୍ଦ୍ର ଅତ୍ୟନ୍ତ ଈର୍ଷା କରୁଥିଲେ । ତେଣୁ ଏକଦା ସେ ଗୌତମଙ୍କ ଆଶ୍ରମକୁ ଆସିଲେ ଓ ନିଜର କାମୁକ ଚକ୍ଷୁକୁ ଅହଲ୍ୟାଙ୍କ ଆଡ଼େ ଫେରାଇଲେ । ଥରେ ଗୌତମଙ୍କ ଅନୁପସ୍ଥିତରେ ଇନ୍ଦ୍ର ଗୌତମଙ୍କ ବେଶ ଧାରଣ କରି ତାଙ୍କ ଆଶ୍ରମକୁ ପ୍ରବେଶ କଲେ । ଗୌତମରୁପଧାରୀ ଇନ୍ଦ୍ରଙ୍କୁ ଅହଲ୍ୟା ଚିହ୍ନିପାରିଲେ ନାହିଁ ଏବଂ ତାଙ୍କ ସହିତ ରତି ରସରେ ନିମଗ୍ନା ହେଲେ । ଇତ୍ୟବସରରେ ଗୌତମ ଶିଷ୍ୟମାନଙ୍କ ସହିତ ଆଶ୍ରମକୁ ଫେରିଆସନ୍ତେ ଗୌତମ ଆଗମନ ବିଷୟ ଜାଣି ଇନ୍ଦ୍ର ମାର୍ଜାରରୁପ ଧାରଣ କରି ପଳାୟନ କରୁଥିବା ବେଳେ ଗୌତମ ତାଙ୍କୁ ଚିହ୍ନି ପାରିଲେ । ତେବେ ଅହଲ୍ୟାଙ୍କୁ ଏଥିରେ ଅତ୍ୟନ୍ତ ବିଚଳିତା ହେଉଥିବାର ଦେଖି ଗୌତମ ତାଙ୍କୁ ଶାପ ଦେଲେ ଯେ ତୁ ଗୋଟିଏ ଶୁଷ୍କନଦୀରେ ପରିଣତ ହେବୁ । ବ୍ରହ୍ମପୁରାଣ ଅନୁସାରେ-

 

‘‘ତାମପ୍ୟାହ ମୁନିଃ କୋପାତ୍ ତ୍ୱଞ୍ଚ ଶୁଷ୍କନଦୀ ଇବ ।’’

 

ଏଣୁ ବ୍ରହ୍ମପୁରାଣ ଅନୁସାରେ ଅହଲ୍ୟା ଗୌତମଙ୍କ ଶାପରୁ ଶୁଷ୍କନଦୀରେ ରୂପାନ୍ତରିତ ହୋଇଥିଲେ । ତେବେ ଅହଲ୍ୟାଙ୍କର ଶିଳାଖଣ୍ଡରେ ରୂପାନ୍ତରିତ ହେବା ପ୍ରସଙ୍ଗ ଅତ୍ୟନ୍ତ ଜଟିଳ ସମସ୍ୟା ସୃଷ୍ଟି କରିଥାଏ । ମହାଭାରତରେ ଗୌତମଙ୍କଦ୍ୱାରା ଅହଲ୍ୟାଙ୍କୁ କୌଣସି ଅଭିଶାପ ପ୍ରଦତ୍ତ ହୋଇଥିବାର ଉଲ୍ଲେଖ ନାହିଁ । ବାଲ୍ମୀକି ରାମାୟଣର ବାଳକାଣ୍ଡ ଅନୁସାରେ ଗୌତମ କର୍ତ୍ତୃକ ଅଭିଶାପ ଯୋଗୁ ଅହଲ୍ୟା ଅଦୃଶ୍ୟା ହୋଇଗଲେ । ତେବେ ଉତ୍ତରକାଣ୍ଡ (୩୦-୩୭-୩୮) ଅନୁସାରେ ଗୌତମ କହିଲେ ଯେ ତମର ରୂପ ମାଧୁର୍ଯ୍ୟ ଯୋଗୁ ହିଁ ଏହି ଅନର୍ଥ ସୃଷ୍ଟିହେଲା, ଏଣୁ ଆଜିଠାରୁ ପୃଥିବୀରେ ତୁମେ ହିଁ ଏକମାତ୍ର ସୁନ୍ଦରୀ ହୋଇ ରହିବ ନାହିଁ । ସମସ୍ତ ମାନବଜାତି ତୁମେ ସୌନ୍ଦର୍ଯ୍ୟରେ ଭାଗୀଦାର ହେବ-

 

‘‘ତସ୍ମାଦ୍ରୂପବତୀ ଲୋକେ ନ ତ୍ୱମେକା ଭବିଷ୍ୟସି ।।

ରୁପଂ ଚ ତେ ପ୍ରଜାଃ ସର୍ବା ଗମିଷ୍ୟନ୍ତି ନ ସଂଶୟଃ ।’’

 

ତେବେ ବାଳକାଣ୍ଡରେ ଗୌତମ କହିଛନ୍ତି ଯେ ରାମଙ୍କୁ ଆତିଥ୍ୟ ପ୍ରଦାନ କରିବା ପରେ ତୁମେ ତୁମର ପୂର୍ବଶରୀର ଧାରଣ କରି ମୋ ନିକଟକୁ ପ୍ରତ୍ୟାବର୍ତ୍ତନ କରିବ । ସେଠାରେ ପ୍ରଯୁକ୍ତ ହୋଇଥିବା ବାକ୍ୟାଂଶ ‘‘ସ୍ୱଂ ବପୁର୍ଧାରୟିଷ୍ୟସି’, (ବାଳକାଣ୍ଡ, ୪୮-୩୩) ଯୋଗୁ ସମ୍ଭବତଃ ପାର୍ବତୀ ଅନ୍ୟ କେଉଁ ରୂପରେ (ବିଶେଷତଃ ଶିଳାଖଣ୍ଡରେ) ରୂପାନ୍ତରିତ ହୋଇଥିବାର ଧାରଣା ଉତ୍ପନ୍ନ ହେଲା । ତେବେ ନିମ୍ନରେ ସେ ବିଷୟରେ ବିଶଦ ଆଲୋଚନା କରିବା ।

 

ଅହଲ୍ୟାଙ୍କର ପାଷାଣ ରୂପ ପ୍ରସଙ୍ଗ–ଗୌତମଙ୍କଦ୍ୱାରା ପ୍ରଦତ୍ତ ଅଭିଶାପରୁ ଅହଲ୍ୟା ଶିଳାଖଣ୍ଡରେ ରୂପାନ୍ତରିତ ହୋଇଥିବା ପ୍ରସଙ୍ଗ ଅନେକ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି । ସେମାନଙ୍କ ମଧ୍ୟରେ ଆନନ୍ଦ ରାମାୟଣ (୧-୩-୧୬-୨୧), ସ୍କନ୍ଦପୁରାଣ (୧-୨-୧୨) ରେବାଖଣ୍ଡ, ଅଧ୍ୟାୟ ୧୩୬, ନାଗରଖଣ୍ଡ, (ଅଧ୍ୟାୟ ୨୦୮) ରଘୁବଂଶମ୍ (୧୧-୩୪), ନୃସିଂହ ପୁରାଣ (ଅଧ୍ୟାୟ୪୭), କଥାସରିତ୍‌ସାଗର (୩-୧୭), ମହାନାଟକ (୩-୧୭), କମ୍ବନ୍‌ ରାମାୟଣ (୧-୯), ସାରଳା ମହାଭାରତ (ମଧ୍ୟପର୍ବ), କୃତ୍ତିବାସ ରାମାୟଣ (୧-୫୯), ରାମଚରିତମାନସ (୧-୨୧୦), ଭାବାର୍ଥ ରାମାୟଣ (୧-୧୪) ରଙ୍ଗନାଥ ରାମାୟଣ (୧-୨୯), ରାମକିୟେନ (ଅଧ୍ୟାୟ ୬) ଅନ୍ୟତମ ।

 

ଆନନ୍ଦରାମାୟଣ ୧-୩-୨୩ ଅନୁସାରେ ଅହଲ୍ୟା ଜନସ୍ଥାନରେ ନଦୀରୁପରେ ପ୍ରକଟ ହୋଇଥିଲେ । ଏହା ମଧ୍ୟ ବ୍ରହ୍ମପୁରାଣ (୮୭-୫୯)ରେ କଥିତ ହୋଇଛି । ତେବେ ସେହି ଆନନ୍ଦ ରାମାୟଣରେ ମଧ୍ୟ ଅହଲ୍ୟାଙ୍କର ଶିଳାଖଣ୍ଡରେ ରୂପାନ୍ତରିତ ହେବା ପ୍ରସଙ୍ଗ ବର୍ଣ୍ଣିତ । ପାଠକମାନଙ୍କ ଅବଗତି ନିମନ୍ତେ ଆନନ୍ଦରାମାୟଣର ସେହି ଅଂଶ ୧-୩-୧୬-୨୦ ଉଦ୍ଧାର କରୁଛି-

 

ଗମନାବସରେ ମାର୍ଗେ ଭର୍ତ୍ତୃଶପ୍ତାଂ ଶିଳାଂ ମୁନିଃ ।

ମୁନିରୂପମହେନ୍ଦ୍ରେଣ ଭୁକ୍ତାଂ ରହସି ଶୋଭନାମ୍ ।।୧୬।।

ଗୌତମସ୍ୟାଙ୍ଗନା ନାମ୍ନା ହ୍ୟହଲ୍ୟାଂ କଥୟତ୍ତୟୋଃ ।

ବ୍ରହ୍ମଣା ନିର୍ମିତାଽହଲ୍ୟା ଦ୍ୱିମୁଖୀ ଗୋଃ-ପରିକ୍ରମାତ୍ ।।୧୭।।

 

ଦତ୍ତା ପୁରା ଗୌତମାୟ ବିସୃଜ୍ୟେନ୍ଦ୍ରାଦିକାନ୍ ସୁରାନ୍ ।

ତତ୍‌ ସ୍ମରନ୍ ମଘବା ବୈରଂ ତା ଭୁକ୍ତ୍ୱା ମୁନିଶାପତଃ ।।୧୮।।

ସହସ୍ରଭଗବାନ୍ ଜାତଃ ସହସ୍ର ଲୋଚନସ୍ତତଃ ।।୧୯।।

ଶ୍ରୀରାମଚନ୍ଦ୍ରୋ ନିଜପାଦପଦ୍ମସ୍ପର୍ଶେନ ତାଂ ଗୌତମଧର୍ମପତ୍ନୀମ୍ ।

 

ନିଷ୍କଲ୍ମଷାମଦ୍ଭୁତରୁପଯୁକ୍ତାଂ ଚକାର ଦେବଃ କରୁଣାସମୁଦ୍ରଃ ।।୨୦।।

ନଦୀରୂପା ଜନସ୍ଥାନେଽହଲ୍ୟା ଗୌତମଶାପତଃ ।

ରାମେଣ ଭ୍ରମତାଽରଣ୍ୟେ ସ୍ୱାଘ୍ରିଂସ୍ପର୍ଶାତ୍ ସମୁଦ୍ଧୃତା ।।୨୧।।

 

ପଦ୍ମ ପୁରାଣ ସୃଷ୍ଟିଖଣ୍ଡ ୫୧-୩୩ ଅନୁସାରେ ଗୌତମଙ୍କ ଅଭିଶାପଯୋଗୁ ଅହଲ୍ୟାଙ୍କର ଶରୀର ଶୁଖିଯାଇଥିଲା–‘‘ଅସ୍ଥିଚର୍ମସମାବିଷ୍ଟା ନିମାଂସା’’ ।

 

ଅହଲ୍ୟାଙ୍କର ଶିଳାରୂପ ପ୍ରସଙ୍ଗର ବ୍ୟଖ୍ୟା–ବାଲ୍ମୀକି ରାମାୟଣରେ ଅହଲ୍ୟାଙ୍କୁ ଅଦୃଶ୍ୟା ହେବାର ଅଭିଶାପ ଦିଆଯାଇଛି । ତେବେ ଅଦୃଶ୍ୟା ଶବ୍ଦର ଆଭିଧାନିକ ଅର୍ଥ ପ୍ରସଙ୍ଗ ଦୃଷ୍ଟିରୁ ‘‘ଅନବଲୋକିତା’’ କରିବା ଯଥାର୍ଥ ମନେହୁଏ ନାହିଁ । ଅହଲ୍ୟା ଅସାମାନ୍ୟା ସୁନ୍ଦରୀ । ସୌନ୍ଦର୍ଯ୍ୟସଂପନ୍ନ ବ୍ୟକ୍ତି ବା ବସ୍ତୁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥାଏ । କିନ୍ତୁ ଥରେ ନୈତିକମାର୍ଗରୁ ସ୍ଖଳିତ ହେଲେ ବା ନିନ୍ଦାର ପାତ୍ର ହେଲେ, ପ୍ରତ୍ୟେକ ବ୍ୟକ୍ତି ବା ଜୀବ ଯେତେ ସୁଗୁଣ ସଂପନ୍ନ ବା ସମୁଚ୍ଚସ୍ଥାନାଧିଷ୍ଠିତ ହୋଇଥିଲେ ମଧ୍ୟ ସେ ବା ତାହା ଲୋକଙ୍କଦ୍ୱାରା ଅବହେଳିତ ହୋଇଥାଏ । ଅପାଙ୍‌ତେୟ ହୋଇପଡ଼େ ତାହାର ଅବସ୍ଥା । ତେବେ ଜାରକର୍ମଲିପ୍ତା ଅହଲ୍ୟା ନିଜର କର୍ମ ଦୃଷ୍ଟିରୁ ଲୋକଚକ୍ଷୁରେ ନିନ୍ଦିତା ହେବା ପୂର୍ବକ ଅବହେଳିତ ଅବସ୍ଥାକୁ ପ୍ରାପ୍ତ ହେଲେ ବୋଲି ଯଦି ଅର୍ଥ କରାଯାଏ, ତେବେ ତାହା ପ୍ରାସଙ୍ଗିକ ହେବ । ପ୍ରଥମେ ତଦୀୟ ଚରିତ୍ରବତ୍ତା ଯୋଗୁ ସେ ସମାଜର ଦର୍ଶନସ୍ଥାନୀୟା ଥିଲେ, ଏବେ ସେ ସେହି ସୋଭାଗ୍ୟରୁ ବଞ୍ଚିତ ହୋଇ ସମାଜରେ ଥାଇ ନଥିବା ଭଳି ଅବସ୍ଥାକୁ ଆସିଲେ, ଅର୍ଥାତ୍ ଲୋକଚକ୍ଷୁ ତାଙ୍କ ଆଡ଼କୁ ଆଉ ଆସିଲା ନାହିଁ । ସେ ସଂପୂର୍ଣ୍ଣ ଜଗତ୍‌କୁ ଦେଖୁଥିଲେ ମଧ୍ୟ, ଲୋକମାନେ ତାଙ୍କୁ ଦେଖିଲା ନାହିଁ । ସେ ହେଲେ ସମାଜ ନିମନ୍ତେ ଅଦୃଶ୍ୟା । ତତ୍ପରେ ଅନୁତାପ ଅନଳରେ ନିଜକୁ ଶୁଦ୍ଧ, ପୁତ ବୋଲି ପ୍ରମାଣ କରିସାରିବା ପରେ, ଲୋକମାନେ ପୁନଶ୍ଚ ତାଙ୍କ ଆଡ଼କୁ ଦୃଷ୍ଟି ନିକ୍ଷେପ କଲେ । ଏହାହିଁ ହେଉଛି ତାଙ୍କର ଉଦ୍ଧାର ।

 

ଦ୍ୱିତୀୟ ପ୍ରମୁଖ ବିଷୟ ହେଉଛି ଶିଳାଖଣ୍ଡ ପ୍ରସଙ୍ଗ । ସଂସ୍କୃତ ‘ଶିଳା’ ଶବ୍ଦ ଅପଭ୍ରଂଶରେ ‘ସିରା’ ହୋଇଥାଏ । ସଂସ୍କୃତ ଶିଳା ଶବ୍ଦର ଅର୍ଥ ପ୍ରସ୍ତର ଖଣ୍ଡ ହୋଇଥିବା ବେଳେ, ଅପଭ୍ରଂଶ ‘ସିରା’ ଶବ୍ଦର ଅର୍ଥ (୧) ପ୍ରସ୍ତର, (୨) ନଦୀ । ପୂର୍ବରୁ ଗୌତମ ଅହଲ୍ୟାଙ୍କୁ ନଦୀ ରୁପକୁ ଧାରଣ କରିବା ନିମନ୍ତେ ଶାପ ପ୍ରଦାନ କରିବା ବିଷୟ ଆମେ ଉଲ୍ଲେଖ କରିଛୁ । ଏଣୁ ବର୍ତ୍ତମାନ ‘ଶିଳା’ ଓ ‘ସିରା’ ଶବ୍ଦ ଉପରେ ଆଲୋଚନା କରିବା । ବୈଦିକ ସଂସ୍କୃତରେ ‘ର’ ବର୍ଣ୍ଣର ପ୍ରୟୋଗ ବହୁଳ ଭାବରେ ଦେଖାଯାଏ, ଯାହାକି ଲୌକିକ ସଂସ୍କୃତରେ ‘ଲ ବର୍ଣ୍ଣଦ୍ୱାରା ସ୍ଥାନାନ୍ତରିତ ହୋଇଛି । ‘ଶିଳା’ ଓ ‘ସିରା’ ଶବ୍ଦରେ ‘ର’ ଓ ‘ଳ’ ଆନ୍ତଃ-ପରିବର୍ତ୍ତନ (interchangeability) ଯୋଗୁଁ ଏହା ସମ୍ଭବ ହୋଇଛି । ଯେଣୁକରି ଅପଭ୍ରଂଶ ସିରା ଶବ୍ଦର ଅର୍ଥ ପ୍ରସ୍ତର ନଦୀ, ତେଣୁ ସମ୍ଭବତଃ ଶିଳାକୁ ନଦୀ ଭାବରେ ଅର୍ଥ କରା ନଯାଇ ଅପଭ୍ରଂଶର ପ୍ରଭାବରୁ ଏହାକୁ ପ୍ରସ୍ତର ଖଣ୍ଡ ବୋଲି ଅର୍ଥ କରାଯାଇଛି-। ଏହି ଅର୍ଥ ପରବର୍ତ୍ତୀ କାଳରେ ପ୍ରାଧାନ୍ୟ ଲାଭ କରିଛି ଓ ମୂଳ ରାମାୟଣର ଅଭିଶାପ ପ୍ରସଙ୍ଗ ଅପେକ୍ଷା ଏହା ଅଧିକ ଗ୍ରାହ୍ୟ ହୋଇ ପ୍ରଚଳିତ ପରମ୍ପରାରେ ଅଧିକ ପ୍ରସିଦ୍ଧି ଲାଭ କରିଛି ।

 

ପୁନଶ୍ଚ ଜନ୍ମସ୍ଥାନ ଏକ ବନ ପ୍ରଦେଶ । ଏଠାରେ ନଦୀ ରୂପରେ ରୂପାନ୍ତରିତ ହେବା ଅର୍ଥ ପର୍ବତାଦି ବେଷ୍ଟିତ ସ୍ଥାନରେ ଶିଳାବନ୍ଧୁର ଜଳପ୍ରବାହର ଅବତାରଣା କରିବା । ବନ ପ୍ରଦେଶର ନଦୀ ସାଧାରଣତଃ ଶିଳାଖଣ୍ଡ ପରିପୂର୍ଣ୍ଣ । ଏଣୁ ଅହଲ୍ୟା ଶିଳାଖଣ୍ଡରେ ରୂପାନ୍ତରିତ ହେବା ଆଦୌ ଅପ୍ରାସଙ୍ଗିକ ମନେହୁଏ ନାହିଁ । ଭବଭୂତିଙ୍କର ଉତ୍ତର ରାମଚରିତ ନାଟକରେ ଜନସ୍ଥାନର ବର୍ଣ୍ଣନାରୁ ମଧ୍ୟ ଏହା ପ୍ରମାଣିତ ହୋଇଥାଏ ।

 

ଇନ୍ଦ୍ର- ଅହଲ୍ୟା ପ୍ରସଙ୍ଗର ବୈଦିକ ରୂପରେଖ: ଶକ୍ର ଅହଲ୍ୟା ବୃତ୍ତାନ୍ତକୁ ଗଭୀର ଭାବରେ ଅଧ୍ୟୟନ କଲେ ଆମେ ଏହି ନିଷ୍କର୍ଷରେ ପହଞ୍ଚିଥାଉଁ ଯେ ବାଲ୍ମୀକିଙ୍କର ରାମାୟଣରେ ବର୍ଣ୍ଣିତ ଉପାଖ୍ୟାନ ତାଙ୍କର ସମ୍ପୂର୍ଣ୍ଣ ନିଜସ୍ୱ ନୁହେଁ । ବହୁ ପ୍ରାଚୀନ କାଳରୁ ଲିପିବଦ୍ଧ ଓ ସମାଜରେ ପ୍ରଚଳିତ ଏହି କଥାକୁ ସେ ଏକ ଭିନ୍ନ ରୀତିରେ ସଜାଇଛନ୍ତି । ବୈଦିକ ସାହିତ୍ୟରେ ଆର୍ଯ୍ୟମାନଙ୍କର ପ୍ରମୁଖ ସେନାପତି ଭାବରେ ଇନ୍ଦ୍ରଙ୍କର ସ୍ଥାନ ସର୍ବୋଚ୍ଚ । ତଥାପି ତାଙ୍କର ଚାରିତ୍ରିକ ବିଶୃଙ୍ଖଳା ବିଷୟରେ ବୈଦିକ ସାହିତ୍ୟରେ ବହୁ ପ୍ରମାଣ ଉପଲବ୍‌ଧ ହୋଇଥାଏ । ବ୍ରାହ୍ମଣ ସାହିତ୍ୟରେ ତାଙ୍କୁ ‘‘ଅହଲ୍ୟାୟୈ ଜାରଃ’’ ବୋଲି ବହୁ ସ୍ଥାନରେ ସମ୍ବୋଧନ କରାଯାଇଛି । ତହିଁରୁ କେତୋଟି ପ୍ରମୁଖ ଉଦାହରଣ ନିମ୍ନରେ ପ୍ରଦତ୍ତ ହେଲା ।

 

ଶତପଥ ବ୍ରାହ୍ମଣ (୩. ୩. ୪. ୧୮): ‘‘ଇନ୍ଦ୍ରାଗଚ୍ଛେତି । ଇନ୍ଦ୍ରୋ ବୈୟଜ୍ଞସ୍ୟ ଦେବତା । ତସ୍ମାଦାହେନ୍ଦ୍ରା ଗଚ୍ଛେତି ହରିବ ଆଗଚ୍ଛ ମେଧାତିଥିର୍ମେଷ ବୃଷଣ୍ୱଶ୍ୱସ୍ୟ ମେନେ । ଗୌରାବସ୍କନ୍ଦିନ୍ମହଲ୍ୟାୟୈ ଜାରେତି ତଦ୍ୟାନ୍ୟେବାସ୍ୟ ଚରଣାନି ତୈରେବୈନମେତତ୍ ପ୍ରମୁମୋଦୟିଷ୍ୟତି ।’’

 

J. Eggeling ଏହାର ଇଂରାଜୀ ଅନୁବାଦ ନିମ୍ନପ୍ରକାରେ କରିଛନ୍ତି–

 

"Come, O Indra !" Indra is the sacrifice: Therefore he says, 'Come, O Indra !". Come, O Lord of the boy seeds ! Ram of Medhatithi ! (1) Wife of Vrishanasva ! (2) Bestriding buffalo ! Lover of Ahalya ! (3) Thereby he wishes Him joy in those affaris of his.

 

(1)

This myth, according to which Indra was supposed to have assumed the form of a ram and to have carried out Medhatithi, the Kanva (see Rigveda-8-2-40: ittha dhivantam adrivah Kanvam Medhatithim/meso bhuto' bhi yan nayah//.

 

ସାୟଣାଚାର୍ଯ୍ୟ ଉପରୋକ୍ତ ମନ୍ତ୍ରର ବ୍ୟାଖ୍ୟା ନିମ୍ନପ୍ରକାରେ କରିଛନ୍ତି–

 

ଇତ୍‌ଥା ଇତ୍‌ଥମ୍ ଅନେନୋକ୍ତେନ ପ୍ରକାରେଣ ଧୀବନ୍ତଂ ସ୍ତୁତିମନ୍ତ୍ରଂ କାଣ୍ୱଂ କଣ୍ୱପୁତ୍ରଂ ମେଧ୍ୟାତିଥିଂ ୟଜ୍ଞାର୍ହାତିଥିମେତତ୍‌ସଂଜ୍ଞମୃଷିଂ ହେ ଅଦ୍ରିବଃ ବଜ୍ରବନ୍ନିନ୍ଦ୍ର ମେଷୋ ଭୁତଃ ମେଷରୂପତାଂ ପ୍ରାପ୍ତଃ ଅଭିୟନ୍ ଅଭିଗଚ୍ଛନ୍ । ୟ ଇତ୍ୟନୁବୃର୍ତ୍ତତେ । ତଦ୍ ୟୋଗାଚ୍ଚ ତିଡ଼ୋଂ ନିଘାତା ଭାବଃ । ୟସ୍ତ୍ୱମ୍ ଅୟଃ ଅଗମୟଃ ତଂ ତ୍ୱାଂ ସ୍ତୁମ ଇତ୍ୟର୍ଥଃ । ‘ମେଧ୍ୟାତିଥିର୍ମେଷ’ (ତୈ. ଆ. ୧. ୧୨. ୩) ଇତି ସୁବ୍ରହ୍ମାଣ୍ୟାମନ୍ତ୍ରୈକ-ଦେଶସ୍ୟ ବ୍ୟାଖ୍ୟାନରୂପେ ବ୍ରାହ୍ମଣଂ ଛନ୍ଦୋଗୈରେବାମ୍ମାୟତେ ।

 

(2)

According to the Rigveda (1. 51. 13), Indra became the wife (Mena) of Vrsanvasva (Mena); the reason for his transformation being, according to the Sadvimsa Brahmana that he was in love with Mena or Menaka, the daughter of the king/sage.

 

(3)

This is another of Indra's love myth about which very little is known. Ahalya (Maitreyi) is said to have been the wife of the sage Gautama (or Kausika) and to have been loved by Indra.

 

ଏଣୁ ଏଠାରେ ଇନ୍ଦ୍ରଙ୍କ ଉଦ୍ଦେଶ୍ୟରେ ପ୍ରଯୁକ୍ତ ଭିନ୍ନ ଭିନ୍ନ ସମ୍ବୋଧନ ମଧ୍ୟରୁ ଗୋଟିଏ ହେଉଛି ‘‘ଅହଲ୍ୟାୟୈ ଜାର’’ ଅର୍ଥତ୍ ଅହଲ୍ୟାଙ୍କର ପ୍ରେମିକ । ଜୈମିନୀୟ ବ୍ରାହ୍ମଣ (୨.୭୯)ରେ ମଧ୍ୟ ତାଙ୍କୁ ତଦ୍ରୁପ ସମ୍ବୋଧନ କରି କୁହାଯାଇଛି ଯେ–‘‘ଅହଲ୍ୟାୟୈ ଜାରେ ତି । ଅହଲ୍ୟାୟୈ ହ ମୈତ୍ରେୟୈ ଜାର ଆସ ।’’ ଏହା ବ୍ୟତୀତ କାଠକ ବ୍ରହ୍ମଣ (୪-୩. ୪. ୧୩) ଓ ତୈତ୍ତିରୀୟ ଆରଣ୍ୟକ (୧.- ୧୨. ୪)ରେ ଅହଲ୍ୟାଙ୍କ ଉଲ୍ଲେଖ ଅଛି । ତେବେ ଷଡ଼ବିଂଶ ବ୍ରାହ୍ମଣ (୧. ୧. ୨୦)ରେ ବର୍ଣ୍ଣିତ କଥା ବାସ୍ତବରେ ଇନ୍ଦ୍ର ଗୌତମଙ୍କ ଛଦ୍ମ ରୂପରେ ତଦୀୟ ଆଶ୍ରମକୁ ଗମନ କରିବାର କାରଣ ସମ୍ପର୍କରେ କିଞ୍ଚିତ ଆଭାସ ଦେଇଥାଏ । ଷଡ଼୍‌ବିଂଶ ବ୍ରାହ୍ମଣର ସେହି ଅଂଶଟି ନିମ୍ନରେ ଉଦ୍ଧାର କରୁଛି-

 

‘‘ଅହଲ୍ୟାୟୈ ଜାରେତି । ଅହଲ୍ୟାୟାହ ମୈତ୍ରେୟ୍ୟା ଜାର ଆସ । କୌଶିକ ବ୍ରାହ୍ମଣେତି । କୌଶିକୋ ହ ସ୍ମୈନାଂ ବ୍ରାହ୍ମଣ ଉପନ୍ୟେତି । ଗୌତମ ବ୍ରୁବାଣେତି । ଦେବାସୁରା ହ ସଂୟତ୍ତା ଆସଂସ୍ତାନନ୍ତରେଣ ଗୌତମଃ ଶଶ୍ରାମ । ତମିନ୍ଦ୍ର ଉପେତ୍ୟୋବାଚେହ ନୋ ଭବାନ୍ତ୍ ସ୍ପଶଶ୍ଚରତ୍ୱିତି । ନାହମୁତ୍ସହ ଇତି । ଅଥାହଂ ଭବତୋ ରୂପେଣ ଚରାଣୀତି । ସ ଯଥା ମନ୍ୟସ ଇତି । ସ ଯତ୍ତତ୍ ଗୌତମୋ ବା ବ୍ରୂବାଣଶ୍ଚରାର ଗୌତମ ରୂପେଣ ବା ତଦେ ତଦାହ ଗୌତମେତି ।’’

 

ଏହାର ଅର୍ଥ ହେଲା- ଦେବତା ଓ ଦାନବଗଣ ପରସ୍ପର ମଧ୍ୟରେ ଯୁଦ୍ଧ ବ୍ୟାପୃତ ଥିଲେ । ଋଷି ଗୌତମ ଉଭୟଙ୍କ ମଧ୍ୟରେ ଅବସ୍ଥାନ କରି ତପସ୍ୟା କରୁଥିଲେ । ଇନ୍ଦ୍ର ଗୌତମଙ୍କ ନିକଟକୁ ଯାଇ କହିଲେ- ‘‘ଆପଣ ଆମ୍ଭମାନଙ୍କର ଗୁପ୍ତଚର ଭାବରେ ଯାଆନ୍ତୁ ।’’ ଗୌତମ ନାସ୍ତିସୂଚକ ଉତ୍ତର ଦେଲେ । ‘ତେବେ ମୁଁ ଆପଣଙ୍କ ରୂପଧାରଣ କରି ଗୁପ୍ତଚର ଭାବରେ ଯିବି’ । ‘ଯାହା ଆପଣଙ୍କୁ ଭଲ ଲାଗୁଛି କରନ୍ତୁ’... ଗୌତମ ପ୍ରତ୍ୟୁତ୍ତର ଦେଲେ । ତତ୍ପରେ ଗୌତମଙ୍କ ରୂପ ଧାରଣ କରି ଇନ୍ଦ୍ର ଗୁପ୍ତଚରର କାର୍ଯ୍ୟ କଲେ ।

 

ଏଥିରୁ ଜଣାପଡ଼େ ଯେ ଇନ୍ଦ୍ର ଗୌତମଙ୍କର ରୂପ ଧାରଣ କରିବା କଥା ବୈଦିକ କାଳରୁ ପ୍ରଚଳିତ ହୋଇଛି । ଗୌତମ କୌଶକିଗୋତ୍ରୀୟ ଥିଲେ । ସାୟଣାଚାର୍ଯ୍ୟ ‘ଅହଲ୍ୟାୟୈ ଜାର’ ବାକ୍ୟରେ ‘ଅହଲ୍ୟାୟୈ’ ଶବ୍ଦକୁ ‘ଅହଲ୍ୟାୟାଃ’ ବୋଲି ବ୍ୟାଖ୍ୟା କରି କହିଛନ୍ତି ଯେ ଏହା ଷଷ୍ଠୀ ଅର୍ଥରେ ଚତୁର୍ଥୀର ପ୍ରୟୋଗର ନିଦର୍ଶନ । ଏଣୁ ବହୁ ପ୍ରାଚୀନ କାଳରୁ ଇନ୍ଦ୍ର ଗୌତମଙ୍କର ଛଦ୍ମ ରୂପ ଧାରଣ କରି ଗୁପ୍ତରେ ବୃତ୍ତି କରିବା କଥା ସାହିତ୍ୟରେ ଲିପିବଦ୍ଧ ହୋଇ ରହିଛି । ତେବେ କୌଶିକ ଗୋତ୍ରାତ୍ପନ୍ନ ଗୌତମଙ୍କର ପତ୍ନୀ ମୈତ୍ରେୟୀ (ଅହଲ୍ୟା)ଙ୍କୁ ସେ ନିଶ୍ଚୟ ରମଣ କରିଥିବେ । ନଚେତ୍ ତାଙ୍କୁ ଅହଲ୍ୟାଙ୍କର ଜାର ପୁରୁଷ ବୋଲି ସମ୍ବୋଧନ ବାରମ୍ବାର କରାଯାଇ ନଥାନ୍ତା । ଯଦିଓ ଏ କଥା ବିସ୍ତୃତ ଭାବରେ ବୈଦିକ ସାହିତ୍ୟରେ ବର୍ଣ୍ଣିତ ହୋଇ ନାହିଁ, ତଥାପି ଏହି ଗୋଟିଏ ବାକ୍ୟ (ଅହଲ୍ୟାୟୈ ଜାର)ରୁ ଏହା ସ୍ପଷ୍ଟ ପ୍ରତୀତ ହୋଇଥାଏ । ଏଣୁ ଇନ୍ଦ୍ରଙ୍କଦ୍ୱାରା ଅହଲ୍ୟାଙ୍କର ସତୀତ୍ୱ ହରଣ କଥା ବାଲ୍ମୀକିଙ୍କର ନିଜସ୍ୱ ସୃଷ୍ଟି ନୁହେଁ ଏହା ବୈଦିକ ଶକ୍ର ଅହଲ୍ୟା ଉପାଖ୍ୟାନର ପୁନଃ ଚିତ୍ରଣ ମାତ୍ର । ତେବେ ଦେବରାଜ୍‍ ବା ଦେବ ସେନାପତି ଇନ୍ଦ୍ରଙ୍କର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିବାରୁ ଇନ୍ଦ୍ର ଗୌତମଙ୍କର ବ୍ୟବହାରରେ କ୍ରୋଧାନ୍ୱିତ ହୋଇ ତାଙ୍କ ପତ୍ନୀ ଅହଲ୍ୟାଙ୍କୁ ଛଦ୍ମ ବେଶରେ ରମଣ କରିଥାଇ ପାରନ୍ତି ବୋଲି ବ୍ୟାଖ୍ୟା କଲେ ଅତ୍ୟନ୍ତ ଅଯୌକ୍ତିକ ଅପ୍ରାସଙ୍ଗିକ ହେବ ନାହିଁ ।

 

ଇନ୍ଦ୍ର- ଅହଲ୍ୟା- ଗୌତମ ଓ ଶାପ : ଏକ ନୂତନ ଦୃଷ୍ଟିକୋଣ; ଏହା ଅତ୍ୟନ୍ତ ପ୍ରସିଦ୍ଧ ଯେ ବୈଦିକ ଆଖ୍ୟାନଗୁଡ଼ିକ ରୂପକାତ୍ମକ । ବହୁ ପ୍ରାକୃତିକ ବିଭାବ ଏଥିରେ ଚିତ୍ରିତ ଓ ପୂଜିତ । ସେହି ଦୃଷ୍ଟିରୁ ନୂତନ ଦୃଷ୍ଟିକୋଣ ଅନୁସାରେ ଅହଲ୍ୟା ରାତ୍ରି, ଗୌତମ ଚନ୍ଦ୍ର ଓ ଇନ୍ଦ୍ର ସୂର୍ଯ୍ୟଙ୍କର ପ୍ରତୀକ । ସୂର୍ଯ୍ୟରୂପୀ ଇନ୍ଦ୍ର ରାତ୍ରରୂପୀ ଅହଲ୍ୟାଙ୍କୁ ରମଣ(ଧର୍ଷଣ) କଲେ । ରାତ୍ରି ସହିତ ଚନ୍ଦ୍ରର ସମ୍ପର୍କ ପତି- ପତ୍ନୀର ସମ୍ପର୍କ ଭଳି । ସେଥିରେ ସୂର୍ଯ୍ୟଙ୍କର ଆର୍ବିଭାବ । ରାତ୍ରିକୁ ବଳାତ୍କାର ଅର୍ଥରେ ବ୍ୟାଖ୍ୟା କରାଯାଇ ପାରେ । ଏହା ଏକ ରୂପକାତ୍ମକ କଥା ।

 

ବିଶ୍ୱକବି ରବୀନ୍ଦ୍ରନାଥଙ୍କ ମତରେ ହଳ ଶବ୍ଦର ଅର୍ଥ ହେଉଛି କର୍ଷିତା ଭୂମି । ଅହଲ୍ୟା ଶବ୍ଦର ଅର୍ଥ ହେବ ଅକର୍ଷିତା ଭୂମି । ରାମଚନ୍ଦ୍ର ହେଉଛନ୍ତି ପ୍ରଥମ ଆର୍ଯ୍ୟ ଯିଏ କି ବିନ୍ଧ୍ୟ ପର୍ବତ ଅତିକ୍ରମ କରି ଦକ୍ଷିଣ ଭାରତରେ ପ୍ରବେଶ କରିଥିଲେ । ସେ ସମୟରେ ଦକ୍ଷିଣାଞ୍ଚଳରେ ଆର୍ଯ୍ୟେତର ଜାତିମାନେ ବସବାସ କରୁଥିଲେ । ସେମାନେ କୃଷିକାର୍ଯ୍ୟ ଜାଣି ନଥିବାରୁ ସେଠାକାର ଭୂମି ଅକର୍ଷିତା ବା ଅହଲ୍ୟା ଥିଲା । ରାମଚନ୍ଦ୍ର ପ୍ରଥମେ ସେଠାକୁ ଯାଇ ସେମାନଙ୍କୁ କୃଷିକାର୍ଯ୍ୟ ଶିଖାଇଲେ । ଅହଲ୍ୟା ବା ଅକର୍ଷିତା ଭୂମି ହେଲା ଶସ୍ୟଶ୍ୟାମଳା । ସେହି ଶସ୍ୟଶ୍ୟାମଳା ଭୂମିକୁ ପ୍ରତୀକ ଭାବରେ ନାରୀ ସହିତ ତୁଳନା କରାଯାଇଛି । ଏଣୁ ରାମ ପତିତ ଭୂମିର ଉଦ୍ଧାର କରିବାକୁ ଅହଲ୍ୟା ଉଦ୍ଧାର ରୂପରେ ପ୍ରତୀକାତ୍ମକ ଚିତ୍ର ଦିଆଯାଇଛି ।

 

ତୃତୀୟରେ ଇନ୍ଦ୍ର ବର୍ଷାର ଦେବତା ଓ ଅହଲ୍ୟା ହେଉଛି (ଅକର୍ଷିତା) ଭୂମି । ଶସ୍ୟୋତ୍ପାଦନ (ସନ୍ତାନ ଉତ୍ପତ୍ତି) ନିମନ୍ତେ ବର୍ଷା (ପୁରୁଷ ଶକ୍ତି) ଓ ଭୂମି (ସ୍ତ୍ରୀ ଶକ୍ତି)ର ସମ୍ମେଳନ (ସଙ୍ଗମ) ଆବଶ୍ୟକ । ଇନ୍ଦ୍ର ଅହଲ୍ୟା ସମ୍ପର୍କ ଏହି ଦୃଷ୍ଟିରୁ ସ୍ୱାଭାବିକ ବା ନୈସର୍ଗିକ । ଏଣୁ ଜାଣିଶୁଣି ଅହଲ୍ୟା ଇନ୍ଦ୍ରଙ୍କୁ ରତିକ୍ରୀଡ଼ା ନିମନ୍ତେ ଆମନ୍ତ୍ରଣ କରିବା ଆଦୌ ଅଯୌକ୍ତିକ ମନେହୁଏ ନାହିଁ ।

ଉପସଂହାର :

ଉପର ଆଲୋଚନାରୁ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିଥାଉଁ ଯେ ଇନ୍ଦ୍ର ଅହଲ୍ୟା ଉପାଖ୍ୟାନ ବୈଦିକ ସାହିତ୍ୟରେ ଥିଲା ଓ ତାର ପରିବୃଂହିତ ରୂପ ବାଲ୍ମୀକି ରାମାୟଣରେ ଦୃଷ୍ଟିଗୋଚର ହୋଇଥାଏ । ଅହଲ୍ୟା ଶବ୍ଦର ବିଭିନ୍ନ ବ୍ୟାଖ୍ୟାକୁ ଆଧାର କରି ତାଙ୍କୁ ଭିନ୍ନ ଭିନ୍ନ ଅଭିଶାପରେ ଅଭିଶପ୍ତା ହୋଇଥିବାର ଚିତ୍ରଣ କରାଯାଇଛି । ବିନ୍ଧ୍ୟାଞ୍ଚଳର ନିକଟବର୍ତ୍ତୀ ଅଞ୍ଚଳ ପ୍ରସ୍ତରମୟ ଅକର୍ଷିତା ଭୂମି ଥିଲା । ରାମଚନ୍ଦ୍ର ସେଠାରେ କୃଷିକାର୍ଯ୍ୟର ଅୟମାରମ୍ଭ କରି ସେ ଅଞ୍ଚଳରେ ନୂତନ ଚେତନା ଓ ଦୃଶ୍ୟ ସୃଷ୍ଟି କରିଥିଲେ । ତାହାହିଁ ଅହଲ୍ୟାଙ୍କର ଶିଳାରୂପରୁ ନାରୀରୂପ ପ୍ରାପ୍ତି । ବାଲ୍ମୀକି ରାମାୟଣର ‘ଅଦୃଶ୍ୟା’ ଶବ୍ଦରୁ ଆରମ୍ଭ ହୋଇ ଶିଳାଖଣ୍ଡରେ ରୂପାନ୍ତରିତ ହେବା ପ୍ରସଙ୍ଗ, ଭାରତୀୟ ସାହିତ୍ୟରେ ପ୍ରାଦେଶିକ ସାହିତ୍ୟର ପ୍ରଭାବ ସହିତ ସଂସ୍କୃତ ଶବ୍ଦ କିପରି ଅପଭ୍ରଂଶ ଶବ୍ଦଦ୍ୱାରା ପ୍ରଭାବିତ ହୋଇ ନୂତନ ଧାରଣା ସୃଷ୍ଟି କରିଥାଏ, ତାହା ସ୍ପଷ୍ଟ ସୂଚିତ କରିଥାଏ । ପୁନଶ୍ଚ, ଗୌତମଙ୍କର ଆଗମନ ଭୟରେ ମାର୍ଜାର ରୂପରେ ଇନ୍ଦ୍ର ପଳାୟନ କରିବା କଥା ମଧ୍ୟ ଏହାର ପ୍ରକାଶକ । ‘ମାର୍ଜାର’ ଶବ୍ଦ ସଂସ୍କୃତ (ମମଜାରଃ- ମତ୍‌ଜାରଃ)ମଜ୍ଜାରଃ ଓ ପ୍ରାକୃତ ମଜ୍ଜାର (ଦ୍ରଷ୍ଟବ୍ୟ- କଥା ସରିତ୍ ସାଗର, ୩.୧୭- ଏସୋ ଠିଓଖୁ ମଜ୍ଜାରୋ) ଶବ୍ଦ ସହିତ ଘନିଷ୍ଠ ଭାଷାତାତ୍ତ୍ୱିକ ସମ୍ବନ୍ଧ ରକ୍ଷା କରିଥାଏ । ଏଣୁ ଏହା ମଧ୍ୟ ‘ଜାର’ କଥାକୁ ପ୍ରତିପାଦନ କରୁଥିବା ବୈଦିକ ଆଖ୍ୟାନର ଅନୁକରଣରେ ହିଁ ସୃଷ୍ଟ ଏହା କହିବା ବାହୁଲ୍ୟ ମାତ୍ର ।

 

(*) ଏହି ପ୍ରବନ୍ଧ ରଚନାରେ ମୋର ସହଧର୍ମିଣୀ ଅଧ୍ୟାପିକା ନଳିନୀ ପ୍ରଭା ଦାଶଙ୍କର ସାହାଯ୍ୟ ଓ ସହଯୋଗ ନିମନ୍ତେ ତାଙ୍କୁ ମୋର ସାଧୁବାଦ ଜଣାଉଛି ।

 

 

ସ୍ନାତକୋତ୍ତର ସଂସ୍କୃତ ବିଭାଗ

ଗଙ୍ଗାଧର ମେହେର ସ୍ୱୟଂଶାସିତ ମହାବିଦ୍ୟାଳୟ

ସମ୍ବଲପୁର

 

 

ସହାୟକ ଗ୍ରନ୍ଥସୂଚୀ-

ବାଲ୍ମୀକି ରାମାୟଣ, ଓଡ଼ିଆ ପଦ୍ୟାନୁବାଦ, ହରିହର ମିଶ୍ର, ବିଦ୍ୟାପୁରୀ, କଟକ ।

ରାମ କଥା କା ବିକାଶ, ଫାଦର ବୁଲ୍‌କେ, ଆଗ୍ରା ।

ଷଡ଼୍‌ବିଂଶ ବ୍ରାହ୍ମଣ ।

ଶତପଥ ବ୍ରାହ୍ମଣ ।

ଆନନ୍ଦ ରାମାୟଣ (ସାରକାଣ୍ଡ) ।

 

***

 

।। ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ଆବେଗ ଓ ଆବେଦନ ।।

ଡକ୍‌ଟର ଗଙ୍ଗାଧର ବଳ

 

ଇତିହାସ, ସଂସ୍କୃତି, ଧର୍ମ, ଦର୍ଶନ, ସମାଜତତ୍ତ୍ୱ, ରାଜନୀତି, ନନ୍ଦନତତ୍ତ୍ୱ, ପଦାର୍ଥବିଜ୍ଞାନ, ଭେଷଜବିଜ୍ଞାନ ପ୍ରଭୃତି ଜ୍ଞାନ ବିଜ୍ଞାନର ନାନା ଶାଖା ରହିଥିଲେ ମଧ୍ୟ ସେଗୁଡ଼ିକ ସାହିତ୍ୟ ନୁହନ୍ତି, ଯଦିଓ ସାହିତ୍ୟରେ ସେଗୁଡ଼ିକର ବୈଚିତ୍ରମୟୀ ସଙ୍କେତ ମିଳେ । ସାହିତ୍ୟ ହେଉଛି ସମାଜର ସୃଷ୍ଟି, ଯେଉଁ ସମାଜର କେନ୍ଦ୍ରବିନ୍ଦୁ ହେଉଛି ମଣିଷ । ଧର୍ମ, ସଂସ୍କୃତି, ସଭ୍ୟତା ମୁଖ୍ୟତଃ ମଣିଷର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସଭ୍ୟତାର ଜୀବନସ୍ତରକୁ ବୁଝାଇଥାଏ । ମଣିଷକୁ ବାଦଦେଲେ ଜାତି, ସଭ୍ୟତା, ସଂସ୍କୃତି ଓ ଧର୍ମର କୌଣସି ମୂଲ୍ୟ ନାହିଁ ।’’(୧)

 

ଚିତ୍ତରଞ୍ଜନ ଦାସ, ସମାଜ ।

 

ନିର୍ଦ୍ଦିଷ୍ଟ ପ୍ରାକୃତିକ ଓ ସାମାଜିକ ପରିବେଶରେ ମଣିଷର ମନ, ହୃଦୟ ଓ ଆତ୍ମିକ ଆଲୋଡ଼ନର ସ୍ୱକୀୟ କଳାତ୍ମକ ଅଭିବ୍ୟକ୍ତି ହେଉଛି ସାହିତ୍ୟ । ସାହିତ୍ୟ ‘ସହିତ’ ବା ମିଳନର ଭାବ ହୋଇଥିବାରୁ ଏ ମିଳନ ମଣିଷ ସହିତ ମଣିଷର, ମଣିଷର ମନ ‘ସହିତ ତା’ ହୃଦୟ ଓ ଆତ୍ମାର, ସମାଜ ସହ ତା’ର ମନ ଓ ହୃଦୟର ମିଳନ ହୋଇପାରେ ।

 

ଇତିହାସର ବିବର୍ତ୍ତନ କ୍ରମେ ମଣିଷ କ୍ରମଶଃ ଗୋଷ୍ଠୀ, ସମାଜ ଓ ରାଷ୍ଟ୍ର- ବଦ୍ଧ ହୋଇଥିବାରୁ ତା’ର ଭାବ, ଚିନ୍ତା ଓ ଚେତନା ସମାଜମୁଖୀ ହେବା ସ୍ୱାଭାବିକ, ସମାଜର ବହୁମୁଖୀ ବିକାଶ ଓ ଶ୍ରେୟଃ ପାଇଁ ।

 

ସମାଜରେ ସାହିତ୍ୟସୃଷ୍ଟିର ଏଇ ମୂଳ ପ୍ରେରଣା ଆମେ ସବୁଦେଶର ସାହିତ୍ୟରେ ପାଉଁ । ଯାଯାବର ମଣିଷ (ଆର୍ଯ୍ୟ) ଭାରତର ମନୋଜ୍ଞ ପ୍ରାକୃତିକ ପରିବେଶରେ ନିଜର ଜୀବନ ଓ ଜୀବିକାର ସ୍ଥିର ସନ୍ଧାନ ପାଇ ନିଜର ଅନ୍ତରର ଆବେଗକୁ ସ୍ୱତଃସ୍ଫୁର୍ତ୍ତ ଭାବରେ ପ୍ରକାଶ କରିଛି ଋଗ୍‌ବେଦ ସଂହିତାର ଉଷା, ଭୂ, ଶ୍ରୀ ପ୍ରଭୃତି ସୂକ୍ତରେ । ସୂକ୍ତଗୁଡ଼ିକ ବୈଦିକ ଋଷି ପ୍ରାଣର ନିଷ୍କପଟ ସରଳ ଅଭିବ୍ୟକ୍ତି । ପ୍ରକୃତିର ଶାନ୍ତ ଓ ସୁନ୍ଦର ରୂପରେ କେତେବେଳେ ମୁଗ୍‌ଧ ହୋଇ ଜୀବନର ଭାବାବେଗ ପ୍ରକାଶ କରିଛି ତ ରୂଦ୍ର ରୂପରେ ସ୍ତବ୍‌ଧ ହୋଇ ନିଜର ରକ୍ଷାପାଇଁ ଭୀତିବିହ୍ୱଳ ଚିତ୍ତରେ ଦେବତା ଜ୍ଞାନରେ ସ୍ତୁତି, ପ୍ରାର୍ଥନା କରି ଚାଲିଛି ।

 

ଆରଣ୍ୟକ, ଉପନିଷଦ୍ ଓ ଦର୍ଶନ ଯୁଗରେ ଚିନ୍ତନର ବିକାଶକ୍ରମେ ତା’ର ଚିନ୍ତାଧାରା କ୍ରମଶଃ ଅନ୍ତର୍ମୁଖୀନ, ବୌଦ୍ଧିକ ଫଳତଃ ଦୁର୍ବୋଧ୍ୟ ହୋଇ ପଡ଼ିଥିବାରୁ ତା’ର ଅଜସ୍ର ଟୀକା ଓ ଭାଷ୍ୟର ରଚନା ଚାଲିଛି ଏବଂ ପୌରାଣିକ କାହାଣୀ ଛଳରେ ଶ୍ରୁତି ପରମ୍ପରାର ଯୁଗୋପଯୋଗୀ ବ୍ୟାଖ୍ୟା ଚାଲିଛି ଲୋକ- ବୋଧ୍ୟ ଭାଷାରେ । ବୈଦିକ କାଳରୁ ଇତିହାସର ବିବର୍ତ୍ତନ କ୍ରମେ ବୈଦିକ ଭାଷା ସହିତ ସାଧାରଣ ଜନ- ବୋଧ୍ୟ ଦେଶୀୟ ପ୍ରାକୃତ ଭାଷା ଗୁଡ଼ିକର ସ୍ୱତଃସ୍ଫୁର୍ତ୍ତ ଘଟିଚାଲିଛି । ବେଦ, ବ୍ରାହ୍ମଣ; ଆରଣ୍ୟକ, ଉପନିଷଦ, ଷଡ଼୍‌ଦର୍ଶନ, ଗୀତା ଓ ଭାଗବତ ଆଦି ପୁରାଣ ଗ୍ରନ୍ଥ ସମାଜ ଓ କାଳର ପ୍ରୟୋଜନ କଳ୍ପେ ଦେଶୀୟ ଭାଷାରେ କ୍ରମଶଃ ଅନୂଦିତ ଓ ପ୍ରକାଶିତ ହୋଇ ଚାଲିଛି, ପ୍ରାକୃତ ଜନସମାଜର ନୈତିକ, ଆଧ୍ୟାତ୍ମିକ ଓ କଳାତ୍ମକ ବିକାଶପାଇଁ ।

 

ଇତିହାସ ଓ ସାହିତ୍ୟ ମଧ୍ୟରେ ପାର୍ଥକ୍ୟ ପ୍ରଦର୍ଶନ କରି ଜଣେ ପ୍ରଖ୍ୟାତ ସାହିତ୍ୟିକ କହନ୍ତି, ‘‘ଇତିହାସ ଏକ ନିରବଚ୍ଛିନ୍ନ ଘଟଣା ପ୍ରବାହର ବର୍ଣ୍ଣନା; କିନ୍ତୁ ଜାତି ପରେ ଜାତି, ବଂଶପରେ ବଂଶ, ବ୍ୟକ୍ତିପରେ ବ୍ୟକ୍ତିର କ୍ରମାନ୍ୱୟତା ଓ ଘଟଣାର ଆବୃତ୍ତି ପୁଣି ବହୁ ପୁନରାବୃତ୍ତି ମଧ୍ୟରେ ଏକ ସତ୍ୟ ବା ମୂଲ୍ୟବୋଧର ସନ୍ଧାନ ହେଉଛି ସାହିତ୍ୟ । ଇତିହାସ ସାହିତ୍ୟର ଭୂମିକା ହେଲେ, ସାହିତ୍ୟ ଇତିହାସର ସଙ୍କେତାତ୍ମକ ପ୍ରତିରୂପ । (୨) ସାହିତ୍ୟ ମୁଖ୍ୟତଃ ବିଭିନ୍ନ ଅନ୍ତର୍ନିହିତ ତାତ୍ତ୍ୱିକ ମୂଲ୍ୟବୋଧ ଓ ସାଂସ୍ମୃତିକ ଧାରାର ଇତିହାସ । (୩)

 

୨.

ସୁରେନ୍ଦ୍ର ମହାନ୍ତି, ଓଡ଼ିଆ ସାହିତ୍ୟର ଆଦିପର୍ବ, ପୃ-୨ ।

୩.

ତତ୍ରୈବ, ପୃ-୪ ।

 

ରାଜନୈତିକ ସ୍ୱତନ୍ତ୍ରତା ସତ୍ତ୍ୱେ ବଙ୍ଗ, ବିହାର, ଓଡ଼ିଶା, ଆସାମ ଓ ପୂର୍ବବଙ୍ଗ ପ୍ରଭୃତି ପୂର୍ବଭାରତୀୟ ରାଜ୍ୟଗୁଡ଼ିକରେ ଚଳଣି ଓ ଜୀବନଦର୍ଶନଗତ ଏକ ସାଧାରଣ ସାଂସ୍କୃତିକ ମୂଲ୍ୟବୋଧ ଲକ୍ଷ୍ୟକରି ସୁରେନ୍ଦ୍ର ମହାନ୍ତି କହନ୍ତି- ‘‘ଏହି ଅଞ୍ଚଳରେ ବିଭିନ୍ନ ଯୁଗରେ ବିଭିନ୍ନ ଧର୍ମମତବାଦ ପ୍ରଚଳିତ ହୋଇଥିଲେ ମଧ୍ୟ ଏକ ସାହିତ୍ୟିକ ପରମ୍ପରା ଓ ଶୈଳୀ ଏହାର ସାହିତ୍ୟକୁ ପ୍ରଭାବିତ କରିଛି । ସହଜିଆ ବୌଦ୍ଧର ସହଜସାଧନା, ଶୈବଯୁଗରେ ଲୌକିକ ଶିବ ପାର୍ବତୀ, ଶାକ୍ତ ଯୁଗର ବିଭିନ୍ନ ଆଞ୍ଚଳିକ ଦେବୀ ମାହାତ୍ମ୍ୟ ଓ ସେମାନଙ୍କ ଲୌକିକ ଚିତ୍ରଣ ପୁଣି ବୈଷ୍ଣବଯୁଗର ରାଧାକୃଷ୍ଣଙ୍କର ଯୁଗନଦ୍ଧ ଲୀଳା ହିନ୍ଦୀ, ମୈଥିଳୀ, ବଙ୍ଗଳା, ଅସମିୟା ଓ ଓଡ଼ିଆ ସାହିତ୍ୟରେ ସମାନ ରୀତିରେ ପ୍ରକାଶ ପାଇଛି । (୪) ଉତ୍ତର ଓ ଦକ୍ଷିଣ ଭାରତୀୟ ସଂସ୍କୃତିର ଏକ ସମନ୍ୱିତ ଆଦର୍ଶ ଓଡ଼ିଆ ସଂସ୍କୃତିକୁ ଅନୁପ୍ରାଣିତ କରିଥିବାରୁ ଓଡ଼ିଶୀସଙ୍ଗୀତ ଓ ନୃତ୍ୟ, ତା’ର ମନ୍ଦିର ନିର୍ମାଣ ଶୈଳୀରେ ତା’ର ବଳିଷ୍ଠ ସଙ୍କେତ ମିଳେ । (୫)

 

୪.

ତତ୍ରୈବ, ପୃ-୧୦ ।

୫.

ତତ୍ରୈବ, ପୃ-୧୧ ।

 

ୟୁରୋପୀୟ ସାହିତ୍ୟର ଯୁଗ ବିଭାଜନ ପରିଭାଷା ଅନୁସାରେ ଆମେ ପ୍ରାଚୀନ, ମଧ୍ୟଯୁଗ ଓ ଆଧୁନିକ ଶବ୍ଦ ବ୍ୟବହାର କରୁଛୁଁ; କିନ୍ତୁ ୟୁରୋପୀୟ ଭାଷା ଓ ସାହିତ୍ୟରେ ମଧ୍ୟଯୁଗ ପଞ୍ଚଦଶ ଶତାବ୍ଦୀ ବେଳକୁ ସମାପ୍ତ ହୋଇ ସାରିଥିଲେ ହେଁ ଭାରତୀୟ ଭାଷା ଓ ସାହିତ୍ୟରେ ତାହା ମଧ୍ୟଯୁଗର ଆରମ୍ଭକାଳ । ରେନେସାଁ ବା ସଂସ୍କୃତିର ନବଜନ୍ମ ଫଳରେ ୟୁରୋପୀୟ ଜୀବନ ଓ ସାହିତ୍ୟ କ୍ଷେତ୍ରରେ ମଧ୍ୟଯୁଗରେ ଯେପରି ଏକ ନୂତନ ଦିଗନ୍ତର ସନ୍ଧାନ ମିଳିଲା, ସମାଜ ତଥା ବ୍ୟକ୍ତିଜୀବନର ବିଭିନ୍ନ କ୍ଷେତ୍ରରେ ଯେପରି ନବ ସୃଷ୍ଟିର ଆଲୋଡ଼ନ ଦେଖାଗଲା, ଭାରତରେ ଉନବିଂଶ ଶତାବ୍ଦୀର ଶେଷ ପାଦ ପର୍ଯ୍ୟନ୍ତ ସେପରି ଆଲୋଡ଼ନ ଲକ୍ଷିତ ହୋଇ ନଥିଲେ । ୟୂରୋପୀୟ ସାହିତ୍ୟରେ ଚିରନ୍ତନ ସାହିତ୍ୟର ସୌନ୍ଦର୍ଯ୍ୟ ଲକ୍ଷିତ ହୋଇଥିଲାବେଳେ ଭାରତୀୟ ସାହିତ୍ୟରେ ବିଶେଷତଃ ଓଡ଼ିଆ ସାହିତ୍ୟରେ ମାନବିକ ଆବେଦନଶୂନ୍ୟ ଭକ୍ତିମାର୍ଗର ବିଶ୍ଳେଷଣ ଓ ସାହିତ୍ୟିକ ମାଧୂର୍ଯ୍ୟଶୂନ୍ୟ ଜ୍ଞାନମିଶ୍ରାଭକ୍ତିର ଅନୁଶୀଳନ ଚାଲିଥିଲା । ୟୁରୋପୀୟ ସାହିତ୍ୟରେ ରେନେସାଁ ଯୋଗୁଁ ମାନବ ଭାବରେ ମାନବ ନିଜକୁ ଆବିଷ୍କାର କରିବାର ଓ ତା’ର ମୁକ୍ତିର ଯେଉଁ ପ୍ରେରଣା ପାଇଲା ଭାରତୀୟ ସାହିତ୍ୟରେ ପୂର୍ବପରି ମଣିଷ ଧର୍ମ ଓ ଭାଗ୍ୟର କ୍ରୀଡ଼ନକ ହୋଇ ବହୁ ଅନ୍ଧବିଶ୍ୱାସ ମଧ୍ୟରେ ନିଃସହାୟ ଓ ନିଷ୍କ୍ରିୟ ଜୀବନ ଯାପନ କରୁଥିଲା ।

 

ପ୍ରଚଳିତ ଯୁଗ ବିଭାଜନରୀତି ଅନୁସାରେ ଆମେ ବୌଦ୍ଧ ସହଜିଆ ଧର୍ମ ପ୍ରଧାନ ଚର୍ଯ୍ୟାପଦ ନାଥସାହିତ୍ୟ, ଶୈବସାହିତ୍ୟ ଓ ସାରଳାସାହିତ୍ୟ କେଶବକୋଇଲି (ମାର୍କଣ୍ଡଦାସ) ପ୍ରଭୃତିକୁ ପ୍ରାଚୀନ ସାହିତ୍ୟ ଏବଂ ଷୋଡ଼ଶ ଶତାବ୍ଦୀର ପଞ୍ଚସଖାଙ୍କ ରଚନାଠାରୁ ଊନବିଂଶ ଶତାବ୍ଦୀର ପ୍ରଥମଭାଗ ପର୍ଯ୍ୟନ୍ତ ବିଭିନ୍ନ କବିଙ୍କର ରଚନାକୁ ମଧ୍ୟଯୁଗୀୟ ରଚନା ଭାବରେ ଗ୍ରହଣ କରିଥାଉଁ ।

 

ମଧ୍ୟଯୁଗର ଓଡ଼ିଆ ସାହିତ୍ୟକୁ ସୁରେନ୍ଦ୍ର ମହାନ୍ତି ପୂର୍ବ ମଧ୍ୟକାଳୀନ ଓ ଉତ୍ତର ମଧ୍ୟକାଳ ଭାବରେ ବିଭକ୍ତ କରି ପଞ୍ଚସଖାଙ୍କ ରଚନାଠାରୁ ସପ୍ତଦଶ ଶତାବ୍ଦୀର ମୁଖ୍ୟତଃ ରୀତିଧର୍ମୀ ଆଖ୍ୟାୟିକା କାବ୍ୟଗୁଡ଼ିକୁ ପୂର୍ବ ମଧ୍ୟକାଳର ରଚନା ଏବଂ ଉପେନ୍ଦ୍ରଭଞ୍ଜଙ୍କଠାରୁ ଯଦୁମଣି ମହାପାତ୍ରଙ୍କର ଅଳଙ୍କାର ପ୍ରଧାନ ରଚନାଗୁଡ଼ିକୁ ଉତ୍ତର ମଧ୍ୟକାଳର ରଚନା ଭାବରେ ବିଚାର ବିମର୍ଶ କରିଛନ୍ତି । ସାହିତ୍ୟର ଐତିହାସିକ ଓ ସମାଲୋଚକମାନେ ଉଭୟ ପ୍ରାଚୀନ ଓ ମଧ୍ୟଯୁଗୀୟ ରଚନାମଧ୍ୟରେ ଓଡ଼ିଆ ସାହିତ୍ୟର ବିଭିନ୍ନ ରୂପ ଯଥା ଚଉତିଶା, କୋଇଲି, ପୁରାଣ, ଗୀତା ସଂହିତା, କାବ୍ୟ, ଚମ୍ପୁ, ପଦାବଳୀ, ବୋଲି, ଅଷ୍ଟକ, ଭଜନ, ଜଣାଣ, ସ୍ତୁତି, ପଦୀ, ମଙ୍ଗଳ, ମାଳଶ୍ରୀ, ଚଉପଦି, ପୋଇ ଓ ଗଦ୍ୟ ରଚନାର (ମୁଖ୍ୟତଃ କଥା ବା କାହାଣୀ) ବିଚାର କରିଥା’ନ୍ତି ।

 

ପ୍ରାଚୀନ ଓ ମଧ୍ୟଯୁଗର ଓଡ଼ିଆ ସାହିତ୍ୟର ସ୍ୱରୂପ ସ୍ଥୁଳତଃ ବିଚାର କଲେ ଆମେ ମୁଖ୍ୟତଃ ଦୁଇଟି ବିଭାବ ଲକ୍ଷ୍ୟ କରିବା- ଗୋଟିଏ ହେଲା ଧର୍ମ ପ୍ରଧାନ ପୌରାଣିକ ତତ୍ତ୍ୱନିଷ୍ଠ ରଚନା, ଅନ୍ୟଟି ହେଲା ରସ ଓ ସୌନ୍ଦର୍ଯ୍ୟ ପ୍ରଧାନ କାବ୍ୟ, ସଙ୍ଗୀତ, ଚଉପଦୀ, ଚମ୍ପୂ ଇତ୍ୟାଦିର ରଚନା । ପୁରାଣ ଓ ଧର୍ମତତ୍ତ୍ୱନିଷ୍ଠ ସାହିତ୍ୟରେ ଅନ୍ତର୍ଦୃଷ୍ଟି ସମ୍ପନ୍ନ ଜୀବନବୋଧ ନଥିଲା ବା ବହିର୍ଦୃଷ୍ଟି ସମ୍ପନ୍ନ ଜୀବନ ସମୀକ୍ଷା ନଥିଲା । ଜୀବନର ସୌନ୍ଦର୍ଯ୍ୟ ଓ ବୈଚିତ୍ର୍ୟ ଅପେକ୍ଷା ପରଲୋକର ଭାବନା ଏ ସାହିତ୍ୟକୁ ଜୀବନଠାରୁ ସ୍ୱତନ୍ତ୍ର କରି ଦେଇଛି । ଶ୍ରୀଯୁକ୍ତ ମହାନ୍ତିଙ୍କ ବିଶ୍ଳେଷଣ ଅନୁଯାୟୀ ବୈଦେଶିକ ଆକ୍ରମଣ ଫଳରେ ଭାରତୀୟ ଜୀବନରେ ଯେଉଁ ଅବସାଦ ଦେଖା ଦେଇଥିଲା ଭକ୍ତି ଧର୍ମରେ ତାହା ଏକ ପ୍ରକାର ଆଧ୍ୟାତ୍ମିକ ସାନ୍ତ୍ୱନା ଲାଭ କରିଥିଲା । ଭକ୍ତିର ଯେଉଁ ଦୁଇଟି ଧାରା, ଯଥା ଜ୍ଞାନମିଶ୍ର ଭକ୍ତି ଓ ଶୁଦ୍ଧାଭକ୍ତି ପ୍ରକାଶ ପାଇଲା, ତନ୍ମଧ୍ୟରେ ଜ୍ଞାନମିଶ୍ର ଭକ୍ତି ସମ୍ବଳିତ ସାହିତ୍ୟ ଥିଲା ନୀରସ ଓ ଜୀବନର ଉଷ୍ଣତା ସ୍ପର୍ଶ ଶୂନ୍ୟ; କିନ୍ତୁ ଶୁଦ୍ଧାଭକ୍ତି ବା ପ୍ରେମଭକ୍ତି ସମ୍ବଳିତ ରଚନା ଥିଲା ସମ୍ବେଦନ ଧର୍ମୀ ଓ ମାନବୀୟ ଉଷ୍ଣତା ପରିପୂର୍ଣ୍ଣ । (୬)

 

୬.

ସୁରେନ୍ଦ୍ର ମହାନ୍ତି, ଓଡ଼ିଆ ସାହିତ୍ୟର ମଧ୍ୟପର୍ବ, ପୃ.୨୩ ।

 

ବିଭିନ୍ନ କାଳରେ ଓଡ଼ିଆ ସାହିତ୍ୟର ବିଭିନ୍ନ ପ୍ରକାର ଭେଦ ମଧ୍ୟରେ ଓଡ଼ିଶାର ବ୍ୟକ୍ତି ଓ ସାମାଜିକ ଜୀବନରେ ସେଗୁଡ଼ିକର ଆବେଗ ଓ ଆବେଦନ, ଜାତିକୁ ଗଠନ କରିବା ଦିଗରେ ସେଗୁଡ଼ିକର ଅବଦାନ ଆମର ବିଚାର୍ଯ୍ୟ ।

 

ଓଡ଼ିଆ ସାହିତ୍ୟର ଆଦି କାଳର ଭାସ୍ୱର ପ୍ରତିଭା ସାରଳା ଦାସଙ୍କୁ ବହୁ ପୂର୍ବରୁ ଆମେ ବୌଦ୍ଧ ସହଜିଆ ସିଦ୍ଧାଚାର୍ଯ୍ୟମାନଙ୍କ ରଚନା ଚର୍ଯ୍ୟାଗୀତିଗୁଡ଼ିକୁ ଓଡ଼ିଆ ସାହିତ୍ୟର ପ୍ରାଚୀନତମ ନିଦର୍ଶନ ଭାବରେ ଆପାତତଃ ଗ୍ରହଣ କରୁଁ । ଧମଣ ଚମଣ, ଆଳୀ, କାଳୀ, ଶବର ଶବରୀ ପ୍ରଭୃତି ରୂପକ ମାଧ୍ୟମରେ ଦ୍ୱୈତର ଅପ୍ରାକୃତ ଲୀଳା ବୌଦ୍ଧଚର୍ଯ୍ୟାଗୀତି ଗୁଡ଼ିକରେ ବର୍ଣ୍ଣିତ ହୋଇଥିଲେ ମଧ୍ୟ ଅଦ୍ୱୈତଶୂନ୍ୟର ଉପଲବ୍‌ଧି ଏଗୁଡ଼ିକର ଲକ୍ଷ୍ୟ । କିନ୍ତୁ ବୌଦ୍ଧଧର୍ମର ମହାଯାନ ଶାଖାଠାରୁ ବଜ୍ରଯାନ ପର୍ଯ୍ୟନ୍ତ ଦ୍ୱୈତବାଦର ତାତ୍ତ୍ୱିକ ଅଭିବ୍ୟକ୍ତି ଓ ଆଧ୍ୟାତ୍ମିକତା ଛଳରେ ଯୌନ ବ୍ୟଭିଚାରର ନିନ୍ଦନୀୟ ଅଭିବ୍ୟକ୍ତି ସେଗୁଡ଼ିକୁ ନିନ୍ଦିତ କରିଥିଲା । ତା’ର ଏକ ପ୍ରତିକ୍ରିୟା ସ୍ୱରୂପ ସହଜାନନ୍ଦ ମଧ୍ୟରେ ଶୂନ୍ୟର ଉପଲବ୍‌ଧି ତତ୍ତ୍ୱ ପ୍ରତିଷ୍ଠା କରି ସହଜଯାନର ଆବିର୍ଭାବ ହେଲା । ପ୍ରବୃତ୍ତି ଓ ନିବୃତ୍ତି ବିଚାରର ଉର୍ଦ୍ଧ୍ୱରେ ସହଜାନନ୍ଦ ମଧ୍ୟରେ ଶୂନ୍ୟର ଉପଲବ୍‌ଧି ହେଲା ଏହାର ତାତ୍ତ୍ୱିକ ନିର୍ଯ୍ୟାସ । କିନ୍ତୁ ଯୌନ ବ୍ୟଭିଚାର ମଧ୍ୟରେ ତାହା ମଧ୍ୟ ବିଡ଼ମ୍ବିତ ହୋଇ ପଡ଼ିଲା । ଅଭ୍ୟୁତ୍‌ଥିତ ବ୍ରାହ୍ମଣ୍ୟଧର୍ମର ଆକ୍ରମଣରୁ (ପ୍ରାବଲ୍ୟରୁ) ନିଜକୁ ରକ୍ଷା କରିବା ପାଇଁ ତାନ୍ତ୍ରିକ ବୌଦ୍ଧଧର୍ମ ଶୈବାଚାରରେ ଆତ୍ମଗୋପନ କରି ପରବର୍ତ୍ତୀ କାଳରେ ନାଥଧର୍ମ ନାମରେ ପରିଚିତ ହୁଏ, ଯାହାକୁ ସହଜିଆ ତନ୍ତ୍ର ସାଧନାରେ ପରବର୍ତ୍ତୀ ରୂପାନ୍ତର ଭାବରେ ବିଚାର କରାଯାଇ ପାରେ । (୭)

 

୭.

ଓ.ସା.ର ଆଦିପର୍ବ, ପୃ. ୫୦।୫୧ ।

 

ଅଷ୍ଟାଙ୍ଗ ଯୋଗ ସାଧନା ଓ ପ୍ରାଣାୟାମଦ୍ୱାରା ପିଣ୍ଡରେ ପ୍ରବାହିତ ବାୟୁକୁ ନିରୁଦ୍ଧ କରି ତାହା ଷଟ୍‌ଚକ୍ର ମଧ୍ୟସ୍ଥ ସୁଷୁମ୍ନାରେ ସଞ୍ଚାଳିତ କରି ସହସ୍ରାରରେ ମହାଶୂନ୍ୟ ଧ୍ୟାନ ଜନିତ ଭୂମାର ଉପଲବ୍‌ଧିଦ୍ୱାରା ସହଜାନନ୍ଦ ଲାଭର ପିଣ୍ଡ ବ୍ରହ୍ମାଣ୍ଡ ସାଧନା ପରବର୍ତ୍ତୀ ପଞ୍ଚସଖା ସାହିତ୍ୟର ହୋଇଛି ଆଧ୍ୟାତ୍ମିକ ତତ୍ତ୍ୱ । ଏହି ସାହିତ୍ୟରେ ଗଙ୍ଗା, ଯମୁନା, ସରସ୍ୱତୀ, ମହାମାୟା, ଅର୍ଦ୍ଧମାତ୍ରା, ବିନ୍ଦୁ, ହଂସ ଆଦି ରୂପକରେ ଯେପରି ଯୋଗାଚାର ପନ୍ଥା ସାଧକମାନଙ୍କ ପାଇଁ ଉଦ୍ଦିଷ୍ଟ, ସହଜିଆ ଚର୍ଯ୍ୟାଗୀତିରେ ତା’ର ପ୍ରଥମ ସଙ୍କେତ ଦେଖାଦେଇଛି ବୋଲି ଗବେଷକମାନେ ଅନୁମାନ କରନ୍ତି । ଦୂର୍ବୋଧ୍ୟ ରୂପକ ଓ କ୍ଳିଷ୍ଟ ଭାଷା ହେତୁ ଓଡ଼ିଆ ସାହିତ୍ୟର ଆଦ୍ୟ ନିଦର୍ଶନ ଚର୍ଯ୍ୟାଗୀତିଗୁଡ଼ିକର ସାହିତ୍ୟିକ ମୂଲ୍ୟ ପାଠକମାନଙ୍କ ନିକଟରେ ଅସ୍ପଷ୍ଟ ହେଲେ ମଧ୍ୟ ଅନୁଭୂତିର ତୀବ୍ରତା ଓ ବର୍ଣ୍ଣନା କୁଶଳତା ହେତୁ କେତେକ ଗୀତିର ସାହିତ୍ୟିକ ମୂଲ୍ୟ ଅସ୍ୱୀକାର କରି ହୁଏ ନାହିଁ । ଶବରପାଦଙ୍କର ‘ଉଁଚା ଉଁଚା ପାବତ ତହିଁ ବସଇ ସବରୀ ବାଳୀ’ ଗୀତିଟିକୁ ଦୃଷ୍ଟାନ୍ତ ରୂପେ ଉଦ୍ଧାର କରାଯାଇ ପାରେ-

 

ସାଂସାରିକ ଭୋଗପ୍ରତି ଅନାଶକ୍ତି, ଯୋଗାଭ୍ୟାସ ଓ ନିର୍ବାଣମୁକ୍ତି ପାଇଁ ସନ୍ନ୍ୟାସ ଉପରେ ନାଥଧର୍ମ ଗୁରୁତ୍ୱ ପ୍ରଦାନ କରିଥିଲେ ମଧ୍ୟ ଏବଂ ଏହା ଶୈବମତବାଦ ଓ ଶୈବ ସଙ୍କେତଦ୍ୱାରା ପ୍ରଭାବିତ ହୋଇଥିଲେ ମଧ୍ୟ ଏହା ସହଜିଆ ବୌଦ୍ଧଧର୍ମର ଏକ ଶାଖା କହିଲେ ଅତ୍ୟୁକ୍ତି ହେବ ନାହିଁ-। ଗୋରକ୍ଷନାଥ, ମୀନନାଥ, ଜାଳନ୍ଧରୀ, କାହ୍ନୁପାଦ ଓ ଚୌରଙ୍ଗୀନାଥ ପ୍ରଭୃତି ନାଥଗୁରୁମାନଙ୍କ ମଧ୍ୟରୁ ଅନେକେ ସହଜିଆ ସିଦ୍ଧ ପରମ୍ପରାରେ ବିଶେଷ ପରିଚିତ । ନାଥ ସିଦ୍ଧମାନେ ବ୍ରହ୍ମଚାରୀ ଭାବରେ ପ୍ରବ୍ରଜ୍ୟା ଓ ଭିକ୍ଷାର ଆଶ୍ରୟ ନେଇ ଗୋବିନ୍ଦଚନ୍ଦ୍ର ସନ୍ୟାସ ଗାଥା ମର୍ମସ୍ପର୍ଶୀ କରୁଣ ରାଗିଣୀରେ ଗାନ କରି ଶ୍ରୋତାର ଅନ୍ତରରେ ସଂସାର ବିରାଗ ଜନିତ କରୁଣ ଆବେଦନ ସୃଷ୍ଟିକଲେ ମଧ୍ୟ ଗୋରକ୍ଷନାଥଙ୍କୁ ଛାଡ଼ି ଅନ୍ୟ ନାଥସିଦ୍ଧମାନେ ବ୍ରହ୍ମଚର୍ଯ୍ୟା ଶ୍ରମ ତ୍ୟାଗ କରି ଯୌନଲାଳସା ଚରିତାର୍ଥରେ ନିଜର ଧର୍ମୀୟ ସାଧନ ପରମ୍ପରାକୁ ବିଡ଼ମ୍ବିତ କରିଥିବାର ସଙ୍କେତ ସାରଳା ମହାଭାରତର ଦ୍ରୌପଦୀଙ୍କ ପୂର୍ବଜନ୍ମର କେତୁକା ଉପାଖ୍ୟାନରୁ ମିଳିଥାଏ । ଶ୍ରୀ ମହାନ୍ତିଙ୍କ ଭାଷାରେ- ‘‘ବୁଦ୍ଧଙ୍କଠାରୁ ଚୈତନ୍ୟଙ୍କ ପର୍ଯ୍ୟନ୍ତ ଯୌନଲାଳସାର ଉଦ୍‌ଗମନଦ୍ୱାରା ସାଧନାର ପଥକୁ ନିର୍ମଳ କରିବାପାଇଁ ଶତ ଉଦ୍ୟମ କରାଯାଇଥିଲେ ହେଁ ପରକୀୟା ମୋହ ସବୁ ସାଧନା ଓ ସିଦ୍ଧିକୁ ଭ୍ରଷ୍ଟ କରି ଦେଇଛି ।’’ (୮)

 

୮.

ତତ୍ରୈବ, ପୃ. ୬୫ ।

 

ନାଥଧର୍ମର ଶୂନ୍ୟତତ୍ତ୍ୱ ପ୍ରଧାନ ଶିଶୁଦେବ, ସପ୍ତାଙ୍ଗ ଯୋଗ ଧାରଣ, ଅମରକୋଷ ଗୀତାକୁ ଛାଡ଼ିଦେଲେ ଗୋବିନ୍ଦଚନ୍ଦ୍ର ସନ୍ନ୍ୟାସ ସମ୍ବଳିତ ରଚନାର ଗାନ (ଯଶୋବନ୍ତଙ୍କର ଗୀତଗୋବିନ୍ଦଚନ୍ଦ୍ର, ଉଦ୍ଧବ ଦାସଙ୍କର ଟୀକା ଗୋବିନ୍ଦ ଚନ୍ଦ୍ର) ଯୋଗୀଙ୍କ କେନ୍ଦରା ସାହାଯ୍ୟରେ ଏବେବି ଶ୍ରୋତାଙ୍କ ଚକ୍ଷୁକୁ ଅଶ୍ରୁସିକ୍ତ କରିଥାଏ ।

 

ସାରଳାଙ୍କ ପୂର୍ବରୁ ଶିବ ପାର୍ବତୀଙ୍କର ବିବାହକୁ ଭିତ୍ତିକରି ରଚିତ ହୋଇଥିବା ସ୍ୱକୀୟା ପ୍ରେମ ପ୍ରଧାନ ‘କଳସା ଚଉତିଶା’ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ରଚନାର ରୂପ, ଛନ୍ଦ, ପ୍ରକାଶଭଙ୍ଗୀ ଓ ବିଷୟବସ୍ତୁ ଦୃଷ୍ଟିରୁ ଆଦିକାଳରେ ଏକ ଅପୂର୍ବ ସୃଷ୍ଟି । ଶିବ ଆର୍ଯ୍ୟୋତର ବ୍ରାତ୍ୟ ସମାଜର ଏକ ପ୍ରାଚୀନ ଧର୍ମାଚାରରୁ ଉଦ୍ଭୂତ ହୋଇଥିବାରୁ ମହାଦେବତ୍ୱର ସମସ୍ତ ଆଭିଜାତ୍ୟ ବର୍ଜିତ ହୋଇ ଗ୍ରାମ୍ୟ ଜୀବନର ଜଣେ ପ୍ରତିନିଧି ରୂପେ କଳସା ଚଉତିଶା ଓ ଅନ୍ୟ ଶୈବ ସାହିତ୍ୟରେ ଲକ୍ଷିତ ହୁଅନ୍ତି । ପୂର୍ବର ଜଟିଳ, ତତ୍ତ୍ୱପ୍ରଧାନ ରଚନାର ବ୍ୟତିକ୍ରମ ଘଟାଇ ଏକ ବାସ୍ତବ, ଜୀବନଧର୍ମୀ ସାହିତ୍ୟ ଭାବରେ ଶୈବ ସାହିତ୍ୟର ଆବିର୍ଭାବ ଘଟିଛି । ଶିବ ପାର୍ବତୀଙ୍କୁ ଉପଲକ୍ଷ କରି ସମାଜରେ ଅଭାବ ଦୁଃଖ ନିପୀଡ଼ିତ ସାଧାରଣ ନରନାରୀଙ୍କର ଜୀବନର ଛବି କଳସା ଚଉତିଶାରେ ଅଙ୍କିତ ହୋଇଛି । ଚଉତିଶା :ଏହି ପ୍ରାଚୀନ ସାହିତ୍ୟିକ ରୂପ ଓଡ଼ିଆ ସାହିତ୍ୟର ଏକ ଆକର୍ଷଣୀୟ ବୈଶିଷ୍ଟ୍ୟ ହୋଇଥିବାରୁ ଏହାର ପ୍ରୟୋଗ ଓ ଲୋକପ୍ରିୟତା କାବ୍ୟଯୁଗର ଶେଷ ପର୍ଯ୍ୟନ୍ତ ଅପ୍ରତିହତ ରହିଛି । ରାଧାକୃଷ୍ଣଙ୍କର ପ୍ରେମ, ଲୌକିକ ନାୟକ ନାୟିକାଙ୍କର ପ୍ରେମାନୁଭୂତି ଏବଂ ଆଧ୍ୟାତ୍ମିକ ଓ ବୈରାଗ୍ୟଭାବ ମୂଳକ ବହୁ ଲୋକପ୍ରିୟ ଚଉତିଶା ପରବର୍ତ୍ତୀ କାଳରେ ରଚିତ ହୋଇଛି । ମାନବୀୟ ପ୍ରଣୟାନୁଭୂତି, ତା’ର ବ୍ୟଥା, ଆଶା ନିରାଶାର ଆବେଗ ଓ ଉଚ୍ଛ୍ୱାସପୂର୍ଣ୍ଣ ଭାବରାଜି ସ୍ୱତଃସ୍ଫୁର୍ତ୍ତ ଅଭିବ୍ୟକ୍ତି ଲାଭ କରି ପାଠକ ଓ ଶ୍ରୋତାର ଚିତ୍ତରେ ଆଲୋଡ଼ନ ସୃଷ୍ଟି କରି ଆସିଛି । କଳସା ଚଉତିଶାରେ ଏକ ଛଦ୍ମ ବୃଦ୍ଧ ବେଶରେ ପାର୍ବତୀଙ୍କୁ ବିବାହ କରିବାକୁ ଆସିଥିବା ଶିବଙ୍କୁ ଲକ୍ଷ୍ୟ କରି ମାତା ମେନକାଙ୍କର ମର୍ମବେଦନାରେ ଏକ ସାମାଜିକ କଳଙ୍କ ପ୍ରତି କବିଙ୍କର ଏକ ବାସ୍ତବଧର୍ମୀ ଦୃଷ୍ଟିଭଙ୍ଗୀ ପରିସ୍ଫୁଟ ହୋଇ ଉଠିଛି ।

 

ଅନ୍ୟ ଶୈବ ସାହିତ୍ୟ ମଧ୍ୟରେ ନାରାୟଣାନନ୍ଦ ଅବଧୂତ ସ୍ୱାମୀଙ୍କର ‘ରୁଦ୍ରସୁଧାନିଧି’ ଏକ ପଦ୍ୟଧର୍ମୀ ପ୍ରାଚୀନ ଗଦ୍ୟ କାହାଣୀ ରୂପରେ ମାର୍ଜିତ ଭାଷା ଓ ଆଳଙ୍କାରିକ ପ୍ରକାଶଭଙ୍ଗୀ ଦୃଷ୍ଟିରୁ ଓଡ଼ିଆ ସାହିତ୍ୟରେ ଅନ୍ୟ ଏକ ଅମୂଲ୍ୟ ରତ୍ନ ।

 

ସ୍ୱାଧୀନ ଉତ୍କଳ ସାମ୍ରାଜ୍ୟର ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରାରମ୍ଭିକ କାଳରେ ଓଡ଼ିଆ ଜାତିର ଭାଷା ଓ ତା’ର ପ୍ରାଣ ପ୍ରତିଷ୍ଠାତା ଭାବରେ ଆମେ ଲକ୍ଷ୍ୟ କରୁଁ ସାରଳା ଦାସଙ୍କୁ । ସାରଳାଙ୍କ ସମୟକୁ ଓଡ଼ିଆ ଭାଷା ଓ ସାହିତ୍ୟର ଅବିକଶିତ ଅବସ୍ଥାରେ ସଂସ୍କୃତ ସାହିତ୍ୟର ଅନୁଶୀଳନ ଏକ ନୂତନ ଚୂଡ଼ା ସ୍ପର୍ଶ କରିଥିଲେ ମଧ୍ୟ ଚସର ଇଂରାଜି ସାହିତ୍ୟକୁ ଫରାସୀ ଭାଷା ଓ ସାହିତ୍ୟର ଆଧିପତ୍ୟରୁ ମୁକ୍ତ କରି ଯେପରି ସ୍ୱକୀୟତାର ଭିତ୍ତିରେ ପ୍ରତିଷ୍ଠିତ କରିଥିଲେ, ସାରଳା ଦାସ ସେହିପରି ସ୍ୱକୀୟ ପ୍ରତିଭାରେ ଓଡ଼ିଆ ଭାଷା ଓ ସାହିତ୍ୟକୁ ସଂସ୍କୃତ ପ୍ରଭାବରୁ ମୁକ୍ତ କରି ସ୍ୱକୀୟ ସୌନ୍ଦର୍ଯ୍ୟ ମଣ୍ଡିତ କରିଥିଲେ । ସୂର୍ଯ୍ୟବଂଶୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ସମୟର ସମୃଦ୍ଧ ଉତ୍କଳ ଓ ଉତ୍କଳୀୟ ଜୀବନର ଆଲେଖ୍ୟ ମିଳେ ତାଙ୍କର ଅନବଦ୍ୟ କୃତି ‘ମହାଭାରତ’ରେ ।

 

ତାଙ୍କର ମହାଭାରତ ବ୍ୟାସଙ୍କର ସଂସ୍କୃତ ମହାଭାରତର ଅନୁକୃତି ବା ଅନୁବାଦ ନୁହେଁ; ଏହା ତାଙ୍କର ଏକ ସ୍ୱତନ୍ତ୍ର ସୃଷ୍ଟି । ଲୋକଚିତ୍ତ ଆଲୋଡ଼ନପାଇଁ ମୁଖ୍ୟତଃ ଲୋକଭାଷାରେ ମହାଭାରତର କାହାଣୀକୁ ପରିସ୍ଫୁଟ କରିବାପାଇଁ ବିଭିନ୍ନ ଉପାଖ୍ୟାନ ଓ ଜନଶ୍ରୁତି ବର୍ଣ୍ଣନା ଛଳରେ ସେ ସମାଜର ସାଧାରଣ ଲୋକ ଜୀବନର କାହାଣୀ ବର୍ଣ୍ଣନା କାରିଛନ୍ତି । ଆଦର୍ଶର ଆଧାରରେ ରଚିତ ମୂଳ ମହାଭାରତର ଚରିତ୍ରଗୁଡ଼ିକୁ ସମାଜର ସାଧାରଣ ସ୍ତରକୁ ଓହ୍ଲାଇ ଆଣି ନାନା ଦୋଷ ଦୁର୍ବଳତା ପୂର୍ଣ୍ଣ ରକ୍ତମାଂସର ଜୀବନ୍ତ ନରନାରୀ ଭାବରେ ଠିଆ କରାଇଛନ୍ତି । କବିଙ୍କର ଜଗତ୍ ହେଲା ଗୋଟିଏ ସାଧାରଣ କୃଷକର ଜଗତ୍ । ତା’ର ଧୂଳିମାଟି ପ୍ରତି ତାଙ୍କର ଅସୀମ ଶ୍ରଦ୍ଧା । କବି ଦ୍ୱନ୍ଦଯୁଦ୍ଧ, ସାମରିକ କ୍ରୀଡ଼ା ଓ ସମରାଭିଯାନର ଯେପରି ଜୀବନ୍ତ ବର୍ଣ୍ଣନା କରିଛନ୍ତି, ସେଥିରୁ ମନେହୁଏ, ତାହା ତାଙ୍କର ପ୍ରତ୍ୟକ୍ଷ ଅଭିଜ୍ଞତା ପ୍ରସୂତ ।

 

ମଣିଷ ସାମାଜିକ ଜୀବନର କେନ୍ଦ୍ରବିନ୍ଦୁ ହୋଇଥିବାରୁ ମହାଭାରତର ବିଭିନ୍ନ କାହାଣୀ ଓ ଘଟଣା ବୈଚିତ୍ର୍ୟ ମଧ୍ୟରେ ଆମେ ଯେଉଁ ଚରିତ୍ରଗୁଡ଼ିକୁ ଭେଟୁଁ, ସେମାନେ ଆମର ଅତି ନିକଟତର, ଅତି ଆପଣାର ପରି ମନେ ହୁଅନ୍ତି । ସଂସ୍ମୃତ ମହାଭାରତର ଅତିମାନବମାନଙ୍କ ସ୍ଥାନରେ ଆମେ ଦେଖୁଁ ରକ୍ତ ମାଂସର ବାସ୍ତବ ସ୍ତ୍ରୀ ପୁରୁଷଙ୍କୁ । ସେମାନେ କବିଙ୍କ ସମୟର ଓଡ଼ିଶୀ ଜାନପଦ ସଂସ୍କୃତି, ଚଳଣି ଓ ମାନସିକତାର ଜୀବନ୍ତ ପ୍ରତୀକ । ସେମାନେ ସୁଖ ଦୁଃଖ, ପ୍ରେମ ପ୍ରତିହିଂସା, ହସ କାନ୍ଦର ଏଇ ବାସ୍ତବ ଦୁନିଆରେ ଜୀବନ୍ତ ମଣିଷ । ସାରଳା ଦାସ ସାହିତ୍ୟ କହିଲେ ବୁଝିଥିଲେ ବିଚିତ୍ର ମଣିଷର ବିଚିତ୍ର ଜୀବନ । ସେ ଜୀବନକୁ ଦେଖିଥିଲେ କୃଷକର ବାସ୍ତବ ଦୃଷ୍ଟିକୋଣରୁ । ମଣିଷ ଜୀବନର ରୂଢ ବାସ୍ତବତା ତାଙ୍କ କଳ୍ପନାରେ ଗ୍ରହଣୀୟ ମନୋରମତାରେ ରୂପାନ୍ତରିତ ହୋଇଥିଲା । ଅଭିଜାତା ନାୟିକା ଦ୍ରୌପଦୀ ରାଜକନ୍ୟା ହୋଇ କୁମ୍ଭାର ଶାଳରେ ପାଉଁଶ ଓ ଅଙ୍ଗାର ଉପରେ ଶୟନକୁ ଭାଗ୍ୟର ବିଡ଼ମ୍ବନା ମଣିପାରେ । ରାଜଚକ୍ରବର୍ତ୍ତିନୀ ହୋଇ ସଉତୁଣୀ ହିଡ଼ିମ୍ବିକା ସହିତ ଇତରାନାରୀ ପରି କଳି କରିପାରେ । ପୁଣି ସତ୍ୟ ପ୍ରକାଶ ପାଇଁ ଶାଶୁ କୁନ୍ତୀଙ୍କ ସହ ନିଜର ମନର ଦୁର୍ବଳତା ପ୍ରକାଶରେ କୁଣ୍ଠାବୋଧ କରେ ନାହିଁ । (୯)

 

୯.

ଡଃ ମାୟାଧର ମାନସିଂହ, ଓଡ଼ିଆ ସାହିତ୍ୟର ଇତିହାସ, ପୃ- ୧୦୭-୧୦୯ ।

 

ତତ୍‌କାଳୀନ ଲୋକଙ୍କର ଧର୍ମୀୟ ଚେତନା (ପ୍ରାୟଶ୍ଚିତ ବିଧାନ), କର୍ତ୍ତବ୍ୟ ପାଳନ ଓ ବଚନ ରକ୍ଷା, ଯୌନ ଶୃଙ୍ଖଳା, ସାମାଜିକ ରୀତିନୀତି, ଜାତିଭେଦ, ବିବାହ, ବେଶ ପରିପାଟୀ, ଖାଦ୍ୟପେୟ, ଉତ୍ସବ ଓ ଯଜ୍ଞାନୁଷ୍ଠାନ, ଓଷାବ୍ରତ, ଜ୍ୟୋତିଷ, ସମର କୌଶଳ, ଧର୍ମମତବାଦ, ଆଦିବାସୀ ଆରଣ୍ୟକ ଚରିତ୍ର, ଜନ୍ମଭୂମିର ମହତ୍ତ୍ୱ, ଜାତିର ଦେବତା ଜଗନ୍ନାଥଙ୍କ ଚିତ୍ର ଜରିଆରେ ଓଡ଼ିଆ ଜାତୀୟ ଜୀବନର ବାସ୍ତବ ଆଲେଖ୍ୟ ଆଙ୍କି ଓଡ଼ିଆ ପାଠକ ଚିତ୍ତରେ ସାର୍ବକାଳିକ ଆବେଦନ ସୃଷ୍ଟି କରିଛନ୍ତି ।

 

କାହାଣୀ ଓ ଉପାଖ୍ୟାନ ବର୍ଣ୍ଣନାରେ ପୁରାଣ ସୁଲଭ ଅଲୌକିକତା ଓ ଅତିରଞ୍ଜନ ସତ୍ତ୍ୱେ ବିଭିନ୍ନ ଘଟଣାର ଘାତ ପ୍ରତିଘାତରେ ନାରୀ ପୁରୁଷର ହୃଦୟୋତ୍‌ଥିତ ଦୁଃଖ ଓ କ୍ରୋଧର ଯେଉଁ ଚିତ୍ର ଦେଇଛନ୍ତି, ପାଠକ ହୃଦୟରେ ତା’ର ଆବେଦନ ଚିରନ୍ତନ । ରକ୍ତନଦୀ ସନ୍ତରଣର ବର୍ଣ୍ଣନା ଅସ୍ୱାଭାବିକ ଓ ଅତିରଞ୍ଜିତ, କିନ୍ତୁ ମାନଗୋବିନ୍ଦ ଦୂର୍ଯ୍ୟୋଧନଙ୍କର ପୁତ୍ର ଲକ୍ଷ୍ମଣ କୁମାର ଶବରେ ରକ୍ତନଦୀ ସନ୍ତରଣ କରିବା ଏବଂ ନିଜର ପୁତ୍ରର ଶବ ଅଭିଜ୍ଞାନରେ ଜୀବନର ଚରମ ସଂକଟ ଓ ଘୋର ବିଷାଦପୂର୍ଣ୍ଣ ମୁହୂର୍ତ୍ତରେ ତାଙ୍କର ପିତୃହୃଦୟର ମର୍ମଭେଦୀ ବିଳାପ ଯେ କୌଣସି ପାଠକର ଚିତ୍ତକୁ ଦ୍ରବୀଭୂତ କରିବ । ଅନେଶତ ପୁତ୍ରଙ୍କୁ ହରାଇ ସତୀ ସାଧ୍ୱୀ ଗାନ୍ଧାରୀ ଚକ୍ଷୁରୁ ଅନ୍ଧ ପଟି୍‌କା ଉନ୍ମୋଚନପାଇଁ ଯୁଧିଷ୍ଠିରଙ୍କୁ କହନ୍ତେ, ଶ୍ରୀକୃଷ୍ଣଙ୍କର କୌଶଳପୂର୍ଣ୍ଣ ଇଙ୍ଗିତ କ୍ରମେ ଏକମାତ୍ର ଜୀବିତ ପୁତ୍ର ଦୁର୍ଦ୍ଦକ୍ଷଙ୍କର ଜନନୀଙ୍କର ଅନ୍ଧ ପଟି୍‌କା ବିମୋଚନ ଏବଂ ମାତା ଗାନ୍ଧାରୀଙ୍କର ଦୃଷ୍ଟିର ଜ୍ୱଳନ୍ତ ପ୍ରଭାବରେ ନାଟକୀୟ ଭାବରେ ଦୁର୍ଦ୍ଦକ୍ଷ ଭସ୍ମୀଭୂତ ହେବା ଏବଂ ଶ୍ରୀକୃଷ୍ଣଙ୍କ ପ୍ରତି କ୍ଷୁବ୍‌ଧ ଜନନୀ ପ୍ରାଣର ଅଭିଶାପର ଚିତ୍ର ଭାରତୀୟ ତଥା ବିଶ୍ୱସାହିତ୍ୟରେ ଅନନ୍ୟ । (୧୦) ହୁଣ୍ଡା, ଗୁଣ୍ଡା ଓ ପେଟୁକ ଭାବରେ କବି ଭୀମଙ୍କୁ ଚିତ୍ରିତ କରିଥିଲେ ମଧ୍ୟ, ସମୟ ବିଶେଷରେ ଜ୍ୟେଷ୍ଠଭ୍ରାତା ଯୁଧିଷ୍ଠିର ଓ ମାତା କୁନ୍ତୀଙ୍କ ପ୍ରତି ରୁକ୍ଷ ବ୍ୟବହାର ସତ୍ତ୍ୱେ ମହାପ୍ରସ୍ଥାନ କାଳରେ ଦ୍ରୌପଦୀ ଓ କନିଷ୍ଠ ଭ୍ରାତାମାନଙ୍କର ପତନରେ ତାଙ୍କ ହୃଦୟର କାରୁଣ୍ୟ ବିଜଡ଼ିତ ମାନବିକତାର ସ୍ପର୍ଶ ପାଠକ ଚିତ୍ତରେ କାରୁଣ୍ୟର ଆବେଦନ ସୃଷ୍ଟିକରେ ।

 

୧୦.

ଓ.ସ.ର ଆଦିପର୍ବ, ପୃ ୧୮୫-୧୮୭ ।

 

ପଞ୍ଚସଖା-

ବଳରାମ, ଯଶୋବନ୍ତ, ଜଗନ୍ନାଥ, ଅନନ୍ତ ଓ ଅଚ୍ୟୁତ ଓଡ଼ିଶାର ମଧ୍ୟଯୁଗର ଏଇ ଯୋଗ- ଜ୍ଞାନ- ଭକ୍ତ ପଣ୍ଡିତ ସାଧକ କବି ବୃନ୍ଦ ଶୁଦ୍ଧାଭକ୍ତିବାଦୀ ଚୈତନ୍ୟଙ୍କର ପଞ୍ଚସଖା ହୁଅନ୍ତୁ ବା ଇତିହାସ, ତତ୍ତ୍ୱ, ଲୀଳା ଦୃଷ୍ଟିରୁ ଜଗନ୍ନାଥକୈନ୍ଦ୍ରିକ ଓଡ଼ିଶୀ ବୈଷ୍ଣବ ଧର୍ମର ପଞ୍ଚସଖା ହୁଅନ୍ତୁ, ସେମାନଙ୍କର ନିଜସ୍ୱ ସାଧନା ଓ ବିପୁଳାୟତନ ତତ୍ତ୍ୱପ୍ରଧାନ ରଚନାଦ୍ୱାରା ସେମାନେ ଓଡ଼ିଶାର ଲୋକଜୀବନ ଓ ସମାଜ ଉପରେ ଗଭୀର ପ୍ରଭାବ ବିସ୍ତାର କରିଛନ୍ତି । ସେମାନେ ଯେ ଓଡ଼ିଶାରେ ବିଭିନ୍ନ ଶତବ୍ଦୀରେ ପ୍ରବାହିତ ବିଭିନ୍ନ ଧର୍ମଧାରା, ଯଥା ବୌଦ୍ଧ, ଶୈବ, ଶାକ୍ତ, ନାଥ ଓ ବୈଷ୍ଣବ ମତ ଓ ପରମ୍ପରାର ବିଚିତ୍ର ସମନ୍ୱୟାତ୍ମକ ପରିଣତି,ଏଥିରେ ସନ୍ଦେହ ନାହିଁ । ଶୂନ୍ୟବାଦ ଭିତ୍ତିକ ସେମାନଙ୍କର ଅଜସ୍ର ରଚନା ମଧ୍ୟରେ ବୌଦ୍ଧ ସହଜ ତାନ୍ତ୍ରିକ ପରମ୍ପରା (ସହଜିଆ ଯୌନ ଯୌଗିକ ସାଧନ ତତ୍ତ୍ୱ), ନାଥଧର୍ମର ଯୋଗ ଓ ପିଣ୍ତବ୍ରହ୍ମାଣ୍ତତତ୍ତ୍ୱ ଏବଂ ଶୁଦ୍ଧାଭକ୍ତି ବୌଷ୍ଣବ ପରମ୍ପରାର ରାଧାକୃଷ୍ଣ ତତ୍ତ୍ୱ ଓ ନାମତତ୍ତ୍ୱର ସଙ୍କେତ ମିଳୁଥିଲେ ମଧ୍ୟ ସେ ସମସ୍ତର ଉର୍ଦ୍ଧ୍ୱରେ ନିଜସ୍ୱ ସାଧନ ପରମ୍ପରାରେ ସ୍ୱକୀୟତାର ସ୍ୱାକ୍ଷର ଦେଇଯାଛନ୍ତି । ଧର୍ମତତ୍ତ୍ୱ ସୃଷ୍ଟି, ସ୍ରଷ୍ଟା ଓ ମାନବଜୀବନ ସମ୍ପର୍କରେ ଗଭୀର ଆଧ୍ୟାତ୍ମିକ ଜିଜ୍ଞାସା ଭାରତର ଅନ୍ୟପ୍ରାନ୍ତର ପ୍ରାଚୀନ ସାହିତ୍ୟ ପରି ଓଡ଼ିଆ ସାହିତ୍ୟର ମୁଖ୍ୟ ଉପଜୀବ୍ୟ ଥିଲା । ତେବେ ସାହିତ୍ୟର ସୃଜନ-ଧର୍ମୀ ଗୁଣାତ୍ମକ ବିଚାର ଦୃଷ୍ଟିରୁ ଅଧିକାଂଶ ରଚନାର ବିଶେଷ ମୂଲ୍ୟ ନଥିଲେ ମଧ୍ୟ ସାହିତ୍ୟରେ ଅବସ୍ଥା ଓ ପ୍ରକାଶର ବିଭିନ୍ନ ପର୍ଯ୍ୟାୟ ଦୃଷ୍ଟିରୁ ସେଗୁଡ଼ିକର ମୂଲ୍ୟ ଅସ୍ୱୀକାର କରିହେବ ନାହିଁ । (୧୧)

 

୧୧.

ତତ୍ରୈବ, ପୃ ୫୯ ।

 

ପଞ୍ଚସଖାଙ୍କର ବହୁ ତାତ୍ତ୍ୱିକ ରଚନା (ବଳରାମଙ୍କର ବେଦାନ୍ତସାର ଗୁପ୍ତଗୀତା, ଅମରକୋଷଗୀତା, ବ୍ରହ୍ମାଣ୍ତ ଭୁଗୋଳ, ପ୍ରେମଭକ୍ତି ବ୍ରହ୍ମଗୀତା, ଜଗନ୍ନାଥଙ୍କର ତୁଳାଭିଣା, ଅଚ୍ୟୁତାନନ୍ଦଙ୍କର ଶୁନ୍ୟସଂହିତା, ନିର୍ଗୁଣ ମାହାତ୍ମ୍ୟ ଆଦି), ଅଧ୍ୟାତ୍ମଚେତନା ସଂକ୍ରମଣକାରୀ ବହୁ ଭଜନ,ଏବେବି ଉତ୍କଳର ସାଧାରଣ ଓ ଧର୍ମପ୍ରାଣ ବ୍ୟକ୍ତିଙ୍କ ଚିତ୍ତରେ ଆଲୋଡ଼ନ ସୃଷ୍ଟିକରେ । ସେମାନେ ମୁଖ୍ୟତଃ ବଳରାମ ଓ ଜଗନ୍ନାଥ ବେଦ, ବେଦାନ୍ତ, ଉପନିଷଦ ଓ ସ୍ୱକୀୟ ଓ ସାଧନାନୁଭୂତିର ଜଟିଳ ଦାର୍ଶନିକ ତଥା ଆଧ୍ୟତ୍ମିକ ତତ୍ତ୍ୱଗୁଡ଼ିକୁ ଲୋକଜୀବନ ସହ ଅନ୍ୱିତ କରି ଅତି ସରଳ ଭାଷା ଓ ଆଙ୍ଗିକରେ ଏପରି ରୂପ ଦେଇଛନ୍ତି, ସାଧାରଣ ଲୋକ ଚିତ୍ତରେ ତା’ର ପ୍ରଭାବ ସାର୍ବକାଳିକ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଦୀର୍ଘ ପାଞ୍ଚଶତ ବର୍ଷଧରି ଓଡ଼ିଆ ଜୀବନ ଓ ସମାଜ ଉପରେ ଜଗନ୍ନାଥଦାଶଙ୍କର ଭାଗବତର ପ୍ରଭାବ ଅନତିକ୍ରମଣୀୟ ରହିଛି । ଶ୍ରୀମଦ୍‌ ଭାଗବତ ବେଦ, ବେଦାନ୍ତ, ତନ୍ତ୍ର, ସଂହିତା ଓ ଅନ୍ୟ ସତରଟି ପୁରାଣର ନିର୍ଯ୍ୟାସ ବହନ କରିଥିବାରୁ ଭାଗବତ ଦୀର୍ଘକାଳ ଧରି ଓଡ଼ିଆଙ୍କର ବ୍ୟକ୍ତିଗତ, ପାରିବାରିକ, ସାମାଜିକ, ନୈତିକ ଆଧ୍ୟାତ୍ମିକ ଓ ଜାତୀୟ ଜୀବନକୁ ଗଠନ କରିବା ସଙ୍ଗେ ସଙ୍ଗେ ପ୍ରେମ, ମୈତ୍ରୀ ଓ ଭାତୃତ୍ୱର ବନ୍ଧନ ଦୃଢ଼ କରିଛି । ଜନବୋଧ୍ୟ ଭାଷାରେ ଭାଗବତର ବିଭିନ୍ନ ଉପାଖ୍ୟାନ ଲୋକଙ୍କର ଚିତ୍ତରଞ୍ଜନ କରିବା ସଙ୍ଗେସଙ୍ଗେ ବହୁ ପ୍ରଭାବଶାଳୀ ନୀତିବାଣୀ ଲୋକଙ୍କର ସାଂସାରିକ ଜୀବନକୁ ସୁସ୍ଥ, ସୁନ୍ଦର ଓ ଶ୍ରେୟସ୍କର କରି ଗଠନ କରିବାର ପ୍ରେରଣା ଦେଇଆସିଛି । ଭାଗବତର ମାର୍ଜିତ ପ୍ରାଞ୍ଜଳ ଭାଷା ଓ ଶବ୍ଦ ଆଧୁନିକ ଓଡ଼ିଆଭାଷାର ଆଦର୍ଶ ହୋଇଥିବାରୁ ଏହାର ପ୍ରାସଙ୍ଗିକତା ସାହିତ୍ୟିକ ଓ ଭାଷାତତ୍ତ୍ୱବିତ୍‌ମାନଙ୍କ ନିକଟରେ ଅନସ୍ୱୀକାର୍ଯ୍ୟ । ଭାଗବତ ପରବର୍ତ୍ତୀ ବହୁ ପୁରାଣକାର ଓ କବିଙ୍କୁ ପୁରାଣ ଓ କାବ୍ୟରଚନାର ପ୍ରେରଣା ଦେଇ ଆସିଛି ।

ଜଗନ୍ନାଥଦାସଙ୍କର ଶ୍ରୀମଦ୍‌ ଭାଗବତ ପରି ଓଡ଼ିଆ ପାଠକ ଓ ପରବର୍ତ୍ତୀ କବିମାନଙ୍କ ଉପରେ ବଳରାମଦାସଙ୍କର ଜଗମୋହନ ରାମାୟଣର ପ୍ରଭାବ କିଛି କମ୍‍ ନୁହେଁ । ମୁଖ୍ୟତଃ ଅଧ୍ୟାତ୍ମରାମାୟଣ ଛାୟାରେ ରଚିତ ଦାଣ୍ତି ରାମାୟଣରେ ବାଲ୍ମୀକି ରାମାୟଣଠାରୁ ପାର୍ଥକ୍ୟ ରହିଥିଲେ ମଧ୍ୟ ଏଥିରେ ଶ୍ରୀରାମଚନ୍ଦ୍ର ମାନବତ୍ତ୍ୱରୁ ମୁକ୍ତ ହୋଇ ବିଷ୍ଣୁଙ୍କର ଅବତାର ଭାବରେ ବର୍ଣ୍ଣିତ ହୋଇଛନ୍ତି । ବିଭିନ୍ନ ଉପାଖ୍ୟାନ ବର୍ଣ୍ଣନା,ଚରିତ୍ର ଓ ପ୍ରକୃତି ଚିତ୍ରଣ କ୍ଷେତ୍ରରେ ତାଙ୍କର କବିତ୍ୱର ଉତ୍କର୍ଷ (ନାଟକୀୟତା, ସଂଳାପ, କବିତ୍ତ୍ୱପୂର୍ଣ୍ଣ ବର୍ଣ୍ଣନା) ପରବର୍ତ୍ତୀ ରାମାୟଣକାର ବିଶେଷତଃ କବି ଧନଞ୍ଜୟ, ଉପେନ୍ଦ୍ର, ବିଶ୍ୱନାଥ, ହଳଧର, କେଶବ ଓ ଯଦୁମଣି ପ୍ରଭୃତିଙ୍କ ଉପରେ ଗଭୀର ପ୍ରଭାବ ବିସ୍ତାର କରିଛି । ସାରଳା ମହାଭାରତ ପରି ରାମାୟଣ ବର୍ଣ୍ଣନା ପ୍ରସଙ୍ଗରେ କବି, ଲୋକପ୍ରଚଳିତ ନାନା କାହାଣୀ, କିମ୍ୱଦନ୍ତୀ, ଓଡ଼ିଶାର ବନ, ନଦୀ, ପର୍ବତ, ଜନପଦ ଏବଂ ସମସାମୟିକ ସମାଜର ନାନ ଚଳଣି ଓ ଆଚାରର ଚିତ୍ରଦେଇ ଏହାକୁ ଖାଣ୍ଟି ଓଡ଼ିଆ ରାମାୟଣରେ ପରିଣତ କରିଛନ୍ତି । ମାନବୀୟ ଆବେଗ ଓ ଅନୁଭୂତିର ପୃଷ୍ଠଭୂମି ରୂପେ ପ୍ରକୃତି ଚିତ୍ରଣ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟର ଏକ ପରମ୍ପରା ଭାବରେ ସ୍ୱୀକୃତ ହୋଇଛି । ତାଙ୍କର ଲକ୍ଷ୍ମୀପୁରାଣ ସମାଜର ଶୁଦ୍ର ନିମ୍ନବର୍ଗଙ୍କ ପ୍ରତି ସହାନୁଭୂତିର ସଂକେତ ବହନକରି ଆଜିବି ଓଡ଼ିଶାର ଘରେ ଘରେ ପଠିତ ଓ ପୂଜିତ ହେଉଛି ।

 

ବହୁବିଧ ତାତ୍ତ୍ୱିକ ରଚନା, ମାଳିକା ଓ ପୌରାଣିକ ରଚନା ହରିବଂଶକୁ ଛାଡ଼ିଦେଲେ ଗୋପଳଙ୍କ ଓଗାଳ,କୈବର୍ତ୍ତଗୀତା, ବର୍ଣ୍ଣଟୀକା ପୁରାଣ ମାଧ୍ୟମରେ ସମାଜର ନିମ୍ନବର୍ଗଙ୍କ (ଶୁଦ୍ର) ପ୍ରତି ଶ୍ରଦ୍ଧା ଓ ସହାନୁଭୂତି ଅଚ୍ୟୁତାନନ୍ଦଙ୍କୁ ଗୋଷ୍ଠୀଗୁରୁ ଭାବରେ ପ୍ରତିଷ୍ଠିତ କରିବା ସଙ୍ଗେ ସଙ୍ଗେ ସମାଜ ସଚେତନ କବି ଭାବରେ ପ୍ରତିଷ୍ଠିତ କରିଛି । ଜାତିଭେଦ ଓ ଅସ୍ପୃଶ୍ୟତା ବିରୁଦ୍ଧରେ ଉତ୍ତୟ କବିଙ୍କର (ବଳରାମ ଓ ଅଚ୍ୟୁତ) ମାନବବାଦୀ କ୍ରାନ୍ତିକାରୀ ଦୃଷ୍ଟିଭଙ୍ଗୀ ବିଂଶ ଶତାବ୍ଦୀର ଶେଷଭାଗରେ ପାଠକ ଚିତ୍ତରେ ବିସ୍ମୟ ସୃଷ୍ଟିକରେ ।

 

ସାରଳାଦାସ, ଜଗନ୍ନାଥ ଓ ଅଚ୍ୟୁତାନନ୍ଦଙ୍କ ଆଦର୍ଶରେ ମଧ୍ୟଯୁଗରେ ନୀଳାମ୍ୱରଦାସ, ବିପ୍ରପୀତାମ୍ୱର ଦାସ ପ୍ରଭୃତି ବିଭିନ୍ନ ପୁରାଣ ରଚନା କରିଛନ୍ତି ଏବଂ ବହୁ ଗୀତା, ସଂହିତା, ପଟଳ, ବୋଲି ଓ ସ୍ତୁତି ରଚିତ ହୋଇ ଓଡ଼ିଶାର ଲୋକଜୀବନକୁ ଅନୁପ୍ରାଣିତ କରିଛି । ଉନବିଂଶ ଶତାବ୍ଦୀର ଶେଷଭାଗରେ ରଚିତ କନ୍ଧକବି ଭୀମଭୋଇଙ୍କର ଭଜନାବଳୀ ଆଜିବି ମହିମାମଠ, ମେଳା ଓ ଗଣ ମାଧ୍ୟମମାନଙ୍କରେ ପରିବେଷିତ ହୋଇ ଚାଲିଛି, ବିଶେଷତଃ ଜଗତ୍‌ର ମଙ୍ଗଳପାଇଁ ଆଦିବାସୀ କବି ଭୀମଙ୍କର ଉଦାର ମାନବିକତା ଗର୍ଭିତ ଅଧ୍ୟାତ୍ମବାଣୀ । (୧୨) ଯେକୌଣସି ସହୃଦୟ ପାଠକ ଓ ଶ୍ରୋତାର ପ୍ରାଣକୁ ଆଲୋଡ଼ିତ କରେ ।

 

୧୨.

ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।

 

ଜଗନ୍ନାଥ କୈନ୍ଦ୍ରିକ ଓଡ଼ିଶାର ବୈଷ୍ଣବଧର୍ମଧାରା ଓଡ଼ିଶାର ନିଜସ୍ୱ ଧର୍ମ । ଏହାର ସମନ୍ୱୟାତ୍ମକ ବିଶ୍ୱଜନୀନ ଆଦର୍ଶ, ଏହାର ଶାନ୍ତି, ମୈତ୍ରୀ ଓ ପ୍ରୀତିର ବାଣୀ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଯୁଗଯୁଗ ଧରି ଓଡ଼ିଶାର ଏଇ ନିଜସ୍ୱ ବୈଷ୍ଣବଧାରାରେ ଶାବର, ବୈଦିକ (ବ୍ରାହ୍ମଣ୍ୟ), ବୌଦ୍ଧ, ଜୈନ, ଶୈବ, ଶାକ୍ତ, ନାଥ ଓ ଶୁଦ୍ଧାଭକ୍ତି ଧାରାର ସଙ୍କେତ ରହିଥିଲେ ମଧ୍ୟ ଜଗନ୍ନାଥ ଏକକ ଭାବରେ କୌଣସି ଧର୍ମ-ଧାରାର ଦେବତା ହୋଇ ରହି ନାହାନ୍ତି । ଓଡ଼ିଶାର ଏଇ ନିଜସ୍ୱ ବୈଷ୍ଣବଧାରା ସବୁ ଧର୍ମମତ ପ୍ରତି ଉଦାରତା ପ୍ରଦର୍ଶନ କରିଥିଲେ ମଧ୍ୟ ନିଜସ୍ୱ ଧାରାଟିକୁ ଅକ୍ଷୂର୍ଣ୍ଣ ରହିଛି । ଏଇ ସମନ୍ୱୟାତ୍ମକ ସାର୍ବଜନୀନ ଆଦର୍ଶ ହେତୁ ପୁରୁଷୋତ୍ତମ ଜଗନ୍ନାଥ ଓ ତାଙ୍କର କ୍ଷେତ୍ର ବିଭିନ୍ନ ଧର୍ମସମ୍ପ୍ରଦାୟ ଓ ଲୋକସାଧାରଣଙ୍କର ନମସ୍ୟ ।

 

ଓଡ଼ିଶାରେ ଉଭୟ ମିଶ୍ରାଜ୍ଞାନଭକ୍ତିଧାରା ଓ ଶୁଦ୍ଧାଭକ୍ତିଧାରାର କବିଙ୍କର ସାଧନ, ଭଜନ ଓ ରଚନା ବିକଶିତ ହୋଇଛି ଜଗନ୍ନାଥଙ୍କୁ କେନ୍ଦ୍ରକରି । ଜଗନ୍ନାଥ ଓ ନୀଳାଚଳକ୍ଷେତ୍ର ଓଡ଼ିଶାର ଧର୍ମ, ସମାଜ ଓ ଜାତୀୟ ଜୀବନର ପ୍ରାଣବିନ୍ଦୁ ହୋଇଥିବାରୁ ତାଙ୍କୁ ଚରିତ, ତତ୍ତ୍ୱ ଓ କ୍ଷେତ୍ର ମହିମା ବିଭିନ୍ନ ଶତାବ୍ଦୀର ନାନାବିଧ ରଚନା ମଧ୍ୟରେ ଅଭିବ୍ୟକ୍ତ ହୋଇଛି, ଯଥା- ଲୋକଗୀତି, କାବ୍ୟ, ନାଟକ ପଞ୍ଚସଖାଙ୍କ ରଚନା, ଶୁଦ୍ଧାଭକ୍ତିର ସାଧକ କବି ରାୟରାମାନନ୍ଦଙ୍କର ଜଗନ୍ନାଥବଲ୍ଲଭ ନାଟକ, କାଞ୍ଚିକାବେରୀ (ପୁରୁଷୋତ୍ତମ ଦାସ), ଜଗମୋହନଛାନ୍ଦ (ଦୀନକୃଷ୍ଣ), ଗୁଣ୍ତିଚା ଚମ୍ପୂ (ଚକ୍ରପାଣି ପଟ୍ଟନାୟକ) ପ୍ରଭୃତି । ଜଗନ୍ନାଥଙ୍କୁ କେନ୍ଦ୍ରକରି ରଚିତ ଅଜସ୍ର ଭଜନ, ଜଣାଣ, ଚଉତିଶା ଓ ଚଉପଦୀ ମଧ୍ୟରେ ସାଲବେଗଙ୍କ ଭଜନ, ବନମାଳୀଙ୍କର ଚଉପଦୀ, ଦୀନକୃଷ୍ଣଙ୍କର ଚଉତିଶା (ଆର୍ତ୍ତତ୍ରାଣ ଚଉତିଶା), ଉପେନ୍ଦ୍ର, ଚନ୍ଦନହଜୁରୀ, କବିସୁର୍ଯ୍ୟ ବଳଦେବ ଓ ଯଦୁମଣିଙ୍କର ଜଣାଣ, ଭଜନ, ଚଉତିଶା ପ୍ରଭୃତି ଓଡ଼ିଶାର ପାଠକ ଓ ଶ୍ରୋତା ଚିତ୍ତରେ ସାର୍ବକାଳିକ ଆବେଦନ ସୃଷ୍ଟିକରି ଆସିଛି ।

 

ଓଡ଼ିଶାରେ ଶୁଦ୍ଧାଭକ୍ତି ଧାରାର କୋଇଲି ଓ ଚଉତିଶା ମଧ୍ୟରେ ମାର୍କଣ୍ତ ଦାସଙ୍କ କେଶବ କୋଇଲି, ଗୋପାଳକୃଷ୍ଣଙ୍କର ଯଶୋଦା କୋଇଲି, ଦାମୋଦର ଦାସଙ୍କର ରସକୋଇଲା ଚଉତିଶା, ଗୋପେନ୍ଦ୍ର କବିଙ୍କ ମଧୁପ ଚଉତିଶା, ଭୂପତି ପଣ୍ତିତଙ୍କର ଉଦ୍ଧବ ଚଉତିଶା, ଦୀନକୃଷ୍ଣଙ୍କର ରାଧାଦର୍ଶନ ଚଉତିଶା, ଭକ୍ତଚରଣଙ୍କର ମଧୁପ ଚଉତିଶା ଓ କଳାକଳେବର ଚଉତିଶା ବିଶେଷ ଜନପ୍ରିୟ । କରୁଣା ଓ ବାତ୍ସଲ୍ୟଭାବ ପ୍ରଧାନ ମାର୍କଣ୍ତ ଦାସଙ୍କର କେଶବକୋଇଲି ଲୌକିକ ଛନ୍ଦରେ ଓ ଲୋକଭାଷାରେ ମମତାମେଦୁର ମାତୃ ହୃଦୟର ଯେଉଁ ଜୀବନ୍ତ ସ୍ପର୍ଶ ଦେଇଛି, ତା’ର ଆବୃତ୍ତି ଓ ଗାନ ଏବେବି ଶ୍ରୋତାର ଅନ୍ତରକୁ ବିଗଳିତ କରିଥାଏ । ସରଳଭାଷା ଓ ରଚନା ଭଙ୍ଗୀରେ ଅପୂର୍ବ ରାଧାକୃଷ୍ଣଙ୍କର ବିରହ ଓ ମିଳନର ମର୍ମସ୍ପର୍ଶୀ ଆଲେଖ୍ୟ ବହନ କରିଥିବା ଦାମୋଦର ଦାସଙ୍କର ରସକୋଇଲା ଚଉତିଶା ପାଠକ ଓ ଶ୍ରୋତା ପ୍ରାଣରେ ରସର ନିର୍ଝରିଣୀ ସୃଷ୍ଟି କରେ । ମଥୁରାଦାଣ୍ତରେ ମଥୁରାନାରୀଙ୍କର ନେତ୍ରୋତ୍ସବ ସୃଷ୍ଟି କରିଥିବା କଳାକଳେବର ଶ୍ରୀକୃଷ୍ଣ ଶ୍ରୋତାର ଅନ୍ତରରେ ଜଗନ୍ନାଥଙ୍କର ଛବି ଉଦ୍‌ଭାସିତ କରିଥାଏ ।

 

ପଦାବଳୀ ରଚନା ମଧ୍ୟରେ ସାଲବେଗଙ୍କର ଭଜନ, କଣ୍ଠଦାସ ଓ ବ୍ରଜନାଥଙ୍କର ପୋଇ, ସଦାନନ୍ଦ, ବନମାଳୀ, ଅଭିମନ୍ୟୁ ବଳଦେବ, ଗୋପାଳକୃଷ୍ଣ, ଯଦୁମଣି, ହରିବନ୍ଧୁ, ଗୌରଚରଣ ପ୍ରଭୃତିଙ୍କର ପଦାବଳୀ ନୌସର୍ଗିକ କବିତ୍ୱ, ଭକ୍ତିମତ୍ତା, ସରଳଭାଷା, ଭାବ ଓ ଛନ୍ଦୋମାଧୁର୍ଯ୍ୟ ହେତୁ ବିଶେଷ ଲୋକପ୍ରିୟ ।

 

ଭକ୍ତିସାଧନାର ପରମ୍ପରା ଭାରତରେ ସାଂସ୍କୃତିକ ଅଭ୍ୟୁତ୍‌ଥାନର ସୂତ୍ରପାତ କରିଥିବାରୁ କୁସଂସ୍କାରପୂର୍ଣ୍ଣ ଜାତିଭେଦ ପ୍ରଥାର ମୂଳଛେଦ କରି ଲୋକସମାଜମୁଖୀ କବିମାନେ ସ୍ୱ ସ୍ୱ ସାହିତ୍ୟ ଓ ସାଧନାରେ ମାନବିକ ଆବେଗ ଓ ସହାନୁଭୂତିପୂର୍ଣ୍ଣ ସାମ୍ୟ ଓ ମୈତ୍ରୀର ମନ୍ତ୍ର ଉଚ୍ଚାରଣ କରି ଲୋକଜୀବନକୁ କିପରି ଅନୁପ୍ରାଣିତ କରିଥିଲେ ସାରଳାଙ୍କଠାରୁ ଆରମ୍ଭକରି ପଞ୍ଚସଖା ଓ ଶୁଦ୍ଧାଭକ୍ତିର କବିମାନଙ୍କ ରଚନାବଳୀରୁ ତାହା ସ୍ପଷ୍ଟ ହୁଏ ।

 

ଶୁଦ୍ଧାଭକ୍ତିର ବୈଷ୍ଣବ କବିମାନଙ୍କର ରଚନା (ସଦାନନ୍ଦ, ଅଭିମନ୍ୟୁ ପ୍ରଭୃତିଙ୍କର)ସଂସ୍କୃତ ଆଳଙ୍କାରିକ ଓ ରସୋତ୍ତୀର୍ଣ୍ଣରୀତ କାବ୍ୟଦ୍ୱାରା ବିଶେଷ ପ୍ରଭାବିତ ହୋଇଥିଲା । ଓଡ଼ିଶାରେ ସଂସ୍କୃତ କାବ୍ୟ ଓ ଅଳଙ୍କାର ଚର୍ଚ୍ଚ। ଓ ରଚନାର ବଳିଷ୍ଠ ଭିତ୍ତି ଥିବାରୁ ସେଥିରେ ଅଭ୍ୟସ୍ତ ବିଦଗ୍‌ଧ ପାଠକଗୋଷ୍ଠୀ ଲୌକିକ କଥାବସ୍ତୁଭିତ୍ତିକ କାଳ୍ପନିକ କାବ୍ୟ ପାଠପ୍ରତି ଆଗ୍ରହୀ ହୋଇଥିବା ସ୍ୱାଭାବିକ । ପୌରାଣିକ କଥାବସ୍ତୁଭିତ୍ତିକ ରାମ ଓ କୃଷ୍ଣ କାବ୍ୟ ବ୍ୟତୀତ ଲୌକିକ ଅଳଙ୍କାର ଓ ରୀତିକାବ୍ୟ ଆଦର୍ଶରେ କାଳ୍ପନିକ ଲୌକିକ କାବ୍ୟସୃଷ୍ଟିର ପ୍ରବଣତା ଷୋଡ଼ଶ ଶତାବ୍ଦୀଠାରୁ ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ଯାଏଁ ଲକ୍ଷିତ ହୋଇଥିଲା । ଜୟଦେବଙ୍କର ଗୀତଗୋବିନ୍ଦ ଓ ବିଖ୍ୟାତ ସଂସ୍କୃତ ମହାକବି ଶ୍ରୀହର୍ଷଙ୍କ ନୈଷଧଚରିତ ଆଦର୍ଶରେ ମଧ୍ୟଯୁଗର କାବ୍ୟଗୁଡ଼ିକ ଶୃଙ୍ଗାରକୁ ଅଙ୍ଗୀରସ ଭାବରେ ଗ୍ରହଣ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ରାଗରାଗିଣୀ, ଶବ୍ଦ ଓ ଅର୍ଥଳଙ୍କାରର ବୈଚିତ୍ର୍ୟପୂର୍ଣ୍ଣ ପ୍ରୟୋଗ ଏବଂ ପ୍ରକୃତିଠାରୁ ଆରମ୍ଭକରି ନାୟକ, ନାୟିକା ନଗର ବିପଣି, ନଦୀ, ପର୍ବତ, ଋତୁ ପ୍ରଭୃତିର ବର୍ଣ୍ଣନାରେ ନିଜନିଜର ସୌନ୍ଦର୍ଯ୍ୟବୋଧ ଓ ରଚନା କୁଶଳତାର ପରିଚୟ ଦେଇଛନ୍ତି । ସହଜିଆ ପରକୀୟା ପ୍ରେମର ବ୍ୟତିତ୍ରମ ସ୍ୱରୂପ ରୀତି ଓ ଆଳଙ୍କାରିକ କାବ୍ୟମାନଙ୍କରେ ସ୍ୱକୀୟା ପ୍ରେମର ସ୍ୱାଦ୍ୟଚିତ୍ର ଜୀବନଧର୍ମୀ, କିନ୍ତୁ ଶୃଙ୍ଗାରଚିତ୍ରର ମାତ୍ରାତିରିକ୍ତତା ଓ ଗତାନୁଗତିକତା ଲକ୍ଷିତ ହେଲେ ମଧ୍ୟ ପ୍ରେମର ଉଚ୍ଚାଙ୍ଗ ଚିତ୍ରର ଯେ ଅଭାବ ରହିଛି, ତାହା ନୁହେଁ ( ୧୩)।

 

୧୩.

ଉପେନ୍ଦ୍ରଭଞ୍ଜ, ବୈଦେହୀଶବିଳାସ, ୧୫-୧୨ ।

 

ଲୌକିକ (କାଳ୍ପନିକ) କଥାବସ୍ତୁ ଅବଲମ୍ୱନରେ ରଚିତ ଅର୍ଜୁନଦାସଙ୍କର ‘କଳ୍ପଲତା’ ପରେ ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀର ବିଭିନ୍ନ କବି ବହୁ ଶୃଙ୍ଗାରରସ ପ୍ରଧାନ କାଳ୍ପନିକ କାବ୍ୟରଚନା କରିଥିଲେ, ଯେଉଁଗୁଡ଼ିକୁ ଶ୍ରୀ ସୁରେନ୍ଦ୍ର ମହାନ୍ତି ରୀତିକାବ୍ୟ ପର୍ଯ୍ୟାୟର ଅନ୍ତର୍ଭୁକ୍ତ କରିଛନ୍ତି । ବିଷୟବସ୍ତୁ ଓ ବର୍ଣ୍ଣନାରୀତିରେ ବୈଚିତ୍ର୍ୟହୀନ ଏଇ କାବ୍ୟଗୁଡ଼ିକରେ କବିମାନେ (ଶ୍ରୀଧର ଦାସ - କାଞ୍ଚନଲତା, ନରସିଂହସେଣ-ପରିମଲା, ବନମାଳୀ ଦାସ-ଚାଟଇଚ୍ଛାବତୀ, ପ୍ରତାପରାୟ-ଶଶିସେଣା, ବିଷ୍ଣୁଦାସ-ପ୍ରେମାଲୋଚନା, କଳାବତୀ, ରଘୁନାଥ ହରିଚନ୍ଦନ-ଲୀଳାବତୀ ଧନଞ୍ଜୟ ଭଞ୍ଜ-ଅନଙ୍ଗରେଖା, ଇଚ୍ଛାବତୀ, ଲୋକନାଥ ବିଦ୍ୟାଧର-ସର୍ବାଙ୍ଗସୁନ୍ଦରୀ) ଶୃଙ୍ଗାରରସର ଅତିମାତ୍ର ବିଶ୍ଳେଷଣ କରିବାକୁ ଯାଇ ନାୟକନାୟିକାଙ୍କର ଯୌନଲୀଳା ଚିତ୍ରରେ ସଂଯମ ଓ ଶାଳୀନତା ଅତିତ୍ରମ କରି ଯାଇଛନ୍ତି ।

 

ଷୋଡ଼ଶ ଶତାବ୍ଦୀର କାବ୍ୟ ଅପେକ୍ଷା ସପ୍ତଦଶ ଶତାବ୍ଦୀର କାବ୍ୟଶୈଳୀରେ କ୍ରମଶଃ ଆଳଙ୍କାରିକ କୃତ୍ରିମତା ଦେଖାଯାଇ ଅଷ୍ଟାଦଶ ଶତାବ୍ଦୀର ଉପେନ୍ଦ୍ରଙ୍କ ରଚନାରେ ତାହା ଚୂଡାନ୍ତ ସୀମା ସ୍ପର୍ଶ କରିଛି । ଉପେନ୍ଦ୍ର ଓ ତଦନୁପନ୍ଥୀଙ୍କ କାବ୍ୟଗୁଡ଼ିକୁ ଶ୍ରୀଯୁକ୍ତ ମହାନ୍ତି ବାମନାଚାର୍ଯ୍ୟଙ୍କ ଗୁଣପ୍ରଧାନ ରୀତି ପର୍ଯ୍ୟାୟର ଅନ୍ତର୍ଭୁକ୍ତ ନକରି ଅଳଙ୍କାରବାଦ ପର୍ଯ୍ୟାୟର ଅନ୍ତର୍ଭୁକ୍ତ କରିଛନ୍ତି, କାବ୍ୟରେ ଆତ୍ମିକ ଅପେକ୍ଷା ଆଙ୍ଗିକ ଉପରେ କ୍ରମଶଃ ଅଧିକ ଧ୍ୟାନ ଦିଆଯାଇଥିବାରୁ । କ୍ରମଶଃ ଅଳଙ୍କାର ଶାସ୍ତ୍ରଆଦର୍ଶରେ ରଚିତ କାଳ୍ପନିକ କାବ୍ୟଗୁଡ଼ିକରେ ଶୃଙ୍ଗାର ଓ ଅନ୍ୟ ରସ ପରିବେଷଣରେ ଆଉ ସ୍ୱାଭାବିକତା ଲକ୍ଷିତ ହୋଇନାହିଁ । ଶୁଦ୍ଧାଭକ୍ତିର ବୈଷ୍ଣବର ସଶାସ୍ତ୍ର (ଉଜ୍ଜ୍ୱଳ ନୀଳମଣି, ଭକ୍ତିରସାମୃତ ସିନ୍ଧୁ) ଆଦର୍ଶରେ ରଚିତ ବୈଷ୍ଣବ କାବ୍ୟଗୁଡ଼ିକ (ବିଦଗ୍‌ଧ ଚିନ୍ତାମଣି ପ୍ରଭୃତି) ଏ କୃତ୍ରିମତାରୁ ମୁକ୍ତ ହୋଇ ପାରିନାହାନ୍ତି ।

 

ପୌରାଣିକ କଥାବସ୍ତୁ ଭିତ୍ତିରେ ରଚିତ ଅର୍ଜୁନଦାସଙ୍କ ରାମବିଭା, ଚାନ୍ଦକବିଙ୍କର ଗୋପୀଚନ୍ଦନ, ଦେବଦୁର୍ଲ୍ଲଭଙ୍କର ରହସ୍ୟମଞ୍ଜରୀ, ଶିଶୁଶଙ୍କରଙ୍କର ଉଷାଭିଳାଷ, ଦନାଇଦାସଙ୍କର ଗୋପୀଭାଷା, ନରସିଂହ ସେଣଙ୍କର ଗୋପକେଳି, ବୃନ୍ଦାବନଙ୍କର ରସବାରିଧି, ଧନଞ୍ଜୟଙ୍କର ରଘୁନାଥବିଳାସ, ଦୀନକୃଷ୍ଣଙ୍କର ରସକଲ୍ଲୋଳ, ଉପେନ୍ଦ୍ରଙ୍କର ସୁଭଦ୍ରା ପରିଣୟ, ବୈଦେହୀଶ ବିଳାସ, ବୃନ୍ଦାବତୀ ଦାସୀଙ୍କର ପୂର୍ଣ୍ଣତମ ଚନ୍ଦ୍ରୋଦୟ, ସଦାନନ୍ଦ କବିସୂର୍ଯ୍ୟଙ୍କର ଯୁଗଳରସାମୃତ ଲହରୀ, ଯୁଗଳରସାମୃତ ଭଉଁରୀ, ଚୌରଚିନ୍ତାମଣି, ଦାଶରଥି ଓ କୃପାସିନ୍ଧୁଙ୍କର ବ୍ରଜବିହାର, ବ୍ରଜନାଥଙ୍କର ଅମ୍ବିକା ବିଳାସ, ଶ୍ୟାମରସୋତ୍ସବ, ଅଭିମନ୍ୟୁଙ୍କର ବିଦଗ୍‌ଧଚିନ୍ତାମଣି, ପ୍ରେମଚିନ୍ତାମଣି, ଭକ୍ତଚରଣଙ୍କର ମଥୁରାମଙ୍ଗଳ, ବଳଦେବଙ୍କର କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ, ଯଦୁମଣିଙ୍କର ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର, ରାଘବବିଳାସ ମଧ୍ୟରୁ କେତୋଟି ରସୋତ୍ତୀର୍ଣ୍ଣତା ଓ ସରଳ ରଚନାଭଙ୍ଗୀ, ଅନ୍ୟଗୁଡ଼ିକ ବିବେଚନାର ଚମତ୍କାରିତା, ଆଳଙ୍କାରିକତା ଓ ବିଦଗ୍‌ଧଭଙ୍ଗୀ ହେତୁ ଓଡ଼ିଆ ସାହିତ୍ୟରେ ଲୋକପ୍ରିୟ ।

 

କାଳ୍ପନିକ କଥାବସ୍ତୁ ଅବଲମ୍ବନରେ ଓଡ଼ିଆରେ ବହୁ କାବ୍ୟ ରଚିତ ହୋଇଛି । ତନ୍ମଧ୍ୟରେ ଲୋକକଥା ଅବଲମ୍ବନରେ ରଚିତ ଚାଟଇଚ୍ଛାବତୀ, ପ୍ରତାପରାୟଙ୍କର ଶଶିସେଣା, ଧନଞ୍ଜୟଙ୍କର ଇଚ୍ଛାବତୀ (ସଂସ୍କୃତ ଚୌର ପଞ୍ଚାଶିକାର ଏକପ୍ରକାର ଅନୁବାଦ); ଐତିହାସିକ ଓ ଜନଶ୍ରୁତି ଭିତ୍ତିକ କାବ୍ୟ ଭାବରେ ପୁରୁଷୋତ୍ତମ ଦାସଙ୍କର କାଞ୍ଚିକାବେରୀ, ସମର କାବ୍ୟଭାବରେ ବ୍ରଜନାଥଙ୍କ ସମରତରଙ୍ଗ ଏବଂ ସାମାଜିକ କଥାବସ୍ତୁ ଅବଲମ୍ବନରେ ରଚିତ ଭୀମଚନ୍ଦ୍ର ପଟ୍ଟନାୟକଙ୍କ ହାରାବତୀ (ନାୟିକା ଏକ ଗୃଢ଼କାରର କନ୍ୟା ) ପାଠକ ଚିତ୍ତରେ କୌତୂହଳ ଓ ଆନନ୍ଦ ସୃଷ୍ଟି କରିଥା’ନ୍ତି ।

 

ପୌରାଣିକ କଥାବସ୍ତୁ ଭିତ୍ତିକ କାବ୍ୟଗୁଡ଼ିକୁ ବାଦଦେଲେ ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀର ଅଧିକାଂଶ କାବ୍ୟରେ ସାରଳା ପ୍ରବର୍ତ୍ତିତ ସରଳ ପୌରାଣିକ ବର୍ଣ୍ଣନାରୀତି ଅନୁସୃତ । ସପ୍ତଦଶ ଶତାବ୍ଦୀର ଶେଷଭାଗରୁ ଊନବିଂଶ ଶତାବ୍ଦୀ ଯାଏ ରଚିତ କି କାଳ୍ପନିକ, କି ପୌରାଣିକ, ଏପରିକି ବୈଷ୍ଣବୀୟ କାବ୍ୟ ଗୁଡ଼ିକରେ ବିଦଗ୍‌ଧ ଭଙ୍ଗୀ, କୃତ୍ରିମ ଅଳଙ୍କାର ବାହୁଲ୍ୟ ଓ ପାଣ୍ଡିତ୍ୟ ପ୍ରଦର୍ଶନର ମୋହ ହେତୁ ରସର ସ୍ୱାଭାବିକ ସ୍ପୂର୍ତ୍ତି ଘଟିପାରିନାହିଁ । ଶୈଳୀଗତ କୃତ୍ରିମତା ସତ୍ତ୍ୱେ ବକ୍ରୋକ୍ତି ଓ ଶ୍ଳେଷଗର୍ଭିତ ବର୍ଣ୍ଣନାଭଙ୍ଗୀ ସହୃଦୟ ପାଠକଚିତ୍ତରେ କମ୍‌ ବୌଦ୍ଧିକ ଆନନ୍ଦ ସୃଷ୍ଟିକରେ ନାହିଁ । ଉପେନ୍ଦ୍ରଙ୍କର ବୈଦେହୀଶବିଳାସ, ଲାବଣ୍ୟବତୀ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ ଓ ପ୍ରେମସୁଧାନିଧି, ଅଭିମନ୍ୟୁଙ୍କର ବିଦଗ୍‌ଧଚିନ୍ତାମଣି, ବ୍ରଜନାଥଙ୍କର ଅମ୍ବିକାବିଳାସ ତା’ର ଉଜ୍ଜ୍ୱଳ ଦୃଷ୍ଟାନ୍ତ ।

 

ନୈସର୍ଗିକ କବିତ୍ୱ ଓ ରସୋତ୍ତୀର୍ଣ୍ଣ ବର୍ଣ୍ଣନାଭଙ୍ଗୀ ହେତୁ ଦେବଦୁର୍ଲ୍ଲଭଙ୍କ ରହସ୍ୟମଞ୍ଜରୀ, ଭୂପତିଙ୍କ ପ୍ରେମପଞ୍ଚାମୃତ, ଦୀନକୃଷ୍ଣଙ୍କ ରସକଲ୍ଲୋଳ, ଭକ୍ତଚରଣଙ୍କ ମଥୁରାମଙ୍ଗଳ ଏବଂ ଆଳଙ୍କାରିକତା ଓ ବିଦଗ୍‌ଧଭଙ୍ଗୀକୁ ବାଦ୍‌ ଦେଲେ ବିଦଗ୍‌ଧଚିନ୍ତାମଣିର ବିଭିନ୍ନ ସ୍ଥଳରେ ଅଭିମନ୍ୟୁଙ୍କର ଭାବ ଓ ରସୋତ୍ତୀର୍ଣ୍ଣଛାନ୍ଦ ଗୁଡ଼ିକର ଆବେଦନ ଓଡ଼ିଆପାଠକ ଚିତ୍ତରେ ସାର୍ବକାଳିକ (୧୪) । ଓଡ଼ିଆରେ ବହୁ ଚମ୍ପୂକାବ୍ୟ ରଚିତ ହୋଇଥିଲେ ମଧ୍ୟ ବଳଦେବଙ୍କ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଚରିତ୍ର, ନାଟକୀୟଛଟା, ସାଙ୍ଗୀତିକତା ଓ ଅପୂର୍ବଭାଷାଭଙ୍ଗୀ ହେତୁ ଓଡ଼ିଆ ସାହିତ୍ୟରେ ଅନନ୍ୟ ।

 

୧୪.

ବି. ଚି. ର ୪୭, ୪୮, ୫୨, ୫୬, ୫୭, ୬୭, ୭୪, ୭୫, ୮୬) ପ୍ରଭୃତି ଛାନ୍ଦ ଦ୍ରଷ୍ଟବ୍ୟ-

 

ରୀତି ଓ ଆଳଙ୍କାରିକ କାବ୍ୟର ବିଭିନ୍ନ ଦୋଷତ୍ରୁଟି ସତ୍ତ୍ୱେ କାବ୍ୟର କଥାବସ୍ତୁ, ରସ, ନାୟକ ନାୟିକାଙ୍କର ବିରହ ଓ ମିଳନର ପୃଷ୍ଠଭୂମି ରୂପେ କାନନ, ବାଟିକା, ପୁଷ୍କରିଣୀ, ନଦୀ, ପର୍ବତ, ପଶୁପକ୍ଷୀ ପତଙ୍ଗ ଓ ବିଭିନ୍ନ ଋତୁ ପ୍ରକୃତିର ମାନବାୟିତ ଚିତ୍ର, କବିମାନଙ୍କର ନୈସର୍ଗିକ ସୌନ୍ଦର୍ଯ୍ୟ ଚେତନା କେବଳ ଓଡ଼ିଆ ସାହିତ୍ୟ କାହିଁକି ଭାରତୀୟ ସାହିତ୍ୟରେ ବିଲକ୍ଷଣ କହିଲେ ଅତ୍ୟୁକ୍ତି ହେବ ନାହିଁ । ଅବଶ୍ୟ ଋତୁ ପ୍ରକୃତିର ଆଲେଖ୍ୟରେ କାଳିଦାସଙ୍କର ପ୍ରେରଣା ଓ ପ୍ରଭାବ ଅନସ୍ୱୀକାର୍ଯ୍ୟ ।

 

ଛାନ୍ଦ ଓ ଚମ୍ପୂକାବ୍ୟ ସୃଷ୍ଟିକୁ ବାଦ୍‌ଦେଲେ ଓଡ଼ିଆ ସାହିତ୍ୟର ଅନ୍ୟ ଆକର୍ଷଣୀୟ ବୈଶିଷ୍ଟ୍ୟ ହେଉଛି ଅଜସ୍ର କୋଇଲି, ଚଉତିଶା, ଚଉପଦୀ, ପୋଇ, ମାଳଶ୍ରୀ ପ୍ରଭୃତି କାବ୍ୟରୂପ । ବିଭିନ୍ନ ଘଟଣା ଓ ଋତୁ ପରିବେଶରେ ନାୟକନାୟିକା ଓ କବି ଚିତ୍ତର ସ୍ୱତଃସ୍ଫୁର୍ତ୍ତ ଭାବାବେଶ ଓ ନୈସର୍ଗିକ ଅନୁଭବକୁ ଅନୁରୂପ ଛନ୍ଦ ଓ ବାଣୀରେ ଯେପରି ରୂପ ଦିଆଯାଇଛି ପାଠକ ପ୍ରାଣରେ ସେଗୁଡ଼ିକର ଆବେଦନ ଚିରନ୍ତନ । ପ୍ରେମ ଓ ଶୃଙ୍ଗାରକୁ ବାଦଦେଲେ ବାତ୍ସଲ୍ୟଭାବମୂଳକ କୋଇଲି, ଛାନ୍ଦ ଓ ଚଉପଦୀ ଗୁଡ଼ିକ କେଉଁ ଜନନୀର ଅନ୍ତରକୁ ଆର୍ଦ୍ର ନକରେ ? ମାର୍କଣ୍ଡ ଦାସଙ୍କର କେଶବ କୋଇଲି, ଅଭିମନ୍ୟୁଙ୍କର କଳାମାଣିକଛାନ୍ଦ, ଭକ୍ତଚରଣଙ୍କର ଆରେ ବାବୁ ଶ୍ୟାମଘନ ଓ ଗୋପାଳକୃଷ୍ଣଙ୍କର ଉଠିଲୁ ଏଡ଼େବେଗି କାହିଁକିରେ ଛାନ୍ଦ ଓ ପଦଗୁଡ଼ିକୁ ଦୃଷ୍ଟାନ୍ତ ରୂପେ ଉଦ୍ଧାର କରାଯାଇପାରେ ।

ଆଦିକବି ସାରଳାଙ୍କଠାରୁ ଆରମ୍ଭ କରି ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ ଆମେ ଓଡ଼ିଶାର ପୁରାଣ, ଚଉତିଶା ଓ କାବ୍ୟରୀତିରେ ଭାଷା ଓ ପ୍ରକାଶଭଙ୍ଗୀଗତ ଯେଉଁ ସ୍ୱାଭାବିକତା ଲକ୍ଷ୍ୟ କରିଥିଲୁଁ, ସପ୍ତଦଶ ଶତାବ୍ଦୀର ଶେଷଠାରୁ ଊନବିଂଶ ଶତାବ୍ଦୀଯାଏଁ ସଂସ୍କୃତଭାଷା, ଆଳଙ୍କାରିକତା ଓ ଆଭିଜାତ୍ୟପୂର୍ଣ୍ଣ କୃତ୍ରିମ ବର୍ଣ୍ଣନାଭଙ୍ଗୀରେ ତାହା ପ୍ରତିହତ ହୋଇଥିଲେ ମଧ୍ୟ, ପରାଧୀନ କାଳରେ (ନାନା ଅବାଞ୍ଛିତ ଘଟଣାର ବିବର୍ତ୍ତନ ହେତୁ) ଓଡ଼ିଆ ଜାତିର ଭାଗ୍ୟ ବିଡ଼ମ୍ବନ ହେତୁ ସାହିତ୍ୟରେ ଜାତୀୟ ଜୀବନର ସ୍ୱାଭାବିକ ପରିସ୍ଫୂର୍ତ୍ତିର ଅଭାବ ଲକ୍ଷିତ ହୋଇଥିଲେ ମଧ୍ୟ ଊନବିଂଶ ଶତାବ୍ଦୀର ଦ୍ୱିତୀୟଭାଗରୁ ତା’ର ସ୍ଥିତି ଓ ପ୍ରତିଭାର ବିକାଶପାଇଁ ସଂଗ୍ରାମ ଚଳାଇ ଆଣିଛି । ପାଶ୍ଚାତ୍ୟ ଶିକ୍ଷା, ସଭ୍ୟତା ଓ ସାହିତ୍ୟର ପ୍ରଭାବରେ ଓଡ଼ିଆ ସାହିତ୍ୟ ଆତ୍ମିକ ଓ ଆଙ୍ଗିକ କ୍ଷେତ୍ରରେ ଯୁଗୋପଯୋଗୀ ଆହ୍ୱାନର ସମ୍ମୁଖୀନ ହୋଇଥିଲେ ମଧ୍ୟ କବି ଓ ଲେଖକମାନେ ପ୍ରାଚୀନ ଓ ମଧ୍ୟଯୁଗର ସାହିତ୍ୟିକ ଅବଦାନ ପ୍ରତି ଉଦାସୀନ ହୋଇନାହାନ୍ତି ।

 

ସାରଳା ମହାଭାରତର ଉପାଖ୍ୟାନ ଅବଲମ୍ବନରେ କବିବର ରାଧାନାଥରାୟ ବେଣୀ ସଂହାର, ଦୁର୍ଯ୍ୟୋଧନର ରକ୍ତନଦୀ ସନ୍ତରଣ, ଗଙ୍ଗାଧର ମେହେର କୀଚକବଧ କାବ୍ୟ ରଚନାର ପ୍ରେରଣାଲାଭ କରିଛନ୍ତି । ବସ୍ତୁ ନିର୍ବାଚନ, ଛନ୍ଦ ଓ ପ୍ରକାଶଭଙ୍ଗୀର ଆଧୁନିକତା ସତ୍ତ୍ୱେ, ରାଧାନାଥ, ଗଙ୍ଗାଧର ଭଞ୍ଜୀୟ କାବ୍ୟିକଚ୍ଛଟାରୁ ସଂପୂର୍ଣ୍ଣ ମୁକ୍ତ ନୁହନ୍ତି । ଭାଗବତର ଭାଷା ଓ ଛନ୍ଦକୁ ଭକ୍ତକବି ମଧୁସୂଦନ ଓ ଗୋପବନ୍ଧୁ ଆଧୁନିକ ଓଡ଼ିଆଭାଷା ଓ ଛନ୍ଦର ଆଦର୍ଶ ରୂପେ ଗ୍ରହଣକରି ତା’ର ପ୍ରୟୋଗ କରିଛନ୍ତି । ପ୍ରାଚୀନ ଓ ମଧ୍ୟଯୁଗୀୟ ସାହିତ୍ୟରୁ (ମୁଖ୍ୟତଃ ସାରଳା ମହାଭାରତ ଓ ଭାଗବତରୁ) ବିଭିନ୍ନ ବସ୍ତୁ ଓ ଆଙ୍ଗିକ ଆହରଣ କରାଯାଇ ବିଭିନ୍ନ ଆଧୁନିକ କାବ୍ୟ ଓ ରଚନା ରୂପରେ ତା’ର ରୂପାନ୍ତରିତ ପ୍ରୟୋଗ ଚାଲିଛି । ଆଧୁନିକ କବିତା, ଗଳ୍ପ, ନାଟକ ଓ ଏକାଙ୍କିକାରେ ପ୍ରଯୁକ୍ତ ମିଥ୍‌ ଓ ରୂପକ ଗୁଡ଼ିକ ହେଉଛି ତା’ର ଦୃଷ୍ଟାନ୍ତ । ସାହିତ୍ୟ ସମୀକ୍ଷକ ଓ ଗବେଷକମାନେ ପ୍ରାଚୀନ ଓ ମଧ୍ୟଯୁଗୀୟ ସାହିତ୍ୟ ସମ୍ପର୍କରେ ଗବେଷଣା କରିବା ସଙ୍ଗେ ସଙ୍ଗେ ସେଗୁଡ଼ିକର କାଳୋଚିତ ପ୍ରାସଙ୍ଗିକତା ସମ୍ପର୍କରେ ବିଚାର କରି ଚାଲିଛନ୍ତି ।

 

ଓଡ଼ିଶାର ପୁରାଣ, ଛାନ୍ଦ ସାହିତ୍ୟ, ସଙ୍ଗୀତ ଚଉପଦୀ, ଚମ୍ପୂ, ଚଉତିଶା ଓ ଲୋକଗୀତି ଓଡ଼ିଶାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଓ ଗଣମାଧ୍ୟମଗୁଡ଼ିକରେ (ବେତାର ଓ ଦୂରଦର୍ଶନ) ପରିବେଷିତ ହୋଇ ସାର୍ବକାଳିକ ଆବେଦନର ସଂକେତ ବହନ କରନ୍ତି । *

 

* ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗର ରଜତଜୟନ୍ତୀ ଉତ୍ସବର ଆଲୋଚନା ଚକ୍ରରେ ତା ୫ । ୧୨ । ୯୪ରେ ଉପସ୍ଥିତ ଭିତ୍ତି ପ୍ରବନ୍ଧ ।

 

 

ଅବସରପ୍ରାପ୍ତ ପ୍ରଫେସର,

ସରକାରୀ କ୍ୱାର୍ଟରସ୍‌ନଂ ସି-୪

କନିକାଛକ, କଟକ -୮

 

***

 

Unknown

ଧର୍ମଭିତ୍ତିକ ଉତ୍କଳୀୟ ସଂସ୍କୃତିର ପରିପ୍ରେକ୍ଷୀରେ ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ବିକାଶ

ଡକ୍‌ଟର କୁମୁଦିନୀ ମିଶ୍ର

 

ଭାରତୀୟ ବିଦ୍ୟାଭବନର ଆମନ୍ତ୍ରଣ କ୍ରମେ ଭାରତୀୟ ସଂସ୍କୃତି ଉପରେ ଭାଷଣ ଦେଇ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ କହିଥିଲେ- ‘‘ମନୁଷ୍ୟର ଭୋଗ ଲାଳସାକୁ ବରାବର ସଂଯତ ଓ ନିୟନ୍ତ୍ରିତ କରି ତାକୁ ଅତ୍ୟଧିକ ଇନ୍ଦ୍ରିୟ ସେବାରୁ ବିରତ କରିବାପାଇଁ ସଭ୍ୟତା ହାତରେ ଦୁଇଟି ଅସ୍ତ୍ର ଅଛି । ସେଥିରୁ ଗୋଟିଏ ସରକାର-ଯାହା ସମାଜର ବାହ୍ୟ ନିୟନ୍ତ୍ରଣରେ ସହାୟକ ହୁଏ; ଅନ୍ୟଟି ହେଉଛି ସଂସ୍କୃତି-ଯାହା ଶିକ୍ଷା, ସାହିତ୍ୟ, ଧର୍ମ ବିଶ୍ୱାସ, ପରମ୍ପରା ମାଧ୍ୟମରେ ମନୁଷ୍ୟର ଆଭ୍ୟନ୍ତରୀଣ କାମନା ବାସନାକୁ ନିୟନ୍ତ୍ରଣ କରେ । ମନୁଷ୍ୟର ଇନ୍ଦ୍ରିୟ ବାସନାକୁ ଦମନ କରିବାପାଇଁ ସରକାରୀ ଦଣ୍ଡବିଧି ଆଇନ ଯେପରି ଏକ ବାହ୍ୟଶକ୍ତି, ସଂସ୍କୃତି ସେହିପରି ଏକ ଆଭ୍ୟନ୍ତରୀଣ ଶକ୍ତି ।’’

 

ପ୍ରକୃତରେ ସଂସ୍କୃତି ହେଉଛି ମନୁଷ୍ୟର ଏକ ଆଭ୍ୟନ୍ତରୀଣ ଶକ୍ତି, ଏକ ମାନବିକ ଚେତନା ଯାହା ମନୁଷ୍ୟକୁ ଉନ୍ନତ କରେ, ତା’ର କାମନା ବାସନାକୁ ନିୟନ୍ତ୍ରଣ କରେ, ତା’ଠାରେ ସାମାଜିକ ମୂଲ୍ୟବୋଧ ଜାଗ୍ରତ କରାଏ ଏବଂ ସାମୂହିକ ଜୀବନ ଯାପନ ଲାଗି ତାକୁ ଅନୁପ୍ରାଣିତ କରେ । ‘ସଂସ୍କୃତି’ ଶବ୍ଦଟି ଇଂରାଜୀ 'Culture' ଶବ୍ଦର ପରିଭାଷା ରୂପେ ବ୍ୟବହୃତ ହେଉଥିଲେ ହେଁ ଏହାର ଅର୍ଥ 'Culture' ଶବ୍ଦର ଅର୍ଥ ଅପେକ୍ଷା ଅଧିକ ବ୍ୟାପକ । ‘ସଂସ୍କୃତି’ର ଅର୍ଥ-ଆତ୍ମସଂଯମର ଏକ ସଫଳ ଅଭ୍ୟାସ । ସଂସ୍କୃତି ସମ୍ପନ୍ନ ମନୁଷ୍ୟ ସଭ୍ୟ ବା ସୁସଂସ୍କୃତ ଭାବେ ବିବେଚିତ ହୁଏ । ସଭ୍ୟ ମନୁଷ୍ୟ ନିଜର ଇନ୍ଦ୍ରିୟ ଲାଳସା ତଥା ସମ୍ଭୋଗ କାମନାକୁ ନିୟନ୍ତ୍ରଣ କରିବା ଲାଗି ସତତ ପ୍ରୟାସୀ ହୁଏ । ତା’ର ଏଇ ସଂଯମ ସାଧନାକୁ ସଭ୍ୟତା କୁହାଯାଏ । ଯେଉଁ ବ୍ୟକ୍ତି ବା ଯେଉଁ ଜାତିର ଏ ସଂଯମ ସାଧନା ଯେତେ ଅଧିକ ସେ ବ୍ୟକ୍ତି ବା ସେ ଜାତି ସେତିକି ସଭ୍ୟ ।

 

ବ୍ୟକ୍ତିଗତ ଓ ସାମୂହିକ ଆତ୍ମ ଆବିଷ୍କାରର ଏକ ପ୍ରେରଣା ହେଉଛି ସଂସ୍କୃତି । ମନୁଷ୍ୟକୁ ଉନ୍ନତ କରିବା ପାଇଁ ଏହା ଏକ ସତତ ଉଦ୍ୟମ । ତେଣୁ ‘ସମ୍ୟକ୍‌+ କୃତି’ରୁ ‘ସଂସ୍କୃତି’ ଶବ୍ଦର ଉତ୍ପତ୍ତି-। ଏହାର ବ୍ୟୁତ୍ପନ୍ନାର୍ଥ ହେଉଛି ଶୁଦ୍ଧ କରିବା ବା ସଂସ୍କାର କରିବା କାର୍ଯ୍ୟ । ମାନବ ପ୍ରକୃତିକୁ ସୁନିୟନ୍ତ୍ରିତ କରି ମାନସିକ-ଉତ୍କର୍ଷ ସାଧନ କରିବା ଓ ଆତ୍ମିକ ଉନ୍ନତି ସାଧନ କରିବାର ପ୍ରଣାଳୀ ହେଉଛି ସଂସ୍କୃତି । ବଂଶାନୁକ୍ରମେ ଗଡ଼ି ଆସୁଥିବା ଲୋକସାଧାରଣଙ୍କ ଜୀବନ ଯାପନର ଏକ ସାମୂହିକ ପଦ୍ଧତି ହେଉଛି ସଂସ୍କୃତି । ଅଧ୍ୟାପକ ଚିତ୍ତରଞ୍ଜନ ଦାସଙ୍କ ଭାଷାରେ- ‘ସଂସ୍କୃତି କହିଲେ ଜୀବନ ବଞ୍ଚିବାର ଏକ ସମଗ୍ର ଗୁଣାତ୍ମକତାକୁ ବୁଝାଏ, ହୁଏତ ଏକ ଅନ୍ତଃ ପ୍ରସାରକୁ ବୁଝାଏ, ଏକ ଗଭୀରତାକୁ ବୁଝାଏ ।’’ ( ୧ )

 

୧.

ଓଡ଼ିଶା ଓ ଓଡ଼ିଆ - ପୃ-୧୧୫ ।

 

ସଂସ୍କୃତି ମନୁଷ୍ୟ ସୃଷ୍ଟ । ତେଣୁ ଏହା ମନୁଷ୍ୟର ଜୀବନଧାରା ସହ ସମତାଳରେ ଗତି କରେ । ପରିବେଶ ଓ ପରିସ୍ଥିତିକୁ ନେଇ ମନୁଷ୍ୟ ଜୀବନର ଗତିପଥରେ ପରିବର୍ତ୍ତନ ଆସିବା ସଙ୍ଗେ ସଙ୍ଗେ ସଂସ୍କୃତି କ୍ଷେତ୍ରରେ ମଧ୍ୟ ମୋଡ଼ମାନ, ଭାଙ୍ଗମାନ ଦେଖାଦିଏ । ଗୋଟିଏ ଭାଙ୍ଗର ସଂସ୍କୃତି ଅପର ଭାଙ୍ଗଠାରୁ ଭିନ୍ନ ହୋଇଯାଏ । ଏହିପରି ଭାବେ କ୍ରମଶଃ ଗଢ଼ିଉଠେ ଗୋଷ୍ଠୀ ଭିତ୍ତିକ ସଂସ୍କୃତି, ଯେପରି-ଆଦିବାସୀ ସଂସ୍କୃତି, ଶବର ସଂସ୍କୃତି, ଜାତିଭିତ୍ତିକ ସଂସ୍କୃତି, ଯେପରି-ଉତ୍କଳୀୟ ସଂସ୍କୃତି, ବଙ୍ଗୀୟ ସଂସ୍କୃତି, ଦେଶ ଭିତ୍ତିକ ସଂସ୍କୃତି, ଯେପରି-ଭାରତୀୟ ସଂସ୍କୃତି, ଚୀନ୍‌ଦେଶୀୟ ସଂସ୍କୃତି ଏବଂ ଆଦର୍ଶ ଭିତ୍ତିକ ସଂସ୍କୃତି, ଯେପରି-ପ୍ରାଚ୍ୟ ସଂସ୍କୃତି, ପାଶ୍ଚାତ୍ୟ ସଂସ୍କୃତି ।

 

ଯେକୌଣସି ଦେଶ ବା ଜାତିର ସଂସ୍କୃତି ତା’ର ଧର୍ମ, ଦର୍ଶନ, କଳାକୃତି, ଇତିହାସ ତଥା ଭୌଗଳିକ ଅବସ୍ଥିତି ଉପରେ ନିର୍ଭରଶୀଳ । ଗୋଟିଏ ଦେଶ ବା ଜାତିର ଅସଲ ସଂସ୍କୃତି ହେଉଛି, ତା’ର ଦେଶ ଧର୍ମ ବା କୁଳଧର୍ମ । ଏହି କୁଳଧର୍ମ ଦେଶର ସାଧାରଣ ଚଳଣି, ଧର୍ମଧାରା, ଆଚାର ବ୍ୟବହାର ଓ ରୀତି ନୀତିକୁ କେନ୍ଦ୍ର କରି ଗଢ଼ିଉଠେ ଏବଂ ତାହା ଅନ୍ୟ ଦେଶର କୁଳଧର୍ମ ଅର୍ଥାତ୍‌ ଆଚାର, ବ୍ୟବହାର, ଚଳଣି, ପରମ୍ପରା ଆଦିଠାରୁ ଭିନ୍ନ ହୋଇଥାଏ । ସେଥିପାଇଁ ଗୋଟିଏ ଦେଶର ସଂସ୍କୃତି ଅନ୍ୟ ଦେଶର ସଂସ୍କୃତିଠାରୁ ସ୍ୱତନ୍ତ୍ର ।

 

କେବଳ ଭୌଗୋଳିକ ଅବସ୍ଥିତି ଭିନ୍ନ ଭିନ୍ନ ହେଲେ ଯେ ସଂସ୍କୃତି ବଦଳିଯାଏ ତାହା ନୁହେଁ-। ଗୋଟିଏ ନିର୍ଦ୍ଦିଷ୍ଟ ଦେଶ ବା ଜାତିର ସାଂସ୍କୃତିକ ଧାରାଟିରେ ମଧ୍ୟ ସମୟାନୁକ୍ରମେ ପରିବର୍ତ୍ତନ ଘଟିଥାଏ । କେତେ ଚଳଣି ପୁରୁଣା ହୋଇ ଲୋପ ପାଇ ଯାଉଥାଏ, କେତେ ନୂତନ ଚଳଣିର ଅନୁପ୍ରବେଶ ଘଟୁଥାଏ, କେତେ ଆଦର୍ଶ ଭାଙ୍ଗି ଯାଉଥାଏ, କେତେ ପୁଣି ନୂଆ ଆଦର୍ଶ ଗଢ଼ି ଉଠୁଥାଏ । ବାସ୍ତବିକ୍‌ ‘‘ସଂସ୍କୃତିର ଇତିହାସ ହେଉଛି-ସତତ ସଂଘର୍ଷର ଇତିହାସ, ଆହ୍ୱାନ ଶୁଣି ଆହ୍ୱାନର ଜବାବ ଦେବାର ଇତିହାସ, ସୋପାନ ପରେ ସୋପାନ ଅତିକ୍ରମ କରିବାର ଇତିହାସ । ଏହା ହେଉଛି ପରମ୍ପରା ଓ ନୂତନ ସୃଜନ ମଧ୍ୟରେ ସତତ ଲାଗି ରହିଥିବା ଏକ ସଂଘର୍ଷର ଇତିହାସ-। ପରମ୍ପରା ଗଢ଼ା ହେଉଥିବାର ପରମ୍ପରା ଭଙ୍ଗା ହେଉଥିବାର ଏବଂ ସେହି ପରମ୍ପରାକୁ ଅତିକ୍ରମ କରି ଯାଉଥିବାର ଏକ ଅବିଚ୍ଛିନ୍ନ ଇତିବୃତ୍ତି ।’’ (୨)

 

୨.

ଓଡ଼ିଆ ସାହିତ୍ୟର ସାଂସ୍କୃତିକ ବିକାଶଧାରା - ଅଧ୍ୟାପକ ଚିତ୍ତରଞ୍ଜନ ଦାସ, ପୃ-୪ ।

 

ଓଡ଼ିଶାର ସଂସ୍କୃତି ଓ ଓଡ଼ିଆ ସାହିତ୍ୟ :

ଓଡ଼ିଶାର ସାମୂହିକ ଜୀବନ-ଜଳବାୟୁକୁ ନେଇ ଓଡ଼ିଶାର ସଂସ୍କୃତି । ଏହି ଜୀବନ-ଜଳବାୟୁକୁ ଉଭୟ ଅନ୍ତଃ ଓ ବାହ୍ୟ ପରିବେଶର ପ୍ରଭାବରେ ଆସିବା ଫଳରେ ଏଥିରେ କେବେ ଉଷ୍ଣତା କେବେ ଆର୍ଦ୍ରତା କେବେ ବା ଶୁଷ୍କତା ଭରି ଯାଇଛି । ସେହି ଅନୁକ୍ରମେ ଓଡ଼ିଶାର ସାଂସ୍କୃତିକ ଚେତନାରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି ।

 

ସାହିତ୍ୟ ହେଉଛି ସାଂସ୍କୃତିକ ସମଗ୍ର ଜୀବନର ଏକ ସନ୍ତକ । ତେଣୁ ସାହିତ୍ୟ ଓ ସଂସ୍କୃତି ପରସ୍ପରର ପରିପୂରକ । ଉଭୟର ଯୋଗାଯୋଗ ଚିରନ୍ତନ । ସେଥିପାଇଁ ଚିତ୍ତରଞ୍ଜନ ଦାସ ଯଥାର୍ଥରେ ଲେଖିଛନ୍ତି-‘‘ସଂସ୍କୃତି ସାହିତ୍ୟକୁ ରୂପ ଦିଏ, ସାହିତ୍ୟ ନୂତନ ସଂସ୍କୃତିର ସୃଷ୍ଟି ଲାଗି ବାଟ କାଢ଼େ, ବାସନା ଜାଗ୍ରତ କରେ । ସାହିତ୍ୟ ସଂସ୍କୃତିର ନାନା ଜଳାଶୟକୁ ଭାଙ୍ଗିଦିଏ, ନୂତନ ଗତିଶୀଳତା ସକାଶେ ଅବସର ସୃଷ୍ଟିକରେ ।’’ ( ୩ )

 

୩.

ତତ୍ରୈବ -ପୃ-୬ ।

 

ଓଡ଼ିଆ ସାହିତ୍ୟ ଉତ୍କଳୀୟ ସଂସ୍କୃତିର ଅଂଶ ବିଶେଷ । ତେଣୁ ଉତ୍କଳୀୟ ସଂସ୍କୃତିର ପରିପ୍ରେକ୍ଷୀରେ ଓଡ଼ିଆ ସାହିତ୍ୟର ବିକାଶ ସମ୍ପର୍କରେ ଆଲୋଚନା କରିବାବେଳେ ଆମକୁ ଦେଖିବାକୁ ହେବ, ଓଡ଼ିଶାର ସଂସ୍କୃତିକୁ ମୂଳଦୁଆ କରି ଓଡ଼ିଆ ସାହିତ୍ୟ କିପରି ଭାବେ ପ୍ରକାଶ ସାମର୍ଥ୍ୟ ଲାଭ କରିଛି ? ପୁଣି ଓଡ଼ିଆ ସାହିତ୍ୟର ସ୍ରଷ୍ଟାଗଣ କିପରି ନିଜ ନିଜର ସୃଜନ ଦକ୍ଷତା ଏବଂ ଦୂରଦୃଷ୍ଟି ବଳରେ ଓଡ଼ିଶାର ସଂସ୍କୃତିକୁ ନୂତନ ମାର୍ଗ ଦର୍ଶାଇ ଆସିଛନ୍ତି ? ଓଡ଼ିଶାରେ ସାଂସ୍କୃତିକ ଚେତନାରେ ପରିବର୍ତ୍ତନ ଘଟିବା ସଙ୍ଗେ ସଙ୍ଗେ ସାହିତ୍ୟିକ ଚେତନା କିପରି ପରବର୍ତ୍ତିତ ହୋଇ ଚାଲିଛି ତାହାର ବିଚାର ମଧ୍ୟ ଏ ପ୍ରବନ୍ଧର ଉଦ୍ଦେଶ୍ୟ ।

 

ଓଡ଼ିଶାର ସାଂସ୍କୃତିକ ଭିତ୍ତିଭୂମି :

ଓଡ଼ିଶାର ସଂସ୍କୃତି ହେଉଛି ଏକ ସମନ୍ୱିତ ସଂସ୍କୃତି-ଆର୍ଯ୍ୟ ଓ ଅନାର୍ଯ୍ୟ ସଂସ୍କୃତିର, ଦ୍ରାବିଡ଼ ଓ ନିଷାଦ ସଂସ୍କୃତିର ଏକ ସମନ୍ୱିତ ରୂପ । ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ଦେଖିଲେ ଓଡ଼ିଶା ଦକ୍ଷିଣ ଭାରତ ଓ ଉତ୍ତର ଭାରତର ଏକ ମିଳନ ସେତୁ । ତେଣୁ ଓଡ଼ିଶାର ଭାଷା, ସାହିତ୍ୟ, ଧର୍ମଧାରା ଆଦିରେ ଉଭୟ ଦକ୍ଷିଣ ଓ ଉତ୍ତର ଭାରତୀୟ ପ୍ରଭାବ ସ୍ୱାଭାବିକ ଭାବେ ପରିଲକ୍ଷିତ ହୁଏ ।

 

ଉତ୍କଳ, କଳିଙ୍ଗ ଓ ଦକ୍ଷିଣ କୋଶଳ-ଏ ତ୍ରିକଳିଙ୍ଗର ସମାବେଶରେ ଓଡ଼ିଶା ପ୍ରଦେଶର ସୃଷ୍ଟି । ଯାଜପୁରଠାରୁ ଉତ୍ତରକୁ ରାଢ଼ଦେଶ (ଏବର ପଶ୍ଚିମବଙ୍ଗ) ଯାଏ ଉତ୍କଳ, ଯାଜପୁରଠାରୁ ଦକ୍ଷିଣକୁ ପ୍ରାୟ ବିଶାଖାପାଟଣା ଯାଏ କଳିଙ୍ଗ ଏବଂ ଏବର ବୌଦଠାରୁ ବିଳାସପୁର ଯାଏ ଦକ୍ଷିଣ କୋଶଳ ବିସ୍ତୃତ ଥିଲା । ଦକ୍ଷିଣ କୋଶଳର ସଂସ୍କୃତି-ତନ୍ତ୍ରର ସଂସ୍କୃତି । ଏହା ମୂଳତଃ ଅଷ୍ଟ୍ରିକ ବା ନିଷାଦମାନଙ୍କ ସଂସ୍କୃତି । ଭାରତରେ ଏହା ପ୍ରାଚୀନତମ ସଂସ୍କୃତି ଭାବେ ବିସ୍ତାର ଲାଭ କରିଥିଲା । କଳିଙ୍ଗର ସଂସ୍କୃତି ମୁଖ୍ୟତଃ ଏକ ଦକ୍ଷିଣୀ ସଂସ୍କୃତି । ଏହା ଦ୍ରାବିଡ଼ମାନଙ୍କଦ୍ୱାରା ଭାରତକୁ ଆସିଥିଲା-। ଉତ୍କଳର ସଂସ୍କୃତି ପ୍ରାୟତଃ ବଙ୍ଗ ସଂସ୍କୃତି ସଙ୍ଗେ ସମାନ । ଓଡ଼ିଶା ଇତିହାସର ଅନୁଧ୍ୟାନ ପୂର୍ବକ ପଣ୍ଡିତ ନୀଳକଣ୍ଠ କହନ୍ତି, ଖ୍ରୀ. ୭ମ-୮ମ ଶତାବ୍ଦୀଠାରୁ ଉତ୍ତର ଓଡ଼ିଶାର ଭୌମମାନେ ସମଗ୍ର ଓଡ଼ିଶାକୁ ଜିଣିଥିଲେ । ସେ ସମୟରେ ବଙ୍ଗଳାର ବଜ୍ରଯାନର ପ୍ରଭାବ ଓଡ଼ିଶାରେ ପଡ଼ିଥିଲା । ଯାଜପୁର ପାଖ ପୁଷ୍ପଗିରି ବିହାରରେ ବଜ୍ରଯାନର ଖୁବ୍‌ ଚର୍ଚ୍ଚା ହେଉଥିଲା । ( ୪ )

 

୪.

ଗୀତା ପୀଠିକା-ପୃ-୭୧ ଦ୍ରଷ୍ଟବ୍ୟ ।

 

ଏହିପରି ଭାବେ ଉତ୍କଳର ବଙ୍ଗୀୟ ସଂସ୍କୃତି, କଳିଙ୍ଗର ଦ୍ରାବିଡ଼ ସଂସ୍କୃତି ଓ ଦକ୍ଷିଣ କୋଶଳର ନିଷାଦୀୟ ସଂସ୍କୃତିର ମିଶ୍ରଣରେ ଓଡ଼ିଶାର ସଂସ୍କୃତି ‘ପ୍ରାଚୀନ କଳିଙ୍ଗ ସଂସ୍କୃତି’ ନାମରେ ଖୁବ୍‌ ପ୍ରସିଦ୍ଧି ଲାଭ କରିଥିଲା । ଖ୍ରୀ. ପୂ. ତିନି ହଜାର ବର୍ଷ ତଳେ ମଧ୍ୟ ଆଫ୍ରିକାରୁ ଦ୍ରାବିଡ଼ମାନେ ଆସି କଳିଙ୍ଗରେ ବାସ କରୁଥିଲେ । ସେମାନଙ୍କର ପ୍ରଧାନ ଉପାସ୍ୟ ଥିଲା ମାନବ ଶରୀରରେ ଥିବା ଆତ୍ମା । ଏହାକୁ ପୁରୁଷ କୁହାଯାଉଥିଲା । ‘ପୁରୁଷ’ ଏକ ଦ୍ରାବିଡ଼ ଶବ୍ଦ । ମୌଳିକ ଭାବରେ ଏହା ହେଉଛି- ‘ପୁରୁଷ’ । ଦ୍ରାବିଡ଼ ଶୈଳୀରେ ପୁରୁଷ ହୋଇଛି । ଏଇ ପୁରୁଷର ପ୍ରଧାନ ପୀଠ କଳିଙ୍ଗ ଉପକୂଳର ପୁରୁଷ କ୍ଷେତ୍ର ବା ପୁରଷୋତ୍ତମ କ୍ଷେତ୍ର- ଏବର ପୁରୀ । (୫)

 

୫.

ଗୀତା-ପୀଠିକା-ପୃ-୭୨ ଦ୍ରଷ୍ଟବ୍ୟ ।

 

ନିଷାଦ ସଂସ୍କୃତି ମଧ୍ୟ ଦ୍ରାବିଡ଼ମାନେ ଆସିବା ପୂର୍ବରୁ ମଧ୍ୟଆଫ୍ରିକାରୁ ଭାରତକୁ ଆସି ପୂର୍ବ ଭାରତ ଓ ଦକ୍ଷିଣ ପୂର୍ବ ମହାସାଗର ଆଡ଼କୁ ବିସ୍ତୃତ ହୋଇଥିବା ଅନୁମେୟ । ନିଷାଦମାନଙ୍କ ପୀଠ ଓଡ଼ିଶାର ଉଡ୍‌ଡୀୟାନ ଭାଗରେ ଥିଲା । କାଳକ୍ରମେ ଏହା ‘ସଉରୀ ନାରାୟଣ’ ସ୍ଥାନରେ (ମହାନଦୀ ଓ ଏହାର ଉପନଦୀ ଜୋଂକ୍‌ର ସଂଗମ ସ୍ଥଳ) ପ୍ରତିଷ୍ଠିତ ହେଲା । ଉଡ୍‍ଡ଼ୀୟାନର ଏହା ଏକ ପ୍ରଧାନ ମାତୃଧର୍ମର ସ୍ଥାନ । ଏଠାରେ ନିମ କାଠର ମୂର୍ତ୍ତି ପୂଜା କରାଯାଉଥିଲା ।

 

କଳିଙ୍ଗର ପୁରୁଷପୀଠ ଓ ଉଡ୍‍ଡ଼ୀୟାନର ସଉରୀନାରାୟଣ ମଧ୍ୟରେ ବିବାଦ କ୍ରମଶଃ ପ୍ରକାଶ୍ୟଭାବେ ବଢ଼ିବାକୁ ଲାଗିଲା । ଖ୍ରୀ. ୧୧ଶ ଶତାବ୍ଦୀରେ ଚୋଡ଼ଗଙ୍ଗ ଦେବ କଳିଙ୍ଗର ରାଜା ହେଲେ । ଉଡ୍‌ଡ଼ୀୟାନ (ଦକ୍ଷିଣ କୋଶଳ) ଓ ଉକ୍‌କଳ (ଉତ୍କଳ) ତାଙ୍କ ଅଧୀନରେ ରହିଲା । ସେ ରାମାନୁଜାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ସଉରୀନାରାୟଣରୁ ନିମକାଠର ମୂର୍ତ୍ତି ମହାନଦୀରେ ପୁରୀକୁ ଅଣାଇ ପୁରୀର ପୁରୁଷ କ୍ଷେତ୍ରରେ ଜଗନ୍ନାଥ ମୂର୍ତ୍ତି ପ୍ରତିଷ୍ଠା କଲେ । କିନ୍ତୁ ପୌରାଣିକ କିମ୍ବଦନ୍ତୀ ଅନୁସାରେ ମାଳବର ରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରଥମେ ଜଗନ୍ନାଥ ମୂର୍ତ୍ତି ବିଶ୍ୱକର୍ମାଙ୍କଦ୍ୱାରା ନିର୍ମାଣ କରାଇଥିଲେ ।

 

ଏକ ସମନ୍ୱୟଧର୍ମୀ ସଂସ୍କୃତିଭାବେ ଜଗନ୍ନାଥ ସଂସ୍କୃତିର ଉଦ୍ଭବ :

ଦ୍ରାବିଡ଼ମାନଙ୍କ ଆଧ୍ୟାତ୍ମବାଦ ସହ ନିଷାଦମାନଙ୍କ ଶୂନ୍ୟବାଦ (ନିଷାଦ ଧର୍ମ ଅନୁସାରେ ଶୂନ୍ୟରୁ ପୃଥିବୀର ସୃଷ୍ଟି ହୋଇଛି) ମିଶି ଜଗନ୍ନାଥ ଧର୍ମର ପରିକଳ୍ପନା କରାଗଲା । ପୁରୁଷ ରୂପରେ ଶୂନ୍ୟ ମିଶି ନିମ କାଠର ଦେବମୂର୍ତ୍ତି ଦାରୁବ୍ରହ୍ମ ଜଗନ୍ନାଥଙ୍କ ସୃଷ୍ଟି ହେଲା । ସେ ଆର୍ଯ୍ୟ ଓ ଅନାର୍ଯ୍ୟ ଉଭୟଙ୍କଦ୍ୱାରା ପୂଜିତ ହୋଇ ଓଡ଼ିଶୀ ସଂସ୍କୃତିର କେନ୍ଦ୍ରବିନ୍ଦୁ ହେଲେ । ତାଙ୍କରିଠାରେ ପୁଣି ବୁଦ୍ଧ ଓ ଜୀନଙ୍କୁ ଆଣି ମିଶାଇ ଦିଆଗଲା । ଖ୍ରୀ. ୮ମ ଶତାବ୍ଦୀରେ ସମ୍ବଲପୁରର ରାଜା ଇନ୍ଦ୍ରଭୂତି ଉଡ୍‌ଡୀୟାନମାନଙ୍କ ପୂଜିତ ଜଗନ୍ନାଥଙ୍କୁ ପ୍ରଣିପାତ କରି ‘ଜ୍ଞାନସିଦ୍ଧି’ ଗ୍ରନ୍ଥରେ ଲେଖିଲେ -

 

‘‘ପ୍ରଣିପତ୍ୟ ଜଗନ୍ନାଥଂ ସର୍ବଜୀବ ବରାର୍ଚ୍ଚିତମ୍‌

ସର୍ବ ବୁଦ୍ଧ ମୟଂସିଦ୍ଧି ବ୍ୟାପିନୋ ଗଗନୋପମମ୍‌ ।’’

 

ଏହିପରି ଭାବେ ଜଗନ୍ନାଥ ବୌଦ୍ଧ ଓ ଜୈନ ପ୍ରତିଷ୍ଠା ମଧ୍ୟ ଲାଭ କଲେ । କେବଳ ସେତିକି ନୁହେଁ, ତାଙ୍କଠାରେ ପୁଣି ଅସୁର ଓ ବୈଦିକ ସଭ୍ୟତାର ସମାବେଶ ଘଟିଲା । ‘‘ଅସୁର ସଭ୍ୟତା ଓ ବୈଦିକ ସଭ୍ୟତାର ଆଦାନ-ପ୍ରଦାନ ଫଳରେ ‘ଅଣାକାର’ ମହାଶୂନ୍ୟରୁ ‘ପରମାତ୍ମା’ ବା ପୁରୁଷୋତ୍ତମ ବାହାରିଥିଲେ ।’’ (୬) ଜଗନ୍ନାଥଙ୍କଠାରେ କ୍ରମଶଃ ସବୁଧର୍ମ ସବୁ ପରମ୍ପରା ଏକାକାର ହୋଇଗଲା ।

 

୬.

ରଥଯାତ୍ରା- ଉତ୍କଳ ସାହିତ୍ୟ- ନୁଆପ୍ରସ୍ଥ-୧-୪ ପୃ-୧୫୭ ପଣ୍ଡିତ ନୀଳକଣ୍ଠ ଦାସ ।

 

ଓଡ଼ିଶାର ଏହି ସମନ୍ୱିତ ସାଂସ୍କୃତିକ ଜୀବନର ଅଭିବ୍ୟକ୍ତି ଘଟିଲା ଓଡ଼ିଆ ସାହିତ୍ୟରେ । ଏକ ମୁକୁର ତୁଲ୍ୟ ଏହା ଓଡ଼ିଆ ସଂସ୍କୃତିର ପ୍ରତିବିମ୍ବ ବହନ କଲା । କ୍ରମାନ୍ୱୟରେ ଓଡ଼ିଆ ସାହିତ୍ୟର ଅନୁଧ୍ୟାନ ପୂର୍ବକ ଯୁଗରୁଚିର ପରିବର୍ତ୍ତନ ସଙ୍ଗେ ସଙ୍ଗେ କିପରି ଓଡ଼ିଶାରେ ଧାର୍ମିକ ଚେତନା, ପ୍ରଚଳିତ ବିଶ୍ୱାସ, ଚଳଣି ଆଦିର ପରିବର୍ତ୍ତନ ଘଟି ଆସିଛି ଏବଂ ସେ ପରିବର୍ତ୍ତନ ଓଡ଼ିଆ ସାହିତ୍ୟକୁ କିପରି ପ୍ରଭାବିତ କରିଛି ତାହା ଦେଖିବାକୁ ହେବ ।

 

ପ୍ରାଚୀନଯୁଗରେ ଧର୍ମଭିତ୍ତିକ ସଂସ୍କୃତି :

ପ୍ରାଚୀନ କାଳରେ ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ଥିଲା ଧର୍ମ ଏବଂ ‘ଧର୍ମ’ ଶବ୍ଦର ଅର୍ଥ ଥିଲା ବହୁ ବ୍ୟାପକ । ‘ଧୃ’ ଧାତୁରୁ ‘ଧର୍ମ’ ଶବ୍ଦର ଉତ୍ପତ୍ତି ଏବଂ ଏହାର ଧାତୁଗତ ଅର୍ଥ ହେଉଛି, ଯାହା ଧାରଣ କରିରଖେ । ଟିକିଏ ବୁଝାଇ କହିଲେ ତାହାର ଅର୍ଥ ‘ହେବ-ଧର୍ମ ହେଉଛି ବିଶ୍ୱ ବ୍ୟାପକ ଶକ୍ତି ଯାହା ଉପରେ ସାରା ଜଗତ ନିର୍ଭର କରି ରହେ । ତେଣୁ ଧର୍ମ ହିଁ ହେଉଛି ବିଶ୍ୱାଧାର ବା ପରମେଶ୍ୱର । ଧର୍ମର ଆଶ୍ରୟ ନେବା ଅର୍ଥ ପରମେଶ୍ୱରଙ୍କ ଆଶ୍ରୟ ନେବା ।

 

ଅତୀତ କାଳରେ ଆମର ସମାଜ ନୀତି, ରାଜନୀତି, ଅର୍ଥନୀତି ସବୁ କିଛି ଧର୍ମ ଉପରେ ପ୍ରତିଷ୍ଠିତ ଥିଲା । ଜନସାଧାରଣ ‘‘ସତ୍ୟଂବଦ, ଧର୍ମଂଚର’’ ନୀତିରୁ କେବେହେଲେ ଓହରି ଯାଉ ନଥିଲେ, ସେମାନେ ଯାହା କହୁଥିଲେ ବା କରୁଥିଲେ ତାହା ସତ୍ୟ ଓ ଧର୍ମକୁ ଅତିକ୍ରମ କରୁ ନଥିଲା-। ଧର୍ମ ପାଳନ ଲକ୍ଷ୍ୟନେଇ ତପସ୍ୱୀ ବ୍ରହ୍ମଚର୍ଯ୍ୟ ସାଧନ କରୁଥିଲେ, ବୈଶ୍ୟ ଧନ ଉପାର୍ଜନ କରୁଥିଲେ, ରାଜା ପ୍ରଜା ପାଳନ କରୁଥିଲେ ଏବଂ ଶୂଦ୍ର ସମସ୍ତଙ୍କ ସେବା କାର୍ଯ୍ୟରେ ନିୟୋଜିତ ରହୁଥିଲେ । ଜଗନ୍ନାଥ ଦାସଙ୍କ ଭାଷାରେ –

 

‘‘ଧନ ଅର୍ଜନେ ଧର୍ମକରି

ଧର୍ମେ ପ୍ରାପତ ନରହରି ।’’

 

ଧର୍ମ ହେଉଛି ସତ୍ୟ-ଆଶ୍ରିତ, ଦାନ, ଯଜ୍ଞ, ହୋମ, ତପ ଏବଂ ବେଦ-ଏ ସମସ୍ତ ଧାର୍ମିକ କାର୍ଯ୍ୟ ସତ୍ୟକୁ ଆଶ୍ରୟ କରେ । ଭାରତୀୟ ସଂସ୍କୃତି ଏହି ସତ୍ୟ -ଧର୍ମ ଉପରେ ପ୍ରତିଷ୍ଠିତ, ଯାହା କିଛି ସତ୍ୟଧର୍ମ ବିବର୍ଜିତ ଭାରତୀୟଙ୍କ ଦୃଷ୍ଟିରେ ସେ ସମସ୍ତ ତ୍ୟାଜ୍ୟ ଓ ଅବାଞ୍ଛନୀୟ ।

 

ଓଡ଼ିଶାର ସାଂସ୍କୃତିକ ପରମ୍ପରା ମଧ୍ୟ ଏହି ଧାରାରେ ଗଡ଼ି ଆସିଛି । ସତ୍ୟ ଓ ଧର୍ମକୁ ଆଶ୍ରୟ କରି ଗ୍ରହ ନକ୍ଷତ୍ର ଯଥାସମୟରେ ଉଦିତ ହେବା ପରି, ସମୁଦ୍ରକୂଳ ଲଂଘନ ନ କରିବା ପରି ସଚରାଚର ପ୍ରକୃତି ନିୟମିତ ରୂପରେ ପରିଚାଳିତ ହେବାପରି ମନୁଷ୍ୟ ମଧ୍ୟ ସ୍ନେହ, ମୈତ୍ରୀ ପରୋପକାର, ଶୃଙ୍ଖଳା, ସଂଯମ ଆଦି ସତ୍ୟ ଧର୍ମର ସାଧନା କରି ସଚ୍ଚିଦାନନ୍ଦଙ୍କ ସନ୍ଧାନ ପାଇ ପାରିବ ଏ ବିଶ୍ୱାସ ଯୁଗଯୁଗ ଧରି ଓଡ଼ିଆମାନଙ୍କ ଅସ୍ଥିମଜ୍ଜାଗତ ରହି ଆସିଅଛି ।

 

ଓଡ଼ିଆ ସାହିତ୍ୟର ଆଦିପର୍ଯ୍ୟାୟ ଓ ଓଡ଼ିଶାର ଧର୍ମଧାରା :

ପ୍ରାଚୀନ ଯୁଗରେ ମନୁଷ୍ୟର ଧର୍ମେଚେତନା ତା’ର ସଂସ୍କୃତି- ଚେତନାକୁ ନିୟନ୍ତ୍ରଣ କରିଥିଲା । ଧର୍ମର ମାର୍ଗ ପରିବର୍ତ୍ତିତ ହେବା ସଙ୍ଗେ ସଙ୍ଗେ ତା’ର ସାଂସ୍କୃତିକ ଗତିପଥରେ ମଧ୍ୟ ପରିବର୍ତ୍ତନ ଘଟୁଥିଲା । ମନୁଷ୍ୟ ତା’ର ଚାଲି-ଚଳଣ, ଆଚାର-ବ୍ୟବହାର, ଦୃଷ୍ଟି-ଦର୍ଶନ ସର୍ବତ୍ର ଧର୍ମର ପ୍ରାଧାନ୍ୟ ଅନୁଭବ କରୁଥିଲା ।-

 

‘‘ଧର୍ମ ଧାରଣା ଏ ଜଗତ

 

ଧର୍ମରେ ସୃଷ୍ଟି ଆତଯାତ’’- ଏ ଧ୍ୱନି ସର୍ବପ୍ରାଣରେ ଅନୁରଣିତ ହେଉଥିଲା । ଏହି ଧର୍ମ ପ୍ରଭାବିତ ସମାଜର ରୂପାୟନ ଘଟୁଥିଲା ସାହିତ୍ୟରେ ।

 

ଓଡ଼ିଆ ସାହିତ୍ୟର ଆଦି ପର୍ଯ୍ୟାୟରେ ଆମେ ଦେଖୁ ଖ୍ରୀ ୭ମ ଶତାବ୍ଦୀଠାରୁ ଖ୍ରୀ-୧୧ଶ ଶତାବ୍ଦୀ ମଧ୍ୟରେ ଅପଭ୍ରଂଶ ଭାଷାରେ ରଚିତ କେତେକ ରଚନା ଯେଉଁଥିରେ ଓଡ଼ିଆ ଭାଷାର ଆଦି ସ୍ୱରୁପ ସ୍ପଷ୍ଟ ପ୍ରତିଭାତ ହୁଏ । ଏ ରଚନା ଗୁଡିକ ମୁଖ୍ୟତଃ ଥିଲା ଧର୍ମ ସମ୍ବଳିତ । ଜନ-ସାଧାରଣଙ୍କୁ ସଦାଚାର ଶିକ୍ଷାଦେବା ଉଦ୍ଦେଶ୍ୟରେ ଉଭୟ ଜୈନ ଓ ବୌଦ୍ଧ ଧର୍ମାବଲମ୍ବୀମାନେ ସାହିତ୍ୟ ମାଧ୍ୟମରେ ପ୍ରୟାସ କରିଥିଲେ । ଜୈନକବି ଅମରକୀର୍ତ୍ତି ତାଙ୍କ ରଚିତ ‘ଛକ୍‌କମ୍ମୋ ବଏସ’ (ଷଟ୍‌କର୍ମ ଉପଦେଶ)ରେ ଜନସାଧାରଣଙ୍କୁ ଦେବପୂଜା, ଗୁରୁସେବା, ସଂଯମ, ଶାସ୍ତ୍ରାଭ୍ୟାସ, ତପ ଓ ଦାନ- ଏହି ଷଟ୍‌ କର୍ମ ପାଳନପାଇଁ ଅତି ସହଜ ଓ ସରଳ ଭାଷାରେ ଉପଦେଶ ଦେଇଛନ୍ତି । ସେହିପରି ଶ୍ରୀଚନ୍ଦ୍ରଙ୍କ ରଚିତ ‘କଥାକୋଷ’ ହେଉଛି ଧାର୍ମିକ ଉପଦେଶର ଏକ ଗନ୍ତାଘର । ଏସବୁ ଗ୍ରନ୍ଥରୁ ଜଣାଯାଏ, ସେ ସମୟରେ ଲୋକମାନେ ତନ୍ତ୍ର ମନ୍ତ୍ରରେ ବିଶ୍ୱାସ ରଖୁଥିଲେ, ମୁନି ବଚନରେ ଶ୍ରଦ୍ଧା କରୁଥିଲେ ।

 

ଜୈନ ଆଚାର୍ଯ୍ୟମାନଙ୍କ ବ୍ୟତୀତ ବୌଦ୍ଧମାନେ ମଧ୍ୟ ସେମାନଙ୍କ ଧର୍ମର ଶାଖା ବଜ୍ରଯାନ ଓ ସହଜଯାନର ସିଦ୍ଧାନ୍ତ ଗୁଡ଼ିକ ‘ଦୋହାକୋଷ’, ‘ବୌଦ୍ଧଗାନ ଓ ଦୋହା’ ଏବଂ ଚର୍ଯ୍ୟାପଦଗୁଡ଼ିକରେ ବର୍ଣ୍ଣନା କରିଛନ୍ତି । ଶାକ୍ୟମୁନି ଗୌତମବୁଦ୍ଧଙ୍କ ମହାପ୍ରୟାଣ ପରେ ବୌଦ୍ଧ ଶ୍ରମଣମାନଙ୍କ ମଧ୍ୟରେ କ୍ରମଶଃ ମତଭେଦ ସୃଷ୍ଟି ହେବାରୁ ବୌଦ୍ଧଧର୍ମ ଦୁଇଟି ଶାଖାରେ ବିଭକ୍ତ ହୋଇଗଲା- ହୀନଯାନ ଓ ମହାଯାନ । ହୀନଯାନୀମାନେ କେବଳ ଆତ୍ମାର ଶୂନ୍ୟତାକୁ ସ୍ୱୀକୃତି ଦେବାବେଳେ ମହାଯାନୀମାନେ ଆତ୍ମା ଓ ଧର୍ମ ଉଭୟର ଶୂନ୍ୟତା ଉପରେ ଜୋରଦେଲେ । ଏହି ଶୂନ୍ୟବାଦ ପ୍ରଥମେ ଓଡ଼ିଶାରୁ ପ୍ରଚାରିତ ହୋଇଥିଲା ବୋଲି ଅନେକ ଆଲୋଚକ ମତ ଦିଅନ୍ତି । ଏହି ଶୂନ୍ୟ ଧାରଣା ପରବର୍ତ୍ତୀ କାଳରେ ଓଡ଼ିଶାରେ ବିଭିନ୍ନ ସାଧକ ସଂପ୍ରଦାୟଦ୍ୱାରା ନିର୍ଗୁଣ ବ୍ରହ୍ମ, ଅଲେଖ, ନିରଞ୍ଜନ, ନିରାକାର, ଅଣାକାର ପ୍ରଭୃତି ନାମରେ ରୂପାନ୍ତରିତ ହୋଇଥିଲା । ‘ଶୂନ୍ୟ ସଂହିତା’ ଗ୍ରନ୍ଥରେ ଅଚ୍ୟୁତାନନ୍ଦ କହିଲେ-

 

‘‘ଶୂନ୍ୟପୁରୁଷ ଦୟାଳୁ ଅଟଇ

ଶୂନ୍ୟପୁରୁଷ ସର୍ବଘଟେ ରହି

ଶୂନ୍ୟପୁରୁଷ କରେ ନଟଘଟ

ଶୂନ୍ୟପୁରୁଷ ଜାଣେ ଛନ୍ଦକୁଟ ।’’

 

ସେହିପରି ଜଗନ୍ନାଥ ଦାସଙ୍କ ‘ତୁଳାଭିଣା’ରେ ଉଲ୍ଲେଖ ଅଛି –

 

‘‘ମହାଶୂନ୍ୟ ଯେ ଜ୍ୟୋତି ରୁପ

ଜ୍ୟୋତିରୁ ଜାତ ଠୂଳ ରୂପ

ଠୂଳରେ ଅର୍ଦ୍ଧ ମାତ୍ରା ହେଲା

ମାତ୍ରାରୁ ଓଁକାର ଜନ୍ମିଲା

ଓଁକାର ବ୍ରହ୍ମ ଏ ଜଗତ

ଶୁଣ ପାର୍ବତୀ ଦେଇ ଚିତ୍ତ ।

 

ବୌଦ୍ଧଧର୍ମର ମହାଯାନ ଶାଖାରେ ପୁଣି ମାଧ୍ୟମିକ ଓ ଯୋଗାଚାର ଦୁଇଟି ମତ ପ୍ରବେଶ କରି ତାହା କ୍ରମେ ବଜ୍ରଯାନ ଓ ସହଜଯାନରେ ପରିଣତ ହେଲା । ସେତେବେଳକୁ ବୌଦ୍ଧ ଧର୍ମର ମୂଳ ଆଦର୍ଶରେ ବହୁ ପରିବର୍ତ୍ତନ ଘଟି ସାରିଥିଲା । ବଜ୍ରଯାନର ପ୍ରଚାର ଓ ପ୍ରସାର ସମୟରେ ବୌଦ୍ଧବିହାରରେ ରହିବାପାଇଁ ପ୍ରଥମ କରି ନାରୀମାନଙ୍କୁ ସ୍ୱୀକୃତି ମିଳିଲା । ଫଳରେ ବଜ୍ରଯାନର ଧର୍ମଗତ ଆଦର୍ଶରେ ଭ୍ରଷ୍ଟାଚାର ପ୍ରବେଶ କରି ତାହା ସହଜଯାନରେ ପରିଣତ ହେଲା । ନରନାରୀଙ୍କ ଦୈହିକ ମିଳନ ମାଧ୍ୟମରେ ସିଦ୍ଧସାଧକ ଗଣ ସହଜ ସିଦ୍ଧିର ଉପାୟ ଖୋଜିବାକୁ ଲାଗିଲେ । ଲୈାକିକ ଜୀବନଧାରା ସହ ସେମାନଙ୍କ ସାଧକ ଜୀବନର ସମନ୍ୱୟ ସାଧିତ ହେଲା । ସେମାନଙ୍କର ଏହି ସହଜ ସାଧନା ବିଭିନ୍ନ ବିଭିନ୍ନ ଗାନୋପଯୋଗୀ ଦୋହାପଦମାନଙ୍କରେ ରୂପାୟିତ ହେଲା । କାହ୍ନୁପାଦଙ୍କ ଭାଷାରେ-

 

‘‘ଆଲୋ ଡୋମ୍ବୀ ତୋଏ ସମ କରିବୋ ମୋ ସାଙ୍ଗ

ନିଘିଣ କାହ୍ନୁ କାପାଳି ଜୋଇ ଲାଙ୍ଗ ।’’ (୭)

କିମ୍ବା

‘‘ତୁଲୋ ଡୋମ୍ୱୀ ହାଉଁ କାପାଳୀ

ତୋହୋର ଅନ୍ତରେ ଘେଣିଲି ହାଡ଼େରି ମାଳି ।’’(୮)

 

୭.

ଡୋମ୍ବିଚର୍ଯ୍ୟା (ନ. ୧୦)- କାହ୍ନୁପାଦ ।

୮.

ତତ୍ରୈବ ।

 

ସହଜତତ୍ତ୍ୱ ଅନୁସାରେ ସାଧକ ବା ଜୀବାତ୍ମା ହେଉଛି ପୁରୁଷ ଏବଂ ନୈରାତ୍ମା ପରମାତ୍ମା ହେଉଛନ୍ତି ପ୍ରକୃତି । ବୈଷ୍ଣବ ସାଧନା ତତ୍ତ୍ୱରେ ଠିକ୍ ଏହାର ବିପରୀତ କଥାଟି ସ୍ୱୀକୃତ । ଏଠାରେ ସାଧକ ନିଜକୁ ପ୍ରକୃତି ଭାବରେ ପୁରୁଷରୂପୀ ପରମାତ୍ମାଙ୍କ ନିକଟରେ ସମର୍ପଣ କରିଥାଆନ୍ତି । ସହଜିଆ ସାଧକ ଗୋଷ୍ଠୀ ଶରୀରର ସହସ୍ରାର ଚକ୍ରରେ ଅଧିଷ୍ଠିତା ନୈରାତ୍ମାଦେବୀଙ୍କ ସହ ମିଳିତ ହେବାକୁ ନିଜ ସାଧକ ଜୀବନର ପରମ ସୌଭାଗ୍ୟ ମନେକରନ୍ତି । ସିଦ୍ଧ-ସାଧକ କବିଙ୍କ କବିତାରେ ଡୋମ୍ୱୀ, ଶବରୀ ଆଦି ନୀଚ ଜାତିର ନାରୀମାନେ ହିଁ ନୈରାତ୍ମା ଦେବୀଙ୍କ ପ୍ରତୀକ ଭାବେ ସ୍ଥାନ ପାଇଛନ୍ତି । କାହ୍ନୁପାଦଙ୍କ –

 

‘‘ଏକ ସୋ ପଦୁମା ଚୌଷଠୀ ପାଖୁଡ଼ୀ

ତହିଁ ଚଡ଼ି ନାଚଅ ଡୋମ୍ୱୀ ବାପୁଡ଼ୀ ।’’

(ଡୋମ୍ୱୀଚର୍ଯା)

 

ଏହି କବିତାରେ ଡୋମ୍ୱୀକୁ ନୈରାତ୍ମାଦେବୀ ଭାବରେ ପ୍ରତୀକୀତ କରାଯିବା ସମୟରେ ଶବରୀ-ପାଦଙ୍କ ରଚିତ –

 

‘‘ଉଁଚା ଉଁଚା ପାବତ ତହିଁ ବସଇ ସବରୀ ବାଳୀ

ମୋରଙ୍ଗୀ ପୀଚ୍ଛ ପରହିଣ ସବରୀ ଗିବତ ଗୁଞ୍ଜରୀ ମାଳୀ ।’’

(ଶବର ଶବରୀ-ପ୍ରେମଚର୍ଯା)

 

ଏହି କବିତାରେ ଶବରୀକୁ ନୈରାତ୍ମାଦେବୀଙ୍କ ପ୍ରତୀକ ଭାବେ ଗ୍ରହଣ କରାଯାଇଚି ।

 

ସହଜଯାନରେ ପ୍ରବୃତ୍ତିର ମାର୍ଗକୁ ସାଧାନାମାର୍ଗ ଭାବରେ ଗ୍ରହଣ କରାଗଲା । ସହଜ ସୁଖ ବା ‘ମହାସୁହ’ ଲାଭ ହେଲା ଏହାର ପରମ ଲକ୍ଷ୍ୟ, ସହଜ ସୁଖର ଚାରିଗୋଟି ସୋପାନ ହେଲା- ଆନନ୍ଦ, ପରମାନନ୍ଦ, ବିରାମାନନ୍ଦ ଓ ସହଜାନନ୍ଦ । ଚର୍ଯାପଦ ଗୁଡିକରେ ଏସବୁ ସୁଖକୁ ବିଭିନ୍ନ ପ୍ରତୀକ ମାଧ୍ୟମରେ ଚିହ୍ନିତ କରାଗଲା । ଚତୁର୍ଥସୁଖ ବା ମହାସୁହ ବା ସହଜାନନ୍ଦରେ ଉପନୀତ ହେଲେ ସାଧକ ସିଦ୍ଧିଲାଭ କରେ, ଅର୍ଥାତ୍‌ ପ୍ରବୃତ୍ତିର ଚରମ ସୀମାରେ ଉପନୀତ ହୋଇ ନିବୃତ୍ତି ଲାଭ କରିବାରେ ସେ ସମର୍ଥ ହୁଏ, ଏହି ଧର୍ମଗତ ଆଦର୍ଶ ନେଇ ସିଦ୍ଧସାଧକଗଣ ଦୈହିକ ମିଳନର ଅନ୍ତରାଳରେ କାୟାସାଧନାର ମାର୍ଗ ଅନୁସନ୍ଧାନ କଲେ । ଶବରୀପାଦ ଲେଖିଲେ –

 

‘‘ହିଅ ତାଁ ବୋଳା ମହାସୁହେ କାପୁର ଖାଇ

ସୁନ ନୈରାମଣି କଣ୍ଠେ ଲାଇଆ ମହାସୁହେ ରାତି ପୋହାଇ ।’’

(ଶବରଶବରୀ-ପ୍ରେମଚର୍ଯା)

 

ସିଦ୍ଧ ସାଧକ କବିମାନେ ଶବରୀକୁ ଏକ ବୃକ୍ଷଭାବେ ପ୍ରତୀକୀତ କରି ପଞ୍ଚସ୍କନ୍ଦକୁ ତାହାର ପାଞ୍ଚଗୋଟି ଶାଖା ଭାବେ ଗ୍ରହଣ କରିଥିଲେ । ବୌଦ୍ଧ ଦର୍ଶନରେ ଏହି ପଞ୍ଚସ୍କନ୍ଦ ହେଉଛି- ପଞ୍ଚବିଷୟ-ରୁପ, ରସ, ଗନ୍ଧ, ଶବ୍ଦ, ସ୍ପର୍ଶ; ପଞ୍ଚମହାଭୂତ-କ୍ଷିତି, ଆପ, ତେଜ, ବାୟୁ ଓ ଆକାଶ; ପଞ୍ଚଇନ୍ଦ୍ରିୟ- ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ୱା, ତ୍ୱକ୍ । ଏ ପଞ୍ଚସ୍କନ୍ଦ ପୁଣି ହେଉଛି- ରୂପ ବା ସ୍ଥୂଳ ଶରୀର, ବେଦନା ବା ଅନୁଭବ ଶକ୍ତି, ସଂଜ୍ଞା ବା ବୋଧଶକ୍ତି, ସଂସ୍କାର ବା ଅନୁଭୂତି ସମୁଚ୍ଚୟ ଏବଂ ବିଜ୍ଞାନ ବା ବିଚାରଶକ୍ତି । ଲୁଇପାଦ ଲେଖିଲେ –

 

‘‘କାଆ ତରୁବର ପଞ୍ଚବିଡ଼ାଳ

ଚଞ୍ଚଳ ଚୀଏ ପଇଠାକାଳ ।’’

(କାୟା-ତରୁଚର୍ଯା)

 

ଓଡ଼ିଆ ଶରୀର ଭେଦ ଭଜନରେ ମଧ୍ୟ ଶରୀରକୁ ଓଲଟ ବୃକ୍ଷ ଓ ଆତ୍ମାକୁ ଲୋଟଣି ପାରା ଭାବେ ପ୍ରତୀକୀତ କରାଯାଇଛି –

 

‘‘ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା

ଅଠାକାଠି ପିଞ୍ଜରୀରେ ନଦିଏ ଧରା ।’’

 

ସହଜିୟା ସିଦ୍ଧ ସାଧକମାନେ ବୋଧିଚିତ୍ତର ସ୍ଥିରତା ଆଣିବା ପାଇଁ ତନ୍ତ୍ରଶାସ୍ତ୍ରାନୁମୋଦିତ କାୟା ସାଧନା ବା ହଠଯୋଗର ଅନୁମୋଦନ କରନ୍ତି । ଏଥିପାଇଁ ସେମାନେ ଶରୀରରେ ଚାରିଗୋଟି ଚକ୍ର ନିରୂପଣ କରିଛନ୍ତି – ନାଭିଦେଶରେ ନିର୍ମାଣଚକ୍ର, ହୃଦୟରେ ଧମର୍ଚକ୍ର, କଣ୍ଠରେ ସମ୍ଭୋଗଚକ୍ର ଏବଂ ମସ୍ତିଷ୍କରେ ମହାସୁଖ ଚକ୍ର । ଏହି ଚାରି ଚକ୍ରରେ ଯଥାକ୍ରମେ ଚାରିକ୍ଷଣ (ବିଚିତ୍ର, ବିପାଳ, ବିମର୍ଦ୍ଦ, ବିଲକ୍ଷଣ), ଚାରିମୁଦ୍ରା । (କର୍ମ, ଧର୍ମ, ମହା, ସମୟ) ଚାରି ଆନନ୍ଦ (ଆନନ୍ଦ, ପରମାନନ୍ଦ, ବିରାମାନନ୍ଦ, ସହଜାନନ୍ଦ)ର ସ୍ଥିତି ପରିକଳ୍ପନା କରାଯାଇଛି । ଶୂନ୍ୟବାଦୀ ସିଦ୍ଧାଚାର୍ଯ୍ୟଗଣ ଶୂନ୍ୟର ମଧ୍ୟ ଚତୁର୍ବଗ ନିର୍ଣ୍ଣୟ କରିଛନ୍ତି – ଶୂନ୍ୟ, ଅତିଶୂନ୍ୟ, ମହାଶୂନ୍ୟ ଓ ସର୍ବଶୂନ୍ୟ । ସର୍ବଶୂନ୍ୟର ଅନ୍ୟନାମ ସହଜଶୂନ୍ୟ । ଏହା ହେଉଛି ବିଶୁଦ୍ଧ ଜ୍ଞାନ ବା ପ୍ରଜ୍ଞା । ଏହି ପ୍ରଜ୍ଞା ସହ ଉପାୟ ବା କରୁଣାର ସଂଯୋଗ ଘଟିଲେ ସାଧକ ମହାସୁଖ ଲାଭ କରେ ।

 

ସହଜିୟା ସାଧକଗଣ ମହାସୁଖ ବା ସହଜାନନ୍ଦର ପ୍ରାପ୍ତି ପାଇଁ ପଞ୍ଚ‘ମ’କାର-ମଦ, ମାଂସ, ମତ୍ସ୍ୟ, ମୁଦ୍ରା ଓ ମୈଥୁନର ସେବା ମାଧ୍ୟମରେ ନାରୀ ଶକ୍ତିର ସାନିଧ୍ୟ ଲାଭ କରନ୍ତି ଏବଂ ଏହିଠାରେ ସେମାନଙ୍କର ସହଜତତ୍ତ୍ୱ ସମ୍ବନ୍ଧୀୟ ଜ୍ଞାନର ଉପଲବ୍‌ଧି ଘଟେ । ସେମାନଙ୍କ ଯୁକ୍ତିରେ ଏ ତତ୍ତ୍ୱ ବୁଝାଇ ହୁଏ ନାହିଁ । କେବଳ ଉପଲବ୍‌ଧି କରିହୁଏ । ଏ ଉପଲବ୍‌ଧି ଭାଷାର ଅତୀତ । ତେଣୁ ଲୁଇପାଦ ଲେଖିଲେ-

 

‘‘କାହେରେ କିସ ଭଣି ମଇ ଦିବି ପିରିଚ୍ଛା

ଉଦକ ଚାନ୍ଦ ଜିମ ସାଚ ନ ମିଚ୍ଛା’’

(ସହଜତତ୍ତ୍ୱ-ଚର୍ଯ୍ୟା)

 

ଭାଷାରେ ପ୍ରକାଶ କଲେ ସହଜତତ୍ତ୍ୱ ଗୋଳମାଳିଆ ହୋଇଯାଏ । କାହ୍ନୁପାଦଙ୍କ ଭାଷାରେ-

 

‘‘ଜେତେଇ ବୋଲୀ ତେତ ବିଟାଳ

ଗୁରୁ ବୋବ ସେ ସୀସା କାଲ ।’’

(ମୂକ-ବଧିର ଉପଦେଶ ଚର୍ଯା)

 

ଓଡ଼ିଶାରେ ତନ୍ତ୍ର ସାଧନା- ବୌଦ୍ଧ ସହଜ ସାଧନାର ଏକ ହିନ୍ଦୁ ରୂପାନ୍ତର :

ସହଜଯାନରେ ରୂପାନ୍ତରିତ ହେବାବେଳକୁ ବୌଦ୍ଧଧର୍ମ ତାହାର ସମସ୍ତ ଔଜଲ୍ୟ ଓ ଆଭିମୁଖ୍ୟ ଗୋଟି ଗୋଟି କରି ହରାଇ ସାରିଥିଲା । ତାହା କ୍ରମଶଃ ହିନ୍ଦୁଧର୍ମ ବା ବ୍ରାହ୍ମଣ୍ୟ ଧର୍ମର ବାହ୍ୟାଙ୍ଗଗୁଡ଼ିକୁ ଆପଣେଇ ନେଇଥିଲା । ଏ ଦୁଇଧର୍ମର ସମନ୍ୱୟ ଫଳରେ ତନ୍ତ୍ର ସାଧନାର ବିକାଶ ଘଟିଲା । ବଜ୍ରଯାନ କ୍ରମେ ‘ମଣିବଜ୍ର’ ହେଲା । ‘ବଜ୍ର’ କହିଲେ ପୁରୁଷର ଯୌନାଙ୍ଗ ଏବଂ ମଣି କହିଲେ ସ୍ତ୍ରୀ ଯୋନିକୁ ବୁଝାଇଲା । ପୁରୁଷର ସାଧନା ସହଚରୀ ‘ନିମ୍ନ ବର୍ଗର ନାରୀମାନଙ୍କୁ ଭୈରବୀ କୁହାଗଲା । ଏହି ତନ୍ତ୍ର ସାଧନା ପରବର୍ତ୍ତୀ କାଳରେ ଜଗନ୍ନାଥ ଧର୍ମରେ ପ୍ରବେଶ କରିବାରୁ ଜଗନ୍ନାଥଙ୍କୁ ଭୈରବ ଓ ବିମଳାଙ୍କୁ ଭୈରବୀ ଆଖ୍ୟା ଦିଆଗଲା–

 

‘‘ବିମଳା ସା ମହାଦେବୀ ଜଗନ୍ନାଥସ୍ତୁ ଭୈରବଃ ।’’ (ଦେବୀ ଭାଗବତ)

 

ସାରଳା ସାହିତ୍ୟରେ ସହଜିଆ ବୌଦ୍ଧ ଧର୍ମମତର ପ୍ରଭାବ :

ଖ୍ରୀ.୧୫ଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାରେ ସହଜିଆ ବୌଦ୍ଧଧର୍ମର ପ୍ରଭାବ ଯେ ଅବ୍ୟାହତ ଥିଲା ତାହାର ପ୍ରମାଣ ସାରଳା ମହାଭାରତ ଓ ତତ୍କାଳୀନ ଅନ୍ୟାନ୍ୟ ରଚନାରେ ପରିଲକ୍ଷିତ ହୁଏ । ବୌଦ୍ଧ ଧର୍ମରେ ଶୂନ୍ୟବାଦ ଉପରେ ପ୍ରଭୂତ ଗୁରୁତ୍ୱ ଆରୋପ କରାଯାଉଥିଲା । ସିଦ୍ଧାଚାର୍ଯ୍ୟଗଣ ଶୂନ୍ୟରୁ ଜଗତ ସୃଷ୍ଟି ହେବାର ବିଶ୍ୱାସ କରୁଥିଲେ । ଆଦିକବି ସାରଳା ଦାସ ମଧ୍ୟ ଶୂନ୍ୟରୁ ଜଗତ ସୃଷ୍ଟି ହୋଇଥିବାର ଉଲ୍ଲେଖ କରିଛନ୍ତି –

 

‘‘ଆଦ୍ୟରୁ ଶୂନ୍ୟ ହିଁ ଜାତ ଶୂନ୍ୟରୁ ପବନ

ପବନରୁ ଜାତ ଯୋଗ ପୁରୁଷ ସମାନ

ଯୋଗ ପୁରୁଷରୁ ଜାତ ହେଲେ ଗାୟତିରୀ

ଏହା ତହୁଁ ଉପୁଜିଲା ମହାମନ୍ତ୍ର ଚାରି ।

ମହାମନ୍ତ୍ରୁ ଉପୁଜିଲା ଚାରିଗୋଟି ବେଦ

ତହୁଁ ଉତପତ୍ତି ହେଲା ସାତଗୋଟି ଛନ୍ଦ

(ସାରଳା ମହାଭାରତ-ଆଦିପର୍ବ)

 

କଳରାମ ଦାସ ମଧ୍ୟ ‘ବିରାଟ ଗୀତା’ରେ ଲେଖିଛନ୍ତି –

 

‘‘ମହାଶୂନ୍ୟରୁ ଶୂନ୍ୟ ହେଲା

ସେ ଶୂନ୍ୟୁ ପ୍ରଣବ ଜନ୍ମିଲା

ଶୂନ୍ୟ ପୁରୁଷ ଶୂନ୍ୟ ଦେହୀ

ଶୂନ୍ୟରେ ବ୍ରହ୍ମ ସିନାଥାଇ ।’’

 

ସାରଳା ମହାଭାରତରେ ବର୍ଣ୍ଣିତ ‘ସହଜ ସୁନ୍ଦରୀ’ ଓ ‘ଶାବରୀ’ ଆଦି କଥାରୁ ସହଜିଆ ବୌଦ୍ଧମତର ଆଭାସ ମିଳେ । ତାନ୍ତ୍ରିକ ବୌଦ୍ଧମତରେ ମହାସୁଖ ରସକୁ ବଜ୍ରସତ୍ତ୍ୱର ପ୍ରତୀକ ଓ ପ୍ରଜ୍ଞା-ଉପାୟର ମିଳନ ସ୍ଥଳ କୁହାଯାଇଛି । ସାରଳା ମହାଭାରତର ‘ମୂଷଳୀ ପର୍ବ’ରେ ଏହି ମହାସୁଖ ରସର କଥା କୁହାଯାଇଛି ।

 

ବଜ୍ରଯାନ ଓ ସହଜଯାନରେ ପ୍ରକାଶ ପାଇଥିବା ପିଣ୍ଡ-ବ୍ରହ୍ମାଣ୍ଡ ତତ୍ତ୍ୱକୁ ମଧ୍ୟ ସାରଳା ଦାସ ଭୀମ ଖାଦ୍ୟ ପଦାର୍ଥ ଅଇଁଠା କରିବା ପ୍ରସଙ୍ଗରେ ଉତ୍‌ଥାପନ କରିଛନ୍ତି । ପିତୃପୁରୁଷଙ୍କୁ ଅର୍ପଣ ପୂର୍ବରୁ ବାଳୁତ ଭୀମ ଖାଦ୍ୟ ପଦାର୍ଥ ଅଇଁଠା କରିଦେବାରୁ ପଣ୍ଡୁ ଯେତେବେଳେ କ୍ରୋଧାନ୍ୱିତ ହୋଇଛନ୍ତି ସେ ସମୟରେ ଅଗ୍ନି ମାନବ ଶରୀର ମଧ୍ୟରେ ସର୍ବଦେବତାଙ୍କ ଉପସ୍ଥିତ ଦର୍ଶାଇ ତାଙ୍କୁ ଶାନ୍ତ କରାଇଛନ୍ତି । ସାରଳାଙ୍କ ଭାଷାରେ-

 

‘‘ତାଳୁର ଶିରରେ ବିଜେ କରିଥାନ୍ତି ବ୍ରହ୍ମା

କପାଳ ପଟରେ ନାରାୟଣ ଯେ ମହାତ୍ମା

ଚନ୍ଦ୍ର ସୂର୍ଯ୍ୟ ଦେବତା ଯେ ଚକ୍ଷୁ ପୁଣି ବେନି

ନାସିକାରେ ବିହରଇ ପବମାନ ଜ୍ଞାନୀ

ବତିଶ ଗୋଟି ଦନ୍ତ ଯେ ବସେ ବେନି ପାଟି

ଅତୁଟ ବଜ୍ର ଘେନିଣ ଇନ୍ଦ୍ର ବସଇଟି ।

 

ଏହି ପିଣ୍ଡ- ବ୍ରହ୍ମାଣ୍ଡତତ୍ତ୍ୱ ପୁଣି ପଞ୍ଚସଖା ସାହିତ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ୧୬ଶ ଶତାବ୍ଦୀର ଓଡ଼ିଶାରେ କାୟା ସାଧନାର ପରିପ୍ରସାର ଘଟାଇଛି ।

 

ଓଡ଼ିଶାରେ ନାଥପନ୍ଥୀଙ୍କ ଅନାସକ୍ତ ସନ୍ନ୍ୟାସ ପରମ୍ପରା ଓ ନାଥ-ସାହିତ୍ୟରେ ଏହାର ପ୍ରତିବିମ୍ବ :

ବୌଦ୍ଧଗାନ ଦୋହା ଓ ଚର୍ଯ୍ୟାଗୀତିକାଗୁଡ଼ିକର ପରବର୍ତ୍ତୀ ଓଡ଼ିଆ ସାହିତ୍ୟ ଭାବେ ନାଥପନ୍ଥୀଙ୍କ ସ୍ୱଳ୍ପ ପରିମିତ ସାହିତ୍ୟକୁ ଗ୍ରହଣ କରାଯାଇଛି । ସହଜିୟା ବୌଦ୍ଧବାଦର ରୂପକାତ୍ମକ ସଙ୍କେତ, ଜଟିଳତତ୍ତ୍ୱ, କୁଟିଳ ସାଧନାକୁ ପରିତ୍ୟାଗ କରି ନାଥଧର୍ମ ଯୋଗାଭ୍ୟାସ, ଅନାସକ୍ତ ଓ ବୀତସ୍ପୃହ ସନ୍ନ୍ୟାସ ମଧ୍ୟରେ ନିର୍ବାଣ ବା ମୁକ୍ତି ଲାଭର ଉପାୟ ପ୍ରଚାର କରିଥିଲା । ନାଥ ସମ୍ପ୍ରଦାୟର ଆଦିଗୁରୁ ଗୋରକ୍ଷନାଥଙ୍କ ‘ଶିଶୁବେଦ’ରେ ନାଥ ପନ୍ଥାର ମର୍ମବାଣୀ ଗୁଞ୍ଜରିତ । ଆତ୍ମା-ପରମାତ୍ମା-ତତ୍ତ୍ୱ ସମ୍ପର୍କରେ ଏଥିରେ କୁହାଯାଇଛି-

 

‘‘ଏକ ଯେ ହୋଇ ଦୁଇ ଅଲଗ ବିଲଗ

ନିରହୁଁ ନିରନ୍ତର ସେହୁ ଅଲଗ

ସିଷୁମୁନା ମଧ୍ୟେ ସ ଯୋତି ପ୍ରକାଶ

ବନ୍ଦନ୍ତି ନାଥେ କୋଟି ସିଦ୍ଧଙ୍କର ବିଶୁଆସ ।’’

 

‘ଶିଶୁବେଦ’ର ଛନ୍ଦ ଓ ଭାଷା ଚର୍ଯାପଦଗୁଡ଼ିକର ଭାଷା ଓ ଛନ୍ଦ ପରି ସରଳ । କାୟା ସାଧନା ପରି ଏକ ଜଟିଳ କଥାକୁ ଏଥିରେ ଅତି ସହଜ ଭାବେ ବୁଝାଇ ଦିଆଯାଇଛି-

 

‘‘ଯେର୍ହ୍ନେକ ବକ ନ ହଲଇ ନୀର

ତେହ୍ନେକ ମନ ପବନ ଥିର ।

ବଗେ ମକ୍ଷେ ନୀରେ ସମ କରି ଜାଣ

ତେବେ ସେ ପିଣ୍ଡକୁ ପରଚେ ପ୍ରାଣ ।’’

 

ନାଥଯୋଗୀଙ୍କ ମାଧ୍ୟମରେ ଭାରତବର୍ଷରେ ଶୈବ ଧର୍ମର ବିଶେଷ ପ୍ରସାର ଘଟିଥିଲା । ସେମାନେ ଶିବଙ୍କୁ ପରମ ଆଦର୍ଶ ଯୋଗୀ ଭାବେ ଗ୍ରହଣ କରିଥାଆନ୍ତି । ନାଥପନ୍ଥୀଙ୍କୁ ଅନୁସରଣ କରି ସାରଳା ଦାସ ମଧ୍ୟ ଶିବଙ୍କୁ ଆଦିନାଥ ଓ ଯୋଗାରୁଢ଼ ପୁରୁଷ ଭାବରେ ସ୍ତୁତି କରିଛନ୍ତି –

 

‘‘ଆଦିନାଥ ତୁ ଈଶାନ ଜଗତଗୁରୁ

ଯୋଗାରୂଢ଼ ପୁରୁଷ ତୁ ନ ଇଚ୍ଛିଲୁ କିଛି ।’’

 

‘ଶିଶୁବେଦ’କୁ ‘ପଞ୍ଚମବେଦ’ କୁହାଯାଏ । ଏ ବେଦର ତତ୍ତ୍ୱ କେବଳ ଯୋଗାରୁଢ଼ ପୁରୁଷ ଶିବଙ୍କୁ ଗୋଚର । ସାରଳା ମହାଭାରତରେ କୁହାଯାଇଛି, ବ୍ରହ୍ମା ତାଙ୍କର ଚାରି ମୁଖରେ ‘ଋଗ୍‌’ (ବାମ ମୁଖରେ) ସାମ (ଦକ୍ଷିଣ ମୁଖରେ), ଯଜୁଃ (ପୂର୍ବ ମୁଖରେ) ଏବଂ ଅଥର୍ବ (ପଶ୍ଚିମ ମୁଖରେ) ଗାନ କରନ୍ତି । କିନ୍ତୁ ଶିବଙ୍କର ପାଞ୍ଚମୁଖ । ଏହି ପଞ୍ଚମୁଖରେ ସେ ଆୟୁ, ଜ୍ୟୋତି, ଧନୁ, ସୀସୁ (ଶିଶୁବେଦ) ଓ ଗନ୍ଧର୍ବ ବେଦ ପାଠ କରି ଥାଆନ୍ତି । ଖ୍ରୀ. ୧୮ଶ ଶତାବ୍ଦୀର କବି ସାଧୁଦାସ ସ୍ୱରଚିତ ‘ସଂସାର ସାରଗୀତା’ରେ ଶିଶୁ ବେଦର ମହତ୍ତ୍ୱ ଦର୍ଶାଇଛନ୍ତି-

 

‘‘ଋକ୍‌ ଯଜୁ ସାମ ପୁଣି ଅଥର୍ବ ଯେ ବେଦ

କେବଳ ଜାଣନ୍ତି ବ୍ରହ୍ମା ଏ ଚାରିଙ୍କ ଭେଦ

ଶିଶୁ ବେଦ କଥା ଅଟେ ଅତ୍ୟନ୍ତ ଗୁପତ

ମହାଯୋଗୀ ଶିବ ଏକା ଜାଣନ୍ତି ସେ ତତ୍ତ୍ୱ ।’’

 

ଶିଶୁବେଦ ସିଦ୍ଧାନ୍ତ ଗ୍ରନ୍ଥ ନୁହେଁ । ଏହା ଏକ ସାଧନ ଗ୍ରନ୍ଥ । ଏଥିରେ ନାଥ ସମ୍ପ୍ରଦାୟର ସାଧନ ମାର୍ଗ ସୂତ୍ରାକାରରେ ବା ଅତି ସଂକ୍ଷେପରେ କୁହାଯାଇଛି । ମୀନନାଥ, ଚଉରଙ୍ଗୀନାଥ, ଗୋରେଖନାଥ ପ୍ରମୁଖ ପ୍ରସିଦ୍ଧ ନାଥ ଯୋଗୀଙ୍କ କଥା ଏଥିରେ ଉଲ୍ଲେଖ ଅଛି । ଶିଶୁବେଦ (ସୀସୁବେଦ)ରେ ନାଥ ସାଧନାର ଦୁଇଟି ଧାରା ବିଦ୍ୟମାନ । ଶ୍ଳୋକଗୁଡ଼ିକରେ ଷଡ଼ଚକ୍ର ସାଧନାଦ୍ୱାରା ମନ, ପବନ ଓ ବିନ୍ଦୁର ସ୍ଥିରତା ଆଣି ଯୋଗୀ ସିଦ୍ଧିଲାଭ କରିବାର ଉପାୟ ବର୍ଣ୍ଣିତ ହୋଇଛି । କିନ୍ତୁ ଅର୍ଥ ବା ଟୀକାରେ କେବଳ ଭ୍ରୂମଧ୍ୟସ୍ଥିତ ଆଜ୍ଞାଚକ୍ରର ପ୍ରାଧାନ୍ୟ ସ୍ୱୀକାର କରାଯାଇଛି ।

 

ସହଜିୟା ସିଦ୍ଧ ସାଧକମାନଙ୍କ ଦେହଚର୍ଯାଜନିତ ଭ୍ରଷ୍ଟାଚାର ସମାଜରେ ବ୍ୟାପି ଯିବାରୁ ସେଥିରୁ ସମାଜକୁ ମୁକ୍ତ କରିବାପାଇଁ ନାଥ ଯୋଗୀଗଣ ବୀତସ୍ପୃହ ସନ୍ନ୍ୟାସ ମଧ୍ୟରେ ମୁକ୍ତିର ମାର୍ଗ ଖୋଜିଲେ । ସଂସାର ପ୍ରତି ବୈରାଗ୍ୟ ଭାବ ପ୍ରଦର୍ଶନ ନାଥଯୋଗୀଙ୍କ ପ୍ରଧାନ ଲକ୍ଷ୍ୟ ହେଲା । ସେମାନଙ୍କର ପ୍ରବର୍ତ୍ତିତ ଚାରିଗୋଟି ଯୋଗ ସାଧନା- ଆରମ୍ଭ, ଘଟ, ପରତେ, ନିଷ୍ପତ୍ତିକୁ ନେଇ ପରବର୍ତ୍ତୀ କାଳରେ ଅଚ୍ୟୁତାନନ୍ଦ ଲେଖିଲେ- ‘ଚାରିଖାନି’ ବା ‘ଶବ୍ଦବ୍ରହ୍ମ- ସଂହିତା’ । ଏ ଗ୍ରନ୍ଥ ପ୍ରତାପରୁଦ୍ର ଦେବଙ୍କ ପଚିଶ ଅଙ୍କରେ ରଚିତ ହୋଇଥିବାର କବି ସ୍ୱୀକାର କରିଛନ୍ତି-

 

‘‘ସେ ମହାରାଜାଙ୍କ ପଚିଶ ଅଙ୍କେ

ଶବଦ ବ୍ରହ୍ମ ମୁଁ କଲି ନିଶଙ୍କେ ।’’

 

ନାଦ ସାଧନର ଚାରିଗୋଟି ଅବସ୍ଥା ଅନୁସାରେ ନାଥ ଯୋଗୀମାନେ ଆରମ୍ଭ ଯୋଗୀ, ଘଟ ଯୋଗୀ, ପରତେଯୋଗୀ ଓ ନିଷ୍ପତ୍ତି ଯୋଗୀ ଭାବେ ପରିଚିତ ହେଉଥିଲେ । ସମସ୍ତ ସାଧନା ମଧ୍ୟରେ ନିଷ୍ପତ୍ତି ସାଧନା ଅତ୍ୟନ୍ତ କଷ୍ଟ । ତ୍ରିଗୁଣ (ସତ୍ତ୍ୱ, ରଜ, ତମ) ଦଉଡ଼ି କାଟି, ମନ ପବନକୁ ଦୃଢ଼ କରି, ଚିଆଁ ଚଇତନ ନିରୋପି, ସଂସାରକୁ ଦୁଃଖମଣି, ମଶାଣି ବା ନିଗମ ସ୍ଥାନରେ ବାସ କରୁଥିବା ବ୍ୟକ୍ତିକୁ ନିଷ୍ପତ୍ତିଯୋଗୀ କହନ୍ତି ।

 

ନାଥପନ୍ଥୀଙ୍କର ଆଉ ଖଣ୍ଡିଏ ଯୋଗ ହେଉଛି ‘ସପତାଙ୍ଗ’ ବା ‘ସପ୍ତାଙ୍ଗ ଯୋଗ’ । ଦେହକୁ ଜଗି ଏ ଜଗତରେ ଅମର ହେବା ଏ ଗ୍ରନ୍ଥର ଲକ୍ଷ୍ୟ । ଏହାର ଲେଖକ ଅଜ୍ଞାତ । ଏ ଗ୍ରନ୍ଥର ଟୀକା ରଚନା କରି ବଳରାମ ଦାସ କହନ୍ତି- ‘‘ସପ୍ତାଙ୍ଗ ଯୋଗ ସର୍ବଯୋଗ ମଧ୍ୟେ ସାର ।’’ ଏ ଗ୍ରନ୍ଥରେ ଚନ୍ଦ୍ର ସୂର୍ଯ୍ୟର ମିଳନ କଥା ବାରମ୍ବାର କୁହାଯାଇଛି । ଜୀବ-ପରମ; ପ୍ରକୃତି-ପୁରୁଷ, ରଜ-ବୀର୍ଯ୍ୟ, ଚନ୍ଦ୍ର-ସୂର୍ଯ୍ୟର ଯୋଗ ହେଉଛି ସାତଗୋଟି ବାରର ମୂଳଦୁଆ । ସାତବାର ସପ୍ତାଙ୍ଗ ଯୋଗର ସାତଗୋଟି ଅଙ୍ଗ ଭାବେ ଗୃହୀତ । ପ୍ରାଣ, ଅପାନ, ସମାନ, ଉଦାନ ଓ ବ୍ୟାନ-ଏହି ପଞ୍ଚ ପବନ ‘ସୂର୍ଯମଣି ନାଡ଼ି’ରେ ବହେ ଏବଂ ନାଗ, କୃମ, ତ୍ରୀକର, ଦେବଦତ୍ତ ଓ ଧନଞ୍ଜୟ – ଏ ପାଞ୍ଚ ପବନ ‘ଚନ୍ଦ୍ରମଣି ନାଡ଼ି’ରେ ବହେ । ସୂର୍ଯ୍ୟମଣି ନାଡ଼ିରେ ପବନ ବହିଲେ ଖାଇବା ପାଇଁ ଏବଂ ଚନ୍ଦ୍ରମଣି ନାଡ଼ିରେ ପବନ ବହିଲେ ଶୋଇବା ପାଇଁ ଏ ଗ୍ରନ୍ଥରେ ନିର୍ଦ୍ଦେଶ ଦିଆଯାଇଛି । ଏ ନିର୍ଦ୍ଦେଶ ମାନି ନାଥପନ୍ଥୀମାନେ ସୁସ୍ଥ ଜୀବନ ଯାପନ କରୁଥିଲେ ।

 

ନାଥ ସାହିତ୍ୟର ଆଉ ଏକ ଅନବଦ୍ୟ ରଚନା ହେଉଛି ‘ଗୋବିନ୍ଦଚନ୍ଦ୍ର’ । ବାତ୍ସଲ୍ୟମୟୀ ମମତା ପରାୟଣା ସ୍ନେହଶୀଳା ଜନନୀ ମୌନାମତିଙ୍କ ପ୍ରେରଣାରେ ରାଜପୁତ୍ର ଗୋବିନ୍ଦଚନ୍ଦ୍ର ସିଂହାସନ ପରିତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କରିବା ଘଟଣାକୁ ଉପଜୀବ୍ୟ କରି ଗ୍ରନ୍ଥଟି ରଚିତ । ଗୋବିନ୍ଦଚନ୍ଦ୍ରଙ୍କ ସନ୍ନ୍ୟାସ ଗ୍ରହଣର ପୃଷ୍ଠଭୂମିରେ ରହିଛି, ସାଂସାରିକ ତୁଚ୍ଛତା ଓ ଜୀବନର ଅଳୀକତାର ମହାନ୍ ଉପଲବ୍‌ଧି ଯାହାକି ଭାରତୀୟ ସଂସ୍କୃତିର ଅନ୍ୟତମ ବୈଶିଷ୍ଟ୍ୟ । ତେଣୁ ଗୋବିନ୍ଦଚନ୍ଦ୍ରଙ୍କ ସନ୍ନ୍ୟାସ ଗ୍ରହଣ ଓଡ଼ିଆ, ବଙ୍ଗଳା ଓ ସଂସ୍କୃତ ଭାଷାର ସାହିତ୍ୟରେ ସ୍ଥାନପାଇ ଲୋକପ୍ରିୟତା ଅର୍ଜନ କରିଛି । ଓଡ଼ିଆ ସାହିତ୍ୟରେ ପଞ୍ଚସଖା ଯୁଗର କବି ଯଶୋବନ୍ତ ଦାସଙ୍କ ‘ଗୀତ ଗୋବିନ୍ଦଚନ୍ଦ୍ର’, ଏବଂ ଏହାକୁ ଭିତ୍ତିକରି ଉଦ୍ଧବ ଦାସଙ୍କ ରଚିତ ‘ଟୀକାଗୋବିନ୍ଦଚନ୍ଦ୍ର’ ଖ୍ୟାତି ଲାଭ କରିଛି । ଏବେ ମଧ୍ୟ ଓଡ଼ିଶାର ପୁରପଲ୍ଲୀରେ ନାଥଯୋଗୀ କେନ୍ଦରା ବଜାଇ ଟୀକାଗୋବିନ୍ଦଚନ୍ଦ୍ରର ନିମ୍ନୋକ୍ତ ପଦ ଉଦ୍ଧାର କରି ଗାଇଥାଏ –

 

‘‘ଭଜୁକିନା ରାମ ନାମରେ ରାଜନ ଭଜୁକିନା ରାମ ନାମ

ଭଜି ନପାରିଲେ କୁଳଚନ୍ଦ୍ରମାରେ ଘେନିଯିବ କାଳଯମ ।’’

 

ଜଗନ୍ନାଥ ସଂସ୍କୃତିରେ ଉଦାର ଧର୍ମଚେତନା ଓ ଓଡ଼ିଆ ସାହିତ୍ୟରେ ତାହାର ସଂକେତ :

ଓଡ଼ିଶା ଧର୍ମର ଦେଶ ଏବଂ ଜଗନ୍ନାଥ ଏ ଦେଶର ପ୍ରାଣ-ପୁରୁଷ । ବୌଦ୍ଧ, ଜୈନ, ଶୈବ, ସୌର, ଶାକ୍ତ, ଗାଣପତ୍ୟ ଓ ନାରାୟଣୀୟ ଧର୍ମମତର ସମନ୍ୱୟରେ ଜଗନ୍ନାଥ ଧର୍ମ ମହିମାନ୍ୱିତ ।

 

ଯେତେବେଳେ ବୌଦ୍ଧଧର୍ମର ବଜ୍ରଯାନୀ ଶାଖାରେ ହିନ୍ଦୁ ଧର୍ମର ତନ୍ତ୍ର ସାଧନା ମିଶିଗଲା ସେତେବେଳେ ବୌଦ୍ଧମାନେ ହିଁ ପ୍ରଥମେ ଜଗନ୍ନାଥଙ୍କଠାରେ ବୁଦ୍ଧତ୍ୱ ଆରୋପ କଲେ । ବୁଦ୍ଧଙ୍କ ଦାନ୍ତ ହିଁ ଜଗନ୍ନାଥଙ୍କ ଦାରୁ ବିଗ୍ରହରେ ବ୍ରହ୍ମରୂପେ ସ୍ଥାନ ପାଇଥିବାର ବିଶ୍ୱାସ ସେମାନେ ଜନ୍ମାଇଲେ-। ଏହାପରେ ଜୈନମାନେ ଜଗନ୍ନାଥଙ୍କୁ ଋଷଭନାଥ କରିବାରେ ବ୍ରତୀ ହେଲେ । ଜଗନ୍ନାଥଙ୍କ ତ୍ରିମୂର୍ତ୍ତିରେ ପୁଣି ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କୁ ଆରୋପ କରାଗଲା । ବ୍ରାହ୍ମଣ୍ୟ ଧର୍ମରେ ଜଗନ୍ନାଥ ହେଲେ ପୁରୁଷୋତ୍ତମ । ତନ୍ତ୍ରରେ ସେ ହେଲେ ଭୈରବ । ପରମବୈଷ୍ଣବ ଚୈତନ୍ୟ ତାଙ୍କୁ ଶ୍ରୀକୃଷ୍ଣ କଲେ । ପରମଭକ୍ତଗଣ ତାଙ୍କୁ ଅବତାରୀ ବିଷ୍ଣୁଭାବେ ଗ୍ରହଣ କରି ତାଙ୍କର ଦଶଅବତାରର ପରିକଳ୍ପନା କଲେ । ଅଦ୍ୱୈତବାଦୀ ଶଙ୍କର ତାଙ୍କୁ ପରଂବ୍ରହ୍ମରୂପେ ଗ୍ରହଣ କଲେ ।

 

ଓଡ଼ିଆ ସାହିତ୍ୟର ଆଦିକବି ସାରଳା ଦାସ ‘ମହାଭାରତ’ ରଚନା କରିବା ବେଳକୁ ଜଗନ୍ନାଥ ଧର୍ମ ଧାରଣା ଭିତରେ ସବୁ ଧର୍ମ ଏକାକାର ହୋଇ ଯାଇଥିଲା, ଜଗନ୍ନାଥ ଚେତନା ଭିତରେ ସବୁ ଦେବାଦେବୀ ଏକୀଭୂତ ହୋଇଯାଇଥିଲେ ।

 

ଜଗନ୍ନାଥଙ୍କୁ ବୁଦ୍ଧରୂପେ କଳ୍ପନା କରିବାର ପରମ୍ପରାକୁ ମାନିନେଇ ସାରଳାଦାସ ଲେଖିଲେ-

 

‘‘ସଂସାର ଜନଙ୍କୁ ତାରିବା ନିମନ୍ତେ

ବଉଦ୍ଧ ରୂପର ବିଜେ ଜଗନ୍ନାଥେ ।’’

ପୁଣି

‘‘ଏକ ମୂର୍ତ୍ତି ତିନିରୂପ ଧରି ଦାମୋଦର

ବଉଦ୍ଧ ରୂପରେ ବିଜେ ଶ୍ରୀନୀଳକନ୍ଦର ।’’

 

୧୫ଶ ଶତାବ୍ଦୀର ଉତ୍କଳରେ ତାନ୍ତ୍ରିକ ଶାକ୍ତଧର୍ମର ପ୍ରଭାବ ଦେଖାଦେଇ ଥିବାର ସୂଚନା ସେ ସମୟର ରଚନାଗୁଡ଼ିକରୁ ମିଳିଥାଏ । ଅବଶ୍ୟ ଏହାର ବହୁ ପୂର୍ବରୁ ବେଦ ଉପନିଷଦରେ ଦେବୀଙ୍କ ଶକ୍ତି ଓ ମହିମା ପ୍ରକୀର୍ତ୍ତିତ ହୋଇଥିଲା । କେନୋପନିଷଦ ଅନୁସାରେ ଦେବୀ ହୈମବତୀ ଇନ୍ଦ୍ରଙ୍କୁ ବ୍ରହ୍ମବିଦ୍ୟାର ଉପଦେଶ ପ୍ରଦାନ କରିଥିଲେ । ସଂସ୍କୃତ ମହାଭାରତରେ କାଳି, କାତ୍ୟାୟିନୀ ଓ ଚଣ୍ଡୀଙ୍କ ସ୍ତୁତି ବହୁ ସ୍ଥାନରେ ପରିଲକ୍ଷିତ ହୁଏ । ଦେବୀ ଭାଗବତରେ ଦେବୀଙ୍କୁ ଜଗତର କାରଣ, ବୁଦ୍ଧିଦାତ୍ରୀ, କୀର୍ତ୍ତି, ଧୃତି, କାନ୍ତି, ମତି, ରତି ଓ ଶ୍ରଦ୍ଧା ରୂପିଣୀ ଜଗଜ୍ଜନନୀ ଭାବେ ସ୍ତୁତି କରାଯାଇଛି । କିନ୍ତୁ ଉତ୍କଳୀୟ ଜନସମାଜରେ ପଞ୍ଚଦଶ ଶତାବ୍ଦୀରେ ହିଁ ଶାକ୍ତ ଧର୍ମର ପ୍ରଭାବ ପ୍ରବଳ ହୋଇ ଉଠିଥିଲା । ଆଦିକବି ସାରଳାଦାସ ନିଜେ ସାରଳାଠାକୁରାଣୀଙ୍କର ପରମ ଭକ୍ତ ଥିଲେ । ସେ ତେଣୁ ତାଙ୍କ ରଚିତ ମହାଭାରତ ବିଭିନ୍ନ ସ୍ଥଳରେ ଦେବୀଙ୍କ ମହିମା ପ୍ରଦର୍ଶନ ପୂର୍ବକ ତାଙ୍କର ସ୍ତୁତି କରିଛନ୍ତି-। ଦେବୀଙ୍କୁ ଗାୟତ୍ରୀ ଭାବେ ସମ୍ବୋଧନ କରି ସେ କହନ୍ତି-

 

‘‘ଜୟ ଜୟ ଜନନୀ ଗୋ ସୁମନ୍ତ ଗାୟତ୍ରୀ

ତୁହି ମାତ ମହାମନ୍ତ ରୂପୀ ଗୋ ଗାୟତ୍ରୀ ।’’

(କର୍ଣ୍ଣପର୍ବ)

 

ଓଡ଼ିଶାରେ ଜଗନ୍ନାଥ, କୃଷ୍ଣ, ରାମ-ଏ ତିନି ଦେବତା ବିଷ୍ଣୁଭାବେ ପରିକଳ୍ପିତ । ତେଣୁ ଏଠାରେ ବୈଷ୍ଣବମାନେ ଉତ୍କଳୀୟ ବୈଷ୍ଣବ, ଗୌଡ଼ୀୟ ବୈଷ୍ଣବ ଓ ରାମୋପାସକ ବୈଷ୍ଣବ ଭାବେ ପରିଚିତ ହୋଇ ବୈଷ୍ଣବ ଧର୍ମରେ ବିଭିନ୍ନ ଶାଖା ସୃଷ୍ଟି କରିଛନ୍ତି । ଉତ୍କଳୀୟ ବୈଷ୍ଣବଗଣ ଜଗନ୍ନାଥଙ୍କୁ ଅବତାରୀ ପୁରୁଷ କରି ରାମ, କୃଷ୍ଣଙ୍କୁ ତାଙ୍କର ଏକ ଏକ ଅବତାର ଭାବେ ସ୍ୱୀକାର କରିଛନ୍ତି-

 

‘‘ଜଗନ୍ନାଥ ଯେ ଷୋଳକଳା

ତହୁଁ କଳାଏ ନନ୍ଦବାଳା ।’’

 

ଗୌଡ଼ୀୟ ବୈଷ୍ଣବଙ୍କ ମତରେ ଶ୍ରୀକୃଷ୍ଣ ହେଉଛନ୍ତି ସ୍ୱୟଂ ଭଗବାନ-ଅବତାରୀ ପୁରୁଷ-‘‘କୃଷ୍ଣସ୍ତୁ ଭଗବାନ ସ୍ୱୟଂ ।’’ ଗୌଡ଼ୀୟ ବୈଷ୍ଣବ ଧର୍ମାବଲମ୍ବୀ କବି ଜୟଦେବଙ୍କ ‘ଗୀତ ଗୋବିନ୍ଦ’ର ‘ଦଶାବତାର’ ସଂଗୀତଟି ଏହାର ପ୍ରକୃଷ୍ଟ ଦୃଷ୍ଟାନ୍ତ । ଏଥିରୁ ଶ୍ରୀକୃଷ୍ଣଙ୍କ ଅବତାରିତ୍ୱର ପରିଚୟ ମିଳିବା ସଙ୍ଗେ ସଙ୍ଗେ ରାମ ଓ ଜଗନ୍ନାଥ (ବୁଦ୍ଧ) କୃଷ୍ଣଙ୍କର ଏକ ଏକ ଅବତାର ଭାବେ ପ୍ରକଟିତ ହୋଇଛନ୍ତି । ଗୌଡ଼ୀୟ ବୈଷ୍ଣବ ଧର୍ମରେ ଦୀକ୍ଷିତ କବି ଅଭିମନ୍ୟୁ ଶ୍ରୀକୃଷ୍ଣଙ୍କୁ-

 

‘‘ଈଶ୍ୱର ସ୍ୱତନ୍ତ୍ର ସ୍ୱୟଂ ଭଗବାନ ତୁହି

ଇଚ୍ଛାମୟ ସର୍ବଶକ୍ତିବନ୍ତ ତତ୍ତ୍ୱ ବିହି ।’’

(ବିଦଗ୍‌ଧ ଚିନ୍ତାମଣି-୧ମଛାନ୍ଦ)

 

କହି ତାଙ୍କର ସ୍ତୁତିଗାନ କରିଛନ୍ତି । ରାମୋପାସକମାନେ ସାଂସାରିକ ପାପ-ତାପରୁ ପରିତ୍ରାଣ ପାଇବାପାଇଁ ରାମ ନାମକୁ ‘ତାରକାମନ୍ତ୍ର’ ଭାବେ ଜପି ଥାଆନ୍ତି । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କହିଲେ-

 

‘‘ତାରକା ମନ୍ତ୍ର ପରସାଦେ, ମୋର କବିପଣ ଉଦେ ।’’

 

ବଳରାମ ଦାସ ରାମ ନାମକୁ ‘ତାରକ ମନ୍ତ୍ର’ କହିବା ସଙ୍ଗେ ସଙ୍ଗେ ରାମଙ୍କଠାରେ ବିଷ୍ଣୁଙ୍କ ଅବତାର ଗୁଡ଼ିକର ଆରୋପ କରିଛନ୍ତି-

 

‘‘ରାମ ନାମ ଗୋଟି ତାରକ ମନ୍ତ୍ର ଜାଣ

ଯେଉଁ ନାମ ଧରିଲେ ନ ଦଣ୍ଡେ କାଳ ଯମ ।

ଆଦ୍ୟ ଅବତାରେ ମାଇଲେ ଶଙ୍ଖାସୁର

ମୀନ ରୂପେ ଅବତାର ସେ କାଳେ ତାହାର ।

ଦ୍ୱିତୀୟ ଅବତାର ହୋଇଲେ ଦେବ ହରି

କୂର୍ମ ରୂପରେ ମନ୍ଦର ଗିରିକି ସମ୍ଭାଳି

x            x            x

(ଜଗମୋହନ ରାମାୟଣ-ଆଦ୍ୟକାଣ୍ଡ)

 

ଓଡ଼ିଶାରେ ବୈଷ୍ଣବ ଧର୍ମ ସହ ଶାକ୍ତଧର୍ମ ମିଶିଯାଇ ପୁଣି ଦୁର୍ଗାମାଧବ ଉପାସନାର ପରମ୍ପରା ସୃଷ୍ଟି ହୋଇଛି, ଆଦିକବି ସାରଳା ଦାସ ଅନେକ ସ୍ଥଳରେ ଦେବୀ ଦୁର୍ଗାଙ୍କ ସହ ବିଷ୍ଣୁ ବା ମାଧବଙ୍କୁ ସ୍ତୁତି କରିଛନ୍ତି-

 

‘‘ସୁମରଣା କଲେ ମନେ ଶ୍ରୀ ଦୁର୍ଗାମାଧବ

ଆହେ ଚକ୍ରଧର ତୁମ୍ଭେ ସୁଗତି ବାନ୍ଧବ ।’’

 

ବିଷ୍ଣୁଙ୍କୁ ଓଡ଼ିଶାରେ ନାରାୟଣ ଏବଂ ମାଧବ ଭାବରେ ମଧ୍ୟ ପୂଜା କରାଯାଇଥାଏ । ଗୌଡ଼ୀୟ ବୈଷ୍ଣବମାନେ ‘ରାଧାକୃଷ୍ଣ’ ନାମକୁ ବାରମ୍ବାର ଉଚ୍ଚାରଣ କରିବା ପରି ଉତ୍କଳୀୟ ବୈଷ୍ଣବଗଣ ‘ଲକ୍ଷ୍ମୀ ନାରାୟଣ’ ନାମକୁ ଜପି ଥାଆନ୍ତି । ସାରଳା ଦାସଙ୍କ ଭାଷାରେ-

 

‘‘ଦଧିବାମନ ଆବର ଲକ୍ଷ୍ମୀ ନାରାୟଣ

ଦୁର୍ଗା ମାଧବ ନାମକୁ କରିଲେ ସ୍ମରଣ ।’’

 

ସେହିପରି ମାଧବ ଉପାସନାର ସ୍ୱାକ୍ଷର ମଧ୍ୟ ‘ସାରଳା ମହାଭାରତ’ର ବିଭିନ୍ନ ସ୍ଥଳରେ ଲକ୍ଷ୍ୟ କରାଯାଏ-

 

‘‘ମାଧବ ସୁମର ନରେ ସିଦ୍ଧ ହେବ କାମ

ମାଧବ ସ୍ମରଣେ ପ୍ରାପ୍ତ ହୁଏ ସର୍ବ ଧର୍ମ ।’’

(ମୂଷଳୀ ପର୍ବ)

 

ସ୍ୱୟଂ ବିଷ୍ଣୁ ଏଠାରେ ‘ମା’ ବା ଲକ୍ଷ୍ମୀଙ୍କର ‘ଧବ’ ବା ସ୍ୱାମୀ ରୂପେ ପରିଚିତ ହୋଇଛନ୍ତି । ଶ୍ରୀ ଓ ସଂପଦର ଅଧିକାରିଣୀ ଲକ୍ଷ୍ମୀଙ୍କ ସ୍ୱାମୀ ଭାବରେ ବିଷ୍ଣୁ ବା ମାଧବ ସର୍ବଦୁଃଖ ବିନାଶ କରିବାପାଇଁ ସମର୍ଥ –

 

‘‘ମାଧବ ସୁମର ନରେ ନାନା ଦୁଃଖ ଯାଉ

ମାଧବ ସୁମର ନରେ ସୁସଂପଦ ହେଉ ।’’

(ସ୍ୱର୍ଗାରୋହଣ ପର୍ବ)

 

ଓଡ଼ିଶାରେ ଶୈବ, ଶାକ୍ତ ଓ ବୈଷ୍ଣବ ଧର୍ମ ଏକତ୍ର ପ୍ରଚାର ଓ ପ୍ରସାର ଲାଭ କରିଥିବାର ପ୍ରମାଣ ଅନେକତ୍ର ମିଳିଥାଏ । କୋଣାର୍କ ମନ୍ଦିରର ବେଢ଼ା ଭିତରେ ଦୁର୍ଗା, ଶିବଲିଙ୍ଗ ଓ ଜଗନ୍ନାଥ ମୂର୍ତ୍ତୀ ଏକତ୍ର ରହିଛନ୍ତି । ଭୁବନେଶ୍ୱରର ଅନନ୍ତ ବାସୁଦେବ ମନ୍ଦିରର ଭୋଗମଣ୍ଡପରେ ମଧ୍ୟ ଜଗନ୍ନାଥ, ଶିବ ଓ ଦୁର୍ଗା ଏକତ୍ର ଦେଖାଯାଆନ୍ତି । ପୁଣି ଜଗନ୍ନାଥ ଧର୍ମର ତ୍ରିମୂର୍ତ୍ତି ପରିକଳ୍ପନାରେ ସୃଷ୍ଟିକର୍ତ୍ତା ବ୍ରହ୍ମା,, ପାଳନକର୍ତ୍ତା ବିଷ୍ଣୁ ଓ ସଂହାରକର୍ତ୍ତା ମହେଶ୍ୱରଙ୍କୁ ଏକାକାର କରି ଦିଆଯାଇଛି । ସୁଭଦ୍ରା, ଜଗନ୍ନାଥ ଓ ବଳଭଦ୍ର ଓଡ଼ିଶାରେ ଯଥାକ୍ରମେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ଭାବେ ପୂଜିତ । ସାରଳାଙ୍କ ଭାଷାରେ-

 

‘‘ରାମ କୃଷ୍ଣ ସୁଭଦ୍ରା ଯେ ଏ ତିନି ପ୍ରତିମା

ଶ୍ରୀ ପୁରୁଷୋତ୍ତମେ ବିଜେ ହଳୀ ହର ବ୍ରହ୍ମା ।’’

(ମୂଷଳୀ ପର୍ବ)

 

ପୌରାଣିକ ଯୁଗରେ ହିନ୍ଦୁଧର୍ମ- ଶୈବ, ଶାକ୍ତ, ବୈଷ୍ଣବ, ସୌର, ଗାଣପତ୍ୟ-ଏହି ପାଞ୍ଚଗୋଟି ମୁଖ୍ୟ ଶାଖାରେ ବିଭକ୍ତ ହୋଇଥିଲା । ଓଡ଼ିଶାର ସଂସ୍କୃତିର ଉଦାରବାଦୀ ଚେତନାରେ ଏ ପଞ୍ଚଧର୍ମର ଉପାସନା ପଦ୍ଧତି ସମନ୍ୱିତ ହୋଇଯାଇଛି । ପୁରୀର ଜଗନ୍ନାଥ ମନ୍ଦିର (ବିଷ୍ଣୁ ମନ୍ଦିର), ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର (ଶିବ ମନ୍ଦିର) ଯାଜପୁରର ବିରଜା ମନ୍ଦିର (ଶକ୍ତିପୀଠ), କୋଣାର୍କର ସୂର୍ଯ୍ୟମନ୍ଦିର ଏବଂ ଚଣ୍ଡୀଖୋଲର ମହାବିନାୟକ ମନ୍ଦିର ଏହାର ପ୍ରମାଣ । ଆମର ଦୈନନ୍ଦିନ ପୂଜା ପଦ୍ଧତିରେ ମଧ୍ୟ ‘ନମୋ ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା’ କହି ପଞ୍ଚ ଦେବତାଙ୍କୁ ଏକତ୍ର ସ୍ତୁତି କରାଯାଇଥାଏ । ଆମର ଆଦି କବି ସାରଳା ଦାସ ନିଜେ ଶକ୍ତି ଉପାସକ ଥିଲେ ହେଁ ତାଙ୍କ ମହାଭାରତର ବିଭିନ୍ନ ସ୍ଥାନରେ ପଞ୍ଚଦେବତା ଉପାସନାର ଦୃଷ୍ଟାନ୍ତ ରହିଛି-

 

‘‘ଜୟ ଜୟ ଦେବାସୁର ସିନ୍ଧ ଲମ୍ବୋଧର

ଜୟତୁ ଜୟତୁ ଦେବ ସର୍ବ ବିଘ୍ନ ହର ।

ଜୟ ଜୟ ଜଗନ୍ନାଥ ଜୟ ଦେବ ହରି

ଶ୍ରୀ ଜଗନ୍ନାଥ ସୁମରି ନରେ ଯିବେ ତରି ।

 

ନମସ୍ତେ ନମସ୍ତେ ଶ୍ରୀ ତ୍ରିଲୋଚନ ନମୋ ମହାଦେବ

ନମସ୍ତେ ହେ ବିରୁପାକ୍ଷ ନମୋ ସଦାଶିବ ।

ଜୟତୁ ଜୟତୁ ମାଗୋ ଶ୍ରୀ ଚଣ୍ଡୀ ସାରଳା

ତୁହି ଯାହାକୁ ପ୍ରସନ୍ନ ହେଉ ଗୋ ମଙ୍ଗଳା ।

ନମୋ ନମୋ କମଳଲୋଚନ କରତାର

ପ୍ରଳୟ ବିହନ୍ତା ନାମ ବହୁତ ଭାସ୍କର ।

 

ଏ ସମସ୍ତ ଧର୍ମର ଉପାସନା ଓଡ଼ିଶାରେ ପ୍ରଚଳିତ ଥିଲେ ହେଁ ବିଭିନ୍ନ ଧର୍ମ ସଂପ୍ରଦାୟଙ୍କ ମଧ୍ୟରେ କୌଣସି ବିବାଦର ସୂତ୍ରପାତ ହୋଇ ନାହିଁ । ବରଂ ସବୁ ସଂପ୍ରଦାୟ ଜଗନ୍ନାଥଙ୍କ ନିକଟରେ ନତମସ୍ତକ ହୋଇ ତାଙ୍କରି ଭିତରେ ନିଜ ନିଜ ଉପାସ୍ୟ ଦେବଙ୍କୁ ଦେଖି ପାରିଛନ୍ତି । ଓଡ଼ିଶାର ଧର୍ମ ପରମ୍ପରା ଅନୁସାରେ ‘ହରି’ ଶବ୍ଦର ଉଚ୍ଚାରଣ ମାତ୍ରେ ବୈଷ୍ଣବ ବିଷ୍ଣୁଙ୍କୁ, ଶାକ୍ତ ଶକ୍ତିଙ୍କୁ, ଶୈବ ଶିବଙ୍କୁ, ସୌର ସୂର୍ଯ୍ୟଙ୍କୁ ଏବଂ ଗାଣପତ୍ୟ ଗଣେଶଙ୍କୁ ସ୍ମରଣ କରି ଥାଆନ୍ତି ।

 

ଶାନ୍ତିପୂର୍ଣ୍ଣ ଧାର୍ମିକ ସହାବସ୍ଥାନ ପାଇଁ ଓଡ଼ିଆ ପୁରାଣମାନଙ୍କରେ ବିଭିନ୍ନ ଉପାସ୍ୟ ଦେବଦେବୀଙ୍କ ମହତ୍ତ୍ୱ ପ୍ରଖ୍ୟାପନ କରାଯାଇଥାଏ ଏବଂ ଧର୍ମର ମହତ୍ତ୍ୱ ସମ୍ପର୍କରେ ପାଠକ ବା ଶ୍ରୋତାଗଣଙ୍କୁ ଅବହିତ କରାଇ ଦିଆଯାଇଥାଏ । ମାନବୋଚିତ ଧର୍ମ କଅଣ ? ତାହାର ବ୍ୟାଖ୍ୟା କରି ‘ବାମନ ପୁରାଣ’ କହେ-

 

‘‘ମାନବଙ୍କ ଧର୍ମ ବେଦ ପଠନ ଯଜନ

ଅକାର୍ପଣ୍ୟ ଅନାୟାସ ବ୍ରହ୍ମଚର୍ଯ୍ୟ ଦାନ ।

ଅହିଂସା ଯେ ଦୟା କ୍ଷମା ଶଉଚ ଆବର

ଥିବ ସୂର୍ଯ୍ୟ ଦେବଠାରେ ଭକ୍ତି ନିରନ୍ତର ।’’

 

ସେହିପରି ଅଧର୍ମର କୁପରିଣାମ ସମ୍ପର୍କରେ ‘ଜଗମୋହନ ରାମାୟଣ’ରେ ଉଲ୍ଲେଖ ଅଛି-

 

‘‘ଅଧାର୍ମିକ ଲୋକଙ୍କର ଧନ ମାନ ଯଶ

ଆୟୂଷ ସହିତେ ସବୁ ହୁଅଇ ବିନାଶ ।

ଅଧର୍ମକୁ ମହାପାପ ଉପୁଜଇ ଜାଣ

ତହିଁରୁ କଦାପି ନମିଳଇ ପରିତ୍ରାଣ ।

 

ଅଧର୍ମ ଜନର ମୁଖ ପ୍ରାତୁଃ ଯେ ଚାହିଁବ

ଯଶ ଶରି ଆୟୁ ଧନ ତା’ର ନାଶ ଯିବ ।

ତେଣୁ ଅଧର୍ମରେ ମତି କଦାପି ନ ଦିଅ

ଧର୍ମ ପଥେ ଗତିକରି ସୁଖେ ରହିଥାଅ ।’’

(ଲଙ୍କାକାଣ୍ଡ)

 

ଓଡ଼ିଶାରେ ପ୍ରଚଳିତ ବିଭିନ୍ନ ଧର୍ମଧାରାର ସ୍ୱାକ୍ଷର ବହନ କରି ଓଡ଼ିଆ ସାହିତ୍ୟର ଆଦିଯୁଗ ସମୃଦ୍ଧ ହୋଇଛି । ସାରଳା ଦାସଙ୍କ ବିଲଙ୍କା ରାମାୟଣ, ଚଣ୍ଡୀପୁରାଣ, ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଆଦିରେ ଦେବୀଙ୍କ ମହିମା ପ୍ରକୀର୍ତ୍ତିତ ହୋଇଛି । ମତ୍ସ୍ୟ ଓ ବ୍ରହ୍ମାଣ୍ଡ ପୁରାଣରେ ବିରଜା ପୀଠର ମହାତ୍ମ୍ୟ ବର୍ଣ୍ଣନା ପ୍ରସଙ୍ଗରେ କୁହାଯାଇଛି, ବିଷ୍ଣୁ ଗୟାସୁରର ଶରୀରକୁ ତିନିଖଣ୍ଡ କରି କାଟି ମୁଣ୍ଡକୁ ଗୟାରେ, ନାଭିକୁ ଯାଜପୁରରେ, ପାଦକୁ ମାହେନ୍ଦ୍ରଗିରିରେ ନିକ୍ଷେପ କରିବାରୁ ସେହି ସ୍ଥାନମାନଙ୍କରେ ଯଥାକ୍ରମେ ବିଷ୍ଣୁକ୍ଷେତ୍ର, ଶକ୍ତିକ୍ଷେତ୍ର ଓ ଶିବକ୍ଷେତ୍ରର ସୃଷ୍ଟି ହୋଇଥିଲା ।

 

ଶୈବଧର୍ମର ମହାତ୍ମ୍ୟ ଶିବପୁରାଣ, ସ୍କନ୍ଦପୁରାଣ, ଲିଙ୍ଗପୁରାଣ, ଅଗ୍ନିପୁରାଣ ଆଦିରେ ବର୍ଣ୍ଣିତ । ଖ୍ରୀ. ୧୬ଶତାବ୍ଦୀରେ ରଚିତ ‘ରୁଦ୍ର ସୁଧାନିଧି, ଗ୍ରନ୍ଥରେ ଉଭୟ ଶୈବଧର୍ମ ଓ ବୈଷ୍ଣବ ଧର୍ମ ମଧ୍ୟରେ ସମନ୍ୱୟ ଘଟିଥିବାର ଦର୍ଶାଇ ଦିଆଯାଇଛି । ଏ ଗ୍ରନ୍ଥର ପ୍ରଣେତା ନାରାୟଣାନନ୍ଦ ଅବଧୂତ ସ୍ୱାମୀଙ୍କ ନାମରେ ମଧ୍ୟ ‘ନାରାୟଣ’ ଓ ‘ଅବଧୂତ ସ୍ୱାମୀ’ ପଦ ଦୁଇଟି ଯଥାକ୍ରମେ ବିଷ୍ଣୁ ଓ ଶିବଙ୍କ ସଙ୍କେତ ବହନ କରିଅଛି । ଶିବ ସିଦ୍ଧିକାମୀ ରୁଦ୍ରଗଣଙ୍କ ଅନ୍ତର୍ଗତ ଦୋଷାଦୋଷ ପରୀକ୍ଷା କରିବା ବିଷୟ ‘ରୁଦ୍ର ସୁଧାନିଧି’ର ଉପଜୀବ୍ୟ ବିଷୟ ହେଲେ ହେଁ ବହୁସ୍ଥାନରେ ଲେଖକ ବିଷ୍ଣୁଙ୍କୁ ସ୍ତୁତିକରି ତାଙ୍କ ମହିମା କୀର୍ତ୍ତନ କରିଛନ୍ତି ।

 

ରୁଦ୍ର ଅଭିନବ ଚୈତନ୍ୟ ଯୋଗଭ୍ରଷ୍ଟ ହୋଇ ବସୁଧା ମଣ୍ଡନ ରାଜ୍ୟର ରାଜା ଅନଙ୍ଗ ପଦ୍ମାକରଙ୍କ ପାଟମହିଷୀଙ୍କ ଗର୍ଭରେ ଜଠର ଯନ୍ତ୍ରଣା ଭୋଗ କରିବା ଏବଂ ତାଙ୍କ ପୁତ୍ର ରୂପେ ଜାତ ହୋଇ ରୁଦ୍ରସୁଧାନିଧି ନାମରେ ନାମିତ ହେବା-ଏସବୁ ପ୍ରସଙ୍ଗରୁ ଲେଖକଙ୍କ ଶୈବ ମନୋଭାବର ପରିଚୟ ମିଳେ । ଜନ୍ମ ସମୟରୁ ହିଁ ରୁଦ୍ରସୁଧାନିଧିଠାରେ ଲେଖକ ଯୋଗୀର ବୈରାଗ୍ୟଭାବ ଦର୍ଶାଇଛନ୍ତି- ‘‘ଏ କୁମର କେମନ୍ତ କେମନ୍ତ କରି ରୋଦନ କରୁଅଛି । ଶିବୋଽହମ୍‌, ଶିବୋଽହମ୍‌, ଶିବୋଽହମ୍‌ । ସର୍ବଗତୋଽହଂ । ଶାନ୍ତୋଽହଂ, ଶୁଦ୍ଧୋଽହଂ । ନିର୍ବୈରୋଽହଂ । ପୂର୍ଣ୍ଣୋଽହଂ, କେବଳୋଽହଂମ୍‌ x x x ଆନବାଳକ ପୁଏ ଅଜ୍ଞାନରେ ବୋଲନ୍ତି କୋଽହଂ, କୋଽହଂ, କୋଽହଂ, ଏ ଶିବଭାବ ଆବୋରି କାନ୍ଦିଲା ଶିବୋଽହଂ, ଶିବୋଽହଂ, ଶିବୋଽହଂ (୯)

 

୯.

ରୁଦ୍ର ସୁଧାନିଧି-ପୃ-୯୭-୯୮-ସଂପାଦକ-ଡକ୍ଟର କରୁଣାକର କର ।

 

ଅପର ପକ୍ଷରେ ପୃଥ୍ୱୀ ତିଳକ ରାଜ୍ୟର ରାଜା ଧର୍ମଧ୍ୱଜଙ୍କ ପାଟମହିଷୀ କୋକିଳାବତୀଙ୍କୁ ନାରାୟଣାନନ୍ଦ ଲକ୍ଷ୍ମୀଙ୍କର ସେବାକାରୀ ରୂପରେ ଚିତ୍ରଣ କରିବା ସଙ୍ଗେ ସଙ୍ଗେ ଲକ୍ଷ୍ମୀ ଯେ ପୂର୍ବ ଜନ୍ମରେ ପାର୍ବତୀ ଥିଲେ ତାହା ଲକ୍ଷ୍ମୀଙ୍କ ମୁଖରେ ପ୍ରକାଶ କରିଛନ୍ତି । ବିଷ୍ଣୁପତ୍ନୀ ଲକ୍ଷ୍ମୀ ଏବଂ ଶିବପତ୍ନୀ ପାର୍ବତୀଙ୍କୁ ଏକ ଓ ଅଭିନ୍ନ କରି ଲେଖକ ଶୈବଧର୍ମ ଓ ବୈଷ୍ଣବ ଧର୍ମକୁ ଏକାକାର କରି ଦେଇଛନ୍ତି । ଲକ୍ଷ୍ମୀ କୋକିଳାବତୀଙ୍କ ଭକ୍ତିରେ ସନ୍ତୁଷ୍ଟା ହୋଇ କହିଛନ୍ତି- ‘‘ମୋହର ପ୍ରାୟେକ ହୋଇ ମୁହିଁ ସେ ଅଛି । ଆରେକ ଅବତାରେ ପାର୍ବତୀ ଦେହରୁ ଜାତ କରିଅଛି । ସେ ମନୁଷ୍ୟ ରୂପ ହୋଇଅଛି । ତୋହର ଭକ୍ତିବଳେ ତାହାକୁ ଦେବି ଗୋ ମୃଗାକ୍ଷି ।’’ (୧୦) ରୁଦ୍ର ସୁଧାନିଧି ଗ୍ରନ୍ଥରେ ଯତ୍ରତତ୍ର ଜଗନ୍ନାଥଙ୍କ ମହିମା ଗାନ କରାଯାଇଛି । ଯେପରି ‘‘ଚତୁଃଷଷ୍ଠୀକି ଚାରି ଗୁଣିଲେ ଯେତେ । ଶ୍ରୀ ଜଗନ୍ନାଥଙ୍କ ଅନୁଗ୍ରହରୁ ଯୋଗୀ ଜାଣଇ ତେତେ ।’’ (୧୧) କିମ୍ବା ‘‘ଶ୍ରୀଜଗନ୍ନାଥଙ୍କର ସେବକମାନଙ୍କର ପାଦରଜ ଘେନିମାରୁଁ କରି । ନାରାୟଣ ଦାସ ଏହା ପାଇଲା ବିସରି ।’’ ( ୧୨ ) (କ୍ରମଶଃ)

 

୧୦.

ତତ୍ରୈବ-ପୃ-୧୪୦ ।

୧୧.

ତତ୍ରୈବ-ପୃ-୧୩୦ ।

୧୧.

ତତ୍ରୈବ-ପୃ-୧୩୧ ।

 

ଓଡ଼ିଆ ସାହିତ୍ୟରେ ଜ୍ଞାନମିଶ୍ରା ଭକ୍ତିର ପରମ୍ପରା :

ଖ୍ରୀ ୧୫ଶ ଶତାବ୍ଦୀର ଶେଷଭାଗରେ ପଞ୍ଚସଖା-ବଳରାମ, ଜଗନ୍ନାଥ, ଅଚ୍ୟୁତ, ଅନନ୍ତ, ଯଶୋବନ୍ତଙ୍କ ଆବିର୍ଭାବ ସମୟକୁ ଓଡ଼ିଶାରେ ଉଦାର ଧର୍ମ ସାଧନା ତଥା ଓଡ଼ିଆ ଚଳଣିରେ ସାର୍ବଜନୀନତା ଦେଖା ଦେଇଥିଲା । ପଞ୍ଚସଖା ଯେ କେବଳ ବୈଷ୍ଣବ କାୟା ସାଧକ ଥିଲେ ତାହା ନୁହେଁ, ସେମାନେ ଜୀବନବାଦୀ ଥିଲେ । ସଗୁଣ ଓ ନିର୍ଗୁଣ ସାଧନା ମଧ୍ୟରେ ସେମାନେ ଏକ ଉଚ୍ଚତର ସମନ୍ୱୟ ଦେଖିପାରିଥିଲେ । ରୂପ ଭିତରେ ଅରୂପର ଏକ ଅରୂପ ମଧ୍ୟରେ ରୂପର ସନ୍ଧାନ କରିଥିଲେ । ଅଚ୍ୟୁତାନନ୍ଦଙ୍କ ଭାଷାରେ-

 

‘‘ଅରୂପରୁ ରୂପ ପ୍ରକାଶ ହେବ । ରୂପ ଯାଇଣ ଅରୂପେ ମିଶିବ

ରୂପ ଅରୂପ ସମ କରିଥିବୁ । ସମତା ରୂପରେ ସବୁ ପାଇବୁ ।

(ତତ୍ତ୍ୱ ବୋଧିନୀ-ପ୍ରଥମ ଅଧ୍ୟାୟ )

 

ସହଜିୟା ସାଧକ ବର୍ଗ ସାଧନାରେ ସିଦ୍ଧି ଲାଭ ପାଇଁ ନାରୀର ସାହଚର୍ଯ ଲୋଡ଼ିଥିଲେ । ଫଳରେ ସେମାନଙ୍କ ଦେହବାଦ ଦେଇ ସମାଜରେ ଭ୍ରଷ୍ଟାଚାର ବ୍ୟାପିଗଲା । ସମାଜକୁ ଏହି ଦୁର୍ଗତିରୁ ରକ୍ଷା କରିବାପାଇଁ ପଞ୍ଚସଖା ହେଲେ ‘ପିଣ୍ଡ ବ୍ରହ୍ମାଣ୍ଡବାଦୀ’, ପିଣ୍ଡ ଭିତରେ ହିଁ ସେମାନେ ବ୍ରହ୍ମାଣ୍ଡକୁ ତଥା ବିଶ୍ୱମୟ ପୁରୁଷଙ୍କୁ ଦେଖିବାକୁ ଲାଗିଲେ ଏବଂ ବ୍ରହ୍ମାଣ୍ଡକୁ ପିଣ୍ଡର ବିଶ୍ୱମୟ ରୂପ ରୂପେ ଅନୁଭବ କଲେ । ତେଣୁ ତାଙ୍କ ସାଧନାପାଇଁ ଡୋମ୍ବୀ ଚାଣ୍ଡାଳୀ ତୁଲ୍ୟ ସାଧନା ସଙ୍ଗିନୀଙ୍କର ଆବଶ୍ୟକତା ରହିଲା ନାହିଁ, ବଳରାମ ଦାସଙ୍କ ବ୍ରହ୍ମାଣ୍ଡ ଭୁଗୋଳରେ ଶରୀର ହିଁ ହୋଇଛି ସକଳ ଐଶ୍ୱର୍ଯ୍ୟର ଭଣ୍ଡାର । ଶରୀର ଭିତରେ ସେ ସ୍ୱର୍ଗ ମର୍ତ୍ତ୍ୟ ଓ ପାତାଳ ଦେଖି ପାରିଛନ୍ତି । ପଞ୍ଚସଖାଙ୍କର ଏହି ‘ପିଣ୍ଡ-ବ୍ରହ୍ମାଣ୍ଡ’ ଦର୍ଶନ ଯୋଗୁହିଁ ଓଡ଼ିଶାର ଜନସମାଜ ସହଜିୟା ସାଧକଙ୍କ ଭ୍ରଷ୍ଟାଚାରର ପଥରୁ ବର୍ତ୍ତିଗଲା । ଓଡ଼ିଶାର ସଂସ୍କୃତିରେ ଏକ ଭିନ୍ନ ମୋଡ଼ ସୃଷ୍ଟି ହେଲା । ରୂପରେ ଅରୂପ ମିଶିବା ପରି ଭକ୍ତିରେ ଜ୍ଞାନର ମିଶ୍ରଣଘଟି ଜ୍ଞାନମିଶ୍ରା ଭକ୍ତିର ପରମ୍ପରା ସୃଷ୍ଟି ହେଲା ।

 

ପଞ୍ଚସଖା ଭକ୍ତ ଥିଲେ, ପୁଣି ଜ୍ଞାନୀ ଥିଲେ । ସେମାନେ ହୃଦୟଙ୍ଗମ କରିଥିଲେ ଯେ ଭକ୍ତିବିନା କୌଣସି ଜ୍ଞାନ ଯଥାର୍ଥ ଜ୍ଞାନ ନୁହେଁ ଏବଂ ଜ୍ଞାନବିନା କୌଣସି ଭକ୍ତି-ଭକ୍ତି ନୁହେଁ, ତେଣୁ ସେମାନେ ଓଡ଼ିଶାରେ ଜ୍ଞାନମିଶ୍ରା ଭକ୍ତିର ଧାରା ପ୍ରବାହିତ କରାଇଲେ । ‘ଗୁରୁଭକ୍ତି ଗୀତା’ରେ ଅଚ୍ୟୁତାନନ୍ଦ ଲେଖିଲେ-

 

‘‘ଜ୍ଞାନ ଭେଦିଲେ ଭକ୍ତି ପାଇ ।

ଭକ୍ତି ଭେଦିଲେ ଜ୍ଞାନ ପାଇ ।

ପକ୍ଷୀ ଯେସନ ଦୁଇମତ ।

ଦୁଇ ଡେଣାରେ ଉଡ଼େ ସେତ ।

 

ଜ୍ଞାନ ଭକତି ଏକ ଡେଣା

ସଗୁଣ ଭକ୍ତି ଏକ ଜଣା

ମାଧୁର୍ଯ୍ୟେ ଐଶ୍ୱର୍ଯ୍ୟ ଯେ ଅଛି

ଐଶ୍ୱର୍ଯ୍ୟେ ମାଧୁର୍ଯ୍ୟ ମିଶିଛି ।

 

ପଞ୍ଚସଖା ବୈଷ୍ଣବ ଥିଲେ । କିନ୍ତୁ ଗୌଡ଼ୀୟ ବୈଷ୍ଣବଙ୍କଠାରୁ ସେମାନଙ୍କ ତତ୍ତ୍ୱ ଭିନ୍ନ ଥିଲା ଏବଂ ସେମାନେ ଉତ୍କଳୀୟ ବୈଷ୍ଣବଭାବେ ପରିଚିତ ଥିଲେ । ସେମାନଙ୍କ ଧର୍ମରେ ରାଧାକୃଷ୍ଣ ଉଭୟ ଥିଲେ କିନ୍ତୁ ଭାରତୀୟ ଅଧ୍ୟାତ୍ମର ବୃହତ୍‍ ପରମ୍ପରା ସହ ସେମାନଙ୍କୁ ଏକାକାର କରି ଜୀବାତ୍ମା ଓ ପରମାତ୍ମା ସମ୍ପର୍କରେ ଆବଦ୍ଧ କରିଦିଆ ଯାଇଥିଲା । ଶିଶୁ ଅନନ୍ତ ଦାସଙ୍କ ଭାଷାରେ –

 

‘‘ଜୀବଟି ରାଧା । ଅଙ୍ଗ ହୋଇ

ପରମ କୃଷ୍ଣ ଅଙ୍ଗେ ସେହି’’ ।

(ହେତୁ ଉଦୟ ଭାଗବତ)

 

ସେହିପରି ଅଚ୍ୟୁତାନନ୍ଦ ଲେଖିଲେ-

‘‘ଜୀବାତ୍ମା ଅଟଇ ରାଧା ପରମାତ୍ମା ହରି ।’’

(ଶୂନ୍ୟସଂହିତା)

 

ଜ୍ଞାନଯୋଗୀ ଉତ୍କଳୀୟ ବୈଷ୍ଣବଗଣ ବ୍ରହ୍ମବାଦୀ ମଧ୍ୟ ଥିଲେ । ଅଚ୍ୟୁତାନନ୍ଦଙ୍କ ‘ଶୂନ୍ୟ ସଂହିତା’, ‘ବ୍ରହ୍ମଶାଙ୍କୁଳି’, ଜଗନ୍ନାଥ ଦାସଙ୍କ ‘ଅର୍ଥ କୋଇଲି’, ‘ତୁଳାଭିଣା’, ବଳରାମ ଦାସଙ୍କ ‘ବିରାଟ ଗୀତା’, ‘ବ୍ରହ୍ମାଣ୍ଡଭୂଗୋଳ’, ଯଶୋବନ୍ତ ଦାସଙ୍କ ‘ପ୍ରେମରସ ଚନ୍ଦ୍ରିକା’ ଆଦି ଗ୍ରନ୍ଥରେ ଜ୍ଞାନଯୋଗର ମହିମା ଓ ବ୍ରହ୍ମଜ୍ଞାନ ସାଧନାର କଥା କୁହାଯାଇଛି ।

 

ଭାରତୀୟ ସଂସ୍କୃତିରେ ଭବ-ତାପ-ଦଗ୍‌ଧ ମାନବପାଇଁ ମୁକ୍ତିଲାଭର ଉପାୟ ତ୍ରିବିଧଜ୍ଞାନଯୋଗ, କର୍ମଯୋଗ ଓ ଭକ୍ତିଯୋଗ । ଜ୍ଞାନଯୋଗୀଙ୍କ ଯୁକ୍ତିରେ ମାନବର ଦୁଃଖର କାରଣ ଅଟେ ଯେଉଁ ସବୁ କର୍ମ ତାହା ତା’ର ଜ୍ଞାନ ରୂପକ ଅଗ୍ନିରେ ଭସ୍ମୀଭୂତ ହେଲେ ସେ ମୁକ୍ତି ଲାଭ କରି ପରମ ପଦରେ ଉପନୀତ ହୁଏ । ଭଗବଦ୍‌ ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି-

 

‘‘ଯଥୋଧ୍ୱୀସି ସମଧୋଗ୍ନି ଭସ୍ମସାତ୍‌ କୁରୁତେର୍ଜୁନ

ଜ୍ଞାନାଗ୍ନି ସର୍ବ କର୍ମାଣି ଭସ୍ମାସାତ୍‌ କୁରୁତେ ତଥା ।’’

 

ଅର୍ଥାତ୍‌ ପ୍ରଜ୍ୱଳିତ ଅଗ୍ନି ଶୁଷ୍କକାଷ୍ଠକୁ ଭସ୍ମୀଭୂତ କରିବା ପରି ଜ୍ଞାନାଗ୍ନି ସର୍ବକର୍ମକୁ ଭସ୍ମୀଭୂତ କରେ । ‘ପରଚେ ଗୀତା’ ଗ୍ରନ୍ଥରେ ଦ୍ୱାରକାଦାସ ଜ୍ଞାନଯଜ୍ଞର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି-

 

‘‘ଜ୍ଞାନ ପରମଫଳ ସବୁସାର

କୃଷ୍ଣପ୍ରୀତି ଅର୍ଥେ କର୍ମ ସୁନ୍ଦର

ସବୁ ଯଜ୍ଞରୁ ଜ୍ଞାନ ଯଜ୍ଞ ଉତ୍ତମ

ସମାପତ ହୁଏ ସକଳ କର୍ମ ।’’

 

‘ତୁଳାଭିଣା’ରେ ଜଗନ୍ନାଥ ଦାସ ବ୍ରହ୍ମଜ୍ଞାନ ଲାଭ କରିବାର ସାଧନା ମାର୍ଗ ଦର୍ଶାଇଛନ୍ତି- ‘‘ଶୁଣ ପୁତାରେ । ପ୍ରଥମେ ମହାଶୂନ୍ୟଙ୍କଠାରେ ଦୃଷ୍ଟି ଦେବୁ । ଓଁ କାର ଶବ୍ଦକୁ ଘରେ ରଖିବୁ । ରାକାର ଶବ୍ଦେ ଦୃଷ୍ଟି ଦେବୁ । ନାସାଦ୍ୱାରେ ଦ୍ୱାଦଶ ଅଙ୍ଗୁଳ ପବନ ବହଇ । ସେ ପବନ ଗୋଟି ସକାର ଶବଦ, ତାହାକୁ ଚିତ୍ତବୃତି ମନ ଏକ କରି ଦେଖିବୁ ।’’

(ତୁଳାଭିଣା-୧୦ମ ଅଧ୍ୟାୟ)

 

ଜ୍ଞାନଯୋଗରେ ଚିତ୍ତବୃତ୍ତି ଓ ମନର ସମତା ଉପରେ ଗୁରୁତ୍ୱ ଦିଆଯିବା ବେଳେ ଭକ୍ତିଯୋଗରେ ଭକ୍ତର ଭକ୍ତି ପ୍ରବଣତା ଓ ସମର୍ପଣ ଭାବର ପ୍ରାଧାନ୍ୟ ପରିଲକ୍ଷିତ । ଚୈତନ୍ୟଙ୍କ ଓଡ଼ିଶା ଆଗମନ ପରେ ଓଡ଼ିଶାରେ ଭକ୍ତିର ଧାରା ଦ୍ୱିଧା ବିଭକ୍ତ ହେଲା-ମିଶ୍ରାଭକ୍ତି ଓ ଶୁଦ୍ଧାଭକ୍ତି । ମିଶ୍ରାଭକ୍ତିରେ ଜ୍ଞାନ ଓ କର୍ମର ପ୍ରଭାବ ଅନୁଭୂତ ହୁଏ । ପଞ୍ଚସଖାଙ୍କ ଜ୍ଞାନମିଶ୍ରା ଭକ୍ତି ଏହାର ଦୃଷ୍ଟାନ୍ତ-। ଶୁଦ୍ଧାଭକ୍ତି ପୁଣି ‘ବୈଧୀ’ ଓ ‘ରାଗାନୁଗା’ ଭେଦରେ ଦ୍ୱିବିଧ । ବୈଧୀ ଭକ୍ତି ହେଉଛି ସାଧନ ଭକ୍ତି ଯାହାର ନବଗୋଟି ମାର୍ଗ ରହିଅଛି । ଯେପରି ଶ୍ରବଣ, କୀର୍ତ୍ତନ, ସ୍ମରଣ, ପାଦସେବନ, ଅର୍ଚ୍ଚନ, ବନ୍ଦନ, ସଖ୍ୟ, ଦାସ୍ୟ, ଆତ୍ମନିବେଦନ । ରାଗାନୁଗା ଭକ୍ତିରେ ଅନୁରାଗ ହିଁ ମୁଖ୍ୟ କଥା । ଗୋପୀ ଓ ରାଧାଙ୍କର କୃଷ୍ଣଙ୍କ ପ୍ରତି ଯେଉଁ ଅନୁରାଗ ତାହାହିଁ ରାଧାନୁଗା ଭକ୍ତି ।

 

କର୍ମଯୋଗରେ ନିଷ୍କାମ କର୍ତ୍ତବ୍ୟ ସାଧନା ଉପରେ ଗୁରୁତ୍ୱ ଦିଆଯାଇଥାଏ । ‘ଭଗବଦ୍‌ ଗୀତା’ରେ କର୍ମଯୋଗର ପ୍ରାଧାନ୍ୟ ଥିବାରୁ ଆଲୋଚକ ବାଳଗଙ୍ଗାଧର ତିଳକ ତାହାକୁ ‘କର୍ମଯୋଗଶାସ୍ତ୍ର’ ରୂପେ ଅଭିହିତ କରିଛନ୍ତି । ସୁଶୃଙ୍ଖଳ ବିଚାରଧାରା, ସତ୍ୟପୂତ ସୁଚିନ୍ତିତ ବାଣୀ ଏବଂ ସୁନିୟନ୍ତ୍ରିତ କାର୍ଯ୍ୟକଳାପ ହିଁ ହେଉଛି କର୍ମଯୋଗ ଯାହା ସାମାଜିକ ଜୀବନକୁ ଆଦର୍ଶର ମାର୍ଗରେ ପରିଚାଳିତ କରି ତାହାକୁ ସୁସଂସ୍କୃତ କରିଥାଏ । ଏହି ସତ୍‌କର୍ମ ସାଧନାର ମାର୍ଗରେ ଜନସାଧାରଣଙ୍କୁ ପରିଚାଳିତ କରିବାପାଇଁ ପଞ୍ଚସଖା ପ୍ରବୃତ୍ତିର ମାର୍ଗଠାରୁ ନିବୃତ୍ତିର ମାର୍ଗକୁ ଅଧିକ ଗୁରୁତ୍ୱ ଦେଇଥିଲେ । ଲୋକମଙ୍ଗଳ ଉଦ୍ଦେଶ୍ୟରେ ସେମାନେ ଯେଉଁ ଯୋଗମାର୍ଗ ପ୍ରଦର୍ଶନ କଲେ ତାହା କର୍ମ, ଭକ୍ତି ଓ ଜ୍ଞାନ ଭେଦରେ ତ୍ରିବିଧ ଥିଲା । ଏହି ତ୍ରିବିଧ ଯୋଗର ପରିଚୟ ଦେଇ ଭାଗବତକାର ଲେଖିଛନ୍ତି-

 

‘‘କର୍ମର ଫଳ ତ୍ୟାଗ କରି

ବିଷ୍ଣୁର ଭାବେ ଚିତ୍ତ ଧରି

ଦିନ ବଞ୍ଚଇ ଦୃଢ଼ ଭାବେ

ସେ ଅଧିକାରୀ ଭକ୍ତିଯୋଗେ

ବିଷୟାରସୁଁ ଯାର ଚିତ୍ତେ

 

ବୈରାଗ୍ୟ ସମ୍ଭବେ କିଞ୍ଚିତେ

ତାହାକୁ ବୋଲି ଜ୍ଞାନଯୋଗୀ

ନିର୍ଲେପ ଜ୍ଞାନେ ସୁଖଭୋଗୀ

ମୋ ନାମ ଶ୍ରବଣ କୀର୍ତ୍ତନେ

ଶ୍ରଦ୍ଧା ଉପୁଜେ ଯା’ର ମନେ

ତାବତ ବେଦ ଅଧିକାରେ

କର୍ମ କରିବ ଏ ସଂସାରେ ।’’

(ଭାଗବତ-୧୧-୨୧)

 

ଭାରତୀୟ ସଂସ୍କୃତି କହେ, ସ୍ୱଧର୍ମ ପାଳନ କରିବା ପ୍ରତ୍ୟେକ ମନୁଷ୍ୟର କର୍ତ୍ତବ୍ୟ । ନିଜର ପ୍ରକୃତି ଅନୁରୂପ କର୍ମ କରିଯିବା ପାଇଁ ‘ଗୀତା’ ବାରମ୍ବାର ଉପଦେଶ ଦେଇ ଆସିଅଛି –

 

‘‘ସହଜଂ କର୍ମ କୌନ୍ତେୟ ସ ଦୋଷମପି ନ ତ୍ୟଜେତ୍‌।’’

 

ସତ୍‌କର୍ମ ସାଧନରେ ବୈକୁଣ୍ଠ ପ୍ରାପ୍ତି ହୁଏ ବୋଲି ଜଗନ୍ନାଥଦାସ ସୂଚାଇ ଦେଇଛନ୍ତି –

 

‘‘ଏମନ୍ତ ନାନା କର୍ମ କରି

ପ୍ରାପତ ହୋନ୍ତି ନରହରି ।’’

 

ଭାରତୀୟ ଦର୍ଶନରେ ଧର୍ମ, ଅର୍ଥ, କାମ, ମୋକ୍ଷ-ଏ ଚତୁର୍ବର୍ଗ ମଧ୍ୟରେ ଧର୍ମକୁ ଅଗ୍ରସ୍ଥାନ ଦିଆଯାଇଥିଲେ ହେଁ ମୋକ୍ଷ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ସନ୍ଥ ମନୋଭାବ ସଂପନ୍ନ ପଞ୍ଚସଖାଙ୍କ ଯୁକ୍ତିରେ ବ୍ରହ୍ମାନୁଭୂତି ତଥା ବ୍ରହ୍ମପ୍ରାପ୍ତିରେ ହିଁ ମୋକ୍ଷ ଲାଭ । ଯେ ବ୍ରହ୍ମଭାବରେ ଦୀକ୍ଷିତ ହୁଏ ସେଇ କେବଳ ସଂସାର ସାଗରରୁ ମୁକ୍ତିଲାଭ କରେ-

 

‘‘ବ୍ରହ୍ମକୁ ସେ ପ୍ରକାଶ କରେ

ଏଣୁ ମହତ ଭାବ ଧରେ

ଏ ଭାବେ ବ୍ରହ୍ମ ପରିମାଣି

ଭବ ସାଗରୁ ତରେ ପ୍ରାଣୀ’’

(ଭାଗବତ-୧-୨)

 

ପଞ୍ଚସଖା ସାହିତ୍ୟରେ ସନ୍ଥ ପରମ୍ପରା :

ସହଜିୟା ବୌଦ୍ଧ ଓ ନାଥଧର୍ମର ହଠଯୋଗ, ତନ୍ତ୍ର-ଧର୍ମର ଚକ୍ରପୂଜା, ଉପନିଷଦର ଈଶ୍ୱରତତ୍ତ୍ୱ ଓ ଓଁକାର ଉପାସନା, ବେଦାନ୍ତର ଅଦ୍ୱୈତବାଦ-ଏ ସକଳର ସମନ୍ୱୟରେ ପଞ୍ଚସଖା ଯେଉଁ ଧର୍ମାଦର୍ଶ ସୃଷ୍ଟିକଲେ ତାହାଦ୍ୱାରା ଓଡ଼ିଶାରେ ସନ୍ଥ ପରମ୍ପରାର ମୂଳଭିତ୍ତି ସ୍ଥାପିତ ହେଲା । ସେମାନଙ୍କ ଧର୍ମ ଦର୍ଶନରେ ଦ୍ୱୈତ ମଧ୍ୟରେ ଅଦ୍ୱୈତର ସାଧନା, ସାକାର ମଧ୍ୟରେ ନିରାକାରଙ୍କ ଉପାସନା ମୁଖ୍ୟ ବିବେଚିତ ହେଲା । ପୁଣି ସେମାନଙ୍କ ରଚନାବଳୀରେ ଧର୍ମତତ୍ତ୍ୱ, ନାମତତ୍ତ୍ୱ, ସାଧନମାର୍ଗ ଓ ଦାର୍ଶନିକ ତତ୍ତ୍ୱର ସମାବେଶ ଘଟି ଗୂଢ଼ ଆଧ୍ୟାତ୍ମିକ ତତ୍ତ୍ୱମାନ ପ୍ରକାଶ ଲାଭ କଲା । ବଳରାମଦାସଙ୍କ ବିରାଟ ଗୀତା, ବ୍ରହ୍ମାଣ୍ଡଭୂଗୋଳ, ଜଗନ୍ନାଥଦାସଙ୍କ ମନଃଶିକ୍ଷା, ତୁଳାଭିଣା, ଅର୍ଥକୋଇଲି, ଅଚ୍ୟୁତାନନ୍ଦଙ୍କ ଶୂନ୍ୟସଂହିତା ସମେତ ଛତିଶଗୋଟି ସଂହିତା ଓ ଅଠସ୍ତରୀଗୋଟି ଗୀତା, ବ୍ରହ୍ମଶାଙ୍କୁଳି, ଜ୍ଞାନୋଦୟ କୋଇଲି, ଯଶୋବନ୍ତ ଓ ଶିଶୁ ଅନନ୍ତଙ୍କ ଶରୀରଭେଦ ଭଜନମାଳା, ଅଜସ୍ରମାଳିକା ଆଦି ଏହାର ଦୃଷ୍ଟାନ୍ତ । ପୁଣି ବଳରାମଦାସଙ୍କ ‘ରାମାୟଣ’, ଜଗନ୍ନାଥ ଦାସଙ୍କ ‘ଭାଗବତ’ ଓ ଅଚ୍ୟୁତାନନ୍ଦଙ୍କ ‘ହରିବଂଶ’ରେ ଧର୍ମର ଗୂଢ଼ତତ୍ତ୍ୱମାନ ଅତିସରଳ ଓ ସାବଲୀଳ ଭାଷାରେ ଲୋକସାଧାରଣଙ୍କୁ ବୁଝାଇ ଦିଆଯାଇ ସେମାନଙ୍କ ଜୀବନଧାରାକୁ ଧର୍ମମାର୍ଗରେ ପରିଚାଳିତ କରାଯାଇଛି ।

 

ପଞ୍ଚସଖା ଭକ୍ତିମାର୍ଗରେ ଜ୍ଞାନ ଓ ସତ୍‌କର୍ମର ପ୍ରାଧାନ୍ୟ ଉପଲବ୍‌ଧି କରିଥିଲେ ହେଁ, ପରବର୍ତ୍ତୀ କାଳରେ କେତେକ ଓଡ଼ିଆ କବି ଚୈତନ୍ୟଙ୍କ ପ୍ରଚାରିତ ପ୍ରେମଭକ୍ତି ଭାବରେ ଉଦ୍‌ବୁଦ୍ଧ ହୋଇ ସ୍ୱରଚିତ କାବ୍ୟ କବିତାମାନଙ୍କରେ ପ୍ରେମଭକ୍ତିର ମହତ୍ତ୍ୱ କୀର୍ତ୍ତନ କଲେ । ‘ରହସ୍ୟ ମଞ୍ଜରୀ’ କାର ଦେବଦୁର୍ଲ୍ଲଭ ଲେଖିଲେ-
 

‘‘ଚାରିଭକ୍ତି ମଧ୍ୟେ ଅଟେ ପ୍ରେମ ଭକ୍ତିସାର

ସେ ଭକ୍ତି ଅଟଇ କୋଠ ଗୋପୀମାନଙ୍କର

ଗୋପୀଙ୍କି ଭଜିଲା ଭକ୍ତ ପ୍ରେମ ଭକ୍ତି ପାଇ

ବିନା ପ୍ରେମ ଭକ୍ତିରେ ଯେ ଦର୍ଶନ ମୋର ନାଇ ।

 

ଓଡ଼ିଶାର ସଂସ୍କୃତିରେ ଭାବର ବିଚାର ଅଛି, ବର୍ଣ୍ଣଭେଦ ନାହିଁ :

ଓଡ଼ିଆ ସଂସ୍କୃତି କହେ, ଭାବ ଅନୁସାରେ ମଣିଷର ଜାତି । ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଓ ଶୂଦ୍ର-ଏଗୁଡ଼ିକ ଚାରିଗୋଟି ଜାତି ନୁହନ୍ତି, ଚାରିଗୋଟି ଭାବ । ଏ ଚାରିଗୋଟି ଭାବ ପ୍ରତ୍ୟେକ ମନୁଷ୍ୟ ଭିତରେ ଅଛି । ପରମେଶ୍ୱରଙ୍କଠାରେ ମଧ୍ୟ ଏହି ଚାରି ଭାବ ଆରୋପିତ । ତାଙ୍କର ନୟନ-ବୈଶ୍ୟ, ଶ୍ରବଣ-କ୍ଷତ୍ରିୟ, ନାସାପବନ-ବ୍ରାହ୍ମଣ ଓ ମୁଖ-ଶୂଦ୍ର । ଅଚ୍ୟୁତାନନ୍ଦଙ୍କ ଭାଷାରେ-

 

‘‘ବୈଶ୍ୟ ତୋ ନୟନ ଅଟଇ

କ୍ଷତ୍ରିୟ ଶ୍ରବଣକୁ କହି

ବ୍ରାହ୍ମଣ ନାସାର ପବନ

ଶୂଦ୍ର ଯେ ମୁଖରେ ପ୍ରମାଣ

ଏମନ୍ତ ଚାରିଜାତି କହି

ଜ୍ୟୋତି ମଧ୍ୟରୁ ଜନ୍ମ ହୋଇ

(ଗୁପ୍ତଗୀତା)

 

ଶୂଦ୍ରଭାବ ହେଉଛି ସେବାର ଭାବ । ଉପନିଷଦରେ ସୂର୍ଯ୍ୟଙ୍କୁ ‘ପୂଷଣ’-ଅର୍ଥାତ୍‌ ଯେ ସମସ୍ତଙ୍କୁ ପୂଷଣ କରନ୍ତି, ବୋଲି କୁହାଯାଇଛି । ଏ ଦୃଷ୍ଟିରୁ ସୂର୍ଯ୍ୟ ହେଉଛନ୍ତି ଜଗତର ପ୍ରଥମ ଶୂଦ୍ର । ଏହି ସେବା ଭାବରେ ଦୀକ୍ଷିତ ହୋଇ ପଞ୍ଚସଖା ନିଜକୁ ଶୂଦ୍ର ରୂପେ ପରିଚିତ କରାଇଛନ୍ତି-

 

‘‘ଶୂଦ୍ରଭାବେ ଯେଣୁ ଆମର ମନ

ଶୂଦ୍ର ବର୍ଣ୍ଣ ବିନୁ ନୋହୁଟି ଆନ ।’’

 

ଶୂଦ୍ରଙ୍କର ନିରହଂକାରୀ ସେବା ଭାବରେ ଦୀକ୍ଷିତ ହେଲେ ମନୁଷ୍ୟ ଚତୁର୍ବର୍ଗର ଅଧିକାରୀ ହୋଇ ବିଷ୍ଣୁଙ୍କ ସାନିଧ୍ୟ ଲାଭ କରେ-

 

‘‘ଶୂଦ୍ର ବର୍ଣ୍ଣରେ ସେବା ପ୍ରାପ୍ତ ହୁଏ

ଅହଂକାର ନାହିଁ ଶୂଦ୍ରର ଦେହେ

ସେବା ଭକ୍ତିରେ ଗୋଲକ ମିଳଇ

ଯେଉଁ ପାଦେ ଚତୁର୍ବର୍ଗ ଯେ ଥାଇ ।’’

 

ମନୁଷ୍ୟର ଚାରିପ୍ରକାର ବର୍ଣ୍ଣଭାବର ଅନୁକ୍ରମେ ଚାରିପ୍ରକାର ଭକ୍ତି ଭାବର କ୍ରମ-ସଂଚାର ହୁଏ । ଭକ୍ତର ପ୍ରଥମ ଭାବଟି କ୍ଷତ୍ରିୟର ଭାବ, ଯାହାଦ୍ୱାରା ଖେଦର ବିନାଶ ଘଟେ । ତା’ର ଦ୍ୱିତୀୟ ଭାବଟି ବୈଶ୍ୟର ଭାବ, ଯାହା ବଳରେ ବଣିକ ପରି ଭକ୍ତ ଲାଭ-କ୍ଷତିର ହିସାବ କରି କର୍ମରେ ଅଗ୍ରସର ହୁଏ । ଭକ୍ତିର ତୃତୀୟ ଅବସ୍ଥାରେ ବ୍ରାହ୍ମଣ ଭାବରେ ଉଦୟ ହୁଏ, ଯେତେବେଳେ ମନ୍ତ୍ର, ମୂର୍ତ୍ତି, କ୍ରିୟା-କର୍ମର ଭିଡ଼ ଜମିଯାଏ । ଏ ତିନି ଭାବ ନିଶ୍ଚଳ ହେଲେ ଭକ୍ତଠାରେ ଶୂଦ୍ରଭାବ ବା ସେବାଭାବ ଉଦ୍ରେକ ହୁଏ, ସେ ଆରାଧ୍ୟ ଦେବତାଙ୍କଠାରେ ନିଷ୍କାମ ସେବା ଅର୍ପଣ କରି ନିଜକୁ ସଂପୂର୍ଣ୍ଣଭାବେ ସମର୍ପିତ କରିଦିଏ ।

 

ଓଡ଼ିଶାରେ ଅଦ୍ୱୈତମୁଖୀ ବୈଷ୍ଣବ ଧର୍ମ ଓ ପଞ୍ଚସଖା ସାହିତ୍ୟ :

ଗୌଡ଼ୀୟମାନଙ୍କର ବାବାଜୀ-ମାତା ପରମ୍ପରା ଓଡ଼ିଆ ଚଳଣିରେ ପ୍ରବେଶ କରି ଓଡ଼ିଆ ଜନସମାଜକୁ ପଥଭ୍ରଷ୍ଟ କରିବା ସମୟରେ ପଞ୍ଚସଖା ଓଡ଼ିଆଙ୍କୁ ନିଜ ପରମ୍ପରା ସମ୍ପର୍କରେ ସଚେତନ କରିଛନ୍ତି । ଏମାନେ ଗୌଡ଼ୀୟଙ୍କ ଦେହତତ୍ତ୍ୱକୁ ଶୂନ୍ୟତତ୍ତ୍ୱର ଢାଞ୍ଚାରେ ପକାଇ ପିଣ୍ଡ ବ୍ରହ୍ମାଣ୍ଡବାଦର ଉପସ୍ଥାପନା କରିଛନ୍ତି । ଗୌଡ଼ୀୟ ବୈଷ୍ଣବଙ୍କ ପରକୀୟା ପ୍ରେମତତ୍ତ୍ୱର ପିଣ୍ଡ-ବ୍ରହ୍ମାଣ୍ଡ ବ୍ୟାଖ୍ୟା କରି ସେମାନେ କାମୋତ୍ତର ଦ୍ୱୈତମୁଖୀ ବୈଷ୍ଣବ ଧର୍ମକୁ ଯୋଗୋତ୍ତର ଅଦ୍ୱୈତମୁଖୀ ବୈଷ୍ଣବ ଧର୍ମରେ ପରିଣତ କରିଛନ୍ତି । ଓଡ଼ିଶାର ବୈଷ୍ଣବମାନେ କ୍ଷର-ଅକ୍ଷର ପୁରୁଷ, ଚିରାଚିର, କ୍ଷୟାକ୍ଷୟ ଜଗନ୍ନାଥଙ୍କୁ ହିଁ ପୁରୁଷୋତ୍ତମ ରୂପେ ଗ୍ରହଣ କରି ତାଙ୍କର ନିତ୍ୟଯୁଗଳ ଭାବ ଓ ନିତ୍ୟପ୍ରେମକୁ ସାଧନାର ପାଥେୟ ରୂପେ ବାଛି ନେଇଛନ୍ତି । ସେମାନଙ୍କ ଯୁଗଳ ଗାୟତ୍ରୀ ମନ୍ତ୍ରଟି ହେଉଛି-

 

‘‘ଓଁ ରାଧାକୃଷ୍ଣାୟ ବିଦ୍ମହେ

ପ୍ରେମ ରୂପାୟା ଧୀ ମହୀ

ତଂ ତ୍ରେ ରାଧାକୃଷ୍ଣଃ ପ୍ରଚୋଦୟାତ୍‌।’’

(ଜଗନ୍ନାଥ ଚରିତାମୃତ-୧୯ ଅଧ୍ୟାୟ / ୪୧ ପଦ)

 

ଏହାର ଅର୍ଥ-ଆମେ ରାଧାକୃଷ୍ଣଙ୍କୁ ଜାଣୁ । ସେହି ପ୍ରେମ ରୂପକୁ ଧ୍ୟାନ କରୁ । ତେଣୁ ରାଧାକୃଷ୍ଣ ଆମକୁ ପ୍ରେରଣା ଦିଅନ୍ତୁ । ରାଧାକୃଷ୍ଣ ଏଠାରେ ଦ୍ୱିବଚନ ନୁହନ୍ତି, ଏକବଚନ । ତୁଳନାତ୍ମକ ଭାବେ ଗୌଡ଼ୀୟ ବୈଷ୍ଣବଙ୍କ ରାଗମାର୍ଗର ନାମ ଗାୟତ୍ରୀ ମନ୍ତ୍ରଟି ହେଉଛି –

 

‘‘ଓ କାମ ଦେବାୟ ବିଦ୍ମହେ

ପୁଷ୍ପ ବାଣାୟ ଧୀ ମହୀ

ତନ୍ମୋଽଙ୍ଗ ପ୍ରଚୋଦୟା ଚ ।’’

(ଜଗନ୍ନାଥ ଚରିତାମୃତ-୧୯ ଅଧ୍ୟାୟ / ୪୫ ପଦ)

 

ଅର୍ଥାତ୍‌ ଆମେ କାମଦେବଙ୍କୁ ଜାଣୁ । ପୁଷ୍ପବାଣ ରୂପେ ତାଙ୍କୁ ଧ୍ୟାନ କରୁଛୁ । ତେଣୁ ଅନଙ୍ଗ ଆମକୁ ପ୍ରେରଣା ଦିଅନ୍ତୁ ।

 

ଗୌଡ଼ୀୟ ବୈଷ୍ଣବଙ୍କ ଏହି ରାଗାନୁଗା ମାର୍ଗରୁ ଓଡ଼ିଆଙ୍କୁ ନିବୃତ୍ତ କରିବାପାଇଁ ପଞ୍ଚସଖା ବିଭିନ୍ନ ଗୀତା, ସଂହିତା ଓ ଭଜନ ମାଧ୍ୟମରେ ସେ ସବୁର ନିଗୂଢ଼ ତତ୍ତ୍ୱ ଉପସ୍ଥାପନ କରିଥିଲେ । ଜଗନ୍ନାଥ ଦାସଙ୍କ ଅର୍ଥ କୋଇଲି, ମନଃଶିକ୍ଷା, ତୁଳାଭିଣା, ବଳରାମ ଦାସଙ୍କ ବ୍ରହ୍ମାଣ୍ଡ ଭୂଗୋଳ, ଅଚ୍ୟୁତାନନ୍ଦଙ୍କ ବ୍ରହ୍ମଶାଙ୍କୁଳି ଆଦି ଏହାର ଉଦାହରଣ ।

 

ମୋଟ ଉପରେ ପଞ୍ଚଶଖା ସାହିତ୍ୟକୁ ଅନୁଧ୍ୟାନ କଲେ ଜଣାଯାଏ, ନାନା ବେଷ୍ଟନୀ ଓ ପ୍ରଭାବ ମଧ୍ୟରେ ଧକ୍‌କା ଖାଇଥିବା ଓଡ଼ିଆ ସଂସ୍କୃତିର ଆତ୍ମାକୁ ସୁରକ୍ଷିତ ରଖି ଏହା କ୍ରମପରିଣତି ଦିଗରେ ଗତିଶୀଳ ହୋଇଥିଲା ।

 

ରୀତି ସାହିତ୍ୟର ସାଂସ୍କୃତିକ ପୃଷ୍ଠଭୂମି :

ଚୈତନ୍ୟଙ୍କ ଓଡ଼ିଶା ଆଗମନ ପରେ ଓଡ଼ିଶାର ପୁରପଲ୍ଲୀରେ ଗୌଡ଼ୀୟ ବୈଷ୍ଣବ ଧର୍ମର ଯେଉଁ କ୍ରମ ପ୍ରଚାର ପ୍ରସାର ଲକ୍ଷ୍ୟ କରାଗଲା ତାହାର ପ୍ରଭାବ ଓଡ଼ିଶାର ସଂସ୍କୃତି ଓ ଓଡ଼ିଆ ସାହିତ୍ୟକୁ କବଳିତ କରିବାକୁ ଲାଗିଲା । ଫଳରେ ଓଡ଼ିଶାରେ ସନ୍ଥ ପରମ୍ପରା କ୍ରମଶଃ ତାହାର ପ୍ରାଧାନ୍ୟ ହରାଇବାକୁ ବସିଲା । ଜନସାଧାରଣ ନିବୃତ୍ତିର ମାର୍ଗରୁ ଓହରି ଆସି ପ୍ରବୃତ୍ତିର ମାର୍ଗ ପ୍ରତି ଆକୃଷ୍ଟ ହେଲେ । ରାଧାକୃଷ୍ଣଙ୍କ ପରକୀୟା ପ୍ରୀତି ମାଧ୍ୟମରେ ସାହିତ୍ୟରେ ଶୃଙ୍ଗାରି ଚେତନା ଆଧିପତ୍ୟ ବିସ୍ତାର କଲା । କବିମାନେ ଘୋଷଣା କଲେ-‘‘ଶୃଙ୍ଗାର ଏବ ମଧୁରଃ ପର ପ୍ରହ୍ଲାଦନୋରସଃ ।’’

 

ଖ୍ରୀ. ୧୫୬୮ ମୁସଲମାନମାନେ ଓଡ଼ିଶା ଅଧିକାର କରିବା ପରେ ଓଡ଼ିଶାର ସାଧାରଣ ଜୀବନ ଘୋର ଅନ୍ଧକାର ଭିତରେ ବୁଡ଼ି ରହିଲା । ଗଜପତି ଶାସନର ଅବସାନ ହେତୁ ରାଜନୈତିକ ବିଶୃଙ୍ଖଳା, ସୁଶାସନର ଅଭାବ, ଦାରିଦ୍ର୍ୟର ଉତ୍ପୀଡ଼ନ, ଧର୍ମଜନିତ ଆତଙ୍କ ଘଟି ବ୍ୟକ୍ତିତଥା ସମାଜର ମେରୁଦଣ୍ଡ ଭାଙ୍ଗି ପଡ଼ିଲା । ସାଂସ୍କୃତିକ ଜୀବନ ବିପର୍ଯ୍ୟସ୍ତ ହେଲା । ରାଜନୀତିକ ଘନଘଟା ଓ ପରାଧୀନତାର କାଳିମା ସାମାଜିକ ପ୍ରଗତିରେ ବିଘ୍ନ ସୃଷ୍ଟି କଲା । ଜନଜୀବନ ଅସ୍ଥିର ଓ ଅଶାନ୍ତ ହୋଇ ପଡ଼ିଲା । ସାମନ୍ତ ରାଜାମାନେ ଶକ୍ତିହୀନ ଓ ଦାୟିତ୍ୱହୀନ ହୋଇଗଲେ । ମୋଗଲ ସମ୍ରାଟମାନଙ୍କ ଆଡ଼ମ୍ବରପୂର୍ଣ୍ଣ ଜୀବନଧାରାକୁ ଏମାନେ ଆଦର୍ଶ ଭାବରେ ଗ୍ରହଣ କରିଥିଲେ । ରମଣୀ ବିଳାସ, ମଦ୍ୟପାନ, ବାହ୍ୟ ଆଡ଼ମ୍ବରପୂର୍ଣ୍ଣ ଜୀବନଯାପନ ଏବଂ ସଙ୍ଗୀତର ପ୍ରାଚୁର୍ଯ୍ୟ ମଧ୍ୟରେ ଏମାନେ ବୁଡ଼ି ରହିଲେ । ପୁଣି ରାଜନ୍ୟ ମଣ୍ଡଳୀ ମଧ୍ୟରେ ହିଂସା, ଦ୍ୱେଷ, ଈର୍ଷା, ପରଶ୍ରୀକାତରତା, କଳହ ଭାତୃବିବାଦ ଲାଗି ରହିଲା । ମୋଗଲ ଦରବାରକୁ ସନ୍ତୁଷ୍ଟ କରିବାର ପ୍ରତିଯୋଗିତା ମଧ୍ୟରେ ସେମାନେ ଦରିଦ୍ର ଜନତାଙ୍କର ଖବର ରଖିପାରୁ ନଥିଲେ । ଯେ କୌଣସି ଉପାୟରେ ଜନତାଙ୍କଠାରୁ କର ଆଦାୟ କରି ନିଜେ ବିଳାସ ବ୍ୟସନରେ ରହିବା ସହ ମୋଗଲ ଶାସକଙ୍କୁ ଖୁସି କରାଇବା ସେମାନଙ୍କର ଚରମ ଲକ୍ଷ୍ୟ ଥିଲା । ଏହି ସାମନ୍ତବାଦୀ ବିଳାସୀ ରାଜାମାନେ ନିଜ ରୁଚି ଓ ପ୍ରବୃତ୍ତି ଅନୁସାରେ ସାହିତ୍ୟକୁ ନିୟନ୍ତ୍ରଣ କରିବାକୁ ଲାଗିଲେ । ରାଜନୈତିକ ଛତ୍ର ଛାୟାତଳେ ସାହିତ୍ୟ ଆଶ୍ରୟ ନେଲା । କବିମାନେ ରାଜାଙ୍କଠାରୁ ଅନୁଗ୍ରହ ପାଇବା ଆଶାରେ କାବ୍ୟ କବିତାରେ ରାଜାଙ୍କ ପ୍ରଶସ୍ତି ଗାନ କଲେ ଏବଂ ରାଜାଙ୍କ ରୁଚି ଅନୁକୂଳ ସାହିତ୍ୟ ସୃଷ୍ଟି କଲେ । ଫଳରେ ଏହି ସମୟର ସାହିତ୍ୟ ହେଲା ସାମନ୍ତବାଦୀ ସାହିତ୍ୟ ବା ରାଜ ଅନ୍ତଃପୁରର ସାହିତ୍ୟ । ଏ ଯୁଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ନିଜେ ରାଜବଂଶଜ, ବିଦ୍‌ଗଧ କବି ଅଭିମନ୍ୟୁ ସାମନ୍ତ ପରିବାରର, କବିସୂର୍ଯ୍ୟ ବଳଦେବ ରାଜାଶ୍ରିତ । ସଂସ୍କୃତ ରୀତିକାବ୍ୟର ସମକକ୍ଷ କାବ୍ୟ ସୃଷ୍ଟି ଦିଗରେ ଏ ଯୁଗର କବିମାନେ ଅନୁରାଗୀ ହେଲେ । ଫଳରେ ସେମାନଙ୍କ କାବ୍ୟ ହେଲା ରୀତି କାବ୍ୟ, ସେମାନଙ୍କ ଯୁଗ ହେଲା ରୀତିଯୁଗ ଏବଂ ସେମାନେ ହେଲେ ରୀତି କବି । ଧୀଷଣାଦ୍ୱାରା ବିଭିନ୍ନ ଶାସ୍ତ୍ର କର୍ଷଣ କରି ସେମାନେ ସ୍ୱ ସ୍ୱ କାବ୍ୟରେ ଶବ୍ଦ ବାଣର ଅମୋଘ ପ୍ରୟୋଗ କରି ଚାଲିଲେ । ସେମାନଙ୍କ କାବ୍ୟର ପାଠକମାନଙ୍କୁ ମଧ୍ୟ କାବ୍ୟ ସିନ୍ଧୁରୁ ରସଜାତ କରିବାପାଇଁ ଧୀଷଣାକୁ ମନ୍ଦର ପର୍ବତ କରିବାକୁ ପଡ଼ୁଥିଲା । ଦୀନକୃଷ୍ଣଙ୍କ ଭାଷାରେ-

‘‘କର ରସ ଜାତ, କରି ଧୀଷଣା ମନ୍ଦର ପର୍ବତ ।’’

 

ଶବ୍ଦ ପାଣ୍ଡିତ୍ୟ ଓ ବୁଦ୍ଧିର ପରାକାଷ୍ଠା ହିଁ ହୋଇଛି ରୀତି କାବ୍ୟର ପ୍ରଧାନ ବୈଶିଷ୍ଟ୍ୟ । ଭଞ୍ଜକବି ଦମ୍ଭର ସହ ଘୋଷଣା କରିଛନ୍ତି-

 

‘‘କହେ ଉପଇନ୍ଦ୍ର ଭଞ୍ଜ ମୁଁ ଲଭିଛି ଶବଦ ସାଗର ପାର ।’’

 

ବିଦଗ୍‌ଧ କବି ଅଭିମନ୍ୟୁ ପାଠକଙ୍କ ପାଣ୍ଡିତ୍ୟକୁ ଆହ୍ୱାନ ଜଣାଇ ଲେଖିଛନ୍ତି –

 

‘‘ଟାଣ ଚଣା ଚର୍ବଣ ନାରଦ କଲା ପରି

ଟେକ ଓଜ ଭାଜିବ ଅବଶ୍ୟ ଶ୍ରମ କରି ।’’

 

ଶବ୍ଦମାନଙ୍କୁ ନେଇ ପ୍ରହେଳିକା ସୃଷ୍ଟି କରିବା ସତେ ଯେପରି ଏ ଯୁଗର କବିମାନଙ୍କର ଏକ ମାନସିକ ବିଳାସ ଥିଲା ।

 

ଓଡ଼ିଆ ଚଳଣିରେ ‘ନାଁ ଦିଆ’ ରୀତିରୁ ଓଡ଼ିଆ ରୀତିକାବ୍ୟର ବିକାଶ :

ଆମ ସଂସ୍କୃତିରେ ଶବ୍ଦମାନଙ୍କୁ ନେଇ ପ୍ରହେଳିକା ସୃଷ୍ଟି କରିବା ଏକ ପ୍ରାଚୀନ ପରମ୍ପରା । ‘ନାଁ ଦିଆ’ ରୀତିଟି ଏହାର ଏକ ସୁନ୍ଦର ଉଦାହରଣ । ବୁଦ୍ଧି ଶିଖିବାର ଓ ଶବ୍ଦଜ୍ଞାନ ଆହରଣ କରିବାର ଏହା ଏକ ଚମତ୍କାର ଖେଳ । ବୁଢ଼ାବୁଢ଼ୀମାନେ ଅବସର ସମୟରେ ଶିଶୁମାନଙ୍କ ସହ ଏହି ଖେଳ ଖେଳି ସେମାନଙ୍କ ବୁଦ୍ଧିର ବିକାଶରେ ସହାୟକ ହୁଅନ୍ତି । ଉଦାହରଣ ସ୍ୱରୂପ ଜଣେ ନାଁ ଦିଏ-‘‘ଏଇଠି ଅଛି ଏଇଠି ନାହିଁ’’ ଅନ୍ୟ ଜଣେ ଉତ୍ତର ଦିଏ ‘ପବନ’ । ଦ୍ୱିତୀୟ ଜଣକ ପୁଣି ନାଁ ଦିଏ-‘‘ଟିକି ଚଢ଼େଇ ଟିକିକ ପାଣିରେ ବୁଡ଼ି ମରଇ’’ ପ୍ରଥମ ଜଣକ ଉତ୍ତର ଦିଏ-‘‘ଲୁଣ’’ । ଏଇ ନାଁ ଦେବାକୁ ଭିତ୍ତିକରି ରୀତି ସାହିତ୍ୟରେ ଅନ୍ତର୍ଲିପି, ବର୍ହିଲିପି, ସଭଙ୍ଗ-ଅଭଙ୍ଗ, ଶ୍ଳେଷ ଓ ଅନ୍ୟ ଅଳଙ୍କାରମାନ ପ୍ରବେଶ କରିଥିବାର ପଣ୍ଡିତ ନୀଳକଣ୍ଠ ‘‘ଓଡ଼ିଆ ସାହିତ୍ୟର କ୍ରମ ପରିଣାମ’’ ଗ୍ରନ୍ଥରେ ଦର୍ଶାଇଛନ୍ତି ।

 

ରୀତି କାବ୍ୟରେ ଓଡ଼ିଆ ଚଳଣି :

ସଂସ୍କୃତ କାବ୍ୟାଦର୍ଶର ଅନୁସରଣରେ ଲେଖନୀ ଚାଳନ କରି ରୀତିଯୁଗର କବିଗଣ ପାଣ୍ଡିତ୍ୟର ପରାକାଷ୍ଠା ଦର୍ଶାଇ ଥିଲେ ହେଁ ଆମ ଲୋକ ଚଳଣିକୁ ସେମାନେ ଭୁଲି ନଥିଲେ । ‘ମନବୋଧ ଚଉତିଶା’ରେ ଭକ୍ତଚରଣ ଲେଖିଲେ –

 

‘‘ଚର୍ମ ବେଢ଼ିଛି ସିନା ଚଉରାଶିକି

ଚିତ୍ତ ତୁ ଦିଅ ନୀଳଗିରି ବାସୀକି ।’’

 

ଆମର ପୁରାଣ ପରମ୍ପରାରେ ଏହାର ଅର୍ଥ ଏହିପରି-ଚଉରାଅଶି ଆଙ୍ଗୁଳି ପରିମିତ ଶରୀର ହେଉଛି ଚଉରାଅଶି ନରକ, ଏହାକୁ ଚର୍ମ ବେଢ଼ିକରି ରହିଛି । ନୀଳଗିରିବାସୀ ବା ଜଗତରୂପୀ ପୁରୁଷଙ୍କୁ ଧ୍ୟାନରେ ସ୍ଥିର ରଖି ବିଶ୍ୱମୈତ୍ରୀରେ ତନ୍ମୟ ହୋଇ ପାରିଲେ ଜୀବର ଅଜୀବ ସହ ଥିବା ଗ୍ରନ୍ଥି ଛିନ୍ନ ହୋଇ ସେ ନିର୍ଗ୍ରନ୍ଥ ହୋଇଯିବ ଓ ମୁକ୍ତି ପାଇଯିବ । ଜୈନ ମତରେ ଏହି ନିର୍ଗ୍ରନ୍ଥ ଅବସ୍ଥା ହିଁ ହେଉଛି ‘କେବଳୀ ଭାବ’ ବା କୈବଲ୍ୟ ।

 

ଓଡ଼ିଆ ଚଳଣି ଓ ପରମ୍ପରାକୁ ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ରୀତିନୀତି ସହ ଏକାତ୍ମ କରି ଦିଆଯାଇଛି । ପ୍ରଭୁ ଜଗନ୍ନାଥ ଆମରି ପରି ମଣୋହି ଖାଆନ୍ତି । ପହୁଡ଼ ଯାଆନ୍ତି । ମାଉସୀ ଘରେ ପୋଡ଼ପିଠା ଖାଇବାରେ ତାଙ୍କର ଆଗ୍ରହ । ଅଧିକ ସ୍ନାନ କରି ସେ ଜ୍ୱରରେ ପଡ଼ିଲେ ତାଙ୍କ ଖାଦ୍ୟରେ କଟକଣା କରାଯାଇ ତାଙ୍କୁ ଅଣସର ପଣା ଦିଆଯାଏ । ସେ ମଧ୍ୟ ଆମରି ପରି ଦେହ ତ୍ୟାଗ କରନ୍ତି । ତାଙ୍କର ଶୁଦ୍ଧିକ୍ରିୟା କରାଯାଏ ଏବଂ ନବକଳେବର ହୁଏ । ଏସବୁ କଥା ପଦାବଳୀ ଯୁଗର କବିମାନେ ତାଙ୍କ ରଚିତ ଭକ୍ତିଭାବ ସମ୍ବଳିତ ଗାନୋପଯୋଗୀ କବିତାମାନଙ୍କରେ ଲେଖି ଯାଇଛନ୍ତି । ଓଡ଼ିଆଙ୍କର ପ୍ରାଣର ଉଚ୍ଛ୍ୱାସ ଯାତ୍ରା ଓ ଉତ୍ସବାଦିରେ ଲକ୍ଷ୍ୟ କରାଯାଏ । ତେଣୁ ଜଗନ୍ନାଥଙ୍କର ମଧ୍ୟ ଯାତ୍ରା ଅନେକ । ଯାତ୍ରା ଅନୁଯାୟୀ ତାଙ୍କର ନାମ ଅନେକ । ଦୋଳ ଯାତ୍ରାରେ ସେ ଦୋଳଗୋବିନ୍ଦ । ଚନ୍ଦନ ଯାତ୍ରାରେ ସେ ମଧୁସୂଦନ ଏବଂ ରଥଯାତ୍ରାରେ ସେ ବାମନ-

 

‘‘ଦୋଳେ ଚ ଦୋଳଗୋବିନ୍ଦଂ, ଚାପେ ଚ ମଧୁସୂଦନଂ

ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ ।’’

 

ଜଗନ୍ନାଥଙ୍କର ଏ ତିନି ରୂପ ଦର୍ଶନରେ ମନୁଷ୍ୟ ମୁକ୍ତିପାଏ ବୋଲି ଓଡ଼ିଆଙ୍କର ବିଶ୍ୱାସ । ସ୍ନାନଯାତ୍ରା ହେଉଛି ଜଗନ୍ନାଥଙ୍କର ଅଧିବାସ ଯାତ୍ରା । ରଥଯାତ୍ରାରେ ଜଗନ୍ନାଥ ବାମନ ରୂପେ ପରିଚିତ ହୋଇଥିବାରୁ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ସ୍ନାନ ଯାତ୍ରାର ବର୍ଣ୍ଣନା ପ୍ରସଙ୍ଗରେ ଜଗନ୍ନାଥଙ୍କୁ ‘ଦକ୍ଷିଣ କୁଞ୍ଜର’ ବା ଦକ୍ଷିଣ ଦିଗର ହସ୍ତୀ ‘ବାମନ’ ରୂପେ ହିଁ ଅଭିହିତ କରିଛନ୍ତି-

 

‘‘ପୂର୍ବଜରେ ପୂର୍ବଗଜ ଭାବ ଉପୁଜାର

ପହଣ୍ଡି ବିଜୟ କଲେ ଝୋଲାଇ ଝୋଲାଇ ।

ସର୍ବଜ୍ଞ ନୋହିବେ କିମ୍ପା ବ୍ରହ୍ମ ପରିକର ।

ଜାଣିଲେ ନିଶ୍ଚୟ ପ୍ରଭୁ ଦକ୍ଷିଣ କୁଞ୍ଜର ।’’

(କୋଟିବ୍ରହ୍ମାଣ୍ଡ ସୁନ୍ଦରୀ-୧ମଛାନ୍ଦ)

 

ବିବାହ ଉତ୍ସବରେ ଅନୁଷ୍ଠିତ ଓଡ଼ିଆ ଘରର ବିଧି ବିଧାନକୁ ରୀତିଯୁଗୀୟ କବିମାନେ ସେମାନଙ୍କ କାବ୍ୟଗୁଡ଼ିକରେ ନିଖୁଣ ଭାବେ ବର୍ଣ୍ଣନା କରିଛନ୍ତି । ବୈଦେହୀଶ ବିଳାସ’ କାବ୍ୟରେ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନଙ୍କ ବିବାହ ପ୍ରସଙ୍ଗ ବର୍ଣ୍ଣନାରେ ଭଞ୍ଜକବି ପ୍ରତିବେଦୀରେ ଦୁଇଜଣ ଲେଖାଏଁ ଆଚାର୍ଯ୍ୟଙ୍କୁ ବରଣ କରାଯିବା, ପୁତ୍ରମାନଙ୍କୁ ବର ବେଶରେ ବିବାହ ସ୍ଥାନରେ ବସାଇବା, ଶାଳକମାନଙ୍କଦ୍ୱାରା ବରମାନଙ୍କ ପାଦ ଧୂଆଇବା, ଲବଣ ଚଉଁରୀ ବେଳେ ବରକନ୍ୟାଙ୍କ ମଝିରେ ପାଟବସ୍ତ୍ରର ବାଡ଼ଦେବା ଆଦି ଓଡ଼ିଆ ଘରର ବିଧିବିଧାନ ଚମତ୍କାର ଭାବେ ବର୍ଣ୍ଣନା କରିଛନ୍ତି-

 

‘‘ବିବାହ ସ୍ଥାନରେ ବର ବେଶେ ବସାଇଲେ

ବ୍ରହ୍ମା ଆଚାର୍ଯ୍ୟ ବେଦିକେ ଯୁଗ ଯୁଗ ହେଲେ

ବଶିଷ୍ଠ ଶତାନନ୍ଦ କାଶ୍ୟପ କଉଶିକ

ବାମଦେବ ଗଉତମ ଜାବାଳି ବାଲ୍ମୀକ

 

ବିହି ବିରଚିତ ଶାଳେ ଧୂଆଇଲେ ପଦ

ବିହିତ ଗମନା ନିଳେ ଚମରୀ ବିନୋଦ

ବିଦୃଷ୍ଟି ଅନ୍ତର ପାଟ କୁଜ୍‌ଝଟି ବଶରେ

ବିଭାବସୁ ପଦ୍ମିନୀର ହୋଏ ପରସ୍ପରେ ।’’

(ବୈଦେହୀଶ ବିଳାସ-୧୪।୪୦-୪୩ ପଦ)

 

ବିବାହ ସମୟରେ ଲଜାହୋମ ହେବା, ହାତଗଣ୍ଠି ପଡ଼ିବା ଓ ହାତଗଣ୍ଠି ଫିଟିବା ଆଦି ପ୍ରଥାର ବର୍ଣ୍ଣନା କରି କବି ଲେଖିଲେ-

 

‘‘ବୀତିହୋତ୍ରେ ଲାଜାହୋମ କରୁ ଲଜ୍ଜାବଳି

ବଳିରେ ବିଚାର କାହିଁ ହୋଇବ ସମ୍ଭାଳି

ବନ୍ଧାଇଲେ ଦୁହିଁଙ୍କର କର ସେ କୋବିଦେ

ବାମାପୁଂସ ଏକ କରି ସେ ଦମ୍ପତି ପଦେ

ବିପ୍ର ଦୁହିତାଏ ତହିଁ ପ୍ରବେଶ ହୋଇଲେ

ବିପଦ ପାଶ ଫିଟିଲା ପାଞ୍ଚି ଫିଟାଇଲେ ।

(ବୈ. ବି.-୧୪।୫୩-୫୫ ପଦ)

 

ଓଡ଼ିଆ ପଦାବଳୀ ସାହିତ୍ୟ ଓ ରାମ-କୃଷ୍ଣ-ଜଗନ୍ନାଥଙ୍କ ସମନ୍ୱିତ ରୂପ :

ଶ୍ରୀକୃଷ୍ଣଙ୍କ ବ୍ରଜଲୀଳାତ୍ମକ ଗାନୋପଯୋଗୀ କବିତାକୁ ‘ପଦାବଳୀ’ କୁହାଯାଏ । କିନ୍ତୁ ଓଡ଼ିଆ ପଦାବଳୀ କେବଳ ଶ୍ରୀକୃଷ୍ଣଙ୍କ ବ୍ରଜଲୀଳା ମଧ୍ୟରେ ସୀମିତ ରହିନାହିଁ । ଏଥିରେ କୃଷ୍ଣଲୀଳା ସହ ରାମଲୀଳା ଓ ଜଗନ୍ନାଥଙ୍କ ଲୀଳା ସମନ୍ୱିତ ହୋଇ ଏହା ବହୁ ବ୍ୟାପକ ହୋଇ ପାରିଛି । ଭକ୍ତି ଭାବରେ ବିହ୍ୱଳ ହୋଇ ଓଡ଼ିଆ ପଦାବଳୀକାରମାନେ ରାମ-କୃଷ୍ଣ ଓ ଜଗନ୍ନାଥଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖି ନାହାନ୍ତି । ଏପରିକି ଶ୍ରୀଚୈତନ୍ୟ ମଧ୍ୟ ଜଗନ୍ନାଥଙ୍କୁ ‘କଦାଚିତ୍‌ କାଳିନ୍ଦୀ ତଟବିପିନ ସଂଗୀତ କବରୋ, ମୁଦାଭୀରୀ ନାରୀ ବଦନ କମଳା ସ୍ୱାଦ ମଧୂପଃ’ ବୋଲି କହି ତାଙ୍କରି ଭିତରେ ଶ୍ରୀକୃଷ୍ଣଙ୍କୁ ଦେଖିପାରିଛନ୍ତି । ପୁଣି ସେହି କୃଷ୍ଣଙ୍କୁ ‘ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ’ କହି ଆରାଧନା କରିଛନ୍ତି ।

 

ଭକ୍ତକବି ଦୀନକୃଷ୍ଣ ଜଗନ୍ନାଥଙ୍କୁ ସ୍ତୁତି କରିଛନ୍ତି-

 

‘‘ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ ।

ଚଉଦ ଭୁବନ ବାରତା ଜାଣନ୍ତି

ଚକ୍ରରେ ଛେଦନ୍ତି ଆରତ ।’’

 

କିନ୍ତୁ ଠିକ୍‌ ପରବର୍ତ୍ତୀ ପଦରେ ଜଗନ୍ନାଥଙ୍କଠାରେ କୃଷ୍ଣତ୍ୱ ଆରୋପ କରି କହନ୍ତି-

 

‘‘ଯେତେବେଳେ କୃଷ୍ଣ ଗୋପପୁରେ ଥିଲେ

      ଅକ୍ରୂର ଆଣିଣ ଗଲାତ ।

ଗାଈ ଦୁହୁଁ ଦୁହୁଁ କେଶ ଫିଟିଗଲା

      ଚତୁର୍ଭୁଜ ହେଲେ ଅନନ୍ତ ।’’

 

ପୁଣି ପରବର୍ତ୍ତୀ ପଦରେ ତାଙ୍କଠାରେ ରାମତ୍ୱ ଆରୋପ କରି ଲେଖିଛନ୍ତି-

 

‘‘ସୁଗ୍ରୀବର ସଙ୍ଗେ ମଇତ୍ର ହୋଇଣ

      ବାଳିକି ବିନାଶ କଲେତ

ରାବଣ ଭ୍ରାତା ଯେ ଶରଣ ପଶିଲା

      ଲଙ୍କାଗଡ଼ ତାକୁ ଦେଲେତ ।’’

 

ସେହିପରି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜଗନ୍ନାଥଙ୍କ ଶରଣ ଭିକ୍ଷା କରି-

 

‘‘ମାନ ଉଦ୍ଧାରଣ କରହେ କାରଣ

      ଶରଣ ମୁଁ ତୁମ୍ଭ ପାଦତଳେ

ଅନାଥର ନାଥ ନୀଳଗିରି ନାଥ

      ଜଗନ୍ନାଥ ନାମ ନୀଳାଚଳେ ।’’

 

କହିବା ପରେ ସେଇ ଜଗନ୍ନାଥଙ୍କୁ ରାମ ରୂପରେ ସ୍ମରଣ କରିଛନ୍ତି-

 

କିଷ୍କିନ୍ଧ୍ୟାକୁ ଗଲ ବାଳି ବିନାଶିଲ

ବନ୍ଧ ଯେ ବାନ୍ଧିଲ ସିନ୍ଧୁ ଜଳେ ।’’

 

ପରବର୍ତ୍ତୀ ପଦରେ ପୁଣି ତାକୁ କୃଷ୍ଣ ରୂପରେ ଦେଖିଛନ୍ତି-

 

‘‘କୁରୁସଭାତଳେ ଦ୍ରୌପଦୀ ଚିନ୍ତିଲା

କୋଟିବସ୍ତ୍ର ଦେଲ ଅବହେଳେ ।’’

 

ରାମ-କୃଷ୍ଣ ଜଗନ୍ନାଥଙ୍କ ସମନ୍ୱିତ ଲୀଳା ବୈଚିତ୍ର୍ୟର ଚିତ୍ରଣରେ ଓଡ଼ିଆ ପଦାବଳୀ ସାହିତ୍ୟର ସ୍ୱାତନ୍ତ୍ର୍ୟ ନିହିତ । ପୂର୍ବରୁ ଜଗନ୍ନାଥ ବୁଦ୍ଧ ହୋଇଥିଲେ, ଜୀନ ହୋଇଥିଲେ, ଭୈରବ ହୋଇଥିଲେ । ତାଙ୍କ ତ୍ରିମୂର୍ତ୍ତିରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଏକାକାର ହୋଇଥିଲେ । ପଦାବଳୀକାରମାନେ ତାଙ୍କଠାରେ ରାମତ୍ୱ, କୃଷ୍ଣତ୍ୱ ଆରୋପ କଲେ । ତାଙ୍କୁ ପୁଣି ଅବତାରୀ କରାଯାଇ ତାଙ୍କଠାରେ ବିଷ୍ଣୁଙ୍କ ଦଶବିଧ ରୂପରେ ପରିକଳ୍ପନା କରାଗଲା ।

 

ଏପରି ଭାବେ ଓଡ଼ିଶାର ଭକ୍ତକବିଗଣ ଜଗନ୍ନାଥ ସଂସ୍କୃତିକୁ ସର୍ବବ୍ୟାପୀ କରି ଏଥିରେ ନୂତନ ମୋଡ଼ମାନ ଆଣି ଦେଇଛନ୍ତି । ଏହି ମୋଡ଼ମାନ ଦେଇ ଉତ୍କଳୀୟ ସଂସ୍କୃତି ଗତିଶୀଳ ହୋଇଛି ଏବଂ ଭାରତୀୟ ତଥା ବିଶ୍ୱସଂସ୍କୃତି ମଧ୍ୟରେ ତାହାର ଆସ୍ଥାନ ସୁଦୃଢ଼ ହୋଇଛି । ଜଗନ୍ନାଥ ଧର୍ମ ଓ ଜଗନ୍ନାଥ ସଂସ୍କୃତିର ଉଦାର ଧର୍ମଚେତନା ମଧ୍ୟରେ ଯେଉଁ ସର୍ବ ଧର୍ମ ଓ ସର୍ବ ସଂସ୍କୃତିର ସମନ୍ୱୟ ଘଟିଛି ତାହା ଓଡ଼ିଆ ସାହିତ୍ୟର ଭାବଧାରାକୁ ସୁସମୃଦ୍ଧ କରିବାରେ ଯଥେଷ୍ଟ ସହାୟକ ହୋଇଛି, ବିଶେଷକରି ଧର୍ମଭିତ୍ତିକ ଉତ୍କଳୀୟ ସଂସ୍କୃତିରେ ସମୟ ଅନୁକ୍ରମେ ଯେଉଁ ପରିବର୍ତ୍ତନମାନ ଦେଖାଦେଇଛି ତାହା ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ ବହୁ ନୂତନ ଭାବ ଓ ଭଙ୍ଗୀର ସଂଚାର ଘଟାଇ ଓଡ଼ିଆ ସାହିତ୍ୟର ଇତିହାସରେ କ୍ଳାସିକଯୁଗର ସୃଷ୍ଟି କରିପାରିଛି-

 

ପ୍ଳଟ୍‌ନଂ ୪୩୬, ସହିଦ ନଗର

 

***

 

ଏକ ଅନାଦୃତ ପତ୍ରିକାର ସ୍ୱାକ୍ଷର

ଶ୍ରୀ ବିନୋଦ ରାଉତରାୟ

 

ଓଡ଼ିଶା ସ୍ୱତନ୍ତ୍ରପ୍ରଦେଶର ସମ୍ମାନ ଲାଭକଲା ୧୯୩୬ମସିହା ଅପ୍ରେଲ ପହିଲାଦିନ । ପୂର୍ବରୁ ଏହା ବିହାର ସହିତ ମିଶି ବିହାର ଓଡ଼ିଶା ଗୋଟିଏ ପ୍ରଦେଶ ଥିଲା । ଏଣୁ ସ୍ୱତନ୍ତ୍ର ପ୍ରଦେଶର ସମ୍ମାନଲାଭର ଅନ୍ୟୂନ୍ୟ ପାଞ୍ଚବର୍ଷ ପୂର୍ବରୁ, ଅର୍ଥାତ୍‌ ୧୯୩୧ ମସିହାରେ କଟକଠାରୁ ‘ଆରତି’ ନାମରେ ଦ୍ୱିମାସିକ ବଙ୍ଗଳା ପତ୍ରିକାଟିଏ ପ୍ରକାଶ ପାଇଥିଲା ବିହାର-ଓଡ଼ିଶା ପ୍ରଦେଶର ଏକମାତ୍ର ପତ୍ରିକା ରୂପେ । ଏହାର ପ୍ରଥମଭାଗ, ପ୍ରଥମ ସଂଖ୍ୟାଟି ବର୍ଷ । ସଂଖ୍ୟାରୂପେ ମୋର ହସ୍ତଗତ ହୋଇଛି । ଏହା କ୍ରାଉନ୍‌ ସାଇଜର ଅଠେଇଶପୃଷ୍ଠା । ପ୍ରତି ଖଣ୍ଡର ମୂଲ୍ୟ ଚାରିଅଣା (ପଚିଶ ପଇସା) ଓ ବାର୍ଷିକ ମୂଲ୍ୟ ହେଉଛି ଦେଢ଼ଟଙ୍କା ମାତ୍ର । ଆରତିର ପ୍ରଚ୍ଛଦ ଚିତ୍ର ଅଙ୍କନ କରିଛନ୍ତି କଳାବିତ୍‌ ବିପିନ୍‌ ବିହାରୀ ଚୌଧୁରୀ । ମୁଦ୍ରିତ ହୋଇଛି କଟକସ୍ଥ ଲୋକସେବା ପ୍ରେସରେ ଓ ପ୍ରକାଶିତ ହୋଇଛି ପ୍ରତାପସେନଙ୍କଦ୍ୱାରା । ସଂପାଦକର ଦାୟିତ୍ୱ ବହନ କରିଛନ୍ତି କିଶୋରୀ ମୋହନ ଜେୟାର୍ଦଜାର, ଗଣେଶଘାଟ, ଚାନ୍ଦନୀଚୌକ-କଟକ । ଆରତିର ପୃଷ୍ଠଦେଶରେ ସ୍ୱରାଜ ସାହିତ୍ୟ-ମନ୍ଦିରର ପୂର୍ଣ୍ଣପୃଷ୍ଠା ବିଜ୍ଞାପନ ଦିଆଯାଇଛି । ଭିତର ପୃଷ୍ଠାରେ ଦିଆଯାଇଛି କଲିକତାର ପ୍ରସିଦ୍ଧ ପ୍ରକାଶକ ଗୁରୁଦାସ ଚଟ୍ଟୋପାଧ୍ୟାୟ ଏଣ୍ଡ ସନ୍‌ସଙ୍କର ଓ କଟକସ୍ଥ କଟକ ଟ୍ରେଡ଼ିଂକମ୍ପାନୀଙ୍କର ବିଜ୍ଞାପନ । ବିଭିନ୍ନ ସ୍ୱାଦର ସମ୍ବାଦପତ୍ର ଓ ସାମୟିକ ପତ୍ରିକାର ବିପଣୀରେ ଆରତିର ପ୍ରକାଶନ କେତେଦୂର ସ୍ପୃହଣୀୟ ତାହା ବିଚାରଯୋଗ୍ୟ ।

 

ଆରତିର କଳେବର କ୍ଷୁଦ୍ର ହୋଇଥିଲେ ମଧ୍ୟ ଲେଖାଗୁଡ଼ିକ ମର୍ଯ୍ୟାଦାସମ୍ପନ୍ନ ଓ ସୁନିର୍ବାଚିତ ହେଲା ଭଳି ମନେହୁଏ । ବିବିଧ ବାର୍ତ୍ତାରେ ସଂପାଦକ ମହୋଦୟ କହିଛନ୍ତି ଯେ କେତେଜଣ ତରୁଣ ଯୁବକଙ୍କର ସମ୍ମିଳିତ ପ୍ରଚେଷ୍ଟା ଫଳରେ ଏହି ଆରତି ପ୍ରଦୀପ ପ୍ରଜ୍ୱଳିତ କରାଗଲା । ଶ୍ରୀଗଜନ୍ନାଥ ମନ୍ଦିରର ପାଦପୀଠିକାରେ ଅସଂଖ୍ୟ ପ୍ରଦୀପ ଜଳୁଥାଏ ଓ ପ୍ରତ୍ୟେକ ଭକ୍ତ ନିଜ ଅନ୍ତରର ଭକ୍ତି ନିବେଦନର ନିଦର୍ଶନ ସ୍ୱରୂପ ଗୋଟିଏ କରି ପ୍ରଦୀପ ଜଳାଇ ଥାନ୍ତି । ସେହିପରି ବାଣୀମନ୍ଦିରର ପ୍ରାଙ୍ଗଣରେ ଏହି ଯେଉଁ ଆରତି ପ୍ରଦୀପ ଜଳାଇ ଦିଆଗଲା ତା’ର ଆଲୋକ ଯେତେ କ୍ଷୀଣ ହେଲେ ମଧ୍ୟ ଇତର ବିଶେଷ ନୁହେଁ । ସେ ପୂନର୍ବାର ସ୍ୱୀକାର କରିଛନ୍ତି ଯେ ବଙ୍ଗଳାର ବାହାରେ ପ୍ରାୟ ସବୁ ପ୍ରଦେଶରେ ପ୍ରବାସୀ ବଙ୍ଗାଳୀମାନଙ୍କର ଗୋଟିଏ ଗୋଟିଏ ମୁଖ୍ୟପତ୍ର ଅଛି । ବିହାରୋତ୍କଳ ପ୍ରବାସୀ ବଙ୍ଗାଳୀଙ୍କର ଏହି ଅଭାବ ଆରତି ଦୂର କରିବ ।

 

ପୁନଶ୍ଚ, ବିବିଧ ବାର୍ତ୍ତାରେ ସୂଚନା ଦିଆଯାଇଛି ଯେ ବଙ୍ଗୀୟ ସାହିତ୍ୟ ପରିଷଦ ଓ ଉତ୍କଳସାହିତ୍ୟ ସମାଜର ମିଳିତ ଉଦ୍ୟମରେ କଟକର ଶ୍ରୀରାମଚନ୍ଦ୍ରଭବନରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କର ସଭାପତିତ୍ୱରେ ବୈଶାଖ ୨୫ଦିନ ବିଶ୍ୱକବି ରବୀନ୍ଦ୍ରନାଥଙ୍କର ସତୁରୀବର୍ଷ ପୂର୍ତ୍ତି ଉପଲକ୍ଷେ ଜୟନ୍ତୀ ଉତ୍ସବ ଓ ୧୫ । ୭ । ୩୧ ତାରିଖରେ ଉତ୍କଳମଣି ପୂଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି । ୧୯୨୧ରୁ ୧୯୩୧ ପର୍ଯ୍ୟନ୍ତ ଦଶ ବର୍ଷକୁ ଯଦି ଓଡ଼ିଆ ସାହିତ୍ୟରେ ସବୁଜଯୁଗ ବୋଲି ଚିହ୍ନିତ କରାଯାଏ, ତେବେ ଆରତି ପ୍ରକାଶ ପାଇଛି ସେହି ଦଶନ୍ଧିର ଶେଷ ପାଦରେ ଓ ସବୁଜବନ୍ଧୁମାନଙ୍କ ମଧ୍ୟରୁ ଅନ୍ନଦାଶଙ୍କର ଓ ଶରତ୍‌ଚନ୍ଦ୍ରଙ୍କର ସବୁଠାରୁ ଏଥିରେ ଅଧିକ ସହଯୋଗ ।

 

ଆରତିରେ ପ୍ରକାଶିତ ବିଭିନ୍ନ ସ୍ୱାଦର କବିତା ସଂଖ୍ୟା ହେଉଛି ପାଞ୍ଚ । ଯେଉଁମାନେ କବିତା ଲେଖିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି କବିଶେଖର କାଳିଦାସ ରାୟ, କ୍ଷିତୀଶଚନ୍ଦ୍ର ଦେ, ପ୍ରତାପ ସେନ, ଜଗତ୍‌ ସେନ ଓ ସରୋଜିନୀ ଚୌଧୁରୀ । କବିଶେଖର କାଳିଦାସଙ୍କର ‘ବିଶ୍ୱଘାନି’ ଓ କ୍ଷିତୀଶଚନ୍ଦ୍ରଙ୍କର ‘ମାନୁଷ’ କବିତା ପ୍ରତି ମନ ସହଜରେ ଆର୍ଦ୍ର ହୋଇ ଉଠେ । ଶିଳ୍ପୀ ବିପିନବିହାରୀଙ୍କର ‘ଜନନୀ’ ସରୋଜିନୀ ଚୌଧୁରୀଙ୍କର ‘ବନ୍ଦନା’ କବିତାଟିର ପରିମିତିବୋଧ ଅନସ୍ୱୀକାର୍ଯ୍ୟ । ଏଣୁ ଏହା ଯଥାର୍ଥରେ ପାଠକର ଦୃଷ୍ଟି ଆକର୍ଷଣ କରେ ସାର୍ଥକ ମିନି କବିତା ଭାବରେ ।

 

କବିଶେଖର କାଳିଦାସଙ୍କ କବିତାରେ ଭାଷାର କାରୁକାର୍ଯ୍ୟ, ବକ୍ତବ୍ୟ, ପ୍ରସାଧନ ପରିପାଟୀ ଲକ୍ଷ୍ୟ କରିବାର କଥା । ସେ ବିଶ୍ୱର ସ୍ରଷ୍ଟାଙ୍କ ତୈଳଜୀବୀ ରୂପେ ସମ୍ବୋଧନ କରିଛନ୍ତି ଓ ସମଗ୍ର ବିଶ୍ୱକୁ ଘଣାରେ ପୁରାଇ ତେଲ ଭଳି ପେଡ଼ି, ତେଲ ବାହାର କରି ନିଆ ଯାଉଛି । ସେ ପ୍ରକାଶ କରିଛନ୍ତି –

 

‘‘ତୈଲ ତୁମି ବାର କରେ ଲଓ,

      ତୈଳ-ଜୀବୀ ସରଷେପିଷେ,

ଖୈଲଗୁଲି ଭାଗ୍ୟେଜୁଟେ,

      ଦୋଷ ତୋମାଆର ଦେବ କି ସେ ?’’

 

ପୀଡ଼ିତ ସଭ୍ୟତାର ଯନ୍ତ୍ରଣାରେ କାତର ଦୁର୍ଦ୍ଦିନରେ ଜୀବନର ସାମଗ୍ରିକ ମୂଲ୍ୟବୋଧକୁ କବି ତୈଳହୀନ ରସହୀନ ପିଡ଼ିଆ ବା ଖୈଲ ସହିତ ତୁଳନା କରିଛନ୍ତି । ନିର୍ବହୁଳ ଶବ୍ଦ ସଂଯୋଜନ ହିଁ, ‘‘ବିଶ୍ୱଘାନି’’ କବିତାର ବୈଶିଷ୍ଟ୍ୟ । କ୍ଷିତୀଶଚନ୍ଦ୍ର ଦେଙ୍କର କବି ପ୍ରାଣ ଅଛି ଓ ପ୍ରାଣର କଥାକୁ ‘‘ମାନୁଷ’’ କବିତାରେ ଉଚ୍ଛ୍ୱାସର ସହିତ ସେ ପ୍ରକାଶ କରିଛନ୍ତି । ବ୍ୟାଧି, ଯନ୍ତ୍ରଣା, ମରଣ, ନରକ, ବିଘ୍ନ, ବିପଦକୁ ଭ୍ରୂକ୍ଷେପ ନକରି ଚିର ଅଜଣାର ସନ୍ଧାନରେ ମଣିଷ ଶଙ୍କା ବିହୀନ ଗର୍ବରେ ବକ୍ଷ ଫୁଲାଇ ନିର୍ଭୀକ ପାଦପାତରେ ଆଗକୁ ଚାଲିଛି, ଯାହା ଫଳରେ –

 

‘‘ଧନ୍ୟ ମାନୁଷ ବୀର !

ତୋମାର ବିଜୟ ଶଂଖ ଧ୍ୱନିଛେ

ଚୌଦିଗେ ଅବନୀର ।’’

 

ଗତାନୁଗତିକ ଧାରାରେ ଲିଖିତ ବିଶ୍ୱାବସୁଙ୍କ ‘‘ମିଶ୍ରରାଗ’’ ଉପନ୍ୟାସ ଓ ନିର୍ମଳା ଦେବୀଙ୍କର ‘‘ଶେଷଦେଖା’’ ବଡ଼ଗଳ୍ପ ଆଂଶିକ ପ୍ରକାଶ ପାଉଥିବାରୁ ଆଖ୍ୟାନଭାଗ ସଂପୂର୍ଣ୍ଣ ନୁହେଁ । ଏଣୁ ଆଖ୍ୟାନସ୍ଥ ପ୍ରେମ, ପ୍ରୀତି, ହାସ୍ୟ, ଅଶ୍ରୁ, ଜୀବନ ସଂଗ୍ରାମ ସମ୍ବନ୍ଧରେ ମତାମତ ବ୍ୟକ୍ତ କରିବା କଠିନ । ତଥାପି, ଏତିକି ସ୍ୱୀକାର କରାଯାଇ ପାରେ ଯେ ଉଭୟ ଲେଖାର ବକ୍ତବ୍ୟ ପ୍ରେମ ମୂଳକ ଓ ପରିପକ୍ୱ ହାତର ରଚନା ଶୈଳୀରେ ସମୃଦ୍ଧ । ଶେଷଦେଖା ଗଳ୍ପରେ ମନସ୍ତାତ୍ତ୍ୱିକ ବିଶ୍ଳେଷଣ ପାଇଁ ଲେଖିକା କିଞ୍ଚିତ୍‌ ସୁଯୋଗ ପାଇଛନ୍ତି । ଆଲୋଚ୍ୟ ପତ୍ରିକାରେ କୁମାର ଗୁପ୍ତଙ୍କର ‘ଯାବାର ବେଲାୟ’ ଗଳ୍ପର ବିଷୟବସ୍ତୁ ବ୍ୟର୍ଥ ପ୍ରେମକୁ କେନ୍ଦ୍ର କରି । ନାରୀ ନିର୍ବୋଧ ଓ ଅର୍ଦ୍ଧଶିକ୍ଷିତା ହେଲେ ମଧ୍ୟ ତା’ର ପ୍ରେମ ଓ ଦେହକୁ ସାମାଜିକତାଦ୍ୱାରା କ୍ଷୂର୍ଣ୍ଣ କରାଯାଇ ନପାରେ । ନାୟିକା ରେଖାଦେବୀଙ୍କ ଦାମ୍ପତ୍ୟ ଜୀବନ ଏହି କାରଣୁରୁ ସୁଖମୟ ହୋଇପାରି ନାହିଁ । ବରଂ ସେ ପ୍ରେମିକକୁ ପତି ସମ୍ମୁଖରେ ଉଚ୍ଚ ଆସନ ଦେବାକୁ ଯାଇ ନିଗୃହୀତା ହୋଇଛନ୍ତି । ତାଙ୍କର ମନ ଅନୁଶୋଚନା ଓ ବ୍ୟର୍ଥତାରେ ବିଦୀର୍ଣ୍ଣ ହୋଇ ଯାଇଛି । ଗୋଟିଏ ଦିଗରେ ପୂର୍ବ ସ୍ମୃତିର ରଙ୍ଗ ଓ ଅନ୍ୟ ଦିଗରେ ବାସ୍ତବ ଦାମ୍ପତ୍ୟ ଜୀବନ । ଏହି ଦୁଇ ମୁଖ୍ୟ ସ୍ରୋତର ପରିଣାମ ହିଁ ତାହାଙ୍କୁ ଦେହାତୀତ ପ୍ରେମ ନିମନ୍ତେ ଆକୁଳ କରାଇଛି ଓ ସେ ସହଜରେ ଜୀବନକୁ ବିସର୍ଜନ ଦେବା ପାଇଁ ଶ୍ରେୟ ମଣିଛି । ନାୟକ ପ୍ରଦୋଷ ଏମ. ଏ. ପାଶ କରି କାଶ୍ମୀରରେ ଅଧ୍ୟାପକ ଚାକିରୀ କରୁଥିଲେ ମଧ୍ୟ ରେଖାଦେବୀଙ୍କର ଅମଳିନ ଅକପଟ ଆନ୍ତରିକତାର ଦୁର୍ଲଭ ଆକର୍ଷଣ ଭୁଲି ନପାରି ସ୍ମୃତିର ଉତ୍‌ପୀଡ଼ନ ଜନିତ ବ୍ୟାଧିରେ ରୋଗକ୍ରାନ୍ତ ହୋଇ ପଡ଼ିଛନ୍ତି ଓ ନିଜର ମାନ, ଯଶ, ପ୍ରତିଷ୍ଠାକୁ ତୁଚ୍ଛ ମଣିଛନ୍ତି । ପରିଶେଷରେ ଅନ୍ତରଙ୍ଗ ବନ୍ଧୁ ମୁକୁଳ ନିକଟକୁ ଅକୃତ୍ରିମ ଅନାୟାସ ଭଙ୍ଗୀରେ ପତ୍ର ଲେଖି ସବୁକଥା ପରିଷ୍କାର ଭାବେ ଜଣାଇ ଦେଇ ଦେହତ୍ୟାଗ କରିଛନ୍ତି । ସ୍ୱଗୋତ୍ରରେ ବିବାହ ହୁଏ ନାହିଁ ବୋଲି ଉଭୟଙ୍କର ମିଳନ ସମ୍ଭବ ହୋଇପାରି ନାହିଁ । କାହାଣୀର ପରିବେଶ ଓ ଚରିତ୍ର ଚିତ୍ରଣ ଗତାନୁଗତିକ ।

 

ସମଗ୍ର ପତ୍ରିକାଟି ମଧ୍ୟରେ ଦୁର୍ଲଭ ରସୋତ୍ତୀର୍ଣ୍ଣ ରଚନା ହେଉଛି ପ୍ରଭାତ କୁମାର ମୁଖୋପାଧ୍ୟାୟ ଓ ତାଙ୍କ ବନ୍ଧୁମାନଙ୍କର ଏକ ଅନ୍ତରଙ୍ଗ ସାକ୍ଷାତକାର ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ସହିତ । ମଧୁସୂଦନ ସେତେବେଳେ ଓଡ଼ିଶାର ମୁକୁଟ ବିହୀନ ସମ୍ରାଟ । ବିଭୂତି ପ୍ରଲିପ୍ତ କର୍ମ ସନ୍ନ୍ୟାସୀ । ଅନନ୍ୟସାଧାରଣ ରାଜନୀତିଜ୍ଞ । ଶ୍ରୂତିଧର ରୂପେ ପ୍ରଭାତକୁମାର ତାଙ୍କର କୌତୂହଳପ୍ରଦ ଚିତ୍ତାକର୍ଷୀ ବାଣୀକୁ ଲିପିବଦ୍ଧ କରିଛନ୍ତି । ତତ୍‌କାଳୀନ ଜୀବନ ଓ ଜଗତ ସହିତ ଘନିଷ୍ଠ ଭାବରେ ସଂପୃକ୍ତ ମଧୁସୂଦନଙ୍କର ପ୍ରିୟଛାତ୍ର ବହ୍ନିଗର୍ଭ ସାର ଆଶୁତୋଷ ମୁଖୋପାଧ୍ୟାୟଙ୍କ ବ୍ୟକ୍ତିତ୍ୱର ପରିପ୍ରେକ୍ଷୀରେ ଏହା ହେଉଛି ବିଷର୍ଣ୍ଣ ଆଳାପ । ବିଦଗ୍‌ଧ ଶୈଳୀ ଓ ବିଶିଷ୍ଟ ଭାଷା ବିନ୍ୟାସ ଏହି ଲେଖାକୁ ଅମୂଲ୍ୟ ସମ୍ପଦରେ ପରିଣତ କରିଛି । ତେଣୁ ଲେଖାଟିର ନାମକରଣ କରାହୋଇଛି ‘‘ଆଶୁସ୍ମୃତି’’ । ସାର ଆଶୁତୋଷଙ୍କର ଗୁରୁଭକ୍ତି, ସ୍ମରଣଶକ୍ତି, ଗଣିତ ଜ୍ଞାନ, ଇଂରାଜୀ ସାହିତ୍ୟରେ ପାରଦର୍ଶିତା, ଆଇନ ଜ୍ଞାନ, ଅସାଧାରଣ କର୍ମ-କୁଶଳତା ଓ ସର୍ବବ୍ୟାପୀ ଆଗ୍ରହ ସମ୍ବନ୍ଧରେ ଯେଉଁଭଳି ଅକୁଣ୍ଠ ପ୍ରଶଂସା କରାଯାଇଛି, ସେହିଭଳି ଶିକ୍ଷାବିଦ୍‌ ହିସାବରେ ଏହାଙ୍କୁ ସ୍ୱତନ୍ତ୍ର ଆସନର ଅଧିକାରୀ କରାଯାଇଛି । ଉତ୍କଳ ଗୌରବଙ୍କ ଭଳି ଗୁରୁଙ୍କର ମନରେ ଯେଉଁ ଘନିଷ୍ଠ ଅନୁଭୂତି, ଛାତ୍ର ବତ୍ସଳତା, ସୌହାର୍ଦ୍ଦ୍ୟତା ସଞ୍ଚିତ ରହିଛି ତାହା ଲେଖାର ଛତ୍ରେ ଛତ୍ରେ ପ୍ରତିଫଳିତ ହୋଇଛି । ପରିଶେଷରେ ବୟାଅଶି ବର୍ଷର କୁଳବୃଦ୍ଧଙ୍କ କଣ୍ଠରୁ ଝରି ଆସିଛି–‘‘ପଚାଶ ବର୍ଷ ଧରି ମୁଁ ଶିଷ୍ୟ ରୂପେ ପାଇଥିଲି ଭାରତର ସର୍ବଶ୍ରେଷ୍ଠ ଜିନିୟାସ ( Genius )ଙ୍କୁ । ଆଜିକୁ ଚାରିବର୍ଷ ହେବ ହରାଇଛି ।’’ ବିଭିନ୍ନ ଅଭିଜ୍ଞତାର ସୁର ଦେଇ ଗୁନ୍ଥା ହୋଇଛି ଏହା ଏକ ବିଶିଷ୍ଟତମ ସଂଗୀତ ଭଳି, ଯାହା ପାଠ କଲେ ଅନ୍ତର ମଧ୍ୟରେ ତାର ମୂର୍ଚ୍ଛନା ରହିଯାଏ ।

 

ଏହା ବ୍ୟତୀତ ଦୃଷ୍ଟି ଆକର୍ଷଣ କରେ ଦୁଇଟି ଉପାଦେୟ ପ୍ରବନ୍ଧ । ଏହା ହେଉଛି ସବୁଜ ଯୁଗର ଲବ୍‌ଧପ୍ରତିଷ୍ଠ ଲେଖକ ଦ୍ୱୟଙ୍କର ରଚନା-ଅନ୍ନଦାଶଙ୍କର ରାୟଙ୍କର ‘‘ବାଙ୍ଗଲାର ବାଇରେ ବାଙ୍ଗାଲୀ’’ ଓ ତଦୀୟ ବନ୍ଧୁ ଶରତଚନ୍ଦ୍ର ମୁଖାର୍ଜୀଙ୍କର ‘‘ଉତ୍‌କଲେ ବାଙ୍ଗାଲୀ ଓ ଆରତି’’ । ଆଶୁଚେତନା ଅନ୍ନଦାଶଙ୍କରଙ୍କର ଦୃଷ୍ଟି ତୀକ୍ଷଣ ଓ ଲେଖା ବହୁତର୍କ ତତ୍ତ୍ୱଦ୍ୱାରା ଶାଣିତ । ସେ ଲେଖିଛନ୍ତି ଅଙ୍କ କଷିଲା ଭଳି ମାପିଚୁପି । ମନର ଗଭୀର ସ୍ତରରେ ପ୍ରବେଶ କରି ପ୍ରକୃତ ସତ୍ୟକୁ ସ୍ୱୀକାର କରିବାର କୌଶଳ ତାହାଙ୍କୁ ଜଣା । ଏଣୁ ସେ ସ୍ୱୀକାର କରିଛନ୍ତି ଯେ, ଯେଉଁ କାରଣୁରୁ ମ୍ୟାଞ୍ଚେଷ୍ଟାର ସଙ୍ଗେ ଦେଶୀ ମିଲ୍‌ର ବିବାଦ, ସେହି କାରଣରୁ ବଙ୍ଗାଳୀ ଗ୍ରାଜୁଏଟ ସହିତ ଓଡ଼ିଶା କିମ୍ବା ବିହାରୀ ଗ୍ରାଜୁଏଟର ବିରୋଧ । ଏହି ବିରୋଧର ପ୍ରତିବିଧାନ ପାଇଁ ଶ୍ରୀ ରାୟ ତିନିଗୋଟି ଉପାୟ ଲିପିବଦ୍ଧ କରିଛନ୍ତି । ସର୍ବପ୍ରଥମେ ବଙ୍ଗାଳୀକୁ ବଙ୍ଗଦେଶକୁ ଫେରିଯିବାକୁ ହେବ କିମ୍ବା ନିଜକୁ ସିଧାସଳଖ ଓଡ଼ିଆ କିମ୍ବା ବିହାରୀ ବୋଲି ଘୋଷଣା କରିବାକୁ ହେବ । ଦ୍ୱିତୀୟରେ ସେମାନଙ୍କ ସହିତ ସାମାଜିକ ସମ୍ପର୍କ ସ୍ଥାପନା କରି ସେମାନଙ୍କ ସାହିତ୍ୟକୁ ନିଜର ସାହିତ୍ୟ ରୂପେ ଗ୍ରହଣ କରି ତାର ଯଥାଶକ୍ତି ସେବା କରିବାକୁ ପଡ଼ିବ । ଶେଷରେ ଚାକିରୀର ଆଶାତ୍ୟାଗ କରି ମାରଓ୍ୱାଡ଼ିମାନଙ୍କ ଭଳି ବ୍ୟବସାୟ ବାଣିଜ୍ୟ କରି ଚଲିଲେ ନିଜର ସ୍ୱାତନ୍ତ୍ର୍ୟ ଅକ୍ଷୂର୍ଣ୍ଣ ରଖାଯାଇ ପାରିବ । ଏହି ବିଷୟର ତାତ୍ପର୍ଯ୍ୟକୁ ଅଧିକ ଆଦର୍ଶବାଦୀ ଓ ପରିସ୍ଫୁଟ କରିବାକୁ ଯାଇ ଶରତଚନ୍ଦ୍ର ମୁଖାର୍ଜୀ ଉଦ୍ୟମ କରି କହିଛନ୍ତି–‘‘ପଚାଶ-ଷାଠିଏ ବର୍ଷ ପୂର୍ବେ ବଙ୍ଗାଳୀ ଯେଉଁ ଦେଶରେ ବାସ କରୁଥିଲେ, ସେହି ଦେଶର ଉନ୍ନତି ପାଇଁ ନିଜର ଶକ୍ତି ଓ ଅର୍ଥ ଅକାତରରେ ଦାନ କରୁଥିଲେ । ଏହି ସେବାର ମୂଲ୍ୟ ସମସ୍ତେ ବୁଝୁଥିଲେ । ସେଥିପାଇଁ ବର୍ତ୍ତମାନ ଉତ୍କଳର ରାଜପଥରେ ଆଧୁନିକ ଉତ୍କଳ ସାହିତ୍ୟର ପିତା ରାଧାନାଥ ରାୟଙ୍କର ପ୍ରତିମୂର୍ତ୍ତି ଦେଖାଯାଏ । ବର୍ତ୍ତମାନ ମଧ୍ୟ ଉତ୍କଳର ପ୍ରଥମ ସାମ୍ବାଦିକ ଗୌରୀଶଙ୍କର ରାୟଙ୍କ ନାମରେ ଉତ୍କଳବାସୀ ପାର୍କ ତିଆରି କରନ୍ତି ।

 

ରବୀନ୍ଦ୍ରୋତ୍ତର ଯୁଗରେ ବଙ୍ଗସାହିତ୍ୟରେ ଯେଉଁ କେତେଜଣଙ୍କର ସାହିତ୍ୟକୃତି ବିପୁଳ ବିସ୍ମୟକର, ସେମାନଙ୍କ ମଧ୍ୟରେ ଅନ୍ନଦାଶଙ୍କର ହେଉଛନ୍ତି ଜଣେ । ସେ ଓଡ଼ିଶାରେ ଜନ୍ମ, ଓଡ଼ିଶା ମାଟିର ଭାଷା, ସାହିତ୍ୟ ଓ ସମାଜିକତା ସହିତ ସୁପରିଚିତ । ସବୁଜ ଯୁଗର ସାହିତ୍ୟିକମାନଙ୍କ ମଧ୍ୟରେ ତାଙ୍କର କୃତିକୁ ସ୍ମରଣ କରାଯାଇଥାଏ । ସେ ସାମାଜିକ ଜୀବନ ସମ୍ବନ୍ଧରେ ଯେଉଁ ସୂଚନା ଦେଇଛନ୍ତି, ସେହି ସତ୍ୟ ସନ୍ଧାନର ଧାରା ଶରତ୍‌ଚନ୍ଦ୍ରଙ୍କ ସୂକ୍ଷ୍ମ ବିଶ୍ଳେଷଣଦ୍ୱାରା ସୁସ୍ପଷ୍ଟ ହୋଇଛି । ଯେଉଁଭଳି ବିଷୟ, ସେହିଭଳି ପ୍ରକରଣ । ଯେଉଁଭଳି ବିନ୍ୟାସ, ସେହିଭଳି ରୂପାୟନ । ଉଠା ବଙ୍ଗାଳୀଙ୍କ ସମ୍ବନ୍ଧରେ ସେ ସ୍ପଷ୍ଟ କଣ୍ଠରେ ଉଚ୍ଚାରଣ କରିଛନ୍ତି–‘‘ପୁଅକୁ ବିବାହ କରାଇବା ପାଇଁ ଏମାନେ ବଧୂ ଅନ୍ୱେଷଣ କରି ସୁବର୍ଣ୍ଣରେଖା ପାର ହୁଅନ୍ତି । କିନ୍ତୁ ଝିଅ ନାମକ ଆପଦକୁ ବିଦାୟ କରିବା ସମୟରେ ‘କେରା’ମାନଙ୍କ ଦ୍ୱାରସ୍ଥ ହେବାକୁ କୁଣ୍ଠିତ ହୁଅନ୍ତି ନାହିଁ । ଶରତଚନ୍ଦ୍ର ମୁଖ୍ୟତଃ ବଙ୍ଗଳୀମାନଙ୍କୁ ଦୁଇ ଭାଗରେ ବିଚାର କରିଛନ୍ତି । ପ୍ରଥମେ କହିଛନ୍ତି ଅଧିବାସୀ ବଙ୍ଗାଳୀ ବା କେରା ବଙ୍ଗାଳୀମାନଙ୍କ ସମ୍ବନ୍ଧରେ । ଦ୍ୱିତୀୟରେ ଆଲୋଚନା କରିଛନ୍ତି ସ୍ୱାର୍ଥକୈନ୍ଦ୍ରିକ ପ୍ରବାସୀ ବଙ୍ଗାଳୀ ବା ଉଠା ବଙ୍ଗାଳୀମାନଙ୍କ କଥା । ତାଙ୍କ ଭାଷାରେ ଏହି ଉଠା ବଙ୍ଗାଳୀଙ୍କ ସଂଖ୍ୟା ଊଣା ଓ ଏମାନେ ହେଲେ ବସନ୍ତର କୋକିଳ । ବର୍ତ୍ତମାନ ଉତ୍କଳରେ ଉପାର୍ଜନର ମଳୟ ବହୁଛି, ଏମାନେ ଏଠାରେ ଅଛନ୍ତି । ଯେଉଁଦିନ ମଳୟ ମରୁତ ବହିବ ନାହିଁ, ସେଦିନ ସେମାନେ ସୁବର୍ଣ୍ଣରେଖା ପାର ହୋଇ ନିଜ ଘରକୁ ବାହୁଡ଼ି ଯିବେ ପୁତ୍ର ଓ ପୁତ୍ରବଧୂ ସହିତ । କନ୍ୟା ବିଚାରୀ ପଡ଼ି ରହିବ ଅଧିବାସୀ ବଙ୍ଗୀୟ ପରିବାରର ବଧୂ ହୋଇ । ଏହା ସାଧରଣ ଅଭିଜ୍ଞତାର ବହିର୍ଭୂତ ନୁହେଁ ।

 

ଅପରାଜେୟ ଲେଖନୀକାର ଅନ୍ନଦାଶଙ୍କର ଅକୁଣ୍ଠିତ ଚିତ୍ତରେ ଜୀବନର ଚାରିପାଖକୁ ଦୃଷ୍ଟି ପକାଇ ଦେଖିଛନ୍ତି । ଏଣୁ ସେ ଦର୍ଶାଇଛନ୍ତି, ବଙ୍ଗାଳୀମାନଙ୍କର ଅପ୍ରିୟତାର ଦ୍ୱିତୀୟ କାରଣକୁ-। ବଙ୍ଗାଳୀମାନେ ଯାହାର ଲୁଣ ଖାଆନ୍ତି ତାହାର ହିଁ ଅବଜ୍ଞା କରନ୍ତି । ଓଡ଼ିଶାରେ ରହି ଓଡ଼ିଆଙ୍କୁ କହନ୍ତି ‘ଉଡ଼େ’ । ବିହାରରେ ରହି ବିହାରୀଙ୍କୁ କହନ୍ତି ‘ଛାତୁ’ କିମ୍ବା ‘ଖୋଟ୍ଟା’ କିମ୍ବା ‘ମେଡ଼ୋ’ । ଏହି ଅବଜ୍ଞା ଅମାର୍ଜନୀୟ ! ଏ ସମ୍ବନ୍ଧରେ ଶରତ୍‌ଚନ୍ଦ୍ର ମଧ୍ୟ ନୀରବ ନୁହନ୍ତି । ସେ ନୂତନ ଭାବଧାରା ପ୍ରବର୍ତ୍ତନ କରିବାପାଇଁ କହିଛନ୍ତି ଯେ ବଙ୍ଗାଳୀମାନେ ଯାହାର ଲୁଣ ଖାଉଛନ୍ତି ତାହାରି ଗୁଣ ଗାଇବାକୁ ଶିକ୍ଷା କରନ୍ତୁ । ଆରତି ସେହି ଦିଗରେ ଚେଷ୍ଟା କରୁ । କାରଣ ଅନ୍ନଦାଶଙ୍କର ଆରତି ଜରିଆରେ ଓଡ଼ିଆ ସାହିତ୍ୟ ଓ ପ୍ରଥା ସମ୍ବନ୍ଧରେ ଆଲୋଚନା କରିବାକୁ ପ୍ରଚୋଦିତ କରାଇଛନ୍ତି । ବିଭିନ୍ନ ଭାଷାର ଉନ୍ନତି ଓ ସଂପ୍ରସାରଣ ଭିତରେ ସମଗ୍ର ଭାରତର ବୃହତ୍ତର ସାମାଜିକ ତଥା ସାଂସ୍କୃତିକ ସଂହତି ସାଧନା ସହଜ ଓ ସ୍ୱାଭାବିକ । ଆଚାର ଆଚରଣ, ବଙ୍ଗାଳୀ-ଅବଙ୍ଗାଳୀ ସମାଜର ମିଶ୍ର ପରିବେଶ ମଧ୍ୟରେ ଭାରତର ଐକ୍ୟ ହିଁ ରବୀନ୍ଦ୍ରନାଥଙ୍କ ମହାମାନବର ସାଗରତୀରେ ସୁସ୍ପଷ୍ଟ ।

 

ଫଳ ସ୍ୱରୂପ ସର୍ବଶେଷ ପ୍ରବନ୍ଧରେ ସତୀଦ୍ର ନାରାୟଣ ରାୟ ମହାଶୟ ଐତିହାସିକର ଯୁକ୍ତିବାଦୀ ଦୃଷ୍ଟି ଘେନି ଆଲୋଚନା କରିଛନ୍ତି ‘‘ଉତ୍କଳୀୟ ରୂପକଥା ସମୁଦ୍ରଯାତ୍ରା’’ ପ୍ରବନ୍ଧଟି ଉପାଦେୟ । ପରିକଳ୍ପନା ବିଷୟବସ୍ତୁର ଅପ୍ରତିହତ ସଂଯୋଜନ, ଭାଷାର ଉଚ୍ଛ୍ୱାସ ସମ୍ବେଦନଶୀଳ ପାଠକକୁ ମୁଗ୍‌ଧ କରେ । ଐତିହାସିକ ଆଲୋଚନାର ଯେଉଁ ଗୁଣସବୁ ରହିବା ଆବଶ୍ୟକ, ଏଥିରେ ତାହାକୁ ଯଥାଶକ୍ତି ଅକ୍ଷୂର୍ଣ୍ଣ ରଖିବା ପାଇଁ ଉଦ୍ୟମ ହୋଇଛି । ତଥ୍ୟସନ୍ନିବେଶ ପଦ୍ଧତିର ସୌଷ୍ଠବ ଜନିତ ଆକର୍ଷଣ ପାଠକକୁ ଆଗ୍ରହୀ କରାଏ । ମାତ୍ର ପ୍ରବନ୍ଧଟି ଅସଂପୂର୍ଣ୍ଣ । Bombay Journal of the Anthropological Societyରେ ପ୍ରକାଶିତ ଲେଖକଙ୍କର ମୂଳ ଇଂରାଜୀ ପ୍ରବନ୍ଧର ଆଂଶିକ ଅନୁବାଦ । ଏଥିରେ ସତୀନ୍ଦ୍ର ନାରାୟଣ ଜଣାଇଛନ୍ତି ଯେ ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆମାନେ ନୌଶିଳ୍ପ ନିପୁଣ ସୁଦକ୍ଷ ନାବିକ ଥିଲେ ଓ ଓଡ଼ିଶାର ପୋତାଶ୍ରୟଗୁଡ଼ିକ ମଧ୍ୟରେ ବାଲେଶ୍ୱର ବନ୍ଦର ଶେଷ ପର୍ଯ୍ୟନ୍ତ ଉନ୍ମୁକ୍ତ ଥିଲା । ପଣ୍ୟବାହୀ ଜାହାଜ ପଣ୍ୟ ସମ୍ଭାର ଘେନି ବିଦେଶ ଯାତ୍ରା କରୁଥିଲା । ଆମଦାନୀ ଓ ରପ୍ତାନୀରେ ଓଡ଼ିଆମାନେ ଥିଲେ ଅପ୍ରତିଦ୍ୱନ୍ଦୀ ସୌଦାଗର । ସମୁଦ୍ରଯାତ୍ରା ପାଇଁ ବ୍ୟବହୃତ ଓଡ଼ିଆ ଶବ୍ଦର ତାଲିକାଟିଏ ଦେଇଛନ୍ତି । ଏହା ବ୍ୟତୀତ ଖୁଦୁରୁକୁଣୀ ବ୍ରତ କଥା, ଭ୍ରମରବର ପାଲା କଥା ଓ କାର୍ତ୍ତିକ ମାସର ପୟାଶ୍ରାଦ୍ଧ ଇତ୍ୟାଦି ଅତି ପରିଚିତ ଓ ଅତି ନିକଟବର୍ତ୍ତୀ ବିଷୟବସ୍ତୁକୁ ଘେନି ଉତ୍କଳୀୟ ନୌବାଣିଜ୍ୟର ବାସ୍ତବତାକୁ ପ୍ରତିପାଦିତ କରିଛନ୍ତି । ସତ୍ୟପୀର ପୂଜା ପ୍ରଥମେ ରାଜା ହମ୍ବିରଙ୍କ ସମୟରେ ବଙ୍ଗ ଦେଶରେ ଆରମ୍ଭ ହୋଇ ହିନ୍ଦୁ ଓ ମୁସଲମାନମାନଙ୍କର ସମ୍ମିଳିତ ଉଦ୍ୟମରେ ପ୍ରଚାରିତ ହୋଇଥିଲେ ହେଁ ଲେଖକ ସ୍ପଷ୍ଟ ଭାଷାରେ ସ୍ୱୀକାର କରିଛନ୍ତି–‘‘ବଙ୍ଗ ଦେଶରେ ପ୍ରଚଳିତ ସତ୍ୟନାରାୟଣ କାହାଣୀ ଅନ୍ୟ ପ୍ରକାରର ।’’ ପୁନଶ୍ଚ ପ୍ରକାଶ କରିଛନ୍ତି ବଙ୍ଗ ଦେଶ କିମ୍ବା ଭାରତର ଅନ୍ୟ କୌଣସି ପ୍ରଦେଶରେ ଏହିଭଳି କାର୍ତ୍ତିକ ମାସରେ ଜାହାଜ ପୂଜାର ପ୍ରଥା ନାହିଁ । ପୂର୍ଣ୍ଣାଙ୍ଗ ପ୍ରବନ୍ଧଟି ମୁଦ୍ରିତ ହୋଇଥିଲେ ମୂଲ୍ୟାୟନ ସହଜ ହୋଇ ପାରିଥାନ୍ତା । ତଥାପି ପାଠକର ସନ୍ଦେହାତୀତ ସହାନୁଭୂତି ପ୍ରବନ୍ଧଟି ସହଜରେ ଲାଭ କରେ ।

 

ପତ୍ରିକାଟି କ୍ଷୁଦ୍ର ହେଲେ ବି ଏଥିରେ ପୁଣ୍ୟଶ୍ଳୋକ ପୁରୁଷ ଶ୍ରେଷ୍ଠ ସାର୍‌ ଆଶୁତୋଷ ମୁଖାର୍ଜୀ, କୁଳବୃଦ୍ଧ ମଧୁସୂଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କର ପୂର୍ଣ୍ଣ ପୃଷ୍ଠାର ଫଟୋଚିତ୍ର ଶୋଭା ବର୍ଦ୍ଧନର ସହାୟକ ହୋଇଛି । ସାଧାରଣ ଭାବରେ ବିଚାର କରିବାକୁ ଗଲେ ଯେକୌଣସି ପତ୍ରିକା ହେଉଛି ଗୋଟିଏ ଦର୍ପଣ ଭଳି । ଏହି ଦର୍ପଣ ଆଖି ଆଗରେ ମେଲାଇ ଧରେ ସୁନୀଳ ଆକାଶର ପ୍ରତିବିମ୍ବ । ପୁଣି ଦେଖାଇ ଦିଏ ପାଦ ତଳେ ରହିଥିବା ମୃତ୍ତିକା ମଧ୍ୟରେ କେତେ ଖାଲ, ଖମା, ଉଠାଣି ଗଡ଼ାଣି ରହିଛି । ସେହି ଅନୁଯାୟୀ ଦେଖିବାକୁ ଗଲେ ଆରତି ଯେତେ କ୍ଷୁଦ୍ର ହେଲେ ମଧ୍ୟ ଯେଉଁ ପରିକଳ୍ପନା, ମାଧୁର୍ଯ୍ୟ, ମନନଶୀଳତାର ବାଣୀ ବହନ କରିଛି, ସେହିପରି ସାମାଜିକ ବ୍ୟାଧି, ବିପର୍ଯ୍ୟୟ, ସାଂସ୍କୃତିକ ଅଧୋଗତି ଆଦି ସମ୍ବନ୍ଧରେ ବଙ୍ଗୋତ୍କଳ ସମ୍ପ୍ରଦାୟଙ୍କୁ ସଚେତନ କରାଇ ପାରିଛି । ଆରତିର ବହିଃରଙ୍ଗର ପ୍ରସାଧନ ଚାକଚକ୍ୟମୟ ନହେଲେ ମଧ୍ୟ ଏହାର ଅନ୍ତରଙ୍ଗରେ ଯେଉଁ ଉତ୍ତାପ ରହିଛି ତାହା ବର୍ତ୍ତମାନ ସୁଦ୍ଧା ଅଗ୍ନିଗର୍ଭ । କେବଳ ଚାପି ହୋଇ ରହିଛି କ୍ଷଣିକ ବ୍ୟସ୍ତତା ଓ ନାନାବିଧି ପ୍ରାତ୍ୟହିକ କୋଳାହଳ ମଧ୍ୟରେ ।

 

ସର୍ବଶେଷରେ ଏତିକି କୁହାଯାଇ ପାରେ ଯେ ବିବିଧ ବାର୍ତ୍ତାରେ ଉଦ୍‌ଘୋଷଣା କରାଯାଇଛି–‘‘ଆଜି ଭାରତର ଜାତୀୟ ଜାଗରଣ ସମୟରେ ଦେଶବାସୀ ନିଜ ନିଜର ସଂକୀର୍ଣ୍ଣ ପ୍ରାଦେଶିକ ସ୍ୱାର୍ଥ ବିସର୍ଜନ କରି ସମଗ୍ର ଭାରତକୁ ନିଜର ଦେଶ ମନେକରି ଶିଖନ୍ତୁ । ବିଭିନ୍ନ ପ୍ରଦେଶବାସୀ ପରସ୍ପର ପ୍ରତି ସହାନୁଭୂତି ସମ୍ପନ୍ନ ହୁଅନ୍ତି, ଆମେ ଏହା ଚାହୁଁଛୁ । ସାମ୍ୟ ସମନ୍ୱୟର ମହାକ୍ଷେତ୍ର ଜଗନ୍ନାଥ ମନ୍ଦିର ଯେଉଁ ପ୍ରଦେଶର ଗୌରବ ସେହି ପ୍ରଦେଶରେ ଏହି ଉଦ୍ଦେଶ୍ୟର ବଶବର୍ତ୍ତୀ ହୋଇ ଆମେ ଆରତିର ଶିଖା ଜାଳିଦେଲୁ । ‘‘ଦେଶ ସ୍ୱାଧୀନ ହେଲାପରେ ଅର୍ଦ୍ଧଶତାବ୍ଦୀ ତଳର ଏହି ସମ୍ପାଦକୀୟ ଯେକୌଣସି ଚିନ୍ତାଶୀଳ ଭାରତୀୟର ମନକୁ ଆଲୋଡ଼ିତ କରିବ ଏବଂ ସଭ୍ୟତା ଓ ସଂସ୍କୃତିର ସମୁନ୍ନତି ପାଇଁ ଉଚିତ ଆଦର୍ଶର ଅନୁଶୀଳନରେ ସହାୟକ ହେବ । ଆଲୋଚ୍ୟ ପତ୍ରିକାର ଲକ୍ଷଣ ବା ଦୁର୍ଲକ୍ଷଣ, ଦୋଷ ବା ଗୁଣ, ପ୍ରଗତି ବା ପ୍ରତିକ୍ରିୟାଶୀଳତା ସମ୍ବନ୍ଧରେ ଅବଧାରଣା କରିବା ପୂର୍ବରୁ ଏତିକି ଆଶା କରାଯାଇ ପାରିବ ଯେ ଅନ୍ତତଃ ବିଗତ ଷାଠିଏ ବର୍ଷତଳେ କଟକ ସହରରେ କେତେଜଣ ଯୁବକ ବିଚ୍ଛିନ୍ନତାବାଦୀ ଚିନ୍ତାରୁ ଉପରକୁ ଉଠି ସମୂହ କଲ୍ୟାଣ ପାଇଁ ସାମ୍ୟ ଓ ସମନ୍ୱୟର ଶ୍ଳୋକ ଉଚ୍ଚାରଣ କରିଥିଲେ ।

 

 

ପ୍ରେସିଡ଼େଣ୍ଟ,

ଓଡ଼ିଶା ଲଳିତକଳା ଏକାଡେମୀ

ପ୍ଳଟ ନଂ-୩୦୭/ଏଲ

ବରମୁଣ୍ଡା ହାଉସିଂ ବୋର୍ଡ କଲୋନି

ଭୁବନେଶ୍ୱର - ୩

 

***

 

Unknown

ଶହେ ବର୍ଷର ଓଡ଼ିଆ ଉପନ୍ୟାସ

ଡକ୍‌ଟର ପ୍ରଫୁଲ୍ଲକୁମାର ମହାନ୍ତି

 

ଗୋଟିଏ ଭାଷାଗୋଷ୍ଠୀ ବା ଜାତିର ଉପନ୍ୟାସ ରଚନାର ପ୍ରଥମ ଶତବର୍ଷିକୀ ମନ ଭିତରେ ମିଶ୍ରିତ ପ୍ରତିକ୍ରିୟା ସୃଷ୍ଟି କରେ । ପ୍ରଥମେ, ସ୍ୱାଭାବିକ ଆନନ୍ଦ ଦିଏ ଯେ ଶହେ ବର୍ଷ ତଳେ ଓଡ଼ିଆ ଭାଷାରେ ପ୍ରଥମ ଉପନ୍ୟାସ ‘‘ପଦ୍ମମାଳୀ’’ ରଚିତ ହୋଇଥିଲା, ଏବଂ ତା’ ପରଠାରୁ ଶହେ ବର୍ଷ ଧରି ଏହି ଭାଷାରେ ଉପନ୍ୟାସ ରଚନାର ଧାରାବାହିକତା ଅକ୍ଷତ ରହିଛି । ପ୍ରତ୍ୟେକ ବର୍ଷ ଓଡ଼ିଆ ଭାଷାରେ ଦଶ ବାରଟି ଉପନ୍ୟାସ ଲେଖାଯାଉଛି, ବାହା ପୁନିଅଁରେ, ସୁନ୍ଦର ବନ୍ଧେଇ ପୁଡ଼ିଆରେ ଭେଟି ଦିଆଯାଉଛି । ଆଲୋଚନା ହେଉଛି ସଭାସମିତିରେ । ଗୋଟିଏ ଜାତିର ସାହିତ୍ୟିକ ଗର୍ବ ପାଇଁ ଏଇ ଶହେ ବର୍ଷ ଏକ ପରମ୍ପରା ସୃଷ୍ଟି କରିପାରିଛି ।

 

ଅପର ପକ୍ଷରେ ଖେଦ ଯେ ମୋଟେ ଶହେ ବର୍ଷ ହେଲା, ଓଡ଼ିଆ ଉପନ୍ୟାସ ଲେଖୁଛି । ଇଂରାଜୀ, ଫରାସୀ ଭାଷା କଥା ଛାଡ଼ି ତାମିଲ, ତେଲୁଗୁ, ହିନ୍ଦୀ କିମ୍ବା ବଙ୍ଗଳା କଥା ଭାବିଲେ ମଧ୍ୟ କିଛି ଲାଜ ନିଶ୍ଚୟ ଲାଗୁଛି । ଗୋଟିଏ ଅଞ୍ଚଳର ସଭ୍ୟତା ଓ ଭାଷା ବିକାଶ କ’ଣ ଏତେ ଅଳ୍ପ ଦିନର-? ଆମ ଚେର ତା’ହେଲେ ଗଭୀର ନୁହେଁ ! ହଜାରେ ବର୍ଷ ତଳର ଦେଉଳ ଅଛି, ମୂର୍ତ୍ତିକଳା ଅଛି କିନ୍ତୁ ଉପନ୍ୟାସ ନାହିଁ । କାହିଁକି ନାହିଁ ? ତା’ଛଡ଼ା, କ’ଣ ଲେଖା ହୋଇଛି ଆମ ଭାଷାରେ ? କାହାକୁ ନେଇ ଗର୍ବ କରିବା; ‘ଛମାଣ ଆଠଗୁଣ୍ଠ’, ‘ପରଜା’ ନା ‘ଶକୁନ୍ତଳା’ ? ନା ‘ପ୍ରତିଭା’, ‘ଅନ୍ଧଦିଗନ୍ତ’, ‘ନୀଳଶୈଳ’, ‘କା’ ? ‘ଅମାବାସ୍ୟାର ଚନ୍ଦ୍ର’ ନା ‘ଯାଜ୍ଞସେନୀ’ ନା ‘ଦସ୍ୟୁନାୟିକା ମୀରା’-? ଏହି ଶହେ ବର୍ଷ ଭିତରେ ଉପନ୍ୟାସର କେଉଁ ଧାରା ସ୍ପଷ୍ଟ ହୁଏ ? କ’ଣ ବା ଭାବସାତ୍ତ୍ୱିକ କିମ୍ବା ବୈଷୟିକ ଓ ଶୈଳ୍ପିକ ପ୍ରଗତି ରହିଛି ଏହି ଶହେ ବର୍ଷର ଉପନ୍ୟାସରେ ?

 

ପ୍ରତିକ୍ରିୟା ମିଶ୍ରିତ ହେଲେ ଉତ୍ସବ ପାଳନର ଆନନ୍ଦ ଫିକା ପଡ଼ିବ ନାହିଁ, ଏ କଥା ମୁଁ ସ୍ୱୀକାର କରେ ଏବଂ ଆଶା ମଧ୍ୟ କରେ ଯେ ଓଡ଼ିଆ ଉପନ୍ୟାସର ପ୍ରଥମ ଶତବାର୍ଷିକୀ ଉତ୍ସବମୁଖର ହେଉ । ଏହି ଅବସରରେ ନୂତନ ଉପନ୍ୟାସ ଶତାବ୍ଦୀ ପାଇଁ ମୂଳଦୁଆ ପଡ଼ୁ । ଅନେକ ନୂତନ ରଚନାରେ ରୁଦ୍ଧିମନ୍ତ ହେଉ ଏ ଜାତିର ଭାଷା । କିନ୍ତୁ ଦ୍ୱିତୀୟ ଶତାବ୍ଦୀର ପାହାଚ ଚଢ଼ିବା ପୂର୍ବରୁ ଆମର ସ୍ଥିତି ସମୀକ୍ଷା, ଏହି ଅବସରରେ, ଅନ୍ୟ ଏକ କର୍ତ୍ତବ୍ୟ ବୋଲି ମୋର ବୋଧହୁଏ । କାରଣ ଆମେ କ’ଣ କରିଚୁ ଜାଣିଲେ, ଆଗାମୀ, ଶତାବ୍ଦୀରେ କ’ଣ କରିପାରିବା ହୁଏତ ବେଶୀ ପରିଷ୍କାର ହୋଇ ଉଠିବ ଆମ ଆଖି ଆଗରେ । କିଛି ତତ୍ତ୍ୱ ଓ କିଛି ତଥ୍ୟ ଭିତରେ ଆମର ଉତ୍କର୍ଷର ଶିଖରଗୁଡ଼ିକୁ ଦେଖିବା ତେଣୁ ମୋ ମତରେ ଏହି ଉତ୍ସବ ପାଳନର ଅନ୍ୟ ଏକ ଦିଗନ୍ତ ।

 

ଉପନ୍ୟାସକୁ ସାଧାରଣତଃ ଏକ ମଧ୍ୟମ ବର୍ଗର କଳା କୁହାଯାଏ । ଅର୍ଥାତ୍‌ ରଜା ଓ ପ୍ରଜା (ଚାଷ କିମ୍ବା କୁଳ ବେଉଷା ନେଇ ଯେଉଁମାନେ ରଜାର ସୁରକ୍ଷା ଓ ପୋଷଣ କାମନା କରନ୍ତି) ମଧ୍ୟରେ ଅନ୍ୟ ଏକ ଶ୍ରେଣୀ ଯାହା ସମାଜ ବ୍ୟବସ୍ଥା ଭିତରେ ଜନସେବା କରି ବଞ୍ଚେ; ଶିକ୍ଷକ, ପ୍ରଶାସକ, ରାଜକର୍ମଚାରୀ, ଚିକିତ୍ସକ ବ୍ୟବସାୟୀ ପ୍ରଭୃତି । ସେହି ଶ୍ରେଣୀ ଯେତେବେଳେ କର୍ମମୁଖର ହୋଇଉଠେ, ସେତେବେଳେ ଏକ ନୂଆ ସମାଜ ଚେତନା ଓ ଜୀବନବୋଧ ଉପନ୍ୟାସର ଆଦର କରେ । ଏହି ଶ୍ରେଣୀ, ସମାଜର ସବୁଠାରୁ ବେଶୀ ବକ୍‌ବକ୍‌ କରିବା ଲୋକଙ୍କର ଶ୍ରେଣୀ । ଏମାନେ ରାସ୍ତାଘାଟ, ରାଜପଥ, ଗଳିବଜାର ମାଡ଼ି ବସନ୍ତି । ରଜା ବା ଜମିଦାର ବା ସେହିପରି ଆଧିପତ୍ୟର ପଦବୀ ନେଇ ଏଇ ମଧ୍ୟମବର୍ଗୀମାନେ ଜନସାଧାରଣଙ୍କୁ ଟିକସ ବା ଶୁଳ୍‌କ କିମ୍ବା ସୁରକ୍ଷାର ଦାମ ଦେବାପାଇଁ ବାଧ୍ୟ କରନ୍ତି ନାହିଁ । ଗରୀବ ଖଟିଖିଆ ବା ଚାଷୀ ପରି ଏମାନେ ମାଂସପେଷୀ ଖଟାଇ, ମାଟିଖୋଳି ବା ଇଟା ଯୋଡ଼ାଇ କରି ବଞ୍ଚନ୍ତି ନାହିଁ । ଏଇ ମଧ୍ୟମ ଶ୍ରେଣୀ ବୁଦ୍ଧି ଖଟେଇ, ଶିକ୍ଷା ଓ ପ୍ରଶିକ୍ଷଣଦ୍ୱାରା ଯୋଗ୍ୟତା ହାସଲ କରି, ଅନ୍ୟାନ୍ୟ ସାମାଜିକ ବ୍ୟକ୍ତିମାନଙ୍କ ସେବା ମାଧ୍ୟମରେ ନିଜକୁ ବଞ୍ଚାଏ ଏବଂ ପ୍ରତିଷ୍ଠିତ କରେ । ଏମାନେ ଏକ ପକ୍ଷରେ ଖଟିଖିଆ ପ୍ରଜା ଶ୍ରେଣୀର ଯନ୍ତ୍ରଣା ଏବଂ ତଦ୍‌ଜନିତ ଭାଗ୍ୟବାଦ ଓ ନିଷ୍ପେଷଣରୁ ଆଂଶିକ ଭାବେ ମୁକ୍ତ । ଅପର ପକ୍ଷରେ ରଜା ବା ସାମନ୍ତ ବା ଜମିଦାର କିମ୍ବା ନାୟକ ପୁରୁଷର ଅହଂ ଓ ଆଧିଭୌତିକ ଜିଜ୍ଞାସାରୁ ମଧ୍ୟ କିଛିଟା ସ୍ୱତନ୍ତ୍ର । ଏମାନଙ୍କର ବିଚରଣ ସୀମା, ସମାଜ ଓ ସମାଜର ଶୃଙ୍ଖଳା ଭିତରେ ଆବଦ୍ଧ । ଅନ୍ୟ ମଣିଷର ସେବା କରି ଏବଂ ଯୋଗ୍ୟତା ବଳରେ ଲୋକପ୍ରିୟତା ହାସଲ କରି ଏମାନେ ବଞ୍ଚନ୍ତି । ଏମାନଙ୍କର ମୂଳ ବିଶ୍ୱାସ ରହେ ଶୃଙ୍ଖଳା, ଯୌକ୍ତିକ ସମ୍ପର୍କ ଓ ନୈତିକତା ଉପରେ । କାରଣ ସଭ୍ୟତାର ଭାରବହ ଭାବେ ଏହି ମଧ୍ୟମ ଶ୍ରେଣୀ କମ କଳହ, କମ ପ୍ରତାରଣା ପାଇଁ ନିୟମ ବାନ୍ଧେ: ଯାହାର ମୂଳପିଣ୍ଡ ନୈତିକତା । ମଧ୍ୟମବର୍ଗର ନୈତିକତାର କୌଣସି ଆଧିଭୌତିକ ପ୍ରସ୍ତାବନା ପ୍ରାୟ ନଥାଏ ଏବଂ ତାହାର ଆବଶ୍ୟକତା ମଧ୍ୟ ପ୍ରାୟ ନଥାଏ ମଣିଷର ସାମାଜିକ ଆୟତନରେ । ଏହି ନୈତିକତା ପରିବାର ଓ ସମାଜର ସାଂସ୍କୃତିକ ପରମ୍ପରା ଉପରେ ପ୍ରତିଷ୍ଠିତ ହୋଇ ସ୍ୱପ୍ନ ଓ ବାସ୍ତବ ମଧ୍ୟରେ ମଣିଷର ସମ୍ପର୍କକୁ ଦୃଢ଼ୀଭୂତ କରେ । ମଣିଷର ସାମାଜିକ ଅଧିକାର ଓ ଦାୟିତ୍ୱ ଯେଉଁ ନୈତିକତାଦ୍ୱାରା ନିୟନ୍ତ୍ରିତ ହୁଏ, ତାହାହିଁ ମଧ୍ୟମବର୍ଗର ଉପନ୍ୟାସ ବା ଗଳ୍ପର ମୌଳିକ ଆଧାର । ଅବଶ୍ୟ ଧର୍ମଧାରଣା ଓ ରାଜନୈତିକ ପ୍ରଭାବ ଅନେକ ସମୟରେ ଏହି ନୈତିକତାକୁ ପ୍ରଭାବିତ କରେ ଏବଂ ଅନେକ ସମୟରେ ଧାର୍ମିକ ନୀତି ନିୟମ ସହିତ ଏକାତ୍ମ ହୁଏ । କିନ୍ତୁ ମୌଳିକ ଭାବେ ଯୌନ ପବିତ୍ରତା ଏବଂ ସାମାଜିକ ନ୍ୟାୟବୋଧ ମଧ୍ୟମ ଶ୍ରେଣୀର ଜୀବନକୁ ଶୃଙ୍ଖଳିତ କରେ । ଏଥି ସହିତ ବଂଶ ପରିଚୟର ଅଭିମାନ, ଆଭିଜାତ୍ୟର ଗର୍ବ, ପରିବାର ସର୍ବସ୍ୱ ଜୀବନଧାରା ଏହି ମଧ୍ୟମ ଶ୍ରେଣୀର ଜୀବନ ତତ୍ତ୍ୱ ।

 

ଓଡ଼ିଆ ଉପନ୍ୟାସ ପରିପ୍ରେକ୍ଷୀରେ ଓଡ଼ିଶାର ମଧ୍ୟମ ଶ୍ରେଣୀ ସ୍ୱାଧୀନ ଓ ଉନ୍ନତ ଦେଶର ମଧ୍ୟମ ଶ୍ରେଣୀର ସଂସ୍କୃତି ବହନ କରି ନଥିଲା । ଊନବିଂଶ ଶତାବ୍ଦୀ ଶେଷ ଭାଗକୁ, ବିଶେଷ କରି ଭାଷା ଆନ୍ଦୋଳନ ପରେ, ସ୍ୱତନ୍ତ୍ର ଓଡ଼ିଆ ଭାଷାକୁ ନେଇ ଗର୍ବ କରୁଥିବା କେତେକ ସାହିତ୍ୟିକ, ଯଥା ଫକୀରମୋହନ, ଯେଉଁ ମଧ୍ୟମ ଶ୍ରେଣୀର ଅନୁଭୂତି ଲାଭ କରିଥିଲେ, ସେହି ଶ୍ରେଣୀ ଗୁଣାତ୍ମକଭାବେ କିଛି ଅଲଗା ଥିଲା । ମଧ୍ୟମ ଶ୍ରେଣୀରେ ଯେଉଁ ବ୍ୟବସାୟୀ ଗୋଷ୍ଠୀ ରହିବା କଥା କିମ୍ବା ବୁଦ୍ଧିଜୀବୀ ଗୋଷ୍ଠୀ ନେତୃତ୍ୱ ନେବା କଥା, ସେମାନେ ପ୍ରାୟ ନଥିଲେ । ବ୍ୟବସାୟ (ହାଟ ବଜାର ଛାଡ଼ି) ଓଡ଼ିଆଭାଷୀଙ୍କର ହାତରେ ନଥିଲା । ଜମିଦାର ଏବଂ ଜମିଦାରୀ ପ୍ରଶାସନର ଅଧିକାରୀମାନେ ନିଷ୍ପେଷଣକୁ ଏପରି ଆୟୁଧ କରିଥିଲେ ଯେ କୌଣସି ବ୍ୟକ୍ତିତ୍ୱ ଦାରିଦ୍ର୍ୟରୁ ମୁକ୍ତିପାଇ ପ୍ରତିଷ୍ଠା ଲାଭ କରି ନଥିଲା । ଓଡ଼ିଆ ଜାତୀୟତା ଓ ତା’ର ମଧ୍ୟମଶ୍ରେଣୀ ଦାରିଦ୍ର୍ୟ, ପରାଧୀନତା ଓ ଶୋଷଣ ମଧ୍ୟରେ ବଞ୍ଚିବାର ଚେଷ୍ଟାକରି ଆସୁଥିଲା । କିଛି ଶିକ୍ଷା, କିଛି କିରାଣୀଗିରୀ, ଛୋଟ ବ୍ୟବସାୟ ଓ ଚାଷ ଓଡ଼ିଆ ମଧ୍ୟମଶ୍ରେଣୀର ଭାଗ୍ୟ ଥିଲା ବିଂଶ ଶତାବ୍ଦୀର ପ୍ରଥମ ପ୍ରଭାତରେ ।

 

କିନ୍ତୁ ମଧୁସୂଦନ ଦାସଙ୍କ ନେତୃତ୍ୱରେ ପ୍ରଥମ କରି ଓଡ଼ିଆର ସ୍ୱାଭିମାନ ପ୍ରତିଷ୍ଠିତ ହେଲା ଉତ୍କଳ ସମ୍ମିଳନୀର ସଭା ମଞ୍ଚରେ । ଗୋଟିଏ ମାନଚିତ୍ରର ସ୍ୱପ୍ନ, ଭାଷାର ଛନ୍ଦ ଓ ସ୍ୱାଧୀନତା ଆଶାରେ ଜାତିଟା ହଠାତ୍‌ ପ୍ରାଣମୟ ହୋଇ ଉଠିଥିଲା । ୧୮୯୮ ମସିହାରେ ଫକୀରମୋହନଙ୍କ ‘‘ଛମାଣ ଆଠଗୁଣ୍ଠ’’ ବିଂଶ ଶତାବ୍ଦୀ ପାଇଁ ଯଦି ପ୍ରଥମ ଆଲୋକରେଖା ହୁଏ ‘‘ଉତ୍କଳ ସମ୍ମିଳନୀ’’ ୧୯୦୩ ମସିହାରେ ସେହି ଶତାବ୍ଦୀର କାର୍ଯ୍ୟସୂଚୀ ଭାବେ ଆରମ୍ଭ ହୋଇଥିଲା । ଓଡ଼ିଆ ଉପନ୍ୟାସର ତତ୍ତ୍ୱଭୂମି, ଓଡ଼ିଆ ଜାତୀୟତାର ପ୍ରାଣ ପ୍ରତିଷ୍ଠା ଓ ନବଜାଗରଣର ନାତିଦୀର୍ଘ ଇତିହାସ-। ଓଡ଼ିଆ ଔପନ୍ୟାସିକ ଆଗରେ ଥିଲା ଗୋଟିଏ ବେଦନାର୍ତ୍ତ ବାସ୍ତବ-ଦାରିଦ୍ର୍ୟ, ପରାଧୀନତା ଓ ଶୋଷଣ; ଏବଂ ସେଥିରୁ ମୁକ୍ତିର ସ୍ୱପ୍ନ । ଅପର ଦୃଶ୍ୟ ଥିଲା ପ୍ରଥମ କରି ଆଧୁନିକ ଶିକ୍ଷାଲାଭ କରିଥିବା ବୁଦ୍ଧିଜୀବୀ ବା ସଚେତନ ବ୍ୟକ୍ତିମାନଙ୍କର ସାମାଜିକ ଅଭାବବୋଧ । ଯେଉଁମାନେ ଓଡ଼ିଆ ଜାତି ଏବଂ ଓଡ଼ିଆ ଭାଷାର ସ୍ୱାଧୀନ ବିକାଶ ସ୍ୱପ୍ନ ଦେଖିଥିଲେ ସେମାନେ ଏକ ଦାରୁଣ ଅଭାବବୋଧ ମଧ୍ୟରେ ଆତ୍ମାର ଅଗ୍ନି ଦାହରେ କାତର ଥିଲେ । ସେମାନେ ଦେଖି ପାରିଥିଲେ: ଦେହରକ୍ଷା ଅର୍ଥରେ ବଞ୍ଚିବା ସାଧାରଣ ମଣିଷର ନିର୍ଯ୍ୟାତନା । ଅଭାବ, ଦୈନ୍ୟ, କୁସଂସ୍କାର ଏବଂ ଅସହାୟତା ଅଙ୍ଗେ ନିଭେଇ ଥିଲେ । ଭଗବାନ ଓ ଭାଗ୍ୟକୁ ଦୋଷ ଦେବା ପରିବର୍ତ୍ତେ ସେମାନେ ମଣିଷର ସାମାଜିକ ନ୍ୟାୟପାଇଁ ପ୍ରଥମ କରି ସ୍ୱର ଉତ୍ତୋଳନ କରିଥିଲେ । ସେମାନଙ୍କର ଓଡ଼ିଶା ଥିଲା ଅଗମ୍ୟ, ଅଶିକ୍ଷିତ, ଦରିଦ୍ର ଏବଂ ଭାଗ୍ୟବାଦୀ । ସର୍ବୋପରି ଥିଲା ନଅଙ୍କ ଦୁର୍ଭିକ୍ଷର କରାଳ ସ୍ମୃତି, ଯାହା ମଣିଷକୁ ସ୍ୱାର୍ଥପର ଏବଂ କେତେକ କ୍ଷେତ୍ରରେ ଲୋଭୀ ମଧ୍ୟ କରିଥିଲା, କାରଣ ଆଗାମୀର ଅନିଶ୍ଚିତତା ଯେଉଁ ମାନସିକ ଭୟ ସୃଷ୍ଟି କରେ ସେଥିରେ ବର୍ତ୍ତମାନରୁ ସବୁକିଛି ପାଇ, ସାଇତିବା ଲୋଭରେ ମଣିଷ ନିଜ ସ୍ୱୀକୃତ ନୈତିକତା ବା ଅନୁସୃତ ସାମାଜିକ ନ୍ୟାୟର ପରିଧି ଲଂଘନ କରେ । ଓଡ଼ିଆ ଔପନ୍ୟାସିକର ମାନସ ଭୂମି ଏହି ନୂଆକରି ଉଠିବାକୁ ଚେଷ୍ଟା କରୁଥିବା ଆତ୍ମସର୍ବସ୍ୱ ମଣିଷ ଓ ତା’ର ନୈରାଶ୍ୟକର ପରିବେଶକୁ ନେଇ ଗଠିତ-। ଫକୀରମୋହନ ସେନାପତି ଏହି ପରିବେଶର ପ୍ରଥମ ଏବଂ ବୋଧହୁଏ ସର୍ବଶ୍ରେଷ୍ଠ ଉପନ୍ୟାସକାର ।

 

‘‘ମାମୁଁ’’, ଐତିହାସିକ ଉପନ୍ୟାସ ‘‘ଲଛମା’’ ପ୍ରଭୃତିଙ୍କୁ ଆଲୋଚନା ନକରି କେବଳ ‘‘ଛ’ମାଣ ଆଠଗୁଣ୍ଠ’’ରେ ବୁଲି ଆସିଲେ ବାରି ହୋଇପଡ଼େ ଦୈନ୍ୟ, ଅପରିଚ୍ଛନ୍ନତା ଓ ଶୋଷଣର ଗୋବିନ୍ଦପୁର । ଏହି ଇଲାକାର ପୋଖରୀ (ଅସୁରଦିଘି), ରାସ୍ତାଘାଟ ସବୁ ଅପରିଷ୍କାର । ଏହି ରହିବା ଲୋକଙ୍କର ସବୁ ଅଭାବ । କାହାର ଖାଦ୍ୟ ଅଭାବ, କାହାର ମୂଲ୍ୟବୋଧର ଅଭାବ, କାହାର ସନ୍ତାନର ଅଭାବ ଏବଂ କାହାର ଧନ-ପ୍ରତିପତ୍ତିର ଅଭାବ । ରାମଚନ୍ଦ୍ର ମଙ୍ଗରାଜ ଏହି ପୃଥିବୀରେ ସବୁଠାରୁ ବେଶୀ ଅଭାବଗ୍ରସ୍ତ । ସେହି ବ୍ୟକ୍ତିଟିର ସବୁ ଅଭାବ; ବାତ୍ସଲ୍ୟର ଅଭାବ, ଦାମ୍ପତ୍ୟର ଅଭାବ, ପିତୃତ୍ୱର ଅଭାବ; ସ୍ୱାମୀତ୍ୱର ଅଭାବ, ଧନର ଅଭାବ । କାରଣ ପ୍ରଥମ କରି ଧନୀ ହେବା ସୁଯୋଗରେ ଆହୁରି ବେଶୀର ଲୋଭ, ଅଭାବବୋଧର ହିଁ ପରିଭାଷା । ଯିଏ ଜମିଦାରୀ କିଣିଲା ପରେ ବି ଛ’ମାଣ ଆଠଗୁଣ୍ଠ ଜମିକୁ ଲୋଭାଏ, ଗାଈଟିଏ ଆଣି ବାନ୍ଧି ପକାଏ ନିଜ ଗୁହାଳରେ, ସେ ତ ଚରମ ଅଭାବବୋଧର ବିଚଳିତ ନାୟକ । ତା’ର ପରିତୃପ୍ତି ନାହିଁ । ସେ ଏକ ଅତୃପ୍ତ ଅନ୍ୱେଷୀ ଆତ୍ମା । ଜ୍ୱଳନ ଏବଂ ହତାଶା, ଦୁଶ୍ଚିନ୍ତା ଏବଂ ମୃତ୍ୟୁ ତା’ର ଭୟଙ୍କର । ଗୋଟିଏ ଆଧିଭୌତିକ ‘‘ଯେସାକୁ ତେସା’’ ନ୍ୟାୟରେ ରାମଚନ୍ଦ୍ର ମଙ୍ଗରାଜର ବୀଭତ୍ସ ମୃତ୍ୟୁକୁ ଆମେ କେବଳ କର୍ମଫଳ କହି ଆଡ଼େଇ ଦେଇ ପାରିବା ନାହିଁ । ଲୋକଟିର ଅନୁଭୂତି ବହୁଳ ଜୀବନରେ ଯେଉଁ ଦୁଃଖ ବିଧାନ ରହିଛି, ବିଶେଷ କରି ଶେଷ ଭାଗରେ ପତ୍ନୀହରା, ଧନମାନ ହରା, ମାମଲା ହରା, ସର୍ବହରା ରାମଚନ୍ଦ୍ର ଫେରିଆସି ଯେଉଁ ତୁଳସୀ ଚଉରାମୂଳେ ସାଆନ୍ତାଣୀ ପ୍ରାଣ ଛାଡ଼ିଥିଲେ, ସେଇଠି ଏକ କ୍ଷମାଭିକ୍ଷା ମୁଦ୍ରାରେ ‘‘ଛ ମା ଆ ଗୁଁ’’ କହି ହାତଯୋଡ଼ି ମୋକ୍ଷ ପାଇଛି ସେହି ଜୀବନରେ ଯେଉଁ ଚରମ ବେଦନା ତାକୁ ଆଧିଭୌତିକ ନ୍ୟାୟ ବା ସାମାଜିକ ଶୃଙ୍ଖଳା ଲଂଘନର ସ୍ୱାଭାବିକ ପରିଣତି କହିବାଟା ଅପମାନସୂଚକ । ରାମଚନ୍ଦ୍ର ବଙ୍କା ରାସ୍ତା ଧରି ସିଧା ପହଞ୍ଚିଯିବେ ବୋଲି ଜୀବନଟା ହରାଇ ଦେଲେ । ତାଙ୍କ ପାଇଁ ଚମ୍ପାର ମହକ ମଧ୍ୟ କେବଳ ଚାବିକାଠି ପର୍ଯ୍ୟନ୍ତ-ଆଉ କିଛି ପାଇ ନାହିଁ ସେ ବ୍ୟକ୍ତିଟା । କିନ୍ତୁ ଯେଉଁ ଅହେତୁକି ଲୋଭ ଓ ପ୍ରତିପତ୍ତି ଲାଳସା ଆମେ ଦେଖୁ ତାହା କେବଳ ଅନୀତି କାଳିମା ବୋଳା କଳାପୁରୁଷଟିଏ ନୁହେଁ । ବରଂ ପାରିବେଶିକ ଦାରିଦ୍ର୍ୟରୁ ମୁକ୍ତିପାଇଁ ଏକ ଛଳ ପ୍ରଚେଷ୍ଟାର ବିକ୍ଷତ ନାୟକ । ନିଜ ବିଦ୍ୟାବୁଦ୍ଧି ଉପରେ, ଧର୍ମ ପଥରେ ବା ସାମାଜିକ ନ୍ୟାୟ ମାର୍ଗରେ ଆତ୍ମ ପ୍ରତିଷ୍ଠା ଯୋଗ୍ୟତା ଯେହେତୁ ନାହିଁ, ଅନ୍ୟାୟ ହିଁ ନ୍ୟାୟ ହୁଏ ମଙ୍ଗରାଜଙ୍କର । ଦରିଦ୍ର ମଣିଷର ଧନ-କ୍ଷମତା ଲାଳସା ଏପରି ଏକ ଅମାନୁଷିକ ସ୍ତରରେ ଫକୀରମୋହନ ତାଙ୍କ ଓଡ଼ିଶାରେ ଦେଖିଛନ୍ତି ଯେ ଡର ଲାଗେ ନିଜ ଚିତ୍ର ପ୍ରତି-। ଫକୀରମୋହନ ମଧ୍ୟ ଡରିଛନ୍ତି-ଯେମିତି ସବୁ କଥାକାର ଡରନ୍ତି-ରାମଚନ୍ଦ୍ର ମଙ୍ଗରାଜଙ୍କୁ ସାଫଲ୍ୟମଣ୍ଡିତ କରାଇବାରେ । ମାନଗୋବିନ୍ଦର ମୁକୁଟ ଖସିଲା ପରି ମଙ୍ଗରାଜ ଖସି ପଡ଼ନ୍ତି ଅଶାନ୍ତ ଅଟ୍ଟହାସର ଶବ୍ଦ ଗହ୍ୱରରେ । ତେଣୁ ଫକୀରମୋହନ କିଛି ନ୍ୟାୟବୋଧ ଓ ସାମାଜିକ ପାପର ଦଣ୍ଡବିଧାନ ପରି ପରାଜିତ କରାଇଛନ୍ତି ମଙ୍ଗରାଜଙ୍କୁ । କିନ୍ତୁ ଜୀବନର ଅଭାବୋଧ ସେ ବାଢ଼ି ଦେଇଛନ୍ତି ପ୍ରଚୁର ଭାବେ । ତାଙ୍କ ପୃଥିବୀରେ କିଛି ଭଲ ନାହିଁ । ଯାହା ବା ଭଲ ଅଛି ଭଗିଆ-ସାରିଆ ପରି, ସେ ବହୁତ ନିରୀହ, ନିହାତି ଉଦାସୀନ । ସେହି ଉଦାସୀନ ପ୍ରତିବାଦର ସ୍ୱର କେବଳ ପାଗଳାମୀ, ଅସହାୟତା ତା’ର ଏକମାତ୍ର ଲକ୍ଷଣ ।

 

ଏହି ଦାରିଦ୍ର୍ୟର ସଂସ୍କୃତି ଓ ତା’ର ସଭ୍ୟତା ବିଂଶଶତାବ୍ଦୀର ଘଟଣାବହୁଳ ବିବର୍ତ୍ତନ ମଧ୍ୟରେ ଔପନ୍ୟାସିକର ଏକ ପ୍ରିୟ କଥାବସ୍ତୁ ହୋଇପଡ଼ିଛି । ଓଡ଼ିଆ ଉପନ୍ୟାସର ପ୍ରତ୍ୟେକ ମୋଡ଼ ପଥର ଉପରେ ବିଛେଇ ହୋଇପଡ଼ିଛି ଏହି ଦୈନ୍ୟ, ଶୋଷଣ ଓ ହତାଶାର ସଭ୍ୟତା । ଆଉ ତା’ ଭିତରେ ଛଟପଟ କରୁଥିବା ମଣିଷ । କାଳିନ୍ଦୀ ପାଣିଗ୍ରାହୀଙ୍କ ମାଟି ଲୁହାର ମଣିଷ, ଗୋପୀନାଥ ମହାନ୍ତିଙ୍କ ସୁକ୍ରୂଜାନୀ, ସୁରେନ୍ଦ୍ର ମହାନ୍ତିଙ୍କ ନିଧିଦାସ ଏପରିକି ଶତାବ୍ଦୀର ସୂର୍ଯ୍ୟ ପରି ମଧୁଦାସ ସମସ୍ତେ ଏକ ଦୈନ୍ୟ-ଶୋଷଣ-ହତାଶାର ପରିଧି ଭିତରେ ଦାରୁଣ ଦୁଃଖ ପାଆନ୍ତି । ସତେ ଯେମିତି ପ୍ରାୟଶ୍ଚିତ କରୁଛନ୍ତି ଗୋଟିଏ ଜାତିର ଦାରିଦ୍ର୍ୟ ଓ ହତାଶ ପାଇଁ । ସ୍ୱାଧୀନତା କିମ୍ବା ସ୍ୱତନ୍ତ୍ର ଭୂଗୋଳ ନ ଥାଇ ଏହି ଜାତି ଆତ୍ମରକ୍ଷା ଲାଗି ଯେଉଁ ସଂଘର୍ଷ ଓ ସହନଶୀଳତା ଦେଖାଇଛି ଏବଂ ମାଂସାଶୀ ପଶୁପରି ଯେଉଁମାନେ ସେହି ନିରୀହ ପ୍ରାଣୀମାନଙ୍କୁ ହତ୍ୟା କରିଛନ୍ତି ତା’ର କ୍ରମ ବିକାଶ ସ୍ୱାଧୀନତା ଓ ସ୍ୱାତନ୍ତ୍ର୍ୟ ପରେ ମଧ୍ୟ ଓଡ଼ିଆ ଔପନ୍ୟାସିକର ଏକ ସ୍ଥାୟୀ ପୃଥିବୀ । ବିଭିନ୍ନ ମନସ୍ଥିତିର ଦାରିଦ୍ର୍ୟ ଓ ତା’ର ନାଟକୀୟ ଅନୁଶୀଳନ ଓଡ଼ିଆ ଉପନ୍ୟାସରେ ଏକ ଅନ୍ୱେଷଣରେ ପରିଚାୟକ : କିଛି ନ ଥିବାର ପରିବେଶ ମଧ୍ୟରେ ମଣିଷର ଆତ୍ମପରିଚୟ ସନ୍ଧାନ । ମଣିଷର ସହିପାରିବାର ସୀମା ନିର୍ଣ୍ଣୟ, ମଣିଷର ଭୟାନକ ଚେହେରାର ଆଲୁଅ ଅନ୍ଧାର ଭିତରେ ତା’ର ଉଜ୍ଜ୍ୱଳ ଆତ୍ମାର ସନ୍ଧାନ । ଏହି ଅନ୍ୱେଷଣ ଅବଶ୍ୟ ସ୍ୱାଧୀନତା ପୂର୍ବ କଥାକାରମାନଙ୍କ ଉପନ୍ୟାସରେ ନୈତିକ ପୃଥିବୀ ବିଶ୍ୱାସରେ ବିମଳ । କିନ୍ତୁ ସ୍ୱାଧୀନତା ଆନ୍ଦୋଳନ, ଗାନ୍ଧୀ ଏବଂ ସ୍ଥାନୀୟ ଗୋପବନ୍ଧୁଙ୍କ ପ୍ରଭାବରେ ଯେଉଁ ଉପନ୍ୟାସ ରଚିତ ହୋଇଛି ଯଥା କାଳିନ୍ଦୀ ଚରଣ ପାଣିଗ୍ରାହୀ, କାହ୍ନୁଚରଣ ମହାନ୍ତି, ଗୋପୀନାଥ ମହାନ୍ତି, ଲକ୍ଷ୍ମୀଧର ନାୟକ, ହରିଶ୍ଚନ୍ଦ୍ର ବଡାଲ, ନିତ୍ୟାନନ୍ଦ ମହାପାତ୍ର ଓ ସୁରେନ୍ଦ୍ର ମହାନ୍ତିଙ୍କ ଉପନ୍ୟାସମାନ-ସେଥିରେ ଆଧିଭୌତିକ ବିଶ୍ୱାସ କ୍ରମେ କମିଆସିବା ଲକ୍ଷ୍ୟ କରାଯାଏ । ଗାନ୍ଧୀବାଦ ଓ କଂଗ୍ରେସ ନୈତିକତାର ଏକ ଫେଣ୍ଟାଫେଣ୍ଟି ଚେହେରା ଭିତରେ କିଛି ମାର୍କସ ଚିନ୍ତାଧାରା ଏବଂ ମଣିଷର ସ୍ୱାଭିମାନ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ନ ହେଲେ ମଧ୍ୟ ଏହି କଥାକାରମାନେ ଏକ ଶୃଙ୍ଖଳିତ ସମାଜ ଓ କିଛି ପ୍ରଶାସନିକ ଦାୟ ଓ ନ୍ୟାୟବୋଧର ପଟ୍ଟଭୂମି ଉପରେ ସମସାମୟିକ ମଣିଷର ଆଶା, ବିଫଳତା ଓ ଦ୍ୱନ୍ଦ୍ୱ ପ୍ରତିଫଳିତ କରନ୍ତି । ଗୋପୀନାଥ ମହାନ୍ତିଙ୍କର ‘‘ପରଜା’’ ଏହି ପରିପ୍ରେକ୍ଷୀରେ ଏକ ବଳିଷ୍ଠ ଉଦାହରଣ, କାରଣ ଏହି ଉପନ୍ୟାସର ଚରିତ୍ରମାନେ ମଣିଷର ସର୍ବନିମ୍ନ ଜୀବନସର୍ତ୍ତ ବାଢ଼ନ୍ତି । କନ୍ଦା, ଜାଉ ଓ ମହୁଲହାଣ୍ଡିଆର ଜୀବନ ଏକ ପ୍ରାକ୍‌ସଭ୍ୟ ସଂସ୍କୃତି ଓ ପ୍ରକୃତିର ପରିବେଶ ମଧ୍ୟରେ ମଣିଷର କେବଳ ଦେହଧାରଣ ପ୍ରକ୍ରିୟା ବଖାଣନ୍ତି । ଏଣୁ ‘‘ପରଜା’’କୁ ମଣିଷର ଚିରନ୍ତନ ଅନ୍ୱେଷଣର ପ୍ରତୀକଧର୍ମୀ ଉପନ୍ୟାସ ଭାବେ ଗ୍ରହଣ କରାଯାଇପାରେ । ମଣିଷ ସତେଯେମିତି ମୁକ୍ତି ଖୋଜୁଛି ତା’ର ବଞ୍ଚିବାର ସର୍ତ୍ତରୁ; ଅବସ୍ଥିତିରୁ । ସୁକ୍ରୂଜାନି ପାଠ ପଢ଼ିନାହିଁ କୌଣସି କଳା ବା ଯୋଗ୍ୟତା ହାସଲ କରିନାହିଁ । ମାଂସପେଷୀ ଫଟେଇଚି । କନ୍ଦା ଖୋଳିଚି । ଫସଲ କରିଚି । ବାଘ ମାରିଚି । ଜଙ୍ଗଲ ଓ ପର୍ବତର ପଡ଼ାଉଠା ଅନ୍ଧାର ଭିତରେ ସେ ଘୂରିବୁଲିଛି । ସଂସାର କରିଛି । ପୁଅଝିଅ ଜନ୍ମ କରିଛି । କିଛି ଜମି, କିଛି ପଶୁ ଆଉ କିଛି ଦର୍ମୁ-ଦର୍ତ୍ତନୀ (ଆକାଶ-ପୃଥିବୀ ପରି ଆଦି ପିତାମାତା) ଭିତରେ ତା’ର ଜୀବନ ଏକ ଅସ୍ତରାଗର ଛନ୍ଦ । କିନ୍ତୁ ସେତକ ମଧ୍ୟ ତା’ର ପ୍ରାପ୍ୟ ହୁଏ ନାହିଁ । ପର୍ଯ୍ୟାୟକ୍ରମେ ତା’ଠୁ ସବୁ ଛଡ଼ାଇ ନିଆଯାଏ ଜମି, ସନ୍ତାନ ଏବଂ ସ୍ୱାଧୀନତା । ଯେଉଁ ପୃଥିବୀ ଓ ସଂସାର ଭିତରେ ସୁକ୍ରୂଜାନି ତା’ର ସ୍ୱଭୀମାନକୁ ଆଉଁସି ରଖେ, ସେତକ ମଧ୍ୟ ତା’ର ଚାଲିଯାଏ । ସୁକ୍ରୂଜାନି ପ୍ରଶ୍ନ କରେ ଦର୍ମୁ-ଦର୍ତ୍ତନୀକୁ, ଜନ୍ମଦାତାକୁ । କେଉଁଠି ଜନ୍ମ ଦେଲ ମତେ ? ମାଟିରେ, ପବନରେ, ଆଲୋକରେ ନା ମହାଶୂନ୍ୟରେ ? ଜମି ତା’ର ନୁହେଁ; ସନ୍ତାନ ତା’ର ନୁହେଁ ; ବଞ୍ଚିବାର ଅଧିକାର ତା’ର ନୁହେଁ, ତେବେ କ’ଣ ଏ ଜୀବନ ? ଧର୍ମନ୍ୟାୟର ବିଶ୍ୱାସକୁ ବାରମ୍ବାର ଦୋହଲାଇ ନ୍ୟାୟ ମୂର୍ତ୍ତୀ ଦେବତାଙ୍କୁ ଅନ୍ୟମାନଙ୍କ ପରି ସୁକ୍ରୂଜାନି ପ୍ରଶ୍ନ କରିଛି ତା’ର କଷଣର କାରଣୁ । ଉତ୍ତର ପାଇନାହିଁ । ଦିସାରୀ କିମ୍ବା ଦର୍ମୁ ତା’ର ପ୍ରଶ୍ନର ଉତ୍ତର ଦେଇନାହିଁ । ସେ ତେଣୁ ଆଶ୍ରୟ ଖୋଜିଛି ଅନ୍ୟ ଏକ ବିଶ୍ୱାସରେ । ମଣିଷର ସାମାଜିକ ନ୍ୟାୟର ପ୍ରାଣକେନ୍ଦ୍ର ଭାବେ ସ୍ଥାପିତ ହେଇଥିବା ନ୍ୟାୟାଳୟରେ । କଚେରୀ, ଓକିଲ ଓ ପୋଲିସ, ଯେଉଁ ତ୍ରିମୂର୍ତ୍ତି ସମାଜର ଆଚରଣ ଶୃଙ୍ଖଳିତ କରିବା ଦାୟିତ୍ୱ ବହନ କରିଛନ୍ତି, ସେଇଠି ଯାଇ ପହଞ୍ଚେ ଶେଷରେ ସୁକ୍ରୂଜାନି । ସର୍ବସ୍ୱ ହରାଇ, ସବୁ ଅର୍ଜିତ ଟଙ୍କା ଅର୍ଥାତ୍‌ ତା’ର ସଂସାରର ମୂଲ୍ୟ ସେ ଲୁଟାଇ ଦିଏ ସାମାଜିକ ନ୍ୟାୟ ପାଇଁ । ମାନବୀୟ ଅଧିକାର ନ ହେଲେ ମଧ୍ୟ ବଞ୍ଚିବାର ଅଧିକାର ପାଇଁ କଚେରୀ ବାରଣ୍ଡାକୁ ଉଠେ ସୁକ୍ରୂଜାନି । କିନ୍ତୁ ସେଠି ମଧ୍ୟ ନିରାଶ ହୁଏ, ବରଂ ଠକି ହୋଇଯାଏ । ତା’ର ଛୋଟ ମଣିଷପଣଟା ବେଶୀ ବୁଦ୍ଧିଆ ଲୋକଙ୍କ ପାଖରେ ହାରିଯାଏ । ଦର୍ମୁ-ଦର୍ତ୍ତନୀ ତାକୁ ଠକି ଦିଅନ୍ତି ନୀରବତାରେ । ସମାଜର ନ୍ୟାୟମୂର୍ତ୍ତି ତାକୁ ଠକି ଦିଅନ୍ତି ସଭ୍ୟ ବିଶ୍ୱାସର ନିକିତିରେ । ପରିବାର, ସଂସାର ଓ ବଞ୍ଚିବାର ଅଧିକାର ସବୁ ତା’ଠାରୁ ଛଡ଼ାଇ ନିଆଯାଏ, ହୁଏତ ସେଇ ତାରା ଆକାଶର ଆଦିପିତାର ଆଦେଶରେ-ସାହୁକାର କେବଳ ମାଧ୍ୟମ । ସୁକ୍ରୂଜାନି ସଂପୂର୍ଣ୍ଣ ଭାବରେ ପରାଜିତ ହୁଏ । ତା’ର ମଣିଷପଣିଆ ତା’ଠାରୁ କାଢ଼ି ନିଆଯାଏ । କିନ୍ତୁ ସୁକ୍ରୂଜାନି ସଂକୁଚିତ ପରାଜିତ ହେଲେ ମଧ୍ୟ ଆତ୍ମସମର୍ପଣ କରେ ନାହିଁ । ନିଜର ମଣିଷପଣିଆ ଏବଂ ବଞ୍ଚିବାର ଅଧିକାର ସାବ୍ୟସ୍ତ କରେ ସାହୁକାରକୁ ହତ୍ୟାକରି । ସ୍ୱାଭିମାନ ପ୍ରତିଷ୍ଠା କରେ । ଧର୍ମବିଶ୍ୱାସ, ନ୍ୟାୟ ବିଶ୍ୱାସ ଏବଂ ସମାଜ ବିଶ୍ୱାସ ଚାଲିଗଲା ପରେ ମଧ୍ୟ ନାୟକ ସୁକ୍ରୂଜାନି ମଣିଷପଣିଆର ଅପରାଜେୟ ସ୍ୱାଭିମାନରେ ନିପୀଡ଼କ ଶକ୍ତିକୁ ହତ୍ୟାକରି ପୃଥିବୀ ସହିତ ତା’ର ସଂପର୍କ ଦୃଢ଼ କରେ । ତାକୁ ଅପାରଗ ଅସମର୍ଥ କହି ତା’ଠାରୁ ସବୁ କାଢ଼ି ନିଆଯାଇ ପାରିବ ନାହିଁ । ସେ ଏହି ପୃଥିବୀର ମଣିଷ । ହତ୍ୟା କରି ମଧ୍ୟ ସେ ଏଇ ପୃଥିବୀରେ ତା’ର ପ୍ରାପ୍ୟପାଇଁ ଦାବୀ କରିବ । ସଂପର୍କୀତ ହେବ ।

 

ମଣିଷର ସ୍ୱାଭିମାନ ପ୍ରତିଷ୍ଠାରେ ଏହି ପ୍ରତୀକ ଧର୍ମୀ ଆଦିସଂସ୍କୃତିର ନାୟକ, ଓଡ଼ିଆର ଜାଗରଣ ସ୍ତମ୍ଭ । ‘‘ଛ’ ମାଣ ଆଠଗୁଣ୍ଠ’’ର ଭଗିଆ-ସାରିଆ ଅନ୍ୟାୟ ପାଖରେ ପରାଜୟ ସ୍ୱୀକାର କରନ୍ତି । ତାଙ୍କ ବଞ୍ଚିବାର ଅଧିକାର ପାଇଁ ସ୍ୱାଭିମାନୀ ପ୍ରଚେଷ୍ଟା କରନ୍ତି ନାହିଁ, ବରଂ କାରୁଣ୍ୟ ଓ ଅସହାୟତା ପ୍ରଦର୍ଶନ କରନ୍ତି । ସୁକ୍ରୂଜାନି କିନ୍ତୁ ନିଜ ଅସହାୟତା ବିରୁଦ୍ଧରେ ପ୍ରତିବାଦ କରେ, ସଂଗ୍ରାମ କରେ । ଶୋଷଣ ଓ ଅତ୍ୟାଚାର ସହେ ନାହିଁ । ନିଜେ ନ୍ୟାୟ ପ୍ରତି ଓ ଦର୍ମୂ-ଦର୍ତ୍ତନୀର ଯୁକ୍ତିରେ ବିଚାରପତି ସାଜି ନିଜ ହାତରେ ଦଣ୍ଡ ଦିଏ । ମଣିଷର ଆତ୍ମପ୍ରତ୍ୟୟ ପ୍ରତିଷ୍ଠା କରେ ।

 

ଓଡ଼ିଆ ଉପନ୍ୟାସର ଶତାବ୍ଦୀରେ ଏହା ଏକ ମୋଡ଼ ପଥର । ଗୋଟିଏ ଜାତିର ଉପନ୍ୟାସରେ ସ୍ୱାଭିମାନ ପ୍ରତିଷ୍ଠା ଅବଶ୍ୟ ଏକ ଲାକ୍ଷଣିକ ଆଭାସ । ସାହିତ୍ୟିକ ଆତ୍ମପ୍ରତିଷ୍ଠାର ପ୍ରତୀକ । କିନ୍ତୁ ଓଡ଼ିଆର ଦାରିଦ୍ର୍ୟ, ନିଷ୍ପେଷଣ କିମ୍ବା ଅସହାୟତା ଏଥିରେ ଶେଷ ହୁଏ ନାହିଁ । ତା ପରିବର୍ତ୍ତେ ପ୍ରମାଣିତ ହୁଏ ଯେ ଏହି ପୃଥିବୀରେ ମଣିଷ ସଂପୂର୍ଣ୍ଣ ଭାବେ ଅରକ୍ଷ । ଆକାଶ-ଧରଣୀ, ନ୍ୟାୟପତି କିମ୍ବା ସାଧାରଣ ମଣିଷ କେହି କାହାର ବେଦନା ବହନ କରନ୍ତି ନାହିଁ । ସଂକଟ ମୋଚନ କରନ୍ତି ନାହିଁ । ମଣିଷ ନିଜର ଆତ୍ମପ୍ରତିଷ୍ଠାର ପରିଣତି ସ୍ୱରୁପ ପ୍ରବେଶ କରେ ପୁଣି ଏକ ନ୍ୟାୟାଳୟରେ ଯେଉଁଠି ହୁଏତ ଜେଲ କିମ୍ବା ଫାଶୀ ତା’ର ଭାଗ୍ୟ । ସୁକ୍ରୂଜାନିର ପାହାଡ଼ମୁଣ୍ଡିଆ ବଦଳେ ନାହିଁ । ମୁକ୍ତି ମିଳେ ନାହିଁ ।

 

ସାମାଜିକ ନ୍ୟାୟ ଓ ନୈତିକ ପରମ୍ପରାର ଯୁକ୍ତି ସମ୍ପର୍କ ଭିତରେ ମାନବିକ ସ୍ୱାଭିମାନର ଆତ୍ମପ୍ରତ୍ୟୟ ପ୍ରତିଷ୍ଠା କରିବା ଚେଷ୍ଟାରେ ଅନେକ ଉପନ୍ୟାସକାର ଦେଖାଦିଅନ୍ତି ଏହି ଶହେ ବର୍ଷରେ । ସେମାନଙ୍କ ମଧ୍ୟରେ ରାମ ପ୍ରସାଦ ସିଂହ (ରକ୍ତରେଖା, ପ୍ରତିହିଂସା, ଛିନ୍ନମସ୍ତା), ଲକ୍ଷ୍ମୀକାନ୍ତ ମହାପାତ୍ର (କଣାମାମୁଁ), ଗୋଦାବରୀଶ ମିଶ୍ର (ଘଟାନ୍ତର, ଅଭାଗିନୀ, ୧୮୧୭), କାଳିନ୍ଦୀ ଚରଣ ପାଣିଗ୍ରାହୀ (ମାଟିର ମଣିଷ, ଲୁହାର ମଣିଷ, ମୁକ୍ତାଗଡ଼ର କ୍ଷୂଧା), ହରେକୃଷ୍ଣ ମହତାବ (ପ୍ରତିଭା, ଅବ୍ୟାପାର), ନିତ୍ୟାନନ୍ଦ ମହାପାତ୍ର (ହିଡ଼ମାଟି), ସୁରେନ୍ଦ୍ର ମହାନ୍ତି (ଅନ୍ଧ ଦିଗନ୍ତ, ନୀଳଶୈଳ), ଲକ୍ଷ୍ମୀଧର ନାୟକ (ହା’ରେ ଦୁର୍ଭାଗା ଦେଶ, ମୋ ସ୍ୱପ୍ନର ସହର), ଶାନ୍ତନୁକୁମାର ଆଚାର୍ଯ୍ୟ (ନର କିନ୍ନର, ଶକୁନ୍ତଳା), କାହ୍ନୁ ଚରଣ ମହାନ୍ତି (ଶାସ୍ତି, ବଜ୍ରବାହୁ, ଝଞ୍ଜା) ପ୍ରଭୃତି ମଣିଷର ବଞ୍ଚିବାର ଆଧିଭୌତିକ ଅଧିକାର ଓ ନ୍ୟାୟସମ୍ମତ ସାମାଜିକ ଅଧିକାର ପ୍ରତିଷ୍ଠା କରିବାପାଇଁ ଚେଷ୍ଟା କରିଛନ୍ତି । ଏହି ଲେଖକମାନଙ୍କର କୃତିଗୁଡ଼ିକରେ ଓଡ଼ିଆ ଜାତିର ଅର୍ଥନୈତିକ, ରାଜନୈତିକ ଓ ସାମାଜିକ ବିକାଶ ପର୍ଯ୍ୟାୟକ୍ରମେ ସଂଘଟିତ ହେବା ଯନ୍ତ୍ରଣାର ଚିତ୍ର ସୁନ୍ଦରଭାବେ ପରିବେଷିତ । କିନ୍ତୁ ଏହି ଉପନ୍ୟାସମାନଙ୍କରେ ମଣିଷର ଅସହାୟତା ଓ ଯୁକ୍ତିହୀନ କାପୁରୁଷତା ମଧ୍ୟ ଲକ୍ଷ୍ୟ କରାଯାଏ । ଏହି ଉପନ୍ୟାସର ନାୟକମାନେ ସମସ୍ତ ଚେଷ୍ଟା ସତ୍ତ୍ୱେ ପରାଜୟ ହିଁ ସ୍ୱୀକାର କଲେ ମଧ୍ୟ ଏହି ନାୟକମାନଙ୍କ ପରାଜୟ ଓ ଉଦାସୀନତା ଆଶ୍ଚର୍ଯ୍ୟ ଲାଗେ । ଉଦାହରଣ ସ୍ୱରୂପ ‘‘ମାଟିର ମଣିଷ’’ର ବରଜୁ, ‘‘ହା’ରେ ଦୁର୍ଭାଗା ଦେଶ’’ର ଉପେନ୍ଦ୍ର, ‘‘ଅନ୍ଧଦିଗନ୍ତ’’ର ନିଧିଦାସ ପରାଜୟକୁ ବିଜୟ ଭାବି ହୁଏତ ଆତ୍ମଗୋପନ କରିଛନ୍ତି କିମ୍ବା ନିଜର ଖୋଳ ଭିତରେ ପଶି ଯାଇଛନ୍ତି, ହତାଶାର ଅସହାୟତାକୁ ନୈତିକ ବିଜୟର ମୌନ ଚନ୍ଦନ ପରି ମୁହଁରେ ବୋଳି । ବରଜୁ ପଧାନ ଓ ଛକଡ଼ି ମଧ୍ୟରେ ଯେଉଁ ମନୋମାଳିନ୍ୟ ଓ ଜମିପାଇଁ ବିବାଦ ହୁଏ, ଯଦିଓ ସାଧାରଣ ଓ ଆଦିମ, ସେହି ବିବାଦ ଅନ୍ୟ ଏକ କଥା କଠିନ ଭାବେ ମନରେ ଆଘାତ କରେ: ପରିବାରର ବିଭାଜିକରଣ । ରକ୍ତର ପୃଥକୀକରଣ ଏବଂ ଭାଇ ଭାଇ ଅଲଗା ହେବା ଅପବାଦ । ଏକ ବୃହତ୍ତର ଆଦର୍ଶରେ ଅନୁପ୍ରାଣିତ ହୋଇ, ଯୁଧିଷ୍ଠିର ପରି ସିଦ୍ଧାନ୍ତ ନେଇ ବରଜୁ ପରିବାର ସହିତ ଗାଁ ଛାଡ଼ି ଚାଲିଯିବାଟା ହୁଏତ ଅନ୍ୟ କଷଟିରେ ଖାଣ୍ଟି ସୁନାର ଆଦର ପାଏ । ସାନଭାଇ ସହିତ କଳି ନକରି, ନିଜର ପ୍ରାପ୍ୟକୁ ଉତ୍ସର୍ଗ କରି, ଅଧିକାରକୁ ବିସର୍ଜନ କରି, ଅନିଶ୍ଚିତତାକୁ ମୁଣ୍ଡରେ ନଦି କର୍ମ ସନ୍ଧାନରେ ବାହାରିଯିବା ବୋଧହୁଏ ଅନ୍ୟ ଏକ ଆଙ୍ଗିକର ନାୟକତ୍ୱ । କିନ୍ତୁ ବ୍ୟକ୍ତିର ସ୍ୱାଭିମାନୀ ଆତ୍ମପ୍ରତିଷ୍ଠା ପରିବାରକୁ ଭାଙ୍ଗିଦିଏ । ତତ୍‌କାଳୀନ ସମାଜର ମୂଳ ବ୍ୟବସ୍ଥାକୁ ଦୋହଲାଇ ଦିଏ । ବରଜୁ ବୋଧହୁଏ ପ୍ରଥମ ଓଡ଼ିଆ ଉପନ୍ୟାସ ନାୟକ, ଯିଏ କୃଷିଭିତ୍ତିକ ସମାଜ ବ୍ୟବସ୍ଥାରୁ ମୁକୁଳିଯାଇ ନୂଆକରି ଗଢି ଉଠୁଥିବା ଦେଶାତ୍ମବୋଧ, ସ୍ୱାଧୀନତା ଆନ୍ଦୋଳନ ଓ ଆତ୍ମସମ୍ମାନବୋଧର କର୍ମ ପରିସରକୁ ଜୀବନ ଭାବେ ଗ୍ରହଣ କରେ । କିନ୍ତୁ ଗାଁ ଦାଣ୍ଡରୁ ଲମ୍ବା ସଡ଼କକୁ ଉଠିଥିଲେ ମଧ୍ୟ ବରଜୁ ଏକା ହୋଇଯାଏ । ପରିବାର ଓ ସମାଜର ସାମୂହିକତାରୁ ଏକକ ଯୋଗଶକ୍ତି ଭାବେ ବରଜୁ ରାଜନୀତି ଓ ପ୍ରତିଯୋଗିତାର ଅର୍ଥନୀତି ମଧ୍ୟରେ ପ୍ରବେଶ କରେ । ପରିଣାମ : ସୁନାର ମଣିଷ ପରି ସ୍ପନ୍ଦନହୀନ ଅଚଳ ଜୀବନ ।

 

ଉପେନ୍ଦ୍ର, ପ୍ରଥମ ଶିକ୍ଷାର ଚମକରେ ଗାଁରୁ କର୍ମକ୍ଷେତ୍ର ବଦଳାଏ ସହରକୁ । କାରଣ ଗାଁର କୁସଂସ୍କାର ଓ ଗୁରୁଜନ ପରମ୍ପରାର ସମ୍ମୁଖୀନ ହୋଇ ନପାରି ପଛଘୁଞ୍ଚା ଦବାକୁ ସେ ବାଧ୍ୟ ହୁଏ । ସହରର ପରିବେଶରେ ମଧ୍ୟ ସେ ସଂଗଠନ କରେ, ଆନ୍ଦୋଳନ ଲାଗି ପ୍ରସ୍ତୁତ ହୁଏ, କିନ୍ତୁ ଶେଷରେ ପରାଜିତ ହୁଏ । ପ୍ରେମିକାର ଶବ କାନ୍ଧେଇ କୁଆଡ଼େ ପଳାଇଯାଏ ରାତିର ଅନ୍ଧାରରେ । ଦୁର୍ଭାଗା ଦେଶର ଭାଗ୍ୟୋଦୟ ହୁଏ ନାହିଁ । ସେହିପରି ରାଉରକେଲାର ଶିଳ୍ପ ସଭ୍ୟତା ଗଢ଼ି ଉଠିବାର କାହାଣୀ ‘‘ମୋ ସ୍ୱପ୍ନର ସହର’’ରେ ମଧ୍ୟ ନାୟକ ପଳାୟନ କରେ । ନୂଆ ଶିଳ୍ପ ମନ୍ଦିର ଗଢି ଉଠିଲେ ଓଡ଼ିଶା ମାଟିର ପିଲାଏ କାମ ପାଇବେ, ସଭ୍ୟ ଶିକ୍ଷିତ ହେବ ଜାତି: ରାଉରକେଲା ହେବ ମହାମିଳନର କର୍ମଶାଳା, ଧର୍ମ, ଜାତି, ଭାଷା ବିବାଦ ନଥିବା ଏକ କର୍ମଯୋଗୀ ସଭ୍ୟତା ଗଢ଼ିଉଠିବ-ଇତ୍ୟାଦି ସ୍ୱପ୍ନକୁ ଟିଣ ବାକ୍‌ସରେ ଧରି ଫେରିଯାଏ ସୁବ୍ରତ, ହୁଏତ ନିଜର ଐକାନ୍ତିକ ପ୍ରାଣଶକ୍ତିର ଉତ୍ତପ୍ତ ଅନ୍ଧାରକୁ । ପଳାଇଯାଏ ଉପେନ୍ଦ୍ର ପରି ।

 

ନିଧି ଦାସ (ଅନ୍ଧ ଦିଗନ୍ତ) ମଧ୍ୟ ସବୁ ଆଦର୍ଶର ହତ୍ୟା ଭିତରେ ମୁକ ପାଲଟି ଯାନ୍ତି । ତାଙ୍କ ହାତରୁ ସବୁ ଖସିପଡ଼େ ପୁରୁଣା କାନ୍ଥରୁ ଇଟା ଖସିଲା ପରି । ଖଳ ପଣକୁ ପରାଜିତ କରି ସମ୍ମାନସୂଚକ ଭଲପଣ ସେ ପ୍ରତିଷ୍ଠା କରିପାରନ୍ତି ନାହିଁ । ଏକ ମହାପ୍ରବାହ ଆଗରେ ସେ ଜଡ଼ ହୁଅନ୍ତି । ମାନସିକ ଭାରସାମ୍ୟ ହରାଇ ବସନ୍ତି ।

 

ମୁଁ ସ୍ୱୀକାର କରୁଛି ଯେ, ୧୯୨୦ ମସିହା ପରଠାରୁ ଓଡ଼ିଶାର ସାମାଜିକ-ରାଜନୈତିକ ଜୀବନଧାରା ଏକ ଜଟିଳ ପରିସ୍ଥିତି ଓ ଦ୍ୱନ୍ଦ୍ୱ ଭିତରେ ଗତି କରିବାପାଇଁ ବାଧ୍ୟ ହୋଇଥିଲା । ଗୋଟିଏ ପକ୍ଷରେ ଜାତିସତ୍ତା ଓ ସ୍ୱତନ୍ତ୍ର ମାନଚିତ୍ର ପାଇଁ ଆନ୍ଦୋଳନ-ଯେଉଁ ଲକ୍ଷ୍ୟ ନେଇ ମଧୁସୂଦନ ଦାସ ଉତ୍କଳ ସମ୍ମିଳନୀ ଗଢ଼ିଥିଲେ ଏବଂ ଅପର ପକ୍ଷରେ ସମଗ୍ର ଦେଶର ସ୍ୱାଧିନତା, ଯା’ର ଅଭାବରେ ପ୍ରାଦେଶିକ ସ୍ୱତନ୍ତ୍ରତା ଅର୍ଥହୀନ ମନେ ହୋଇଥିଲା । ଏହି ଦ୍ୱନ୍ଦ୍ୱ ୧୯୩୦ ବେଳକୁ ଅତି ତୀବ୍ର, ବିଶେଷ କରି ଗାନ୍ଧୀ ପରି ଏକ ମହାମାନବର ବଳିଷ୍ଠ ନେତୃତ୍ୱରେ ଯେଉଁ ସଭ୍ୟତାର ଆହ୍ୱାନ ଥିଲା, ତା’ର ପ୍ରଭାବରେ ବୁଦ୍ଧିଜୀବୀର ଦ୍ୱନ୍ଦ୍ୱ ଅନୁମେୟ । ରାଜନୈତିକ ଓ ଅର୍ଥନୈତିକ ନ୍ୟାୟପାଇଁ ଓଡ଼ିଶାର ଉପନ୍ୟାସକାର ଜାଗ୍ରତ ଥିଲେ ମଧ୍ୟ ଗାନ୍ଧୀ ଓ ଅହିଂସା ଆନ୍ଦୋଳନ ସେମାନଙ୍କୁ ନୈତିକ ଆଦର୍ଶରେ ପରିଚାଳିତ କରିଥିଲା । ବରଜୁ, ଉପେନ୍ଦ୍ର ଏବଂ ନିଧି ଦାସ ଭାରତୀୟ ତତ୍ତ୍ୱ ଦର୍ଶନର ନୂତନ ଏବଂ ବୋଧହୁଏ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ-ଅଭିନେତା, ଗାନ୍ଧୀଙ୍କ ମାର୍ଗର ବିକଳ୍ପ କଳ୍ପନା କରିପାରି ନଥିଲେ । ମାର୍କସ ଅନୁପ୍ରବେଶ କରିଥିଲେ ମଧ୍ୟ ଗାନ୍ଧୀ ହିଁ ଥିଲେ ସମ୍ରାଟ । ତେଣୁ ଓଡ଼ିଆ ଉପନ୍ୟାସଗୁଡ଼ିକ ଏକ ମହାପ୍ରାଣର ସନ୍ଧାନରେ ଉତ୍ସର୍ଗ କରିବାରେ ହିଁ ଶ୍ରେୟ ସନ୍ଧାନ କରିଥିଲେ । ପରିବେଶ ଓ ପରିସ୍ଥିତିରେ ନାୟକର ପରାଜୟ ତେଣୁ ସାହିତ୍ୟିକ କର୍ତ୍ତବ୍ୟ ପରି ମନେ ହେଉଥିଲା । ଏକ ଆଦର୍ଶବାଦୀ ତ୍ୟାଗର ଔଜଲ୍ୟରେ ଏହି ଉପନ୍ୟାସ ନାୟକମାନେ ମହାନ ପରି ମନେ ହୋଇଥିଲେ । କାରଣ ଗୋଟିଏ ପକ୍ଷରେ ଏହି ନାୟକମାନେ ମଣିଷର ସ୍ୱପ୍ନ ଅଭିଳାଷ ଓ ତତ୍‌ଜନିତ କଷ୍ଟ ସହିବାର ସୀମା ନିର୍ଦ୍ଧାରଣ କରନ୍ତି ନିଜ ଚେତନାର ପରିଧି ଭିତରେ । ଅନ୍ୟ ପକ୍ଷରେ ଆତ୍ମସମର୍ପଣ ନକରି ସଂସାର ତ୍ୟାଗ କରିବାରେ ଯେଉଁ ଆତ୍ମୋତ୍ସର୍ଗର ଗର୍ବ ମଣିଷର ଉତ୍କର୍ଷ ବୋଲି ଗ୍ରହଣ କରାଯାଏ ସେହି ମୂଲ୍ୟାୟନରେ ପଳାୟନ ଏକ ଫଳହୀନ କର୍ମ କରନ୍ତି । ସେହି କାରଣ ଯୋଗୁଁ ଜଟିଳ ଜୀବନବୋଧର ନାୟକମାନଙ୍କର ପଳାୟନ ଅନେକାଂଶରେ ଏକ ପ୍ରଜ୍ଞାର ପ୍ରତୀକ ଏବଂ ଗାନ୍ଧୀ ଏହି ମନୋଭାବର ମୌଳିକ ପ୍ରେରଣା ।

 

ପ୍ରତିବାଦ, ବଞ୍ଚିବାର ଅଧିକାର ଦାବୀ, କିଛି କିଛି ମାର୍କସ ପ୍ରଭୃତି ସାଧାରଣ ସାମାଜିକତା ପରି ଫୁଟିଛନ୍ତି ଅନେକ ଉପନ୍ୟାସରେ । ଛିନ୍ନମସ୍ତା, ହିଡ଼ମାଟି, ସର୍ବହରା, ଅନ୍ଧଦିଗନ୍ତ, ଶକୁନ୍ତଳା ଏବଂ ଏହି ଧର୍ମୀ ଅନେକ ଉପନ୍ୟାସରେ ନୈତିକ ଓ ରାଜନୈତିକ ପ୍ରତିବାଦ ଓ ଅଧିକାର ଦାବୀ ଆମେ ଲକ୍ଷ୍ୟକରୁ । କିନ୍ତୁ ଏହି ପ୍ରତିବାଦ କେବଳ ଦୋଷ ଦେଖାଇବା ଯୁକ୍ତିରେ ଶବ୍ଦବହୁଳ । ଦାବି କରିବାରେ ମୁଖର । ସମସ୍ୟା ସମାଧାନ କରିବା ଯୋଗ୍ୟତା କିନ୍ତୁ ନାୟକ ପାଖରେ ନାହିଁ । କିଛି କରିପାରିବା ଭଳି ନେତୃତ୍ୱ ବା ଅସ୍ତ୍ର ତା’ ପାଖରେ ନାହିଁ । ସେ ଖାଲି ଚିତ୍କାର କରେ ଶୋଷଣ ବିରୁଦ୍ଧରେ । କିନ୍ତୁ ଶୋଷଣ ବନ୍ଦ କରିପାରେ ନାହିଁ । ଏହି ଉପନ୍ୟାସମାନଙ୍କର ନାୟକମାନେ ପାରମ୍ପରିକ ନ୍ୟାୟବୋଧ ନେଇ ଏକ କ୍ରମବର୍ଦ୍ଧିଷ୍ଣୁ ବିକାଶଧାରାରେ ଘଟିଯାଉଥିବା ନୂଆ ଦୃଶ୍ୟଗୁଡ଼ିକୁ ନିଜ କଳ୍ପନାର ନାଟ୍ୟ ରୂପ ଦେଇପାରି ନାହାନ୍ତି । ସୁଧାରି ପାରିନାହାନ୍ତି କିମ୍ବା ଏକ ବିକଳ୍ପର ପୂର୍ଣ୍ଣଛବି ଆଙ୍କିପାରିନାହାନ୍ତି । କେମ୍ୟୁଙ୍କ ମତରେ ପ୍ରତିବାଦ ଯିଏ କରେ ତା ମନରେ ସାଂପ୍ରତିକ ପରିବେଶର ଏକ ‘‘ସୁନ୍ଦର’’ ବିକଳ୍ପ ଛବି ଥାଏ । ଅର୍ଥାତ୍‌ କ’ଣ ହେବା ଅନୁଚିତ କରିବା ବେଳେ କ’ଣ ହେବା ଉଚିତ୍‌ ସେ ଜାଣିଥାଏ । ସେପରି ବିକଳ୍ପସ୍ଥାପନ କରିବାର ଯୋଗ୍ୟତା ଓଡ଼ିଆ ପ୍ରତିବାଦ ଉପନ୍ୟାସ ବା ରାଜନୈତିକ ସାହିତ୍ୟର କୌଣସି ନାୟକ ପାଖରେ ନାହିଁ । କହିବା ଅପ୍ରାସଂଗିକ ହେବ ନାହିଁ ଯେ ଓଡ଼ିଆ ଉପନ୍ୟାସରେ ଏପରି କୌଣସି ନାୟକ ନାହିଁ ଯା’ର ଅନୁସରଣ କରି ବା ଆଦର୍ଶ ଗ୍ରହଣ କରି ଶ୍ରେୟ ସାଧନା କରିହେବ । ନୀଳଶୈଳର ରାମଚନ୍ଦ୍ର କିମ୍ବା ନିଧିଦାସ କିମ୍ବା ଶକୁନ୍ତଳା କେହି ଆଦର୍ଶ ହୋଇପାରନ୍ତି ନାହିଁ । ସେମାନଙ୍କର କର୍ମ ପରିସର, ତତ୍ତ୍ୱ ଧାରଣା, ଜୀବନୀଶକ୍ତି, ପ୍ରେମ, ସାଧନା ଓ ଦୃଢ଼ତା ନେତୃତ୍ୱ ଦେଇପାରେ ନାହିଁ । ଅମାପ ଜୀବନବୋଧର ମର୍ମର କେଉଁଠି ଶୁଣାଯାଏ ନାହିଁ । ଗୋଟିଏ ବିରାଟ ଭୂଖଣ୍ଡର ସଭ୍ୟତା ଓ ଅକଳନ ବର୍ଷର ଜାତି ଅଭିଜ୍ଞତା କୌଣସି ନାୟକର ମାନବିକତାକୁ ପୁଷ୍ଟ କରେ ନାହିଁ । କୌଣସି ପ୍ରଜ୍ଞାର ମାନବଧର୍ମୀ ପ୍ରୟୋଗ ଦେଖିବାକୁ ମିଳେ ନାହିଁ । ଅନ୍ୟ ଭାଷାରେ, କୌଣସି ଓଡ଼ିଆ ଉପନ୍ୟାସ ନାୟକ ବିଶାଳ ଜୀବନଚର୍ଯ୍ୟା ପର୍ଯ୍ୟାୟଭୁକ୍ତ ନୁହଁନ୍ତି-ଯେହେତୁ ଏକ ପ୍ରାଚୀନ ଧାରାବାହିକ ସଭ୍ୟତାର ଐତିହାସିକ ସ୍ମୃତି କୌଣସି ନାୟକର କଳ୍ପନା ଉଜ୍ଜୀବିତ କରେ ନାହିଁ । ଉଦାହରଣ ସ୍ୱରୂପ ରାଜା ରାଓଙ୍କ Serpent and the Rope ଉପନ୍ୟାସରୁ ଗୋଟିଏ ପୃଷ୍ଠା ନିଆଯାଉ ।

 

I found myself saying the Gayathri mantra as we landed at Santa Cruz. I had said it day after day, almost for twenty years; I must have said it a million million times; 'OM. O face of Truth with a disk of Gold, remove the mist (of ignorance) that I may see you face.' But this time I said it quietly tenderly, as one speaks to something near, breathful, intimate. It was India I wanted to see, the India of my inner being. Just as I could now see antara-Kasi, the 'inner Beneares', India for me became no land-not these trees, this sun, this earth; not those ladle-hands and skeletal legs of bourgeois and coolie; not even the new pride of the uniformed Indian official, who seemed almost to say, Don't you see, I am Indian now, and I represent the Republic of India-but something other, more centred, widespread, humble; as though the gods had peopled the land with themselves, as the trees had forested the country, rivers flowed and named themselves, birds winged themselves higher and yet higher, touched the clouds and seered beyond, calling to each other over the valleys by their names. The India of Brahma and Prajapathi; of Varuna, Mithra and Aryaman; of India, of Krishna, Shiva, and parvathi; of Rama, Harishchandra, and Yagnyavalkya; this India was a continuity I felt, not in time but in space; as a cloud that stands over a plain might say, Here I am and I pour-and goes on pouring. The waters of that rain have fertilized our minds and hearts, and being without time they are ever present. It is perhaps in this sense that India is outside history. A patch of triangular earth, surrounded by the three seas, somehow caught the spirit without time, and established it in such a way that you can see the disk of gold shine miles above the earth. And as the plane cuts through the night of the Parsian Gulf, you feel a streak of gold, a benevolent cerulean green that you want to touch, to taste, to rememorate unto yourself. You feel it belongs to you, be you Indian, Chinese, French, Alaskan, or Honduran. It is something that history has reserved for herself, just as humans reserve an area of their own being, known but hardly used, it exists, as it were, for one's rarer moments; in the simplicity of dusk, in the breath after poetry; in the silence after death, in the space of love; in the affirmation of deep sleep; an area all known but a temporal, where you see yourself face to face.

Serpent and the Rope, P.248-49

 

ଏହି ପୃଷ୍ଠା ପଢ଼ିଲେ ଲାଗେ ମଣିଷଟା ଯେମିତି ବହୁତ ପୁରୁଣା, ଇତିହାସ ତା’ର ବହୁତ ଲମ୍ବା, ତା’ର ମାଟିପାଣି ବହୁତ କାହାଣୀର ବିଶାଳ ଚଳନ୍ତିକା । ଏପରି ନମୁନା ଆମ ଉପନ୍ୟାସରେ ବିରଳ । କେବଳ ଦୁଇଟି ଉପନ୍ୟାସ ନାୟକ, ସୁରେନ୍ଦ୍ର ମହାନ୍ତିଙ୍କ ଚରିତୋପନ୍ୟାସ ‘‘ଶତାବ୍ଦୀର ସୂର୍ଯ୍ୟ’’ର ମଧୁସୂଦନ ଦାସ ଏବଂ ଗୋବିନ୍ଦ ଦାସଙ୍କ ଜନପ୍ରିୟ ଉପନ୍ୟାସ ‘‘ଅମାବାସ୍ୟାର ଚନ୍ଦ୍ର’’ର ରମେଶ କାଉଲ ବିଶିଷ୍ଟ ପ୍ରାଣସତ୍ତାର ଅଧିକାରୀ ପରି ମନେ ହୁଅନ୍ତି । ଓଡ଼ିଶା ଇତିହାସର ଏକ ସମ୍ଭାବନାମୟ ଲଗ୍ନରେ ବାସ୍ତବ ଭୂମିକା ନିଭାଇ ଥିଲେ ମଧୁସୂଦନ, କିନ୍ତୁ ଉପନ୍ୟାସରେ ସୁରେନ୍ଦ୍ର ମହାନ୍ତିଙ୍କ ମଧୁସୂଦନ ଏକ ବୁଦ୍ଧିଦୀପ୍ତ ମହାଚେତନା ପରି ଜଣାପଡ଼ନ୍ତି । ବଂଶ ପରିଚୟ, ଆଭିଜାତ୍ୟର ଗଭୀରତା, ବଂଶ ପୁରୁଷ ଓ ନାରୀମାନଙ୍କର ସ୍ୱାଭିମାନୀ ଜୀବନ ଇତିହାସ ଓ ତାହାର ସ୍ମୃତିରେ ପରିପୁଷ୍ଟ ନାୟକ, କୁସଂସ୍କାରଗ୍ରସ୍ତ ଅବକ୍ଷୟିତ ଇଲାକାରେ ସ୍ୱପ୍ନ ଦେଖେ ପରିବର୍ତ୍ତନର ଏବଂ ପରିବର୍ତ୍ତନ-ସାମାଜିକ, ସାଂସ୍କୃତିକ, ମାନସିକ ଓ ରାଜନୈତିକ ଆଣିବା ପାଇଁ ନିଜେ ହିଁ ସାଜେ ବିଧିପ୍ରେତ ନାୟକ । ଶବ୍ଦବହୁଳ ପ୍ରତିବାଦ ନକରି କାର୍ଯ୍ୟ କରେ । ପରିବାରଠାରୁ ବିଚ୍ଛିନ୍ନ ହୁଏ : ଶ୍ରଦ୍ଧା, ସ୍ନେହ, ଭକ୍ତି ହରାଏ ନାହିଁ । ନୂତନ ଧର୍ମ ବିଶ୍ୱାସ ବାଛିନିଏ; ଜନ୍ମ ବିଶ୍ୱାସକୁ ଘୃଣା କରେ ନାହିଁ । ପରିସ୍ଥିତିର ତାଡ଼ନାରେ ମର୍ମାହତ ହୁଏ: ପରାଜୟ ସ୍ୱୀକାର କରେ ନାହିଁ । ଅପମାନିତ ହୁଏ, ସମ୍ମାନିତ ହୁଏ । ଜାତୀୟ ଜୀବନ ଓ ସ୍ଥାନୀୟ ଜୀବନ ଉଭୟକୁ ସମୃଦ୍ଧ କରିବା ପାଇଁ ପ୍ରାଣପାତ ପରିଶ୍ରମ କରେ । ଜିଦ୍‌ଛାଡ଼େ ନାହିଁ । ଲକ୍ଷପତି ହୁଏ, ବାଦଶାହ୍‌ ପରି ବିଳାସ କରେ; କାରୁଣ୍ୟର ନିର୍ଯ୍ୟାତନାରେ ଭାଙ୍ଗି ପଡ଼େ ନାହିଁ । ଦେଶୀ ବିଦେଶୀ ସବୁ ଆକ୍ରମଣ ପାଇଁ ପ୍ରସ୍ତୁତ ହୁଏ । ଗରୀବ ପାଇଁ ଆଗେଇ ଆସେ, ଅସହାୟ ପାଇଁ ଅଣ୍ଟା ଭିଡ଼େ, ଜାତିର ସ୍ୱାଭିମାନ ପାଇଁ ବାର୍ତ୍ତା ଦିଏ, ନେତୃତ୍ୱ ଦିଏ । ବାଣିଜ୍ୟ, ରାଜନୀତି, ଶିକ୍ଷା, ସ୍ୱାଧୀନତା ଓ ଜାତୀୟ ଜୀବନର ମାନ ବୃଦ୍ଧିପାଇଁ ନିଜକୁ ବିଛେଇ ଦିଏ ଏକ ବିରାଟ ଭୂଖଣ୍ଡର କର୍ମଶାଳା ଉପରେ । ବୁଦ୍ଧିଆ ପିଲାଙ୍କୁ ଘରୁ ଡାକିଆଣି ପାଠ ପଢ଼ାଏ । ଓଡ଼ିଆ ପିଲା ମନରେ ମଧୁବାରିଷ୍ଟର ହେବାର ସ୍ୱପ୍ନ ଜାଗ୍ରତ କରେ । ତା’ର କଥା ଗାମ୍ଭୀର୍ଯ୍ୟ ଓ ମାନବିକତା ଏକ ମହାନ୍‌ ପ୍ରାଣସତ୍ତାର ଲକ୍ଷଣ ପରି ଏକ ବିରାଟ ବ୍ୟକ୍ତିତ୍ୱ ଆମ ଆଗରେ ରଖନ୍ତି । ତା’ର ଶେଷ ଜୀବନର ବେଦନା; ଯନ୍ତ୍ରଣା ଓ ଦୁର୍ବିପାକ ସହିବାର ଆତ୍ମା, ବିରାଟତ୍ୱର ଏକ ଆଦିଝଙ୍କାର ଓଡ଼ିଆ ଉପନ୍ୟାସରେ ଏବଂ ଏ ପର୍ଯ୍ୟନ୍ତ ଶେଷ ଝଙ୍କାର ।

 

ଗୋବିନ୍ଦ ଦାସଙ୍କ କାଉଲ ଓଡ଼ିଆ ଉପନ୍ୟାସ ନାୟକମାନଙ୍କ ମଧ୍ୟରେ ଏକ ବ୍ୟତିକ୍ରମ । ପ୍ରଥମେ, ସେ ଆସିଛି ଦାଣ୍ଡ ନର୍ଦ୍ଦମାରୁ ଅର୍ଥାତ୍‌ ଅମୁହାଁ ଗଳିରୁ, ଅର୍ଥାତ୍‌ କେବଳ ଦେହ ଧାରଣ କରି ଜନ୍ମ ହୋଇଥିବା ଆଦିମ ମଣିଷର ସମ୍ପର୍କ ହୀନତାରୁ । ସେ କୌଣସି ପାରିବାରିକ ପରମ୍ପରା କିମ୍ବା ପୁରୁଣା ଚେରଲଗା ଘର ସହିତ ସମ୍ପର୍କିତ ନୁହେଁ । ସେ କେବଳ ଜଣେ ମଣିଷ । ତା’ର ଘର ନାହିଁ, ପରିଚୟ ନାହିଁ । ଆଶ୍ରୟ ନାହିଁ । ତାକୁ ନିଜେ ଲଢ଼ିବାକୁ ହୁଏ ପ୍ରାଣ ବଞ୍ଚାଇବା ପାଇଁ । ରମେଶ କାଉଲ ତାହାହିଁ କରେ । କୌଣସି ଆଭିଜାତ୍ୟ ବା ସାଂସ୍କୃତିକ ମୂଲ୍ୟବୋଧର ଗଣ୍ଡି ନଥିବା ହେତୁ ବଞ୍ଚିବାର ସାମୂହିକ ଓ ତାତ୍‌କାଳିକ ସହାୟକ ମୂଲ୍ୟବୋଧ ସବୁ ବାଛିନିଏ କାଉଲ । ନୈତିକତାର ବିଚାର କରେ ନାହିଁ । ତଥାପି ଏକ ମାନବୀୟ ଆଭିଜାତ୍ୟ ପରିଷ୍କାର ବାରିହୁଏ ତା’ର କାର୍ଯ୍ୟରେ । ସେ ବେଶ୍ୟା ସଂଗମ କରେ, ଅନ୍ୟାୟରେ ଅର୍ଥ ଉପାର୍ଜନ କରେ, ବିଳାସର ଚରମ ଉତ୍ତେଜନା ଭିତରେ ଦିନ ବିତାଏ । ତଥାପି ସେ ଅସ୍ଥିର, ଏକାକୀ ଏବଂ ମର୍ମଗ୍ରାହୀ । ତା’ର ମନରେ ଅନେକ ଉତ୍ସାହ, ହୃଦୟରେ ଅନେକ ପ୍ରେରଣା । ସଂଗ୍ରାମ କରିବାପାଇଁ ଅମାପ ତା’ର ଶକ୍ତି । କିନ୍ତୁ କିଛି ପାଏ ନାହିଁ ସେ । କେବଳ କେତୁଟା ଉଡାଜାହାଜ ବୁଲା, ପ୍ରାଚୁର୍ଯ୍ୟର ଶୂନ୍ୟ କୋଠରୀ ଏବଂ ଅକାରଣ ରକ୍ତସ୍ରାବ ବ୍ୟତୀତ ତା’ ଭିତରର ଦୀପ୍ତ ମଣିଷଟା ଅନ୍ଧାର ଛଡ଼ା ଆଉ କିଛି ମୁଠାଏ ନାହିଁ ।

 

ପ୍ରାସାଦ-ସାହିତ୍ୟ କିମ୍ବା ରାଜକୀୟ ପରମ୍ପରା ଆଧାରିତ ଉପନ୍ୟାସର ଅଭାବରେ ଓଡ଼ିଆ ପାଠକ ପାଇଁ କାଉଲ ଏକ ଆଶ୍ଚର୍ଯ୍ୟ ଏବଂ ଈର୍ଷଣୀୟ ଅନୁଭୂତି । ଅସମ୍ପର୍କିତ ପୃଥିବୀ ସହିତ ସମ୍ପର୍କ ସ୍ଥାପନ ପ୍ରଚେଷ୍ଟା ଯେଉଁ ବିରାଟ ଜୀବନବୋଧ ଦାବି କରେ, ସେହି ବିଶାଳତା ନେଇ କାଉଲ ପାରମ୍ପରିକ ସୁରା ସାକୀର ପ୍ରାଚୁର୍ଯ୍ୟ ସହିତ ଜୁଆ ଖେଳେ । ଅଭାବର ସ୍ୱାର୍ଥ ଓ ଲୋଭ ଏହି ମଣିଷଟିକୁ ଛୋଟିଆ କରି ନାହିଁ । ସାରା ପୃଥିବୀର ଦୁଃଖ ମୁଣ୍ଡେଇବାକୁ ସେ ଆଗେଇ ଆସେ, ନିଜ ଦୁଃଖର ବୋଝ ଉତ୍ତାରି ଦେଇ ।

 

ଏହି ଦୁଇଟି ନାୟକ-ମଧୁସୂଦନ ଦାସ ଏବଂ ରମେଶ କାଉଲ-ବିଶାଳ ଓ ବ୍ୟାପକ ଜୀବନର ଆଭାସ ଦିଅନ୍ତି ଆମ ଉପନ୍ୟାସରେ । ଅନ୍ୟମାନେ ସୀମିତ କିମ୍ବା ନିଜ ପ୍ରତ୍ୟୟର ସୀମାବଦ୍ଧ ନାୟକ । କେବଳ ଜୀବନବୋଧ ନୁହେଁ, ପ୍ରକୃତି କିମ୍ବା ଜମି ଦୃଶ୍ୟ ପରିବେଷଣରେ ମଧ୍ୟ ଏହି ଶହେ ବର୍ଷର ଉପନ୍ୟାସ ଅସମତଳ ଦକ୍ଷତାର ପରିଚୟ ଦିଏ । ଚରମ ଉତ୍କର୍ଷର ଉଦାହରଣ ସହିତ ପରମ ବିଫଳତା ପାଠକକୁ ବିମନା କରେ । ଫକୀରମୋହନଙ୍କ ‘‘ଛ’ମାଣ ଆଠଗୁଣ୍ଠ’’ ଦୃଶ୍ୟ ବର୍ଣ୍ଣନାର ଏକ ସଫଳ ଉଦାହରଣ । ଏହା ଗୋବିନ୍ଦପୁର ଏବଂ ଫତେପୁର ସରଷଣ୍ଢ ଇଲାକାର ମାନଚିତ୍ର କେବଳ ନୁହେଁ, ତା’ର ଜୀବନଚିତ୍ର ମଧ୍ୟ ସୁନ୍ଦର ଭାବେ ଆଙ୍କିଦିଏ ଆମ ଆଗରେ । ଜମିଦାର ରାମଚନ୍ଦ୍ର ମଙ୍ଗରାଜଙ୍କ ଘର ବାହାର, ଅସୁର ଦିଘି, ଘାଟ ମଙ୍ଗଳା, ତନ୍ତୀ ସାହି, ସିରସ୍ତା, କ୍ଷେତବାରି ପ୍ରଭୃତି ଯେମିତି ଆଙ୍ଗୁଠି ଦେଖେଇ କହି ଦେଇଛନ୍ତି ଫକୀରମୋହନ । ନିଚ୍ଛକ ସତକଥା କହିବା ଲୋକଟା ଯେମିତି ବାଟ କଢ଼େଇ ନେଉଚି, ମଣିଷ ଚିହ୍ନାଇ ଦେଉଛି ଏବଂ ବାଟବିଲ, ଖେତଖମାର, ସାହି ଦାଣ୍ଡର ଭରପୁର ଇଲାକାଟିଏ ନିର୍ମଳ ହୋଇ ଉଠୁଚି । କିନ୍ତୁ ଏହାପରେ ଓଡ଼ିଆ ଭାଷାରେ ପ୍ରାୟ ଚାଳିଶବର୍ଷ ଭିତରେ କୌଣସି ସମକକ୍ଷ ବର୍ଣ୍ଣନା ନାହିଁ, ଯେଉଁଥିରେ ଗାଁ ଗଣ୍ଡା, ହିଡ଼ମାଟି, ଗଛଲତା, ପାହାଡ଼ ପର୍ବତ ଜୀବନ୍ତ ହୋଇ ଉଠେ । ଅପେକ୍ଷା କରିବାକୁ ପଡ଼େ କାହ୍ନୁଚରଣଙ୍କ ‘‘ହା ଅନ୍ନ’’ ଓ ‘‘ଶାସ୍ତି’’ ପର୍ଯ୍ୟନ୍ତ । କିନ୍ତୁ ଗୋପୀନାଥ ମହାନ୍ତିଙ୍କ ‘‘ପରଜା’’ ଗୋଟିଏ ସାଂସ୍କୃତିକ ଭୂଖଣ୍ଡର ପ୍ରାଣମୟ ଚିତ୍ର ପରିବେଷଣ କରେ । ‘‘ପରଜା’’ରେ ପାହାଡ଼ ପର୍ବତ, ଗାଁ ଦାଣ୍ଡ ଓ ନଦୀ ଝରଣା; ପଶୁପକ୍ଷୀ, ଗଛ, ଅନ୍ଧାର ଓ ହାଣ୍ଡିଆ ନିଶାର ଜଙ୍ଗଲି ରାସ୍ତା, ଚଇତି ପର୍ବର ଗୀତ ନାଚପରି ଗୁଞ୍ଜରୀ ଉଠେ । ସରଳ ବିଶ୍ୱାସର ଦର୍ଶନ ନେଇ, ବଞ୍ଚିବାର ଅଧିକାର ପାଇଁ ଲଢ଼ୁଥିବା ମଣିଷ ସେଠି କଳା ମଇଳା ଚେହେରା ଦେଖେଇ ଗଛମାନଙ୍କ ପରି ଠିଆ ହୁଅନ୍ତି ଦର୍ପରେ । ତାଙ୍କର ହସକାନ୍ଦର ପୃଥିବୀ ପ୍ରକୃତିର ଛାଇ ଆଲୁଅରେ ଘୂରିବୁଲେ, ବେଳେବେଳେ ଛନ୍ଦହରା ହୋଇ । ସେହିପରି ‘‘ଅମୃତର ସନ୍ତାନ’’ର ଜମି ଦୃଶ୍ୟ ଏବଂ ‘‘ମାଟିମଟାଳ’’ରେ ଗ୍ରାମ ପରିବେଶର ଚିତ୍ର । ବିଶେଷ କରି ମାଙ୍କଡ଼ ପଶି ବାରି ଭିତରେ ଯେଉଁ ନାଟକୀୟ ସ୍ୱାଭାବିକତାର ବାତାବରଣ ସୃଷ୍ଟି କରେ, ତା’ ଭିତରେ ଗାଁର ରାସ୍ତାଘର, ଫଳଫୁଲ, ଲଟାଭାଡ଼ି ସବୁ ସାକାର ହୋଇ ଉଠନ୍ତି । ଗୋପୀନାଥଙ୍କ ଉପନ୍ୟାସରେ ଗୋଟିଏ ସଭ୍ୟତାର ଆଦିପର୍ବର ସମାରୋହ ଦେଖିବାକୁ ମିଳେ । ଅନେକ ଦିନର ନଦୀ ପାହାଡ଼ ଉପରେ ପ୍ରଥମ କରି ସଭ୍ୟତାର ଆଧୁନିକ ମୂଲ୍ୟବୋଧମାନଙ୍କୁ ବଞ୍ଚିବାର ଜାନ୍ତବତା ଉପରେ ଗ୍ରହଣ କରେ । କିଛି ବ୍ୟକ୍ତିତ୍ୱ କିଛି ସ୍ୱାଧୀନତା ଓ ଆତ୍ମବିଶ୍ୱାସ ଧୀରେ ଧୀରେ ପ୍ରକାଶ ପାଏ ଗୋଟିଏ ଆଦି ସଂସ୍କୃତିର ପ୍ରାଣ ଭିତରେ ।

 

କିନ୍ତୁ ‘‘ମଲା ଜହ୍ନ’’, ‘‘ସଦର ମଫଲର’’, ‘‘ଭଙ୍ଗା ହାଡ଼’’, ‘‘ହିଡ଼ମାଟି’’ ପ୍ରଭୃତି ଉପନ୍ୟାସରେ କୌଣସି ସାଂସ୍କୃତିକ କିମ୍ବା ଭୌଗୋଳିକ ବିଶାଳତା ନାହିଁ । ମଧ୍ୟ ନାହିଁ ପ୍ରାଚୀନତା । ଯଦିଓ ‘‘ହା ଅନ୍ନ’’ ଓ ‘‘ନୀଳଶୈଳ’’ ଉପନ୍ୟାସରେ ଆଦିମତା ଓ ପ୍ରାଚୀନତା ଅନେକାଂଶରେ ବିରାଟ ଐତିହ୍ୟର ପ୍ରସାରଣ ପରି ମନେ ହୁଅନ୍ତି, ସେଥିରେ ଉପସ୍ଥିତ ବର୍ତ୍ତମାନର କାରୁଣ୍ୟ, ବିଶାଳତାର ପରମ୍ପରା ପ୍ରତିଷ୍ଠା କରିପାରେ ନାହିଁ । ‘‘ନର-କିନ୍ନର’’ ‘‘ଅମାବାସ୍ୟାର ଚନ୍ଦ୍ର’’ ବା ‘‘ଅସୂର୍ଯ୍ୟ ଉପନିବେଶ’’ରେ କୌଣସି ମହାକାବ୍ୟିକ ପ୍ରସାରଣ ନାହିଁ । ସୀମିତ ମଣିଷର ସାମୟିକ ଉତ୍ତେଜନା କିମ୍ବା ଗୋଟିଏ ଗଢ଼ି ଉଠୁଥିବା ଆଧୁନିକତା ପ୍ରତି ଅସହିଷ୍ଣୁ ଅଧୈର୍ଯ୍ୟ ପଣର ପ୍ରତିକ୍ରିୟା ଏହି ଉପନ୍ୟାସ ଗୁଡ଼ିକର ମୂଳକଥା । ଏଥିରେ ବିଚରଣ କରୁଥିବା ମଣିଷମାନେ ଅଳ୍ପ ଦିନର, ଅଳ୍ପ ସ୍ଥାନର, ଅଳ୍ପ ଶିକ୍ଷାର ଏବଂ ଛୋଟ ବିମ୍ବ ଧାରଣାର ।

 

ଏଥିରେ ଦୁଃଖ କିମ୍ବା ଆଶ୍ଚର୍ଯ୍ୟବୋଧ କରିବାର କୌଣସି କାରଣ ନାହିଁ । ଓଡ଼ିଆ ଉପନ୍ୟାସ ଲେଖା ଆରମ୍ଭ ହେଲା ବେଳକୁ ଓଡ଼ିଆ ଜାତିର ଐତିହାସିକ ସ୍ମୃତିରେ କୌଣସି ଲମ୍ବିତ ପରମ୍ପରାର ସାମାଜିକ ସ୍ମୃତି ନାହିଁ । ଊନବିଂଶ ଶତାବ୍ଦୀ ଶେଷଭାଗର ଭାଷା ଆନ୍ଦୋଳନ ବ୍ୟତୀତ ଅନ୍ୟ କୌଣସି ମହାନ୍‌ ଜାତି ଚେତନା ନାହିଁ । ଅର୍ଥାତ୍‌ ନିଜର ସ୍ୱତନ୍ତ୍ର ଭାଷା ପାଇଁ ଆନ୍ଦୋଳନ କରିବା ଜାତି କୌଣସି ବିରାଟ ପରମ୍ପରାର ଦାୟାଦ ନ ଥିଲା । ଭାଷା, ପ୍ରଦେଶ, ସ୍ୱତନ୍ତ୍ରତା ଓ ଖାଦ୍ୟ ବସ୍ତ୍ରପାଇଁ ଆନ୍ଦୋଳନ କରୁଥିବା ଜାତିର ଉପନ୍ୟାସରେ ପ୍ରାଚୁର୍ଯ୍ୟସଂଭୂତ ରାଜକୀୟତା କିମ୍ବା ବହୁଦିନର ସଂସ୍କୃତିର ସଭ୍ୟ ପ୍ରଗତି ନ ପାଇବାଟା ସ୍ୱାଭାବିକ । ଅଳ୍ପାନୁଭୂତିର ଅଧୈର୍ଯ୍ୟପଣ ଓ ଅସହାୟତା ତେଣୁ ଓଡ଼ିଆ ଉପନ୍ୟାସରେ ଏକ ସାଧାରଣ ଗୁଣ । ନୁଆଁଣିଆ ଚାଳଘର ଓ ଗାଁ ଦାଣ୍ଡରୁ ନାୟକମାନେ ଆସି କୋଠାଘର ଗାଡ଼ି ଘୋଡ଼ା ଭିତରେ ରହିଲେ ମଧ୍ୟ ସେମାନଙ୍କର ବାସ୍ତବ ଓ ସମାଜ ଅବଧାରଣା ପ୍ରାୟ ଏକା ରକମର । ମୂର୍ଖ ଭଗିଆ ତନ୍ତୀ, ନାଥନନା ଦେଇ ଆମେ ଯେତେବେଳେ ରାମଚନ୍ଦ୍ରଦେବ କିମ୍ବା ରମେଶ କାଉଲ ପାଖରେ ପହଞ୍ଚୁ, ଜଣାପଡ଼େ ନାହିଁ ଯେ, କିଏ ଜଣେ ତା’ର ଉପସ୍ଥିତ ମାନସ ପରିଧି ଅତିକ୍ରମ କରି ମଣିଷ ଜାତି ବା ସଂସ୍କୃତିର ଉତ୍କର୍ଷ ପାଇଁ ସଂଗ୍ରାମ କରିଛି । ଅବଶ୍ୟ ଏହି ପରିପ୍ରେକ୍ଷୀରେ ରାମଚନ୍ଦ୍ରଦେବଙ୍କ ସଂପର୍କରେ ପଦେ କହିବା ଉଚିତ ହେବ । ତକି ଖାଁ ଓ ସାଂପ୍ରତିକ ରାଜନୈତିକ ଦୁସ୍ଥିତି ଭିତରେ ରାମଚନ୍ଦ୍ର ଦେବ ଜାତିର ପରମ୍ପରା ଓ ସ୍ୱାଧୀନତା ପାଇଁ ସଂଗ୍ରାମ କରିବା କଥା ଇତିହାସ ସମ୍ମତ ଏବଂ ରାମଚନ୍ଦ୍ର ଦେବଙ୍କ ଚରିତ୍ର ମହାନତା ଓ ବିଶାଳତା ଦାବୀ କରେ । କିନ୍ତୁ ଭଗିଆର ସରଳ ଅସହାୟତା ନାଥନନାର ନିଷ୍ପତ୍ତି ଗ୍ରହଣ ନ କରିବାର ଅପାରଗତା ଏବଂ ରମେଶ କାଉଲର ଘୋଡ଼ା ଦୌଡ଼ ଜୀବନ ଭିତରେ ନୈତିକ ପବିତ୍ରତା ଅନ୍ୱେଷଣ ରାମଚନ୍ଦ୍ରଙ୍କର ଧର୍ମ ଓ ଦେଶରକ୍ଷାରେ ପ୍ରତିଫଳିତ । ରାମଚନ୍ଦ୍ର ବିପରୀତ ପରିସ୍ଥିତିରେ କିଛି କରିବା ପାଇଁ ସକ୍ଷମ ହୋଇପାରି ନାହାନ୍ତି । ବୁଦ୍ଧି, ଚିନ୍ତା ଓ ପ୍ରୟାସ ନେଇ ରାମଚନ୍ଦ୍ର ଓଡ଼ିଆ ଜାତିର ଇତିହାସ ବଦଳାଇ ପାରି ନାହାନ୍ତି । ସେ ଅବଶ୍ୟ ବଳି ପଡ଼ିଛନ୍ତି ଗୋଟାଏ ଜାତିର ମହା ବେଦୀରେ । ପରିସର ସାମାନ୍ୟ ବଡ଼ ହେଲେ ମଧ୍ୟ ବ୍ୟକ୍ତି ମାନସରେ ପରିସୀମା ବାହାରକୁ ରାମଚନ୍ଦ୍ର ଦେବଙ୍କର ଆତ୍ମାର ଔଜଲ୍ୟ ଯାଇ ପାରିନାହିଁ । ଆଧିଭୌତିକ ଅସହାୟତା, ନୈତିକ ଅସହାୟତା କିମ୍ବା ସାମାଜିକ ଅସହାୟତା ବିରୁଦ୍ଧରେ ବ୍ୟକ୍ତି ଚେତନାର ସଂଘର୍ଷ ଓ ବ୍ୟକ୍ତିତ୍ୱର ପ୍ରତିଷ୍ଠା-ଏହାହିଁ ଓଡ଼ିଆ ଉପନ୍ୟାସରେ ମଣିଷର ଭୂମିକା । ଗୋଟିଏ ମହାନ ମଣିଷ ସଭ୍ୟତାର ପ୍ରତିନିଧି ଭାବେ ସମୟର ଘଟଣା ପ୍ରବାହକୁ ନିୟନ୍ତ୍ରଣ କରିବା ଯୋଗ୍ୟତା ଏହି ନାୟକମାନଙ୍କର ନାହିଁ । ତେଣୁ ଏକକ ବ୍ୟକ୍ତି ଚେତନାର ଉନ୍ମେଷ ହିଁ ଓଡ଼ିଆ ଉପନ୍ୟାସ ନାୟକର ପରିଚିତି । ଜୀବନ ଓ ବିଶ୍ୱର ପୂର୍ଣ୍ଣ ଜ୍ଞାନ କେଉଁଠି ନାହିଁ । ବିଶ୍ୱ ସାହିତ୍ୟର ଉଚ୍ଚାଙ୍ଗ ଉପନ୍ୟାସରେ ନାୟକର ଯେଉଁ ଭୂମିକା ଆମେ ଲକ୍ଷ୍ୟକରୁ, ସେପରି ଭୂମିକା ଆମ ଉପନ୍ୟାସରେ ବିରଳ । ବିଶ୍ୱ ଓ ମଣିଷର ପୂର୍ଣ୍ଣ ଜ୍ଞାନର ଉଦାହରଣ ସ୍ୱରୂପ ଟଲଷ୍ଟୟଙ୍କ ବିଖ୍ୟାତ ଉପନ୍ୟାସ ‘‘ଯୁଦ୍ଧ ଓ ଶାନ୍ତି’’ ( War and Peace )ରୁ କେତେକ ପଙ୍‌କ୍ତି ଦିଆଗଲା ।

 

From the moment when Pierre saw that fearful murder committed by men who did not want to do it, it seemed as though the spring in his soul, by which everything was held together and given the semblance of life, had been wrenched out and all seemed to have collapsed into a heap of meaningless refuse. Though he had no clear apprehension of it, it had annihilated in his soul all faith in the beneficent ordering of the universe and in the soul of men and in his own soul and in God. This state of mind Pierre had experienced before, but never with such intensity as now. When such doubts had come upon him in the past they had arisen from his own fault. And at the very bottom of his heart Pierre had been aware then that salvation from that despair and from these doubts lay in his own hands. But now he felt that it was not his fault that the world was collapsing before his eyes and that nothing was left but meaningless ruins. He felt that to get back to faith in life was not in his power.

-War and Peace : p. 1043

 

ଟଲଷ୍ଟୟଙ୍କ ଉପରୋକ୍ତ ବାକ୍ୟଗୁଡ଼ିକ ନାୟକର ବେଦନା କେବଳ ପ୍ରକାଶ କରନ୍ତି ନାହିଁ । ଏଥିରେ ଗୋଟିଏ ବିଶ୍ୱାସ ଓ ସଭ୍ୟତାରେ ପରିବର୍ଦ୍ଧିତ ମଣିଷର ଆତ୍ମା ସମ୍ପୂର୍ଣ୍ଣ ଭାବେ ଆସ୍ଥା ହରାଏ ଜୀବନ ପ୍ରତି । କିନ୍ତୁ ଜୀବନର ଆସ୍ଥାହୀନତା ପାଇଁ ନିଜକୁ ଦୋଷୀ ମନେକରେ ନାହିଁ । ଅନୁଭୂତିର ତୀବ୍ରତା ଓ ବୋଧଶକ୍ତିର ଉଦୟରେ ନାୟକ ଆଲୋକ ପାଇଲା ପରି ମନେହୁଏ । ମଣିଷର ପରାଜୟବୋଧ ଓ ମଣିଷୋତ୍ତର ଶକ୍ତିର ସ୍ୱୀକାର ନାୟକକୁ ସଜ୍ଞାନ ଉପଲବ୍‌ଧିରେ ଉଜ୍ଜ୍ୱଳ କରେ ଯଦିଓ ବିଶ୍ୱାସ ହାନୀର ଜଡ଼ତାରେ ସେ ଅଚଳ ମଧ୍ୟ ହୁଏ । ଏଥିରେ ଜୀବନ ବୋଧର ଐତିହ୍ୟ ରହିଛି । ଲଢ଼ିବାର ଉତ୍ସାହ ଓ ନ ଲଢ଼ିବାର ସିଦ୍ଧାନ୍ତ ଅବଶ୍ୟମ୍ଭାବୀ ଜୀବନ ସର୍ତ୍ତ ପରି ପୃଥିବୀର ରହସ୍ୟକୁ ସରଳ ଓ ବୋଧଗମ୍ୟ କରୁଛି । ଏହି ସ୍ଥିତିକୁ ଚିହ୍ନିପାରିବା ଶକ୍ତି ନାୟକର ଜୟ ପରାଜୟକୁ ଅର୍ଥହୀନ କରୁଛି । ବଞ୍ଚିବା ପରିପ୍ରେକ୍ଷୀରେ ମଣିଷର ଭୂମିକା ବ୍ରହ୍ମଶକ୍ତିର ସମନ୍ୱିତ ପୃଥିବୀ ଓ ମୁକ୍ତ ଇଚ୍ଛାର ଦ୍ୱନ୍ଦ୍ୱକୁ ଚେତନାରେ ବୋଧଗମ୍ୟ କରାଏ । ସବୁ ସଭ୍ୟତା ଏହି ମୂଳ କଥାଟିକୁ ଆବିଷ୍କାର କରେ ତା’ର ସାହିତ୍ୟରେ ଆଞ୍ଚଳିକ ଅନୁଭୂତିର ବିବିଧ ପ୍ରକାଶ ମାଧ୍ୟମରେ । ଏହି ମୂଳ କଥା ବୁଝିପାରିଲେ ଯୁଦ୍ଧ, ଶାନ୍ତି, ପ୍ରେମ, ହିଂସା, ଘୃଣା, ବୀରତ୍ୱ ଓ ଯନ୍ତ୍ରଣା କୌଣସି ସ୍ୱତନ୍ତ୍ର ଆବେଗ ରଖିବେ ନାହିଁ ।

 

ଅବଶ୍ୟ ଏପରି ନିଗୂଢ଼ ଅନୁଭୂତିର ନିର୍ଯ୍ୟାସ ଖୁବ୍‌ କମ୍‌ ମିଳେ ବିଶ୍ୱ ସାହିତ୍ୟର ଉପନ୍ୟାସରେ । ଗୋଟିଏ ପୁରାତନ ଓ ଧାରାବାହିକ ସଭ୍ୟତା ଓ ଜାତିର ଉପନ୍ୟାସରେ ହିଁ ଏହି ଅନ୍ତଃଦୃଷ୍ଟି ପରିଲକ୍ଷିତ ହୁଏ । ଓଡ଼ିଆର ଉପନ୍ୟାସରେ ଜାତି ସ୍ମୃତି ଓ ଐତିହାସିକ ସ୍ମୃତି ଯେହେତୁ ବିଚ୍ଛିନ୍ନ ଏବଂ ଦାରିଦ୍ର୍ୟ ପ୍ରପୀଡ଼ିତ, ଅସହାୟତାର କୋହ ଯଦି ଭାଷାକୁ ଧ୍ୱନିତ କରେ ସେଥିରେ ଲଜ୍ଜିତ ହେବାର କିଛି ନାହିଁ । ‘‘ନୀଳଶୈଳ’’ ବ୍ୟତୀତ ଅନ୍ୟ କୌଣସି ଓଡ଼ିଆ ଉପନ୍ୟାସ ଓଡ଼ିଆ ପାଠକକୁ ଏକ ଗୌରବମୟ ଐତିହ୍ୟର ପରିଚୟ ଦେଇପାରି ନାହିଁ । କିନ୍ତୁ ‘‘ନୀଳଶୈଳ’’ ମଧ୍ୟ ଏକ ହତାଶ ପରାଜୟର କାହାଣୀ । ‘‘ନୀଳଶୈଳ’’ର ବିଧାତ ପୁରୁଷଟିକୁ ମାଟିତଳେ କବର ଦେଇ ସମୟର ଭବିଷ୍ୟତ ପର୍ବରେ ପୁନରୁଦ୍ଧାର ଓ ପୁନର୍ଜନ୍ମର ଅସହାୟ ପ୍ରତୀକ୍ଷା ଏହି ଉପନ୍ୟାସର ଶେଷକଥା, ତଥାପି ସଂସ୍କୃତି ଓ ସଭ୍ୟତାର ପ୍ରାଣ ପ୍ରାଚୁର୍ଯ୍ୟ ଓଡ଼ିଆ ଜାତିକୁ ଏକ ପରମ୍ପରାର ଭିତ୍ତି ପ୍ରଦାନ କରେ । ଯାହା ଉପରେ ଠିଆ ହେଲେ ଗର୍ବ ଆସେ । ‘‘ନୀଳଶୈଳ’’ ବ୍ୟତୀତ ଅନ୍ୟ କୌଣସି ଓଡ଼ିଆ ଉପନ୍ୟାସ ଜାତିର ସ୍ମୃତି ଭିତରକୁ ଯାଇ ନାହିଁ କିମ୍ବା ଯିବା ପାଇଁ ଚେଷ୍ଟା ମଧ୍ୟ କରି ନାହିଁ । ଏହି କାରଣ ଯୋଗୁଁ ଓଡ଼ିଆର ଜାତି ପ୍ରାଣରେ ଇତିହାସ ବର୍ଣ୍ଣିତ ଗଙ୍ଗବଂଶ ଗଜପତି ଓ କେଶରୀମାନଙ୍କୁ ଆମର ପୂର୍ବଜ ବୋଲି ସ୍ୱୀକାର କରିବା ପାଇଁ କୌଣସି ଆତ୍ମପ୍ରତ୍ୟୟ ଆସୁନାହିଁ । ପଞ୍ଚଦଶ ଶତାବ୍ଦୀର ପ୍ରତାପଶାଳୀ ଗଜପତି, ତେରଶ ଶତାବ୍ଦୀର କୋଣାର୍କ ନିର୍ମାତା କିମ୍ବା ଜଗନ୍ନାଥ ଦେଉଳ ନିର୍ମାତା, କେହି ଆମର ଧାରାବାହିକତାର ପ୍ରତୀକ ଭାବରେ ସଚେତନ ଜୀବନ ଭିତରେ ପ୍ରବେଶ କରି ନାହାନ୍ତି । ସେମାନେ ଏକ ଘେରା ଅତୀତର କୁହୁକ ସ୍ୱପ୍ନ ପରି ସଭା ସମିତି, ପାଠ ପରୀକ୍ଷାର ଚତୁର ଜ୍ଞାନ । ଆମ ରକ୍ତରେ ସେମାନଙ୍କର ରାଜକୀୟ ପୌରୁଷର ଧାରା ପ୍ରବାହିତ ହୁଏ ନାହିଁ । ସେମାନଙ୍କ ସହିତ ଆମର ନିଆଁ ପାଣି କାରବାର ନାହିଁ ।

 

ଓଡ଼ିଆ ଔପନ୍ୟାସିକ ତା’ର ସାଂପ୍ରତିକ ପରିସ୍ଥିତିରେ ତେଣୁ କୌଣସି ଭିତ୍ତି ଉପରେ ଠିଆ ହୋଇପାରି ନାହିଁ । ଓଡ଼ିଆ କଥାକାରର ଦାୟିତ୍ୱ ସେ ତୁଲାଇଛି । ଜାତିର ଭାଷା ସୃଷ୍ଟି ଓ ସେ ଭାଷାରେ ଜୀବନଧାରାର ପୁରାଣ ସୃଷ୍ଟି କରିବାର ଦାୟିତ୍ୱ ସେ ବହନ କରିଛି । କିନ୍ତୁ ତା’ ଚାରିପଟେ ଘଟିଯାଉଥିବା ତାତ୍‌କାଳିକ ଅନୁଭୂତି ଛଡ଼ା ଜାତିର ଐତିହ୍ୟ ସନ୍ଧାନ ସେ କରିପାରି ନାହିଁ । ତଥାପି ବିଗତ ଅଶୀ ବର୍ଷ ଭିତରେ ଚାରିପାଖରେ ଯେଉଁ ପରିବର୍ତ୍ତନ ସେ ଦେଖିଛି ତା’ର ଜୀବନ୍ତ କଥାକାର ଭାବେ ଓଡ଼ିଆ ଔପନ୍ୟାସିକ ସମ୍ମାନନୀୟ । ଜମିଦାରମାନଙ୍କର ନିପୀଡ଼ନ, ଦାନା ମୁଠାଏ ପାଇଁ ନଙ୍ଗଳା ମଣିଷର ସଂଘର୍ଷ, ଶୋଷଣ ବିରୁଦ୍ଧରେ ଚିତ୍କାର, ସ୍ୱାଭିମାନ ପ୍ରତିଷ୍ଠା ଲାଗି ଆନ୍ଦୋଳନ, ଉତ୍କଳ ସମ୍ମିଳନୀ, ଗାନ୍ଧୀବାଦ, ସ୍ୱତନ୍ତ୍ର ପ୍ରଦେଶ ଦାବୀ, ସ୍ୱାଧୀନତା ସଂଗ୍ରାମ ଏବଂ ସ୍ୱାଧୀନତା ପ୍ରାପ୍ତି ପରେ କ୍ରମେ ବଢ଼ି ଆସୁଥିବା ମଧ୍ୟମ ବର୍ଗର ଜୀବନ ଯନ୍ତ୍ରଣା, ଓଡ଼ିଆ ଉପନ୍ୟାସର ମୌଳିକ କୃତିତ୍ୱ-। ‘ଛ’ମାଣ ଆଠଗୁଣ୍ଠ’, ‘ହା ଅନ୍ନ’, ‘ତୁଣ୍ଡ ବାଇଦ’, ‘ଶାସ୍ତି’, ‘ହିଡ଼ମାଟି’, ‘ପରଜା’, ‘ଅମୃତର ସନ୍ତାନ’, ‘ହା’ରେ ଦୁର୍ଭାଗା ଦେଶ’, ‘ଅନ୍ଧ ଦିଗନ୍ତ’, ‘ମୋ ସ୍ୱପ୍ନର ସହର’, ‘ଶକୁନ୍ତଳା’, ‘ନରକିନ୍ନର’, ‘ଅସୂର୍ଯ୍ୟ ଉପନିବେଶ’, ପ୍ରଭୃତି ଉପନ୍ୟାସ ଅତି ସଫଳ ଭାବେ ବିଗତ ସଚେତନ ବର୍ଷମାନଙ୍କରେ ଓଡ଼ିଆ ଜୀବନର ସଫଳ ରୂପାୟନ କରିଛନ୍ତି । ଉପଲବ୍‌ଧ ପରିବେଶର ଅନୁଭୂତି ବ୍ୟତୀତ ଗୋଟିଏ ମହାନ ପରମ୍ପରାର ଚିତ୍ର ସେମାନେ ଦେଇପାରି ନାହାନ୍ତି ଯେହେତୁ ଓଡ଼ିଆ ଜାତିର ସଚେତନ ଇତିହାସ ଖୁବ୍ କମ୍‌ ଦିନର ।

 

ତଥାପି ‘ପରଜା’ ଓ ‘ନର-କିନ୍ନର’ ଉପନ୍ୟାସରେ ଅନୁଭୂତିର ଦୁଇଟି ଦିଗନ୍ତ ଓଡ଼ିଆ ଉପନ୍ୟାସକୁ ଗୌରବ ମଣ୍ଡିତ କରେ । ‘ପରଜା’ ଗୋଟିଏ ଆଦିମ ସଂସ୍କୃତିର ପାହାଡ଼ ଜଙ୍ଗଲ ପରିବେଷ୍ଟିତ ଅନନ୍ତ ଭିତରେ ମଣିଷର ବ୍ୟାବହାରିକ ବାସ୍ତବର ଚିତ୍ର, ଯେଉଁଠି ମଣିଷ ସମ୍ପର୍କିତ । ପରିବାର, ଗାଁ ଦାଣ୍ଡ, ପର୍ବପର୍ବାଣୀ, ବିବାହ-ଶିକାର ପରମ୍ପରା ନେଇ ବିରାଟ (ଯଦିଓ ସୀମିତ) । ‘‘ନର-କିନ୍ନର’’ କିନ୍ତୁ ସଂପୂର୍ଣ୍ଣ ଓଲଟା ଅନୁଭୂତିର ଉପନ୍ୟାସ । ବୋଧହୁଏ ଓଡ଼ିଆ ଉପନ୍ୟାସରେ ଏପରି ଅନୁଭୂତିର ବିନ୍ୟାସ ନାହିଁ । ମଣିଷ ଏଠି ଅସମ୍ପର୍କିତ । ରକ୍ତସମ୍ପର୍କ କିମ୍ବା ପରିବାର ବିବରଣୀ ଏଠାରେ ନାହିଁ । ସମାଜର ନିୟମ କିମ୍ବା ପ୍ରଶାସନିକ ଶୃଙ୍ଖଳା ନାହିଁ । ‘ନର-କିନ୍ନର’ ନର୍ଦ୍ଦମା ଜାତ ମଣିଷର କାହାଣୀ । ଡାକ୍ତରଖାନା ନାଳରୁ ସୀତାପରି ରାଜପ୍ରାସାଦକୁ ନହେଲେ ମଧ୍ୟ ମଣିଷର ମଣିଷ ପ୍ରତି ପ୍ରେମର ନିଦର୍ଶନର ଗରୀବ ଗଳୀରେ ବଢ଼େ ଜର୍ଜ । ପଚାରିଲେ ସେ ନିଜେ କହିପାରିବ ନାହିଁ ସେ ଖିରସ୍ତାନ କି ନା ? ଖିରସ୍ତାନର ଅର୍ଥ ମଧ୍ୟ ଜାଣେ ନାହିଁ ସେ । ଜର୍ଜ ପରି ଅନେକ, ପରିବାର ବା ସାମାଜିକ ଜୀବନରୁ ବିଚ୍ଛିନ୍ନ, ଗଳି ମୋଡ଼ ଓ ରାସ୍ତା କଡ଼ର କାଠ କେବିନ ବାସିନ୍ଦା କୁଷ୍ଠରୋଗୀ, ଗୋଦରୀ, ମିଆଁ, ରାଓ ସାମଲ-ସଂସାର ଭିତରେ ପ୍ରବେଶ କରିବା ପୂର୍ବରୁ ମରି ଯାଆନ୍ତି ।

 

‘‘ନର-କିନ୍ନର’’ ବୋଧହୁଏ ଓଡ଼ିଆର ଇତିହାସରେ ଏକମାତ୍ର ଉପନ୍ୟାସ ଯାହାକୁ ସ୍ଥିତିବାଦୀ କୁହାଯାଇପାରେ । କାରଣ ମଣିଷର ସ୍ଥିତି ଏଠି କୌଣସି ସ୍ଥିର ମୂଲ୍ୟବୋଧର ଧାରଣା ନେଇ ଅର୍ଥପୂର୍ଣ୍ଣ ନୁହେଁ । ମଣିଷର ଜୀବନ ପ୍ରସଙ୍ଗ କେବଳ ସମୟର ସ୍ୱକୀୟ ନାଟ୍ୟାନୁଭୂତି । ପରିପ୍ରେକ୍ଷୀ ମଧ୍ୟ ସମୟ । ଏହି ଉପନ୍ୟାସର ପ୍ରାୟ ସମସ୍ତ ଚରିତ୍ର ସମାଜ ଓ ସଂସାର ଭିତରେ ପ୍ରବେଶ ପଥ ଦରାଣ୍ଡୁ ଦରାଣ୍ଡୁ ଶେଷ ହୋଇଯାଆନ୍ତି । ବ୍ରହ୍ମରାକ୍ଷସ ଓ ମାଙ୍କିଡ଼ିର ପୁତ୍ର ପରି ଡାକ୍ତରଖାନା ବରଗଛ ପାଖ ନାଳ ଭିତରେ ଜନ୍ମ ହୋଇ ଜର୍ଜ ଯେଉଁ ଯେଉଁ ସ୍ଥାନ, ଘର ବା ମଣିଷ ପାଖରେ ରହେ ସେମାନଙ୍କର କୌଣସି ଇତିବୃତ୍ତ ନାହିଁ; ଅତୀତ ବା ପ୍ରାଚୀନତା ନାହିଁ । କୌଣସି ସ୍ମୃତି ନାହିଁ । ଲୋକମୁଖର କେତୋଟି ବିଶ୍ୱାସ, କେତୋଟି ଆଚରଣର ନମୂନା ଏବଂ ବଞ୍ଚିବାର ଆବଶ୍ୟକତା ପାଇଁ ପରସ୍ପର ସାନ୍ନିଧ୍ୟ ଯୋଗୁଁ ଯେଉଁ ମୂଲ୍ୟବୋଧର ସଂସାର ଗଢ଼ିଉଠେ, ତାହା ସେମାନଙ୍କର ପ୍ରବହମାନ ବର୍ତ୍ତମାନ । ପ୍ରଥମ ଆଶ୍ରୟ ଦାତା ବୁଢ଼ା ମରିଯିବା ପରେ ଚଉଦ ବର୍ଷର ଜର୍ଜ ଗୋଦରୀ ବୁଢ଼ୀ ପାଖେ ପହଞ୍ଚେ ଏବଂ ତାକୁ ମା ବୋଲି ଚିହ୍ନିବା ପୂର୍ବରୁ ଟାଣି ହୋଇଯାଏ ଅନ୍ୟବାଟେ । ଜର୍ଜ, ରାଓ, ସାମଲ, ମିଆଁ, ସମସ୍ତେ ପ୍ରେମ, ବାତ୍ସଲ୍ୟ, ପିତୃତ୍ୱ, ପୂଜ୍ୟପୂଜା, ସହନଶୀଳତା କିମ୍ବା ସାଧରଣ ସହାବସ୍ଥାନ ଜାଣିବା ପୂର୍ବରୁ ଛିଟିକି ପଡ଼ନ୍ତି । ସମାଜ ବା ସମାଜିକ ଜୀବନ ଭିତରେ ଆନୁଷ୍ଠାନିକ ଭାବେ ଏମାନେ ପ୍ରବେଶ କରିପାରନ୍ତି ନାହିଁ । ଏମାନଙ୍କର ଭାଷା, ବେଶଭୂଷା ସଂସ୍କୃତି ଦେହସ୍ତରର । ଭଗବାନ ପର୍ଯ୍ୟାୟକୁ ଉଠିବା ଚେଷ୍ଟାରେ ଏମାନେ ବିଭିନ୍ନ ଯନ୍ତ୍ରଣା ଭୋଗ କରନ୍ତି । ‘‘ମୁଁ ଭଗବାନ’’ (ଅହଂ ବ୍ରହ୍ମୋସ୍ମି) ପର୍ଯ୍ୟାୟକୁ ଉଠିବା ପାହାଚ ଏମାନେ ଦେଖନ୍ତି ନାହିଁ । ସଭ୍ୟ ଓ ସାମାଜିକ ଜୀବନର କୌଣସି ଅନୁଭୂତି ଏମାନଙ୍କର ଆସେ ନାହିଁ । ଜର୍ଜର ଏକମାତ୍ର ସାମାଜିକ ଅନୁଭୂତି ତା’ର ପିଠିରେ ରକ୍ତ ଝରାଇ ଗଳେ, ରିକ୍‌ସା ଚଳାଇଲା ବେଳେ । ସାଇକେଲ ଦୋକାନୀର ଯୌନ ବିକାର ଏବଂ କବିରାଜର ହତାଶବୋଧ ବ୍ୟତୀତ ଅନ୍ୟ କୌଣସି ସାମାଜିକ ଅନୁଭୂତି ଜର୍ଜ କିମ୍ବା ଅନ୍ୟ କାହାର ଆସେ ନାହିଁ । ଛୋଟାମାନଙ୍କର ଭଗବାନ (ରାକ୍ଷସ)ଙ୍କୁ ହତ୍ୟାକରି ଯେଉଁ ଦୁଇ ପଲକ ପାଇଁ ଜର୍ଜ ଭଗବାନ ସାଜେ ସେଥିରେ ମଧ୍ୟ ମାଡ଼ ପଡ଼େ । ପଶୁତ୍ୱର କାମୁଡ଼ା ଛଡ଼ା କୌଣସି ସଭ୍ୟ ଅନୁଭୂତି ଭିତରେ ଏମାନେ ପ୍ରବେଶ କରିପାରନ୍ତି ନାହିଁ । ଏହି କଞ୍ଚା, ଅସଂଲଗ୍ନ ଜୀବନ ଭିତରେ ମଣିଷର ସ୍ଥିତି ଝଙ୍କାର ବାକଟାଳା ଭୈରବୀ ପରି ବେସୁରା ଏବଂ ବିଖଣ୍ଡିତ । ଆଉ ଯେତେବେଳେ ସଭ୍ୟ ସମାଜ ଭିତରକୁ ଜର୍ଜ ଟାଣି ହୋଇଯାଏ, ବାଲି ଉପରେ ହୀରା ଖୋଜିଲା, ବେଳେ, ମାୱା ଖାଇଲାବେଳେ, ସେତେବେଳେ ପୁଣି ଆରମ୍ଭ କରିବାକୁ ହୁଏ ଅନ୍ୟ ଏକ ବର୍ତ୍ତମାନର ଯନ୍ତ୍ରଣା । ଦଳ, ଦଳର ଆଭିମୁଖ୍ୟ ( ବାମପନ୍ଥୀ, ଯୁଦ୍ଧ ହିଂସାର ବାଟ ) ଏବଂ ଦଳପତି ବା ଦଳର ପ୍ରବକ୍ତା ଯେହେତୁ କୌଣସି ଅତୀତ ନ ଦେଖି ଗୋଟିଏ ଭବିଷ୍ୟତ ଭଗବାନର ସୁଠାମ ଓ ସର୍ବୋତ୍‌ଭାବେ ସମାନ ସମାଜ ପରିକଳ୍ପନା ନଦି ଦିଅନ୍ତି ଜର୍ଜ ଉପରେ, କାଠ କେବିନର ସାମାନ୍ୟ ସ୍ୱାଧୀନତା ମଧ୍ୟ ହାରାଇ ବସେ ଜର୍ଜ । ବନ୍ଦ କୋଠାରୀ ଓ ବାଧ୍ୟତାମୂଳକ ଶିକ୍ଷା ଭିତରେ ଜର୍ଜର ଶ୍ୱାସରୁଦ୍ଧ ହୋଇଆସେ । କାରଣ ଦଳଗତ ରାଜନୀତି କୌଣସି ସାର୍ବଜନୀନ ମାନବୀୟ ବିଶ୍ୱାସ ଉପରେ ପ୍ରତିଷ୍ଠିତ ନୁହେଁ । ଆନ୍ଦୋଳନ ବା ହିଂସା ମଣିଷକୁ ପ୍ରେମ ଶିଖାଇ ପାରେ ନାହିଁ । ଧର୍ମଯାଜକ ଓ ଦଶବର୍ଷ ବାଳିକାର ଅସମୀଚୀନ ଓ ଅବୈଧ ସଂପର୍କ ଓ ତା’ର ପ୍ରତିକ୍ରିୟା ପ୍ରେମମନ୍ତ୍ର ଶିଖାଇପାରେ ନାହିଁ । ପ୍ରେମ ବିନା ଯେହେତୁ ସଂସାର ବା ସମାଜ ପ୍ରବେଶ ଅସମ୍ଭବ, ଜର୍ଜ ତତ୍ତ୍ୱ ମାଧ୍ୟମରେ ମଧ୍ୟ ସମାଜ ଭିତରେ ପଶିପାରେ ନାହିଁ । ହଠାତ୍‌ ଗୁଳିର ଭୁଲ୍‌ ଶିକାର ହୋଇ ଟଳିପଡ଼େ । ନର ଓ କିନ୍ନର ‘‘ଯୋଗ’’ ଚିହ୍ନଦ୍ୱାରା ଏକ ହୁଅନ୍ତି । ଏମାନଙ୍କୁ ଅଲଗା କରିବା ସହଜ ନୁହେଁ । ତଥାପି ‘‘ନର-କିନ୍ନର ‘‘ଜଟିଳ ଜୀବନବୋଧର ଅନୁଭୂତି ବାଢ଼େ :

 

‘‘ନଜିର ଆଉ ବୀର-ବୀର ଆଉ କାମାୟା-କାମାୟା ଆଉ ଗଜିଆ-ଗଜିଆ ଆଉ ସନିଆ-ଶେର୍‌କା ବଚ୍ଚା-ସୁଆର୍‌ କା ବଚ୍ଚା-ସିଂହ, ବାଘ, ଗଧ, ଘୋଡ଼ା, ବିରାଡ଼ି, କୁକୁର-ଖାଲି ମେଳା ମେଳା ପଶୁଙ୍କର ଯୁଦ୍ଧ-ତା’ର ଭିତରେ କାହାର ମୁଣ୍ଡର ଦହିଗୁଡ଼ାକ ଛିଞ୍ଚାଡ଼ି ହେଇ ପଡ଼ୁଥିଲା-କାହାର ହାତ, ନାକ, କାନ, ଆଖି, ଦାନ୍ତ, ଶିଂଘ, ହାଡ଼-ସବୁ ଛିନ୍ନଛତ୍ର ହେଇପଡ଼ୁଥିଲା ଏଣେତେଣେ । ମହା ଭୟଙ୍କର ଯୁଦ୍ଧ । ଆଉ ସେଇ ଯୁଦ୍ଧ ପଡ଼ିଆ ମଝିରେ ଠିଆ ହୋଇ ନିଜର ପାନଖିଆ ଦାନ୍ତ ଦି’ଧାଡ଼ିକୁ, ଗାଲରେ ପୁଚକା ପୁଚକା ଭଉଁରି ପଡ଼ିଯାଇଥିବା ମାଉଁସ ଦି’ମେଞ୍ଚାକୁ ନଚେଇ ନଚେଇ, ଏଡ଼େ ଠୋପା ସିନ୍ଦୂର ତଳୁ କଳା ଜୁକୁ ଜୁକୁ ଆଖିରେ କିଏ ଜଣେ ଅନେଇ ରହିଥିଲା । ଜର୍ଜର ରୂମ ଟାଙ୍କୁରି ଉଠିଲା । ଈଶ୍‌ ! କି ବୀଭତ୍ସ ଯୁଦ୍ଧ ! କିନ୍ତୁ ସେ କିଏ ? କିଏସେ ସେ ?-କିଏ ସେ ନଚଉଚି ଏତେଗୁଡ଼ିଏ ସର୍କସ ଜୀବନକୁ-ତାଙ୍କ ମଝିରେ ଏଡ଼େ ଦମ୍ଭରେ ଠିଆ ହୋଇ-ଆଖି ମିଟିକା ମାରି ମାରି ସେଗୁଡ଼ାଙ୍କୁ ନଚେଇ ନଚେଇ, ବେଦମ କରି-ବ୍ୟତିବ୍ୟସ୍ତ କରି ଭାଙ୍ଗିରୁଜି ଖଣ୍ଡଖଣ୍ଡ କରି-ଗୁଡ଼ାଏ କଣ୍ଢେଇ ଖେଳନା ଭଳି ତାଙ୍କୁ ଭାଙ୍ଗି ଫୋପାଡ଼ି, ଖଣ୍ଡଖଣ୍ଡ କରି କିଏ ସେ ଖେଳୁଚି ଏଡ଼େ ଦମ୍ଭରେ ?

(ନର-କିନ୍ନର-ପୃଷ୍ଠା-୧୦୯)

 

‘‘ନର-କିନ୍ନର’’, ବିଭିନ୍ନ ଘଟଣାର ପ୍ରବାହ ମଧ୍ୟରେ ପ୍ରତିକ୍ରିୟା ବହୁଳ ଏବଂ ସଦାଚଞ୍ଚଳ । ଏହି ଉପନ୍ୟାସରେ ସ୍ଥାଣୁ ମୁହୂର୍ତ୍ତ ନାହିଁ । ଏକ ଶକ୍ତିଶାଳୀ ପଶୁଶକ୍ତି ଯେମିତି ତା’ର ନାଟ ଦେଖଉଚି ଏଇ ଛୋଟିଆ ସହରତଳିର ପୃଥିବୀ ଭିତରେ । ପଲକଟିଏ ପାଇଁ ମଧ୍ୟ ସେ ପ୍ରାଣଶକ୍ତି ସ୍ଥିର ନୁହେଁ । ଯୁଦ୍ଧପରି ଭୟାନକ ଦେହବିଳାସ ଏହି ଶକ୍ତିର ପ୍ରକାଶଭଙ୍ଗୀ । କିନ୍ତୁ ଏହି ପଶୁଶକ୍ତିର ଭୟାନକ ସ୍ୱରୂପ ଓ କାର୍ଯ୍ୟ କୌଣସି ଯାଦୁକର କିମ୍ବା ଆତ୍ମଲିପ୍ତ କୌତୁକ ପୁରୁଷଦ୍ୱାରା ସଂଚାଳିତ ହେଇଛି ବୋଲି ନାୟକ ମନରେ ପ୍ରଶ୍ନ । ଅର୍ଥାତ୍ ସୂକ୍ଷ୍ମ ଚେତନାର ଉଦୟ । ପୃଥିବୀ ବାହାରେ କୌଣସି ଅଜଣା ଶକ୍ତିର ଇଙ୍ଗିତ ଅଛି ବୋଲି ଏକ ଧାରଣା ମଣିଷର ଜାନ୍ତବ ଯନ୍ତ୍ରଣାକୁ ଦାୟମୁକ୍ତ କରୁଛି । ମଣିଷର ଜନ୍ତୁପଣ ଇଚ୍ଛାକୃତ ନୁହେଁ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁଛି । ଏହି ଦୃଷ୍ଟିରୁ ‘‘ନର-କିନ୍ନର’’ ଓଡ଼ିଆ ଭାଷାରେ ଗଭୀର ଜୀବନ ବୋଧର ଉଦାହରଣ ।

 

କିନ୍ତୁ ଉଦ୍ଧୃତ ଅଂଶରେ ବ୍ୟବହୃତ ହୋଇଥିବା ଚିତ୍ରକଳ୍ପମାନଙ୍କୁ ବିଚାରକୁ ନେଲେ ଲାଗେ ଯେମିତି କିଛିନାହିଁ ଏଇ ପୃଥିବୀରେ କେବଳ ଯୁଦ୍ଧ ବା ଅହୈତୁକୀ ସଂଘର୍ଷ ଛଡ଼ା । ବାଘ, ଗଧ, ବିଲେଇ, କୁକୁର ପରି ପଶୁମାନଙ୍କ ମାଧ୍ୟମରେ ମଣିଷର ସଂଘର୍ଷ ଏଠି ସୂଚିତ ହୁଏ । ଏହି ଯୁଦ୍ଧରେ କାହାରି ବିଜୟ ନାହିଁ । ଅନ୍ୟ ଏକ କଉତୁକ ଶକ୍ତି ସର୍କସର ପଶୁ ପରି ନଚାଉଛି ମଣିଷମାନଙ୍କୁ-ଅସମ୍ପର୍କିତ ଏବଂ ଅସହାୟ ମଣିଷମାନଙ୍କୁ । ‘‘ନର-କିନ୍ନର’’ ଉପନ୍ୟାସର ଆୟତନରେ ପ୍ରେମ ନାହିଁ, ବାତ୍ସଲ୍ୟ ( ସାମାନ୍ୟ ସୂଚିତ ) ନାହିଁ, ବନ୍ଧୁତା ନାହିଁ । ଜର୍ଜ-ବୁଢ଼ା; ଜର୍ଜ-ଗୋଦରୀଗୋଡ଼ି; ଜର୍ଜ-ନଜିରମିଆଁ; ଜର୍ଜ-ବୀରସାମଲ; ଜର୍ଜ-କବିରାଜ; ଜର୍ଜ-ଦଳପତି; ଜର୍ଜ-ଆଡାମ୍‌ସ୍‌ ପ୍ରଭୃତି ସଂପର୍କ, ସଂଯୋଗ ବିନ୍ଦୂର ସ୍ଥାନୀୟ ଶିହରଣ ବ୍ୟତୀତ କୌଣସି ସୁଦୃଢ଼ ସାମାଜିକତା କିମ୍ବା ଆତ୍ମିକ ସଂପର୍କ ପ୍ରତିଷ୍ଠା କରପାରନ୍ତି ନାହିଁ । ମୂଲ୍ୟବୋଧର ସଂପର୍କ ଉଷୁମ ହେବା ପୂର୍ବରୁ ଥଣ୍ଡା ହୋଇଯାଏ । ମଣିଷ ଏକ ଚଳତ୍‌ଶକ୍ତିହୀନ ନିର୍ବାକ ଯନ୍ତ୍ରଣା ଭୋଗୀ-ରବର କଣ୍ଢେଇ ପରି, ଯାହା ଜର୍ଜ ହାତରେ ଏକ ପ୍ରତୀକ ଭଳି ସବୁ ଅନୁଭୂତିକୁ କେନ୍ଦ୍ରୀଭୂତ କରେ ।

 

ଅନ୍ୟ ଯେଉଁ ଅନୁଭୂତି ଓଡ଼ିଆ ଉପନ୍ୟାସରେ ଦେଖାଯାଏ ତାହା ସାଧାରଣତଃ ସମାଜ ଓ ଘର ଭିତରର ଜୀବନଚିତ୍ର । ରାସ୍ତା ଘାଟ, ସଭାସମିତି, ପ୍ରେମ ବିରହ, ମାନ ଅଭିମାନର ଚିତ୍ର । ସମାଜିକ ଜୀବନର ମାମୁଲି ନେଣଦେଣ । ଏହାଛଡ଼ା ବିଭିନ୍ନ ଆଙ୍ଗିକରେ ପରୀକ୍ଷାମୂଳକ ପ୍ରୟୋଗ ବା ଶୈଳୀପ୍ରଧାନ ଉପନ୍ୟାସ ଓଡ଼ିଆ ଭାଷାରେ ଲେଖାହୋଇଛି ଏ ଶହେବର୍ଷ ଭିତରେ । ରହସ୍ୟ ରୋମାଞ୍ଚ (ଗଦାଧର ରବିନ୍‌, ମୀରା) ଐତିହାସିକ (ଲଛମା, କୃଷ୍ଣାବେଣୀର ତୀରେ), ମନସ୍ତାତ୍ତ୍ୱିକ, ସାମାଜିକ, ହାସ୍ୟରସାତ୍ମକ, ଆତ୍ମଜୀବନୀଭିତ୍ତିକ ଇତ୍ୟାଦି ପରୀକ୍ଷିତ ହୋଇ ସାରିଛନ୍ତି । କିନ୍ତୁ ବାସ୍ତବ କ୍ଷେତ୍ରରେ ସଫଳତାର ସୀମା ଏହି ପରୀକ୍ଷାମାନଙ୍କରେ ସଂକୀର୍ଣ୍ଣ, କାରଣ ଗଭୀର ଅନୁଭୂତିର ଚିନ୍ତାଶୀଳ ବିଶ୍ଳେଷଣ ନାହିଁ । ଉପନ୍ୟାସରେ ନାଟକୀୟତା ବଢ଼ିଛି । ବିଭିନ୍ନ ଚରିତ୍ର ଓ ପାତ୍ରମାନଙ୍କର ମନଗହନ ଆବିଷ୍କୃତ ହୋଇଛି, କିନ୍ତୁ ଅତଳ ଏବଂ ଅପହଁଚ ମନରାଜ୍ୟର ସୀମା ଦେଖିବାକୁ ମିଳେନାହିଁ । ସବ୍‌ଜାନ୍‌ତା କଥାକାର, ପାଠକର ସମ୍ମୁଖକୁ ନ ଆସି ବିଭିନ୍ନ ମନ ଓ ଭାବ ଭିତରେ ଚାଲିବାପାଇଁ ଚେଷ୍ଟା କରୁଛି । ଘଟଣାର ଘଟିବା ପ୍ରକ୍ରିୟାକୁ ପରିବେଷଣ କରିଛି । ବାସ୍ତବସ୍ରୋତ, ସ୍ଥିତିବାଦୀ ଜୀବନ ସମୀକ୍ଷା ଏବଂ ବିଫଳତାର ଅନୁଶୀଳନ କରିଛି । କାରଣ ଆଧୁନିକ ସମାଜର ପରିବେଶ ମଧ୍ୟରେ ମଧ୍ୟମ ଶ୍ରେଣୀର ଜଣେ ପାତ୍ର ବା ନାୟକ କୌଣସି ଯୁଗାନ୍ତକାରୀ କାର୍ଯ୍ୟ କରିବା ପାଇଁ ସୁଯୋଗ ପାଏ ନାହିଁ । ଏକ ନିଚ୍ଛକ ସାଧାରଣତା ଭିତରେ ସେ ହଜିଯାଏ । ତା’ର ସମସ୍ତ ଶ୍ରେୟ ସାଧନା ଏପରିକି ସାଧାରଣ ଭାବେ ପ୍ରେମ କରି ସଫଳ ହେବା ଅଭିଳାଷ ଭାଙ୍ଗିପଡ଼େ । ଆଜିର ଆତ୍ମଲୀନ ପୃଥିବୀରେ କିଛି ପ୍ରେମ, କିଛି ସଫଳତା, କିଛି ଆନନ୍ଦ ପାଇବାପାଇଁ ମଣିଷ କେମିତି ଛଟପଟ ହୁଏ, ସେହି କାହାଣୀ ହିଁ ଅଧିକାଂଶ ଉପନ୍ୟାସର ମୂଳକଥା-। ବାହାର ପୃଥିବୀକୁ ମନ ଭିତରକୁ ଟାଣି ଆଣିବାଛଡ଼ା ନିଜକୁ ବାହାର ପୃଥିବୀର ସଜ୍ଜୀକରଣରେ ନିୟୋଜିତ କରିବା କ୍ଷମତା ଆଜିର ଉପନ୍ୟାସ ନାୟକର ନାହିଁ । ସାମାଜିକ ଅଭିଳାଷର ବିଫଳତା ଜନିତ ପ୍ରତିକ୍ରିୟା ଯଥା:-ଚାକିରୀ ନ ପାଇବା, ପ୍ରେମ ନ ପାଇବା, ବଞ୍ଚିବାର ସାଧନ ନ ପାଇବା, ଶାନ୍ତି-ଆନନ୍ଦ-ସୁଖ ନପାଇବା ଇତ୍ୟାଦି ଅପଚୟ-ବୋଧର ତାଲିକା ନାୟକର ବ୍ୟକ୍ତିଗତ ପୃଥିବୀକୁ ଛୋଟକରେ । ଏମାନଙ୍କ ପୃଥିବୀରେ ଅନେକ କଥା ଘଟେ ନାହିଁ, ତେଣୁ ନ ଘଟିବାର ଖେଦ ଏମାନଙ୍କର ଭାଷା । ନଦୀ ଝରଣା, ସମୁଦ୍ର କିମ୍ବା ଜଙ୍ଗଲ ପାହାଡ଼ ଅର୍ଥାତ୍‌ ପ୍ରକୃତି ସହିତ ଏମାନଙ୍କର ସଂପର୍କ ନାହିଁ । ଇଟା, ସିମେଣ୍ଟ, ଧୂଆଁ, ଯନ୍ତ୍ରପାତି, ରାସ୍ତା, ଗାଡ଼ି ମଟର ଗହଳ ଭିତରେ ଏମାନେ ନିହାତି ଏକ ହୋଇ ଘୂରନ୍ତି ନିଜ ନିଜର ହତାଶ ପରିଧିରେ । ଇତିହାସରେ ଏମାନେ ବୁଡ଼ିଯାଆନ୍ତି । ଯୁଗପୁରୁଷର ଜ୍ୟୋତି ଏମାନଙ୍କର ନାହିଁ ।

 

ଭାଷାର ପ୍ରୟୋଗ ଦୃଷ୍ଟିରୁ, ଓଡ଼ିଆ ଉପନ୍ୟାସର ଭାଷାରେ ଦୁଇଟି ବଳିଷ୍ଠ ଶୈଳୀ ଦେଖାଯାଏ । ଗୋଟିଏ ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସରେ ଏବଂ ଅନ୍ୟଟି ସୁରେନ୍ଦ୍ର ମହାନ୍ତିଙ୍କ ଭାଷାରେ । ଫକୀରମୋହନଙ୍କ ଘଟଣା ନିର୍ଲିପ୍ତ ସବ୍‌ଜାନ୍‌ତା ବର୍ଣ୍ଣନା ପରେ, ଗୋପୀନାଥ ବିଶେଷ କରି ‘‘ପରଜା’’ ଓ ‘‘ଅମୃତର ସନ୍ତାନ’’ରେ ଅଶିକ୍ଷିତ ଲୋକଙ୍କ କଥିତ ଭାଷା ପାହାଡ଼ ଜଙ୍ଗଲ, ଗାଁ ପରିବାର ଓ ଖେତହାଟନାଚ ସହିତ ମିଶାଇ କାବ୍ୟ ସୃଷ୍ଟି କରାନ୍ତି । ତାଙ୍କର ମଣିଷଟା ଗୋଟିଏ ଭୂଗୋଳ ଓ ତା’ର ପରମ୍ପରା ଉପରେ ଠିଆ ହୁଏ । ସେହି ଅଶିକ୍ଷିତ ଲୋକମାନଙ୍କର ମନରେ ପ୍ରକୃତି-ମଣିଷ-ଭଗବାନର ଯେଉଁ ସରଳ ସମୀକ୍ଷା ଉଭା ହୁଏ, ତାହାହିଁ ଗୋପୀନାଥଙ୍କର ଭାଷା :

 

‘‘କେଉଁଠି ତା’ର ଖାଲ, କେଉଁଠି ଢିପ, କେଉଁଠି ହୁଁଙ୍କା, କେଉଁଠି କଣ୍ଟା ବୁଦା, କେଉଁ ଅରାକରେ ତା’ର ମାଟି କିପରି, ସବୁ ତାକୁ ହିଁ ଜଣା, ସେ ଜମି ଉପରେ ଆୟୁଷରୁ ବାରପଣ କଟେଇ ଦେଇଗଲା । ପ୍ରତ୍ୟେକ କୁଦଖାଲ, ପ୍ରତ୍ୟେକ ଟେଳା ଭୂଷାର ବରଷ ବରଷ କରି ଇତିହାସ ରହିଛି । ଏଇ ମାଟି ଉପରେ ଝାଳ ଢାଳି ଢାଳି ଉଦୁଉଦିଆ ଦି’ପହର ଗଜାକୁ ଉଷୁମ ଦେଇଛି । କେତେ ପାଚି ଉଠେଇ ନେଇଚି ସେ ଏଇ ଖେତରୁ । ଜମି କହିଲେ ସମ୍ବାରୀ ମନେ ପଡ଼େ । ନିଜାଣି ରୋପାଣି ଦିନେ ଦି’ପହରେ ଆଣି ସେ ଜମି ଉପରେ ଖାଦି ଦେଇଯାଏ । ଛୁଆ ଚାରୋଟିଙ୍କ ପିଲାଦିନର ବାଳଲୀଳା, ସେ ମଧ୍ୟ ବନ୍ଧା ହୋଇଛି ଜମି ସାଙ୍ଗରେ ।

(‘‘ପରଜା’’-ପୃ-୧୯୩)

 

ଶବ୍ଦ ଚୟନ, କାବ୍ୟଗଠନ, ଛନ୍ଦ ଏବଂ ମନ ବିଶ୍ଳେଷଣ ଏକାତ୍ମ ହୋଇଥିବା ଯୋଗୁଁ କାବ୍ୟ ଧ୍ୱନି ଏଇ ଗଦ୍ୟ ଶୈଳୀର ବିଶେଷତ୍ୱ । ସରଳ ଶବ୍ଦ, ସରଳ ସ୍ମୃତିର ସରଳ ଇତିହାସ, ପରିବାର ଓ ପରିବେଶ ଅର୍ଥାତ୍‌ ସୁକ୍ରୁଜାନିର ଭିତର ଓ ବାହାର ସ୍ମୃତିକୁ ଦୀର୍ଘ ଏବଂ ପୁରାତନ କରନ୍ତି । ମାଟି ଚିହ୍ନିଥିବା ମଣିଷଟା ତା’ର ଜୀବନର ସାମଗ୍ରୀକତାକୁ ମାଟି ଉପରେ ଦେଖେ । ତା’ର ଭାଷା ମାଟି ମଣିଷର ଭାଷା, ଯାହା ଜୀବନର ଆଦିକାବ୍ୟ ସୃଷ୍ଟି କରେ । ସୁରେନ୍ଦ୍ର ମହାନ୍ତି କିନ୍ତୁ ଓଡ଼ିଆ ଉପନ୍ୟାସର ଭାଷାକୁ ଅନ୍ୟ ଏକ ଛନ୍ଦ ଓ ଗାମ୍ଭୀର୍ଯ୍ୟ ଦିଅନ୍ତି । ତାଙ୍କର ବାକ୍ୟ ସଂଗଠନ, ଗଦ୍ୟଛନ୍ଦରେ ଏକ ସମ୍ଭ୍ରାନ୍ତ ଆଭିଜାତ୍ୟର ଲକ୍ଷଣ ଫୁଟାଏ । ଅପେକ୍ଷାକୃତ ଦୀର୍ଘବାକ୍ୟ ବ୍ୟଞ୍ଜନବହୁଳ ଓ ପରିଚ୍ଛନ୍ନ ରୁଚିବୋଧରେ ଏକ ମାର୍ଜିତ ସଭ୍ୟତାର ପରିଚୟ ଦିଏ । ‘‘ନୀଳଶୈଳ’’ କିମ୍ବା ‘‘ଶତାବ୍ଦୀର ସୂର୍ଯ୍ୟ’’ ଏପରିକି ‘‘ଅନ୍ଧଦିଗନ୍ତ’’ ପଢ଼ିଲେ ଲାଗେ ଯେମିତି ପ୍ରାଣପ୍ରାଚୁର୍ଯ୍ୟଭରା ତଟିନୀ ସମସ୍ୱରରେ କଥା କହିଚାଲିଛି । ଯୁଗବୀଣାର ଝଙ୍କାର ପରି ସମନ୍ୱିତ ଲୟ ଜୀବନର ବିଭିନ୍ନ ମୁଦ୍ରାକୁ ସାଙ୍କେତିକ ସ୍ତରରେ ମୁର୍ଚ୍ଛିତ କରୁଛି । ଏହି ଆଭିଜାତ୍ୟ ପରିଚ୍ଛନ୍ନତା ଓ ପ୍ରାକୃତିକ ସ୍ୱଚ୍ଛନ୍ଦ ଗତିର ଦୁଇଟି ପରମ ପ୍ରାଣଶକ୍ତି ମଧ୍ୟରେ ଓଡ଼ିଆ ଉପନ୍ୟାସର ଭାଷା ସଂଜ୍ଜୀବିତ ହୋଇଛି । ବିଗତ ଶତାବ୍ଦୀରେ ଏଇ ଦୁଇଟି ଭାଷାଶୈଳୀର ବିଭିନ୍ନ ପ୍ରୟୋଗ ସଫଳତାର ଅନେକ ଶିଖର ଉଦ୍‌ଘାଟନ କରିଛି ।

 

ଓଡ଼ିଆ ଉପନ୍ୟାସର ପ୍ରଥମ ଶତବାର୍ଷିକୀ ପାଳନର ଖୁସି ଓ ସେହି ଅବସରରେ କିଛି ପଶ୍ଚାତ୍‌ଦୃଷ୍ଟି ଆଗାମୀ ଉପନ୍ୟାସ ଶତାବ୍ଦୀ ପାଇଁ ପ୍ରସ୍ତୁତ ହେଉଥିବା କଥାଶିଳ୍ପୀମାନଙ୍କ ମନରେ ଏକ ମିଶ୍ର ପ୍ରତିକ୍ରିୟା ସ୍ୱାଭାବିକ ଭାବେ ସୃଷ୍ଟି କରେ । ପ୍ରଥମେ, ବିଗତ ଶତାବ୍ଦୀର କଥାକାରମାନଙ୍କ ପାଖେ କୃତଜ୍ଞତା, ଯେହେତୁ ଉପନ୍ୟାସର ଏକ ନିରବଚ୍ଛିନ୍ନ ପରମ୍ପରା ସେମାନେ ଐତିହାସିକ ସ୍ମୃତି ପରି ରଖିଦେଇ ଯାଇଛନ୍ତି । ମଣିଷର ସ୍ୱାଭିମାନ ସଂଘର୍ଷ ଓ ହତାଶ-ପରାଜୟର ଏକ ଲମ୍ବା କାହାଣୀ ଆଜିର ଉପନ୍ୟାସକାରର ମହାନ୍‌ ଅତୀତ, ଯାହାକୁ ନେଇ କିଛି ଗର୍ବ, କିଛି ସଫଳବୋଧ ତା’ର ପ୍ରାପ୍ୟ । ଦ୍ୱିତୀୟରେ କିଛି ଭୟ ମଧ୍ୟ : ଏହି ମହାନ୍‌ ପରମ୍ପରାର ଦାୟାଦ ଭାବେ ସେ ତା’ର ଅବଦାନକୁ ଆଗାମୀ ଶତାବ୍ଦୀରେ ଆଦରଣୀୟ କରିପାରିବ ତ ? ତଥାପି ନୂଆ ଶତାବ୍ଦୀର କଥାକାର ବହୁତ ଭାଗ୍ୟବାନ୍ । ‘‘ପଦ୍ମମାଳୀ’’ ଲେଖିଲାବେଳେ ଉମେଶ ଚନ୍ଦ୍ର ଯେଉଁ ଅନିଶ୍ଚିତ ଓ ଅପରିଚିତ ସ୍ନାୟୁଡ଼ର ଭୋଗିଥିବେ କିମ୍ବା ‘‘ଛ’ମାଣ ଆଠଗୁଣ୍ଠ’’ ଲେଖିଲାବେଳେ ଫକୀରମୋହନ ଯେଉଁ ଏକାପଣର ଶିଖର ଦରାଣ୍ଡି ଥିବେ, ୧୯୮୯ର କଥାକାର ସେପରି ବେଦନା ପାଇବ ନାହିଁ । ବରଂ ଏତେଗୁଡ଼ାଏ ବଡ଼ ସାନ ମୁଣ୍ଡିଆ ଭିତରେ ବିଶାଳତା କଳନା କରିବାବେଳେ ଅସତର୍କ ହୋଇପାରେ । ଏହାଛଡ଼ା ଆଜିର କଥାଶିଳ୍ପୀ ଏକ ପ୍ରତିଷ୍ଠିତ ମଧ୍ୟମ ଶ୍ରେଣୀର ପୃଷ୍ଠପୋଷକତା ନ ହେଲେ ମଧ୍ୟ, ଆଦର ପାଇବାର ଆଶା ଉଜ୍ଜ୍ୱଳ । ଓଡ଼ିଆର ମୁହଁ ବର୍ତ୍ତମାନ ଅଲଗା । ମାଟିର ଚେହେରା ଅଲଗା । ସରବୁ ସାଓଁତା ବସି ପିକା ଟାଣୁଥିବା ପାହାଡ଼ ଉପରେ ଆଜି ଦୁଇମହଲା କୋଠା । କାରଖାନା ଚିମିନି ଧୂଆଁରେ ସୁକ୍ରୁଜାନିର ମୁହଁ ଆହୁରି ପାଉଁଶିଆ, କିନ୍ତୁ ହସ ହସ । କନ୍ଧ ରମଣୀର ନାକ, କାନ, ବାହା, ବେକ, ସବୁ ପୁରିଲା ପୁରିଲା । ‘‘ହିଡ଼ମାଟି’’ର କନ୍ଦଳ ପ୍ରାୟ ନାହିଁ । ‘‘ଦୂରଦର୍ଶନ’’ ଛବିରେ ଯଦିଓ ଓଡ଼ିଆ ପୁରାପୁରି ସାହେବ କିମ୍ବା ବିଦେଶୀ ପାଲଟି ଯାଇନାହିଁ ତଥାପି ତା’ର ଲୁଗାପଟା, କଥାଭାଷା, ରାସ୍ତାଘାଟ, ଘରଦ୍ୱାର ସବୁ ଅନେକ ଅଲଗା । ଆଶା ଅଭିଳାଷ, ଗତି ଓ ସ୍ଥିତି ସବୁ ଅଲଗା । ଦାରିଦ୍ର୍ୟ ଅଛି, ଅନାହାର ମୃତ୍ୟୁ ସମ୍ବାଦ ଖବରକାଗଜ, ଦୂରଦର୍ଶନ, ବିଧାନସଭାରୁ ଲୋକସଭା ପର୍ଯ୍ୟନ୍ତ ହୋହଲ୍ଲା ସୃଷ୍ଟି କରୁଛି । ଆଶ୍ଚର୍ଯ୍ୟବୋଧ କଟି ନାହିଁ, ଅନ୍ୟ ମଣିଷ ସାଙ୍ଗେ ସମ ଭାବରେ ମିଶିବା ଯୋଗ୍ୟତା ଆସିନାହିଁ; ତୁଣ୍ଡ ବାଇଦ ମରିନାହିଁ-ତଥାପି ସାହସ, କିଛି ବ୍ୟବସାୟ, କିଛି ଗୁଣ୍ଡାମୀ ଏବଂ ଅନେକ ବାଦସାହୀ ମାତାଲପଣ ତା’ ଭିତରେ ପଶି ସାରିଲାଣି । କଟକ, ରାଉରକେଲା, ଭୁବନେଶ୍ୱର, ପ୍ରଭୃତି ସହରରେ ଆଧୁନିକ ସହରର ସବୁ ଲକ୍ଷଣ ଯଥା:-ଛୋଟବୋଧ, ଅରକ୍ଷବୋଧ, ବିଚ୍ଛିନ୍ନତା, ସ୍ୱାର୍ଥ ସଚେତନତା ଏବଂ କରିତ୍‌କର୍ମା ବିଚକ୍ଷଣତା କ୍ରମେ ଫୁଟି ଉଠିଲାଣି ମଣିଷର କର୍ମଭୂମିରେ । ପ୍ରେମର ଶିହରଣ ନାହିଁ । ଅନାହାରର ଦୈନ୍ୟ ନାହିଁ । ରାଜତନ୍ତ୍ରର ଶୋଷଣ ନାହିଁ । କୌଣସି ନୈତିକ ଭୟ ନାହିଁ । ପରକାଳର ଭୟ ନାହିଁ-। ଆଜିର ଉପନ୍ୟାସକାର ବିସ୍ତୃତ ଦୃଷ୍ଟିରୁ ଏକ ନୂତନ ସଂସ୍କୃତି ଓ ସଭ୍ୟତାର କ୍ରମପରିବର୍ତ୍ତନଶୀଳ ମଞ୍ଚ ଉପରେ ଠିଆ ହୋଇଛି । ଓଡ଼ିଆ ସଂସ୍କୃତି ବଦଳରେ ଏକ ସର୍ବଭାରତୀୟ ଧାରା କ୍ରମେ ଚେରମୂଳ ସବୁ ଓପାଡ଼ି ଦେଇଛି । ଓଡ଼ିଆ, ‘‘ସମାଚାର’’ ଶୁଣେ, ପାଞ୍ଚ ତାରକା ହୋଟେଲରେ ରାତିଟିଏ ବିତାଇବା ପାଇଁ ବିଭିନ୍ନ ଉପାୟ କରେ (ଚୋରି ମଧ୍ୟ, ଅନୀତି ମଧ୍ୟ, ଆଚରଣକୁଶଳୀ କଳା ମଧ୍ୟ); ବହୁତ ପାଠ ପଢ଼ି ମଧ୍ୟ ଚାକିରୀ ପାଇଁ ପ୍ରାୟ ଦଉଡ଼େ ନାହିଁ । କୋଟିପତି ହେବାର ସ୍ୱପ୍ନ ଦେଖେ ସେ, ଆକାଶରେ ଉଡ଼ିବା ପାଇଁ ମନ ଭିଡ଼େ ।

 

ନୂଆ ଉପନ୍ୟାସ ଶତାବ୍ଦୀର ଲେଖକ ପାଇଁ ଏପରି ଆରମ୍ଭ ବିନ୍ଦୁ ଅନେକ ସମ୍ଭାବନାର ପ୍ରତିଶ୍ରୁତି ବହନ କରେ । ଏହାର ସୁଯୋଗ ନିଶ୍ଚୟ ନେବେ ନୂତନ ପିଢ଼ିର କଥାକାରମାନେ ।

 

***

 

ବିଚ୍ଛିନ୍ନାଞ୍ଚଳରେ ସାହିତ୍ୟ ଓ ସାଂସ୍କୃତିକଧାରା

ଡକ୍‌ଟର କୁମୁଦିନୀ ପାଢ଼ୀ

 

ସଂସ୍କୃତି ନିଜର ମହନୀୟ ଗୁଣରେ ଚରିତ୍ରକୁ ସହନଶୀଳ ହେବାକୁ ଶିକ୍ଷାଦିଏ । ଆକାଶ ମୁକ୍ତ ଭାବର ପ୍ରତୀକ । ଅଗ୍ନି ନିର୍ବିକାର ଚିତ୍ତର ପରିଚାୟକ । Art for Art-sake. କଳା ସାହିତ୍ୟ କଳାପାଇଁ ସାହିତ୍ୟପାଇଁ । ସୃଷ୍ଟିକୁ ଏହା ଆନନ୍ଦର ସର୍ବୋଚ୍ଚ ଶିଖରକୁ ନେଇଯାଏ । ଏହି ମହାନ ପରମ୍ପରାକୁ ବହନ କରି ୧୯୪୭ ମସିହାରେ ଯେତେବେଳେ ଆମେ ପ୍ରଥମେ ସ୍ୱାଧୀନତାର ସ୍ୱାଦ ଚାଖିଲେ, ପ୍ରାଣରେ ଏକ ନୂତନ ଆଶା, ଉଦ୍ଦୀପନା ଆନନ୍ଦ ଖେଳିଯାଇଥିଲା କେତେ ରକ୍ତର ବିନିମୟରେ କେତେ ଫାଶୀଖୁଣ୍ଟର ସ୍ମୃତିକୁ ଉଜ୍ଜୀବିତ କରି । କେତେ ମାଙ୍କର ଅଶ୍ରୁର ହିସାବ ନିକାଶ କରି ସ୍ୱାଧୀନତାର ସୂର୍ଯ୍ୟ ଉଇଁଲା । ଦେଶୀୟ ରଜ୍ୟସବୁ ଏକତ୍ର ହୋଇ ପ୍ରଦେଶ ଗଠନ ହେଲା । ସେଇ ପ୍ରଦେଶରେ ୨୬ଟି ଗଡ଼ଜାତ ମିଶି ଷଢ଼େଇକଳା, ଖରସୁଆଁ ସହିତ ଓଡ଼ିଶା ପ୍ରଦେଶ ଗଠିତ ହେଲା । ମାତ୍ର ସମୟର ବିଡ଼ମ୍ବନା, ଏହା ଆମର ଅଙ୍ଗରୁ କାଟି ଦିଆଗଲା । ମାତୃଭୂମିର ବିଖଣ୍ଡିତ ଶରୀର ପାଇଁ ଅନେକ ଲୁହ ଲହୁର ମୂକସାକ୍ଷୀ ସ୍ଥିର ରହିଗଲେ । ଷଢ଼େଇକଳା ଖରସୁଆଁ ବିହାର ସହ ମିଶିଗଲା । ଏହିଠାରୁ ବିପର୍ଯ୍ୟୟର ସୂତ୍ରପାତ ହୁଏ । ଏହି ଅଞ୍ଚଳକୁ ବିଚ୍ଛିନ୍ନାଞ୍ଚଳ ଆଖ୍ୟା ଦିଆଯାଏ ।

 

ଏହି ଉଦ୍‌ଭଟ ମୀମାଂସା ପରେ ପରେ ୧୯୯୩ ମସିହାରେ ପୁରୀଠାରେ ବସିଥିବା ଉତ୍କଳ ସମ୍ମିଳନୀର ନବମ ଅଧିବେଶନରେ ପ୍ରସ୍ତାବ ହେଲା, ସିଂହଭୂମି ଜିଲ୍ଲା ଷଢ଼େଇକଳା ଖରସୁଆଁରେ ଓଡ଼ିଆ ଶିକ୍ଷା ପ୍ରଚଳନ । ୧୮୯୦ ପର୍ଯ୍ୟନ୍ତ ଷଢ଼େଇକଳା ଖରସୁଆଁରେ ସମସ୍ତ ସରକାରୀ କାଗଜପତ୍ର ଓଡ଼ିଆ ଭାଷାରେ ଲେଖାଯାଉଥିଲା । ୧୮୦୩ ମସିହାରୁ ଓଡ଼ିଆ ଭାଷାର ଲୋପପାଇଁ ସମସ୍ତ ଚେଷ୍ଟା ସତ୍ତ୍ୱେ ଓଡ଼ିଆଭାଷା ତିଷ୍ଠିଥାଏ ।

 

୧୮୯୦ ପର୍ଯ୍ୟନ୍ତ ଷଢ଼େଇକଳା ଖରସୁଆଁର ସମସ୍ତ ସରକାରୀ କାଗଜପତ୍ର ଓଡ଼ିଆ ଭାଷାରେ ଲେଖା ଯାଉଥିଲା । ସିଂହଭୂମିରେ ଓଡ଼ିଆଭାଷାର ବିଲୁପ୍ତି ପାଇଁ ଅହରହ ଚେଷ୍ଟା ଚାଲିଥିଲେ ମଧ୍ୟ ଓଡ଼ିଆଭାଷା ସେଠାରେ ତିଷ୍ଠି ରହିଥିଲା । ୧୯୨୦ ମସିହାରେ ସତୁଆ, ମହୁଲପାଟଣା, ମୋମା, ପୋଷୀ ଓକରା ଓ ଚୈନପୁର ଓଡ଼ିଆ ଅଧିବାସୀମାନେ ହିନ୍ଦୀ ବଦଳରେ ଓଡ଼ିଆରେ ପଢ଼ିବାକୁ ଆବେଦନ କରିଥିଲେ । ସେତେବେଳର କମିଶନର Mr. Garretଙ୍କୁ ଗୋପବନ୍ଧୁ ମଧ୍ୟ ତଦନ୍ତ କରି ଓଡ଼ିଆ ଅଞ୍ଚଳରେ ଓଡ଼ିଆ ଶିକ୍ଷା ବଞ୍ଚିରହୁ ବୋଲି ମତ ଦେବାପରେ ଏହା ଗ୍ରହଣ କରାଯାଇଥିଲା । ସେହିଦିନରୁ ଏହି ଅଞ୍ଚଳରେ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ଲାଗି ଅହରହ ଉଦ୍ୟମ ଚାଲିଆସିଛି ।

 

ମାତ୍ର ଓଡ଼ିଶାର ଆଦିବାସୀମାନଙ୍କର ମତାନ୍ତର ଯୋଗୁଁ ଏବଂ ବିହାର ସରକାରଙ୍କର ସହାୟତା ପାଇଁ କେତେକ ସମସ୍ୟା ସୃଷ୍ଟି ହେଲା । ୧୯୪୮ରେ ଜାନୁଆରୀ ପହିଲାଠାରୁ ଯେଉଁ ପଚିଶଟି ଗଡ଼ଜାତ ରାଜ୍ୟର ଶାସନ ଭାର ବିଧିବତ୍ତ ଭାବରେ ଗ୍ରହଣ କଲେ ଷଢ଼େଇକଳା ଖରସୁଆଁ ତାହାର ଅନ୍ତର୍ଭୁକ୍ତ । ମାତ୍ର ସେତେବେଳେ ବିହାର ଓଡ଼ିଶାର ‘ହୋ’ ସଂପ୍ରଦାୟର ଲୋକମାନଙ୍କୁ ନେଇ, ଏବଂ ଉତ୍ତେଜିତ କରି ଷଢ଼େଇକଳା ରାଜା କେନ୍ଦ୍ର ସରକାରଙ୍କୁ ଆବେଦନ କରି ଏହି ଅଞ୍ଚଳକୁ ବିହାରରେ ମିଶାଇ ଦେଲେ । ଏହା ଓଡ଼ିଶାରୁ ଅଲଗା ହୋଇଗଲା । ମାତ୍ର ବିହାର ଓ ଓଡ଼ିଶାର ଏହି ଆଦିବାସୀ ସଂପ୍ରଦାୟ ମଧ୍ୟରେ ଗଭୀର ଘନିଷ୍ଠତା ଥିଲା । ସେତେବେଳେ ସମସ୍ତ ଯୁକ୍ତି ବିହାର ସରକାରଙ୍କର ସପକ୍ଷରେ ଥିଲା କାରଣ ମୟୂରଭଞ୍ଜ ଓଡ଼ିଶା ସହ ମିଶି ନ ଥିବାରୁ ଷଢ଼େଇକଳା ଯିବାକୁ ହେଲେ ବିହାର ହୋଇ ଯିବାକୁ ପଡ଼ୁଥିଲା । ପୁନଶ୍ଚ ଷଢ଼େଇକଳା ରାଜାଙ୍କର ମତ ବିହାର ସହ ମିଶ୍ରଣ ଥିଲା ।

 

କେନ୍ଦ୍ର ସରକାରଙ୍କର ମତ ବିରୁଦ୍ଧରେ ସକଳ ଜନମତ ସୃଷ୍ଟି ହେଲା । ୧୯୪୮ରେ ଏହି ଦୁଇ ରାଜ୍ୟ ବିହାର ସହ ମିଶିଗଲା । ଏହି ଅଞ୍ଚଳ ସବୁ ଖାଣ୍ଟି ଓଡ଼ିଆ ଅଞ୍ଚଳ ହୋଇଥିବା ସତ୍ତ୍ୱେ ଏହା ବିହାର ରାଜ୍ୟର ଅଂଶ ହୋଇଗଲା । ଏହା ଫଳରେ ରାଜ୍ୟବ୍ୟାପୀ ଧର୍ମଘଟ, ଆନ୍ଦୋଳନ ଗୁଳିକାଣ୍ଡ ପରେ ମଧ୍ୟ କଛି ଫଳ ହେଲା ନାହିଁ । ଆଜି ମଧ୍ୟ ଏହି ଅଞ୍ଚଳରେ ସୁଦଶାବ୍ରତ, ରଜସଂକ୍ରାନ୍ତି, ସାବିତ୍ରୀବ୍ରତ, ମାଣବସା ଗୁରୁବାର, ଏବଂ ଶ୍ରାଦ୍ଧ, ପିଣ୍ଡଦାନ ସମସ୍ତ ପୂଜାବ୍ରତ, ବିବାହ ପଦ୍ଧତି ଓଡ଼ିଆରୀତିରେ ହୁଏ । ମାତ୍ର ଭାଗ୍ୟର ବିଡ଼ମ୍ବନା ଅନେକ ଚେଷ୍ଟା, ଚିତ୍କାର, ଆନ୍ଦୋଳନ ସତ୍ତ୍ୱେ ପରିସ୍ଥିତିର ତାଡ଼ନାରେ ଏ ଅଞ୍ଚଳଗୁଡ଼ିକ ବିହାର ରାଜ୍ୟରେ ଅଂଶ ବିଶେଷ ହୋଇ ରହିଯାଇଛି । ଫଳରେ ଏହି ଅଞ୍ଚଳଗୁଡ଼ିକ ପ୍ରତି କୌଣସି ସରକାରଙ୍କର ଶୁଭଦୃଷ୍ଟି ପଡ଼ୁନି ଯଦିଓ ଚେଷ୍ଟା ଅନବରତ ଚାଲିଛି । ଓଡ଼ିଆ ସଂସ୍କୃତିକୁ ଓଡ଼ିଶା ଶିକ୍ଷାକୁ ଓଡ଼ିଆ ବହିପତ୍ର ପ୍ରଚଳନକୁ ଏବଂ ମଝିରେ ମଝିରେ ଦୁଇ ସରକାରଙ୍କର ମିଳିତଚେଷ୍ଟା ସତ୍ତ୍ୱେ ଏ ଅଞ୍ଚଳ ବହୁ ଅବହେଳିତ । ଏଠାକାର ଛାତ୍ରମାନେ ଶିକ୍ଷା ପ୍ରାପ୍ତି ପାଇଁ ଏତେ କଷ୍ଟ କରନ୍ତି ଯେ ତାହାର ତୁଳନା ନାହିଁ । ଓଡ଼ିଶା ସରକାରଙ୍କର ଚେଷ୍ଟା ଚାଲିଛି ଏ ଅଞ୍ଚଳକୁ ନିଜ ରାଜ୍ୟରେ ମିଶାଇଦେବା ପାଇଁ ମାତ୍ର ଏହା ସମ୍ଭବ ହୋଇପାରୁନି । କାରଣ ଓଡ଼ିଶା ତାର ଅଂଶକୁ ମିଶାଇ ଦେଲେ ଦେଶୀୟ ଆନ୍ଧ୍ର ତାର ଅଂଶଗୁଡ଼ିକ ଦାବୀ କରି ବସିବ । ଫଳରେ ସମସ୍ୟା ବଢ଼ିବ । ତଥାପି ଚେଷ୍ଟା ଆମ ସରକାର କରୁଛନ୍ତି ଏ ଅଞ୍ଚଳର ଉନ୍ନତି ପାଇଁ । ସେଥିପାଇଁ ଅନ୍ୟ ରାଜ୍ୟର ସରକାର ସହ ମିଳିତ ବାର୍ତ୍ତାଳାପ ସବୁବେଳେ ଚାଲିଛି ।

 

ସେପ୍‌ଟେମ୍ବର ୧୯୯୨ରେ ଆବାହକ ବସନ୍ତ କୁମାର ପାଣିଗ୍ରାହୀ ଉତ୍କଳ ସମ୍ମିଳନୀରେ ଆହ୍ୱାନ କରିଥିଲେ ଏହି ଜାତିର ସୁରକ୍ଷା ଓ ସଂସ୍କୃତିର ସଂକଟ ଦୂର କରିବା ପାଇଁ । ବିଭିନ୍ନ ଆଲୋଚନା ମାଧ୍ୟମରେ ବିଦ୍ୟାଳୟରେ ଓଡ଼ିଆ ପ୍ରାଥମିକ ସ୍ତରରୁ ଶିକ୍ଷାଦାନ, ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଶିକ୍ଷା, ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠା, ପତ୍ରପତ୍ରିକାର ଭୂମିକା ସମ୍ବନ୍ଧରେ ବିଧିମତ୍ତ ଆଲୋଚନା ହୋଇ ଏହାର ପ୍ରତିକାର ପାଇଁ ମତ ନିଆ ଯାଇଥିଲା ।

 

ଡିସେମ୍ବର ୧୯୯୨ରେ ବିଶ୍ୱ ଓଡ଼ିଆ ସମ୍ମିଳନୀ କଟକରେ ଆହୁତ ହୋଇ ଓଡ଼ିଆଭାଷା, ସଂସ୍କୃତିର ମାନରକ୍ଷା ଲାଗି ବଳିଷ୍ଠ ପଦକ୍ଷେପ ନିଆଯାଇଥିଲା ।

 

୧୮୭୦ରୁ ଆଜିପର୍ଯ୍ୟନ୍ତ ଓଡ଼ିଆ ଭାଷାର ବିଚ୍ଛିନ୍ନାଞ୍ଚଳରେ ସୁରକ୍ଷା ଲାଗି ଚେଷ୍ଟା ବିଭିନ୍ନ ଅନୁଷ୍ଠାନ ଆନୁକୂଲ୍ୟରେ ଚାଲିଛି । ପ୍ରଥମ ୧୮୭୦ରେ ଘୁମୁସରରେ, ୧୯୦୧ରେ ରମ୍ଭା, ଚିଲିକା କୂଳରେ; ୧୯୧୪ରେ ପାରଳାଖେମୁଣ୍ଡିରେ ସ୍ୱତନ୍ତ୍ର ଓଡ଼ିଶା ଗଠନର ମୂଳଭିତ୍ତି ପଡ଼ିଥିଲା । ସାଂସ୍କୃତିକ ଐକ୍ୟ ନଥିଲେ ଗୋଟିଏ ରାଜନୈତିକ ମାଳାରେ ଗୁନ୍ଥି ହୋଇ ରହିବା କଷ୍ଟ । ତେଣୁ ଓଡ଼ିଶା ଭାଷା ଓ ସଂସ୍କୃତିକୁ ଏକତ୍ର କରି ବଞ୍ଚାଇ ରଖିବା ପ୍ରତ୍ୟେକ ଓଡ଼ିଆର କର୍ତ୍ତବ୍ୟ ।

 

ମେଦିନୀପୁର ଜିଲ୍ଲାରେ ବଙ୍ଗାଳୀଭାଷା, ଶ୍ରୀକାକୁଲମ୍‌, ବିଜୟନଗର, ଓ ବିଶାଖାପାଟଣାରେ ତେଲୁଗୁଭାଷା; ସିଂହଭୂମ, ରାୟପୁର ବସ୍ତର ଜିଲ୍ଲାରେ ହିନ୍ଦିଭାଷା ମାଧ୍ୟମରେ ସେଠାରେ ବାସ କରୁଥିବା ଓଡ଼ିଆମାନେ ନିଜର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିବାକୁ ବାଧ୍ୟ ହେଉଛନ୍ତି । ତେଣୁ ନିଜ ରାଜ୍ୟରେ ସେମାନେ ପ୍ରବାସୀ ହୋଇପଡ଼ି ନିଜକୁ ଦୁର୍ବଳ ଅନୁଭବ କରୁଛନ୍ତି । କଲିକତା, ଦିଲ୍ଲୀରେ ଲକ୍ଷ ଲକ୍ଷ ଓଡ଼ିଆ ବାସ କରନ୍ତି । ଯିଏ ଯେଉଁଠି ଥାଉ ନିଜକୁ ଓଡ଼ିଆ ବୋଲି ପରିଚୟ ଦେଉ ।

 

ଆଜି ଆମର ସାଂସ୍କୃତିକ ଜୀବନ ଏତେ ବିପଦାପନ୍ନ ହୋଇପଡ଼ିଛି ଯାହାକି ଚିନ୍ତାର କାରଣ ହୋଇ ପଡ଼ିଛି । ଊନବିଂଶ ଶତାବ୍ଦୀର ଅଧାଅଧି ବେଳକୁ ଶ୍ରୀଯୁକ୍ତ କାନ୍ତିଲାଲ୍‌ ଭଟ୍ଟାଚାର୍ଯ୍ୟ ଓଡ଼ିଆ ଭାଷା ଏକ ସ୍ୱତନ୍ତ୍ର ଭାଷା ନୁହେଁ ବୋଲି ସିନା ମନ୍ତବ୍ୟ କରିଥିଲେ ମାତ୍ର ବର୍ତ୍ତମାନ ଆମର ଅପସଂସ୍କୃତିରେ ଗଢ଼ା ହୋଇଥିବା ଅମଣିଷ ଓଡ଼ିଆ ବରପୁତ୍ରମାନେ ଓଡ଼ିଆକୁ ଆଦୌ ଭାଷା ବୋଲି ସ୍ୱୀକାର କରୁନାହାନ୍ତି । ନିଜ ସନ୍ତାନମାନଙ୍କୁ ଇଂରାଜୀ ଢାଞ୍ଚାରେ ତିଆରି କରିବା ଇଂରାଜୀ ବିଦ୍ୟାଳୟରେ ଶିକ୍ଷାଦାନ କରି ବିଦେଶରେ ପ୍ରତିଷ୍ଠିତ କରାଇ ପାରିଲେ ଜୀବନ ଧନ୍ୟ ହୋଇଗଲା ବୋଲି ଭାବୁଛନ୍ତି । ବିଦେଶରେ ଖଣ୍ଡେ ଚାକିରୀ ମିଳିଗଲେ ଆଉ ରକ୍ଷାନାହିଁ । ସ୍ୱର୍ଗର ତାରା ଚାନ୍ଦ ମିଳିଯିବା ଅବସ୍ଥା ସେଇ ଓଡ଼ିଆଙ୍କର । ସ୍ୱାଧୀନ ଭାରତରେ ଏହି ସଂମ୍ଭ୍ରାନ୍ତ ପରିବାର ବୋଲାଉଥିବା ମ୍ଳେଛମାନଙ୍କୁ ଆଧୁନିକ ସାହିତ୍ୟର ସୁରକ୍ଷା, ସଂସଦ କଣ ସଂହାର କରି ପାରିବ ? ତାଙ୍କର ବର୍ବରତାକୁ ଧୂଳିସାତ୍‌ କରିପାରିବ ? ମନରେ ଓଡ଼ିଆ ଭାଷାପ୍ରତି ମମତା ଜାଗରଣ କରିବା କଣ ଆଧୁନିକ ଓଡ଼ିଆ ସାହିତ୍ୟର ପୃଷ୍ଠପୋଷକମାନଙ୍କର କର୍ତ୍ତବ୍ୟ ନୁହେଁ, ଆମେ ସମସ୍ତେ ଏହିପରି ଐଶ୍ୱର୍ଯ୍ୟବନ୍ତ ପୁରୁଷମାନଙ୍କୁ ବିରୋଧ କରିବା ଉଚିତ ନୁହେଁ କି ?

 

ଯେଉଁମାନେ ସମାଜର ପୃଷ୍ଠପୋଷକ ରାଜନୀତିଜ୍ଞ, ଶାସକ, ପ୍ରଶାସନର କର୍ଣ୍ଣଧାର ଏବଂ ଉନ୍ନତି କରିପାରିବାର ପଦରେ ଅଧିଷ୍ଠିତ ଅଛନ୍ତି, ସେହିମାନଙ୍କଠୁ ଓଡ଼ିଆ ଭାଷା ଓ ସଂସ୍କୃତିର ଉନ୍ନତି ପାଇଁ ଆମେ କିଛି ଆଶା କରିବା ଉଚିତ ହେବନି କି ? ସେମାନେ କିନ୍ତୁ ଏମିତି ଅସତ୍ୟ ଭିତରେ ବୁଡ଼ି ରହିଛନ୍ତି ଯେ ସତ୍ୟର ଆଲୋକ ତାଙ୍କ ପାଖରେ ପହଞ୍ଚିପାରୁନି । ଯେଉଁ ଅପସଂସ୍କୃତି ସେମାନଙ୍କୁ ଗ୍ରାସ କରିଛି ସେଥିରୁ ସେମାନେ ନିବୃତ୍ତ ହୋଇପାରିଲେ ତ ! ବର୍ତ୍ତମାନର ସର୍ବୋଚ୍ଚ କର୍ତ୍ତାମାନେ ଯେଉଁମାନେ ସରକାରୀ ବିପଣୀରେ ଅଧିଷ୍ଠିତ ସେମାନେ ଓଡ଼ିଆ ଭାଷାକୁ ହଜମ କରି ସାରିଲେଣି । କେବଳ ଇଂରାଜୀ ଭାଷାରେ ସେମାନେ କଥା କହିବେ, ଇଂରେଜ ପୋଷାକ ପିନ୍ଧିବେ ଏବଂ ସାହେବ ସାଜିବେ । ତାଙ୍କର ପିଲାମାନେ ମା ବାପାଙ୍କୁ ଓଡ଼ିଆରେ ଚିଠି ଲେଖି ପାରନ୍ତି ନାହିଁ । ଓଡ଼ିଆ ହୋଇ ଘରେ ଇଂରାଜୀରେ କଥାବାର୍ତ୍ତା ପସନ୍ଦ କରନ୍ତି । ଓଡ଼ିଆ ପିଠାପଣା ଭଲ ଲାଗେନି । ବିଦେଶୀ ଖାଦ୍ୟ ପାନୀୟ ଆଦବ, କାଇଦା, ହାଲୋ, ହାଏ ଭିତରେ ଏମିତି ବୁଡ଼ି ରହିଛନ୍ତି ଯେ ଏଗୁଡ଼ିକ ଜାଣି ନଥିବା ପରିବାର ସହ ମିଶି ପାରନ୍ତିନି ଏଭଳି ଓଡ଼ିଆ ଝିଅ ଓଡ଼ିଆଘରେ ବୋହୂ ହେବା ପସନ୍ଦ କରେନି । କେବଳ ବିଦେଶୀ ସାହେବୀ, ପ୍ରବାସୀ ଓଡ଼ିଆ ବନ୍ଧୁ ଖୋଜନ୍ତି । ଏମାନେ ଜାଣନ୍ତି ନାହିଁ ରାମାୟଣ, ମହାଭାରତ, ଭାଗବତ, ବାଲ୍ମୀକି, ସୀତା, ରାମ, ବେଦମତୀ, ଅନୁସୂୟା, ରାଣୀ ଲକ୍ଷ୍ମୀବାଈଙ୍କ କଥା, ଭଗବାନତ ମାନନ୍ତି ନାହିଁ । ଏ ଅବସ୍ଥାରେ ଓଡ଼ିଆ ସାହିତ୍ୟ, ପତ୍ରିକା ସେ ଘରେ ପଢ଼ିବ କିଏ ?

 

ଏଇ ସମାଜରେ ଓଡ଼ିଆଙ୍କର ଯଦି ଏଇ ପରିସ୍ଥିତି, କିଏ ରକ୍ଷା କରିବ ଏ ସଂସ୍କୃତିକୁ ଏ ସାହିତ୍ୟକୁ । କିଏ ପଢ଼ିବ ଓଡ଼ିଆ ପତ୍ର ପତ୍ରିକା, ଲେଖିଲେ ମଧ୍ୟ କିଏ ବୁଝିବ ? ଏ ଐତିହ୍ୟ, ଏ ସମାଜ ସମସ୍ତେ ଆଜି ସଂକଟରେ । ପୂର୍ଣ୍ଣ ହେବାର ସାଧନା ଶେଷ ହେବାର ନୁହେଁ ପୂର୍ଣ୍ଣ ଭାବରେ ଓଡ଼ିଆ ହୋଇ ବଞ୍ଚିବା ପାଇଁ ସାଧନାର ଆବଶ୍ୟକ । ମନରେ, ପ୍ରାଣରେ ଅନୁଭବ ଦରକାର, ନିଜର ସଂସ୍କୃତିର ଅହଂକାର ଥିବା ଦରକାର, ନିଜ ଜାତି ଓ ଭାଷା ପ୍ରତି ଆନ୍ତରିକତା ଥିବା ଦରକାର ।

 

ନିଜର ଆତ୍ମସମ୍ମାନକୁ ଦରିଦ୍ରର ମ୍ଳାନତାରୁ ଦୂରରେ ରଖି ନିଜର ବ୍ୟକ୍ତିତ୍ୱକୁ ଶୁଭ୍ର, ସ୍ୱଚ୍ଛ ବଳିଷ୍ଠ କରିପାରିଲେ ବୋଧେ ଏ ସାହିତ୍ୟ, ସଂସ୍କୃତି ତିଷ୍ଠି ରହିବ ।

 

 

ସୀମାନ୍ତ କଲେଜ

ଝାଡ଼ ପୋଖରିଆ, ମୟୂରଭଞ୍ଜ

 

***

 

ଏକାଡେମୀ ସମାଚାର

 

ବ୍ରଜରାଜ ସିଂହଦେଓ ଜୟନ୍ତୀ :

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତା ୪-୨-୯୫ ରିଖ ବସନ୍ତ ପଞ୍ଚମୀଦିନ ଖଡ଼ିଆଳସ୍ଥ ବୀର-ବିକ୍ରମ ମଣ୍ଡପଠାରେ ବ୍ରଜରାଜ ସିଂହଦେଓଙ୍କ ଜୟନ୍ତୀ ଉପଲକ୍ଷେ ଏକ ସାହିତ୍ୟ ସଭାର ଆୟୋଜନ କରାଯାଇଥିଲା । କଳାହାଣ୍ଡି ସାଂସ୍କୃତିକ ପରିଷଦର ସଭାପତି ଶ୍ରୀ ଗଦାଧର ରାୟଗୁରୁ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ । ପାଟଣାଗଡ଼ କଲେଜର ପ୍ରାଧ୍ୟାପକ ଡଃ ନୀଳାଚଳ ମିଶ୍ର ଓ ଶ୍ରୀଯୁକ୍ତ ପ୍ରୟାଗଦତ୍ତ ଯୋଷୀ ଯଥାକ୍ରମେ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ଏହି ଉତ୍ସବରେ ଯୋଗଦାନ କରିଥିଲେ । ଶ୍ରୀ କିଶୋର ଚନ୍ଦ୍ର ମହାପାତ୍ର ଏହି ଉତ୍ସବରେ ସମ୍ମାନିତ ବକ୍ତାଭାବେ ଯୋଗଦାନ କରିଥିଲେ ।

 

ସଭା ଆରମ୍ଭରେ ଏକାଡେମୀର ସଂପାଦକ ଶ୍ରୀ ରାଜକିଶୋର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଶେଷରେ ଖଡ଼ିଆଳ ସାହିତ୍ୟ ସମିତିର ସଂପାଦକ ଶ୍ରୀ ଅଭୟ ଚରଣ ଚଲାନ୍‌ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଏକାଡେମୀ ପକ୍ଷରୁ ଏକ ପୁସ୍ତକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା ।

 

ଆଦିକବି ସାରଳାଦାସଙ୍କ ଶ୍ରାଦ୍ଧୋତ୍ସବ :

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୬-୨-୯୫ରିଖ ମାଘ ସପ୍ତମୀ ସଂଧ୍ୟା ୬ଘଣ୍ଟା ସମୟରେ ତେନ୍ତୁଳିପଦାସ୍ଥ ସମାଧିପୀଠଠାରେ ଆଦିକବି ସାରଳାଦାସଙ୍କ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ଏକ ସାହିତ୍ୟ ସଭାର ଆୟୋଜନ କରାଯାଇଥିଲା । ଏହି ସାରସ୍ୱତ ଉତ୍ସବରେ ଜଷ୍ଟିସ୍‌ ଶ୍ରୀଯୁକ୍ତ କୃଷ୍ଣପ୍ରସାଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବଟିକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏକାଡେମୀର ସଭାପତି ଶ୍ରୀ କିଶୋରୀ ଚରଣ ଦାସ ଏଥିରେ ଅଧ୍ୟକ୍ଷତା କରିଥିଲେ । ବିଶିଷ୍ଟ ସାହିତ୍ୟିକ ତଥା ବାଗୀ ଶ୍ରୀଯୁକ୍ତ ହୃଦାନନ୍ଦ ରାୟ ମୁଖ୍ୟବକ୍ତା ରୂପେ ଯୋଗଦାନ କରିଥିଲେ । ସଭା ଆରମ୍ଭରେ ସାରଳା ସ୍ମାରକର ସଭାପତି ଶ୍ରୀ ସାତକଡ଼ି ହୋତା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସଭା ଶେଷରେ ସାରଳା ସ୍ମାରକର ସଂପାଦକ ଶ୍ରୀ ଗଣେଶ ପ୍ରସାଦ ପରିଜା ଧନ୍ୟବାଦାର୍ପଣ କରିଥିଲେ । ଏହି ଅବସରରେ ଏକାଡେମୀ ତରଫରୁ ଏକ ପୁସ୍ତକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା ।

 

ବିଦଗ୍‌ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ଜୟନ୍ତୀ :

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତା ୬-୨-୯୫ ରିଖ ମାଘସପ୍ତମୀ ସଂଧ୍ୟା ପାଞ୍ଚଘଣ୍ଟା ସମୟରେ ବିଦଗ୍‌ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ୨୩୮ ତମ ଜୟନ୍ତୀ ଉପଲକ୍ଷେ କବିଙ୍କ ଜନ୍ମପୀଠ ଅଭିମନ୍ୟୁ-ବାଲିଆଠାରେ ଏକ ସାହିତ୍ୟ ସଭାର ଆୟୋଜନ କରାଯାଇଥିଲା । ଏହି ସାହିତ୍ୟ ସଭାରେ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ତଥା ସମାଲୋଚକ ଡଃ ଆଶୁତୋଷ ପଟ୍ଟନାୟକ, ଡଃ ବିଜୟ କୁମାର ଶତପଥୀ ଯଥାକ୍ରମେ ସମ୍ମାନିତ ବକ୍ତା ଏବଂ ମୁଖ୍ୟ ବକ୍ତା ରୂପେ ଯୋଗଦାନ କରି ଅଭିମନ୍ୟୁଙ୍କ ସାହିତ୍ୟ ଏବଂ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ । ଏକାଡେମୀର ସମ୍ପାଦକ ଶ୍ରୀ ରାଜକିଶୋର ମିଶ୍ର ଅଧ୍ୟକ୍ଷତା କରିଥିଲେ । ଶେଷରେ ଅଭିମନ୍ୟୁ ସାହିତ୍ୟ ପରିଷଦର ସଂପାଦକ ଡଃ ରବୀନ୍ଦ୍ର କୁମାର ବିହାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଉତ୍କଳ ଭାରତୀ କୁନ୍ତଳାକୁମାରୀଙ୍କ ଜୟନ୍ତୀ :

ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ଲେଖିକା ସଂସଦଙ୍କ ମିଳିତ ଆନୁକୂଲ୍ୟରେ ତା ୮-୨-୯୫ରିଖ ସଂଧ୍ୟା ଛ’ଘଣ୍ଟା ସମୟରେ କଟକସ୍ଥ ଶ୍ରୀରାମଚନ୍ଦ୍ର ଭବନଠାରେ ଉତ୍କଳ ଭାରତୀ କୁନ୍ତଳାକୁମାରୀ ସାବତଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ଏକ ସାହିତ୍ୟ ସଭାର ଆୟୋଜନ କରାଯାଇଥିଲା ।

 

ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ କିଶୋରୀ ଚରଣ ଦାସ ଏଥିରେ ଅଧ୍ୟକ୍ଷତା କରିଥିଲେ । ଅଧ୍ୟାପିକା ସୁଷମା ମଞ୍ଜରୀ ନାୟକ ଏବଂ ଡଃ ଅର୍ଚ୍ଚନା ନାୟକ ଯଥାକ୍ରମେ ମୁଖ୍ୟବକ୍ତା ଏବଂ ସମ୍ମାନିତ ବକ୍ତାଭାବେ ଯୋଗଦାନ କରି କୁନ୍ତଳାକୁମାରୀଙ୍କ ସାହିତ୍ୟର ବିଭିନ୍ନ ବୈଶିଷ୍ଟ୍ୟ ସଂପର୍କରେ ଆଲୋଚନା କରିଥିଲେ । ସଭା ଆରମ୍ଭରେ ଶ୍ରୀ ରାଜକିଶୋର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଶେଷରେ ଓଡ଼ିଶା ଲେଖିକା ସଂସଦର ସଂପାଦିକା ଶ୍ରୀମତୀ ଶକୁନ୍ତଳା ପଣ୍ଡା ଧନ୍ୟବାଦାର୍ପଣ କରିଥିଲେ । ଏହି ଅବସରରେ ଏକାଡେମୀ ପକ୍ଷରୁ ଏକ ପୁସ୍ତକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା ।

 

କାବ୍ୟ-ବିନୋଦ-ପୂର୍ବାଞ୍ଚଳ କବି ସମାରୋହ :

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ରଙ୍କ ମିଳିତ ଆନୁକୂଲ୍ୟରେ ତା ୨୪-୨-୯୫ରିଖ ଓ ତା ୨୫-୨-୯୫ ଦୁଇଦିନ ବ୍ୟାପୀ ଏହି କାବ୍ୟ-ବିନୋଦ-ପୂର୍ବାଞ୍ଚଳ କବି ସମାରୋହ ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଆୟୋଜିତ ହୋଇଥିଲା । ତା ୨୪-୨-୯୫ରିଖ ଅପରାହ୍‌ଣ ୫ଘଣ୍ଟା ସମୟରେ ବିଶିଷ୍ଟ କବି ଶ୍ରୀ ରମାକାନ୍ତ ରଥ ଏହି ସାରସ୍ୱତ ସମାରୋହକୁ ଆନୁଷ୍ଠାନିକ ଭାବେ ପ୍ରଦୀପଜାଳି ଉଦ୍‌ଘାଟନ କରିଥିଲେ । ଏକାଡେମୀର ଉପ-ସଭାପତି ଶ୍ରୀ ଶ୍ରୀନିବାସ ଉଦ୍‌ଗାତା ସ୍ୱାଗତ ସମ୍ଭାଷଣ ଜଣାଇଥିଲେ । ପରେ ପରେ ତିନୋଟି ଅଧିବେଶନରେ ନିମନ୍ତ୍ରିତ କବିମାନେ ସ୍ୱରଚିତ କବିତା ଆବୃତ୍ତି କରିଥିଲେ ।

 

ମଣିପୁରର ବିଶିଷ୍ଟ କବି ଶ୍ରୀ ୱାଇ ଇବୋମଚା ସିଂହଙ୍କ ସଭାପତିତ୍ୱରେ ପ୍ରଥମ ଅଧିବେଶନର କବିତା ଆସର ଆରମ୍ଭ ହୋଇଥିଲା । ଏହି ଅଧିବେଶନରେ ବଙ୍ଗଳାର ବିଶିଷ୍ଟ କବି ଶ୍ରୀ ଜୟ ଗୋସ୍ୱାମୀ, ଓଡ଼ିଆ କବି ଶ୍ରୀ ରାମକୃଷ୍ଣ ସାହୁ, ଶ୍ରୀ ସୌଭାଗ୍ୟ ବନ୍ତ ମହାରଣା ଏବଂ ଶ୍ରୀମତୀ ଚିରଶ୍ରୀ ଇନ୍ଦ୍ରସିଂହ ସ୍ୱରଚିତ କବିତା ଆବୃତ୍ତି କରିଥିଲେ ।

 

ଆସାମର ପ୍ରସିଦ୍ଧ କବି ପ୍ରଫେସର ଶ୍ରୀ ଭବେନ୍‌ ବଡ଼ୁଆଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ଅଧିବେଶନ ଆରମ୍ଭ ହୋଇଥିଲା । ଏଥିରେ ବଙ୍ଗଳାର ବିଶିଷ୍ଟ କବି ଶ୍ରୀ ଅମିକତାଭ ଦାସଗୁପ୍ତା, ଶ୍ରୀମତୀ ଅନିତା ଅଗ୍ନିହୋତ୍ରୀ, ଏବଂ ଓଡ଼ିଆ କବି ଶ୍ରୀ ନିତ୍ୟାନନ୍ଦ ନାୟକ, ଡକ୍ଟର ସେନାପତି ପ୍ରଦ୍ୟୁମ୍ନ କେଶରୀ; ଶ୍ରୀ ଅଖିଳ ନାୟକ ଏବଂ ଡଃ ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ସ୍ୱରଚିତ କବିତାମାନ ଆବୃତ୍ତି କରିଥିଲେ ।

 

ତୃତୀୟ ଅଧିବେଶନରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କବି ଡଃ ପ୍ରତିଭା ଶତପଥୀ ଏଥିରେ ଅଧ୍ୟକ୍ଷତା କରିଥିଲେ । ନେପାଳୀ କବି ଶ୍ରୀ ରାଜେନ୍ଦ୍ର ଭଣ୍ଡାରୀ, ଓଡ଼ିଆ କବି ଶ୍ରୀ ସୁନୀଲ ପୃଷ୍ଟି, ବଙ୍ଗଳା କବି ଶ୍ରୀ ସମରେନ୍ଦ୍ର ସେନଗୁପ୍ତ, ଶ୍ରୀମତୀ ମମତା ଦାଶ, ଶ୍ରୀ ସୁରେଶ ନାୟକ ଏବଂ ଶ୍ରୀ ସୂର୍ଯ୍ୟ ମିଶ୍ର, ସେମାନଙ୍କର ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଏହାପରେ ଏକାଡେମୀ ତରଫରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

 

ଦ୍ୱିତୀୟ ଦିନ ତା ୨୫-୨-୯୫ରିଖ ପୂର୍ବାହ୍‌ଣ ଦଶଘଣ୍ଟା ସମୟରେ ଦ୍ୱିତୀୟ ଅଧିବେଶନ ଆରମ୍ଭ ହୋଇଥିଲା । ଏହି ଅଧିବେଶନରେ ଓଡ଼ିଶାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ଡଃ ସୌଭାଗ୍ୟ କୁମାର ମିଶ୍ର, ଶ୍ରୀ ହର ପ୍ରସାଦ ଦାସ ଏବଂ ବଙ୍ଗଳାର ବିଶିଷ୍ଟ କବି ଆଲୋଚକ ଶ୍ରୀ ସମରେନ୍ଦ୍ର ସେନଗୁପ୍ତ ଅଧ୍ୟକ୍ଷତା କରିଥିଲେ । ସାଂପ୍ରତିକ ଅସମୀୟା କବିତା, ବଙ୍ଗଳା କବିତା, ହିନ୍ଦୀ କବିତା, ନେପାଳୀ କବିତା, ଓଡ଼ିଆ କବିତା, ମଣିପୁର କବିତାର ସମାଲୋଚନାତ୍ମକ ସନ୍ଦର୍ଭଗୁଡ଼ିକ ଯଥାକ୍ରମେ ପ୍ରଫେସର ଭବେନ୍‌ ବଡ଼ୁଆ, ଶ୍ରୀମତୀ ଅଗ୍ନିହୋତ୍ରୀ, ପ୍ରଫେସର ରାଜେନ୍ଦ୍ର ଭଣ୍ଡାରୀ, ଡଃ ସୌଭାଗ୍ୟ କୁମାର ମିଶ୍ର, ଏବଂ ଶ୍ରୀ ୱାଇ ଇବୋମଚା ସିଂହଙ୍କଦ୍ୱାରା ଉପସ୍ଥାପନ କରାଯାଇଥିଲା । ବିଶିଷ୍ଟ କବି ଶ୍ରୀ ହରପ୍ରସାଦ ଦାସ ଏହି ଅଧିବେଶନରେ ସଂଯୋଜକ ଭାବେ ଯୋଗଦାନ କରିଥିଲେ ।

 

ଅପରାହ୍‌ଣ ଚାରିଘଣ୍ଟା ତିରିଶ ମିନିଟ୍‌ରେ ଏହି ଦିବସରେ ଦ୍ୱିତୀୟ ଅଧିବେଶନ ଆରମ୍ଭ ହୋଇଥିଲା । କଲିକତାର ବିଶିଷ୍ଟ କବି ଶ୍ରୀ ଅମିତାଭ ଦାସଗୁପ୍ତ, ବିଶିଷ୍ଟ କବି ଆଲୋଚକ ଡକ୍ଟର ଜାନକୀବଲ୍ଲଭ ମହାନ୍ତି (ଭରଦ୍ୱାଜ), ଅଧ୍ୟକ୍ଷତାରେ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା । ଶ୍ରୀ ୱାଇ ଇବୋମଚା ସିଂହ ଶ୍ରୀ ହୀରେନ୍‌ ଭଟ୍ଟାଚାର୍ଯ୍ୟ, ଡଃ ଗିରିବାଳା ମହାନ୍ତି, ଡଃ ପ୍ରସନ୍ନ କୁମାର ମିଶ୍ର, ଡଃ ବଂଶୀଧର ଷଡ଼ଙ୍ଗୀ, ଡଃ ମନୋରମା ମହାପାତ୍ର, ଶ୍ରୀ ରୋହିଣୀକାନ୍ତ ମୁଖାର୍ଜୀ ପ୍ରଫେସର ଭବେନ୍‌ ବଡ଼ୁଆ, ଶ୍ରୀ ଶ୍ରୀନିବାସ ଉଦ୍‌ଗାତା, ଶ୍ରୀ ସରୋଜ ରଞ୍ଜନ ମହାନ୍ତି, ଶ୍ରୀମତୀ ସୁରେଶ ମିଶ୍ର, ଶ୍ରୀ ଅମରେଶ ପଟ୍ଟନାୟକ ଏବଂ ଡଃ ପ୍ରତିଭା ଶତପଥୀ ସ୍ୱରଚିତ କବିତା ପାଠ କରିଥିଲେ ।

 

ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ କିଶୋରୀ ଚରଣ ଦାସ ଅଧ୍ୟକ୍ଷତା କରି ତାଙ୍କ ଭାଷଣ ପ୍ରସଙ୍ଗରେ କହିଲେ ଯେ ଆଧୁନିକ କବିତା ବର୍ତ୍ତମାନ ଭିନ୍ନଭିନ୍ନ ଭାଷାର କବିତା ସହିତ ତାଳ ଦେଇ ଯୁଗୀୟ ପ୍ରଭାବରେ ବିଶ୍ୱଚେତନାଦ୍ୱାରା ପରିପୁଷ୍ଟ ହୋଇ ଏକ ନୂତନ ଆଭିମୁଖ୍ୟ ଲାଭ କରିପାରିଛି । ଓଡ଼ିଶା ସାହିତ୍ୟ ଏକାଡେମୀର ସଂପାଦକ ଶ୍ରୀ ରାଜକିଶୋର ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଅଧିବେଶନ ପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଇ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏହି ପୁସ୍ତକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । କାବ୍ୟ ବିନୋଦ ସମାରୋହରେ ପଠିତ ପ୍ରତ୍ୟେକ ଭାଷାର କବିତାଗୁଡ଼ିକର ହିନ୍ଦୀ ଏବଂ ଓଡ଼ିଆ ଅନୁବାଦ ତଥା ଓଡ଼ିଆ କବିତାଗୁଡ଼ିକର ହିନ୍ଦୀ ଅନୁବାଦର ମଧ୍ୟ ଆବୃତ୍ତି କରାଯାଇଥିଲା । ବିଶିଷ୍ଟ କବି ଶ୍ରୀ ଶ୍ରୀନିବାସ ଉଦ୍‌ଗାତା ଏହି ସବୁ କବିତାର ହିନ୍ଦୀ ଏବଂ ଓଡ଼ିଆ ରୂପାନ୍ତରଣ କରିଛନ୍ତି ଏବଂ ତାହା ପୁସ୍ତକାକାରରେ ସଂକଳିତ ହୋଇଛି ।

 

ପ୍ରଫେସର ରୋହିଣୀ କାନ୍ତ ମୁଖାର୍ଜୀ ସମାରୋହର ଭବ୍ୟ ସଂଯୋଜନା କରିଥିଲେ ଏବଂ ଅନୂଦିତ କବିତାଗୁଡ଼ିକ ଲଳିତ କଣ୍ଠରେ ସୁଶ୍ରୀ ମନଜୀନ୍‌ କୌର ଆନନ୍ଦ, ହରବିନ୍ଦର କୌର, ନିବେଦିତା ମହାନ୍ତି, ଚାରୁ ଗୋୟଲ କରିଥିଲେ ।

 

***